ଗାଡି
ଗରିବ ହଳ ଚଲାଏ
ଚଲାଏ ବଳଦ ଗାଡି, ଚଲାଏ ରିକ୍ସା, ଚଲାଏ ଅଟୋ
ଚଲାଏ ବି ସକାଳୁ ସକାଳୁ ବିକଟ ଶବ୍ଦ କରି
ମଇଳା ବୋହୁଥିବା ମ୍ୟୁନିସିପାଲିଟିର ଲୁହାଚକ ଗାଡି ।
ଗରିବ ସାଇକଲ ଚଲାଏ, ଚଲାଏ ବସ ଓ ଟ୍ରକ
ଚଲାଏ ଆମ୍ବୁଲାନ୍ସ, ଗରିବ ଲୋକ
ଚଲାଏ ନୌକା । ଗରିବର ପିଲାମାନେ ଖେଳି ଖେଳି
ଚଲାନ୍ତି ସାଇକଲ ଟାୟାର, ଲୁହା ରିମ
ଗରିବ ଝାଳ ବୁହେଇ ଚଳାଏ ଚକ, ଅଖ, କଳ ଓ ନଳ ।
ଛକର ଟ୍ରାଫିକ ପୁଲିସ କିନ୍ତୁ କଟମଟ କରି ଚାହେଁ
କେବଳ ଗରିବ ଚାଳକକୁ, ବେଳେ ବେଳେ ଶୋଧିପକାଏ
ଦୋ ଅକ୍ଷରୀ । ଦାମୀ କାରଠୁ ଠିଆ ହୁଏ ସଂଭ୍ରମ ଦୂରତାରେ ।
ମୁହଁ ବୁଲେଇ ଦିଏ ଅନ୍ୟ ଆଡେ
ସତେ ଯେପରି ସେ କିଛି ବି ଦେଖିନି ।
ଗରିବ ନିଜର ଭଙ୍ଗା ଦଦରା ଦେହକୁ ବି
ଘୋଷାରି ଘୋଷାରି ଚଳାଏ ଖାଲଖମାର ରାସ୍ତାରେ
ଭୋକର ବସ୍ତା ପରି ଲଦି ନିଜ ପିଠିରେ ।
ଏମିତି ଗାଈଗୋରୁ ପରି ଚାଲୁ ଚାଲୁ
ଗରିବ ନିଜକୁ ବି ମାରିପକାଏ
ଦୁଇ ଚାରି ପାଞ୍ଚଣର ପ୍ରହାର
ଚାଲି ଚାଲି ହଳେ ଶସ୍ତା ଚପଲ ପରି
ଗରିବ ନିଜେ ଇ ଘୋରି ହୋଇଯାଏ ।
ଧନୀ ଏସବୁ କିଛି ଚଲାନ୍ତି ନାହିଁ
ଧନୀ ଖାଲି ଦେଶ ଚଲାନ୍ତି
ଯାହାର ଚକ ଇ ନଥାଏ ।