ଚିତ୍ରକଳ୍ପ
ଡହଡହ ଖରାରେ,
ଆଖି ପାଉନଥିବା ଦୂରତା ଯାଏଁ ଲମ୍ବିଥିବା
ଧାଡ଼ିସବୁରେ, ପବନ କାନ୍ଧକୁ ଦେହ ଡେରିଦେଇ
ଆପଣଙ୍କ ଅପେକ୍ଷାରେ ଠିଆହେଇଥିବା
ଏ ଝାଳ ସରସର ମଣିଷଗୁଡ଼ା
ପୋକମାଛି ନୁହନ୍ତି ବୋଲି, ଆମର
ବିଶ୍ୱାସ ହୁଏନି ବେଳେବେଳେ, ହଜୁର...!
ଝାଳପିଆ ମଇଳା ଲୁଗାର ଉତ୍କଟ ଗନ୍ଧ,
ନୁଖୁରା ଚମ, ଫଟାପାଦ, ଓ ଜାଗା ଜାଗା
ପୂଜ-ଭର୍ତ୍ତି କ୍ଷତ, କଣନଖିଆରେ ପୁଣି
ମାଛି ଭଣଭଣ। ପୋରିଆ ହାଡ଼ର ଛାଞ୍ଚଟିଏକୁ
ଢାଙ୍କି ପତଳା ଏକ ପରତ କଳା ଚମଡାର,
ସେତିକି ବୋଲି ଦେହ। କପାଳରେ ବୟସ ଓ
ବିଶ୍ୱାସର ଭାଙ୍ଗ, ଆଖି ତଳେ ବହଳ କଳାଦାଗ -
ନିଦଫିଦ ମିଛ।
ହଜୁର!
ଯଦିବା ଆପଣ ଜାଣିଥିବେ, ତଥାପି
ଆପଣଙ୍କ ଗୋଚରାର୍ଥେ ପୁଣି କହିରଖେ,
ଏମାନେ ସମସ୍ତେ ତଳଧାଡ଼ିର ମଣିଷ।
ସ୍ବପ୍ନଖିଆ, ପ୍ରତିଶ୍ରୁତିଖିଆ, ଚିରକାଳ ବିଶ୍ୱାସର
ପଘାରେ ଦୁଃଖଗୁହାଳରେ ବନ୍ଧା! ଏମାନେ
ସେଇ ଲୋକ - ଯାହାଙ୍କ କଙ୍କାଳସାର ଦେହ
ଅନ୍ଧରଜାର ଶୋଭାଯାତ୍ରାରେ ଭିଡ଼ ପାଲଟିଯିବାକୁ
ରାଜନୀତିର ଶେଷତମ ପାହାଚରେ
ପ୍ରସ୍ତୁତଥାଏ ଚିରକାଳ...! ଏମାନେ ସେଇ ଲୋକ -
ଯାହାଙ୍କୁ ନିମିତ୍ତ କରି ଗଢ଼ାହୁଏ ଦୂର
ମଶାଣିପଦାରେ ଥାକଥାକ ମିଛର ମହଲ,
ନିଜ ଅୟସ ପାଇଁ ଯାହାଙ୍କ ରକ୍ତ-ମାଂସ-ହାଡ଼
ନିଲାମ କରନ୍ତି ଆପଣ, ବାରମ୍ବାର!
ଆପଣ ବଡ଼ଲୋକ, ସ୍ବପ୍ନ-ସାହୁକାର!
ଆପଣଙ୍କ ଅପେକ୍ଷାରେ ହିଁ ଡହଡହ ଖରାରେ
ସଜ ହେଇଛି ଏ ମଣିଷମେଳି, ଏ ଝଲମଲ
ଦୁଃଖ ବଜାର...! ଆପଣଙ୍କ ବିନୋଦ ପାଇଁ ହିଁ
ସମୟକୁ ତାତ୍ସଲ୍ୟ କରୁଥିବା ଧାଡିସବୁରେ
ଏମାନଙ୍କର ଏ ଅସହାୟ ଉପସ୍ଥାନ,
ହୁଏତ କରୁଣତମ ବ୍ୟଙ୍ଗ ଗଣତନ୍ତ୍ରର!
ହଜୁର, ଧ୍ୟାନ ଦିଅନ୍ତୁ!
ରାଜରାସ୍ତା କଡେ କଡେ ରକ୍ତନଦୀରେ
ନୌବିହାର କରୁ କରୁ, ଫୁଲସଜ୍ଜିତ ଡ଼ଙ୍ଗାରେ ବସି
ଏ କରୁଣ ଦୃଶ୍ୟକୁ କ୍ୟାମେରାରେ ବାନ୍ଧିରଖୁଛି
କେହି ଜଣେ ଖୁବ୍ ସରାଗରେ - ଯା'ର ହସହସ ମୁହଁ,
ନିଷ୍କରୁଣ ଆଖି, ଓ ଛବି ତୋଳିବାର ବିଚିତ୍ର ବିଳାସ
ଫୁଟିଯାଉଛି କଣ୍ଟା ଭଳି ସବୁରି ପାଦରେ!
ଯା'ର ନିଜମନସ୍କତା ଜାଳିଦେଉଛି ଆମ ପଦ୍ମବନକୁ
ଅଳ୍ପ ଅଳ୍ପ କରି, ଓ ପାଉଁଶଗଦାରେ ଛଳନାର ଅକ୍ଷିମୁଠି
ହେଇ ବୁଣିଯାଉଛି ଛାଇ ଅନ୍ଧାରରେ...
ଏ ଲୋକଟିକୁ ଆପଣ ଚିହ୍ନନ୍ତି, ହଜୁର?
ପୋକମାଛି ଭଳି ଦିଶୁଥିବା ଲୋକମାନଙ୍କର
ଏ ଭିଡକୁ ଦେଖି ଖୁସିହୁଅନ୍ତି ଆପଣ?
ହଜୁର....
ହଜୁର?