ସୁନ୍ଦର ମୋଡ
ଏମିତି ଚାଲିଯାଉଛ କେମିତି ?
କାହିଁକି ଏମିତି ମୁଁହ ମୋଡ଼ି ନେଉଛ
ନିଜକୁ ଏତେ କଷ୍ଟ ଦେଉଛ
ପର ବୋଲି ଦୂରକୁ ଠେଲି ଦେଉଛ,
ଚାଲ ! ଛାଡ଼ିଦେବା ଜୀବନକୁ ଏକ ସୁନ୍ଦର ମୋଡରେ
ସହଜେ ଚାଲି ଯାଇପାରିବା ଯେଝା ପଥରେ ।
ମନରେ ନିଅନା କ୍ଲିଷ୍ଟତା
ଝାଡିଝୁଡ଼ି ଦିଅ ସବୁ ବନ୍ଧନ
ସାଙ୍ଗରେ ନିଅନା ସବୁ ଅତୀତର ଅଳନ୍ଧୁ
ଏଇଠି ଫୋପାଡି ଦିଅ ଏ ଅନ୍ଧାରକୁ
ପ୍ରେମ ମୋର ଘୃଣିତ ନ ହେଉ
ବରଂ ପ୍ରାର୍ଥନାରେ ବଦଳି ଯାଉ
ସୁନ୍ଦର ମୋଡରେ ଚାଲ
ନେଇଯିବା ଜୀବନକୁ ଯେଝା କଥାରେ ।
ହୃଦୟକୁ ପ୍ଲାବିତ କର
ପ୍ରେମରେ - ଉଁ ହୁଁ ସମର୍ପଣରେ
ହିସାବ ସବୁ ତୁଟିବା କଣ ଯେ ଆବଶ୍ୟକ
ସବୁ ଅଛିଣ୍ଡା ଥାଉ ଯେଝା ପାଖରେ
ଥାଉ ଯିଏ ଯେଉଁ ଦିଗରେ
ଜଞ୍ଜିର ନ ପଡୁ ପାଦରେ
ସ୍ୱାଧୀନତା ଆସୁ ହାତରେ
ଚାଲ ! ଏକ ସୁନ୍ଦର ମୋଡ ଦେବା ଜୀବନକୁ
ଛାଡ଼ିଦେବା ନିଜେ ନିଜକୁ ଯେଝା ଭାଗ୍ୟରେ ।
ସୁନ୍ଦର ମୋଡ
ପୁଣି କରୁ ଦୁହିଁଙ୍କୁ ଅଚିହ୍ନା ଅଜଣା
କିଏ କାହା ପାଇଁ ନ ହେଉ ବାଟବଣା
ନ ବୋଝ , ନ ଋଣ, ନ ଅଭିଶାପ
କେବଳ ଯେଝା ଇଚ୍ଛାରେ, ଯେଝା ବାଟରେ
ପୁଣି ଏକ ପ୍ରେମର ଅନ୍ୱେଷଣରେ
ସୁନ୍ଦର ଶିହରଣର ଗହନ ବନରେ
ଛାଡ଼ିଦେବା ନିଜେ ନିଜକୁ , ଭିତରେ ବାହାରେ ।।