ଚିତ୍ରକଳ୍ପ 

ଚିତ୍ରକଳ୍ପ 

ଡହଡହ ଖରାରେ,
ଆଖି ପାଉନଥିବା ଦୂରତା ଯାଏଁ ଲମ୍ବିଥିବା 
ଧାଡ଼ିସବୁରେ, ପବନ କାନ୍ଧକୁ ଦେହ ଡେରିଦେଇ 
ଆପଣଙ୍କ ଅପେକ୍ଷାରେ ଠିଆହେଇଥିବା 
ଏ ଝାଳ ସରସର ମଣିଷଗୁଡ଼ା 
ପୋକମାଛି ନୁହନ୍ତି ବୋଲି, ଆମର 
ବିଶ୍ୱାସ ହୁଏନି ବେଳେବେଳେ, ହଜୁର...!

ଝାଳପିଆ ମଇଳା ଲୁଗାର ଉତ୍କଟ ଗନ୍ଧ, 
ନୁଖୁରା ଚମ, ଫଟାପାଦ, ଓ ଜାଗା ଜାଗା 
ପୂଜ-ଭର୍ତ୍ତି କ୍ଷତ, କଣନଖିଆରେ ପୁଣି 
ମାଛି ଭଣଭଣ। ପୋରିଆ ହାଡ଼ର ଛାଞ୍ଚଟିଏକୁ 
ଢାଙ୍କି ପତଳା ଏକ ପରତ କଳା ଚମଡାର, 
ସେତିକି ବୋଲି ଦେହ। କପାଳରେ ବୟସ ଓ 
ବିଶ୍ୱାସର ଭାଙ୍ଗ, ଆଖି ତଳେ ବହଳ କଳାଦାଗ - 
ନିଦଫିଦ ମିଛ। 

ହଜୁର! 
ଯଦିବା ଆପଣ ଜାଣିଥିବେ, ତଥାପି 
ଆପଣଙ୍କ ଗୋଚରାର୍ଥେ ପୁଣି କହିରଖେ, 
ଏମାନେ ସମସ୍ତେ ତଳଧାଡ଼ିର ମଣିଷ। 
ସ୍ବପ୍ନଖିଆ, ପ୍ରତିଶ୍ରୁତିଖିଆ, ଚିରକାଳ ବିଶ୍ୱାସର 
ପଘାରେ ଦୁଃଖଗୁହାଳରେ ବନ୍ଧା! ଏମାନେ
ସେଇ ଲୋକ - ଯାହାଙ୍କ କଙ୍କାଳସାର ଦେହ 
ଅନ୍ଧରଜାର ଶୋଭାଯାତ୍ରାରେ ଭିଡ଼ ପାଲଟିଯିବାକୁ 
ରାଜନୀତିର ଶେଷତମ ପାହାଚରେ 
ପ୍ରସ୍ତୁତଥାଏ ଚିରକାଳ...! ଏମାନେ ସେଇ ଲୋକ - 
ଯାହାଙ୍କୁ ନିମିତ୍ତ କରି ଗଢ଼ାହୁଏ ଦୂର 
ମଶାଣିପଦାରେ ଥାକଥାକ ମିଛର ମହଲ, 
ନିଜ ଅୟସ ପାଇଁ ଯାହାଙ୍କ ରକ୍ତ-ମାଂସ-ହାଡ଼ 
ନିଲାମ କରନ୍ତି ଆପଣ, ବାରମ୍ବାର! 

ଆପଣ ବଡ଼ଲୋକ, ସ୍ବପ୍ନ-ସାହୁକାର!
ଆପଣଙ୍କ ଅପେକ୍ଷାରେ ହିଁ ଡହଡହ ଖରାରେ
ସଜ ହେଇଛି ଏ ମଣିଷମେଳି, ଏ ଝଲମଲ 
ଦୁଃଖ ବଜାର...! ଆପଣଙ୍କ ବିନୋଦ ପାଇଁ ହିଁ 
ସମୟକୁ ତାତ୍ସଲ୍ୟ କରୁଥିବା ଧାଡିସବୁରେ  
ଏମାନଙ୍କର ଏ ଅସହାୟ ଉପସ୍ଥାନ,  
ହୁଏତ କରୁଣତମ ବ୍ୟଙ୍ଗ ଗଣତନ୍ତ୍ରର! 

ହଜୁର, ଧ୍ୟାନ ଦିଅନ୍ତୁ! 
ରାଜରାସ୍ତା କଡେ କଡେ ରକ୍ତନଦୀରେ
ନୌବିହାର କରୁ କରୁ, ଫୁଲସଜ୍ଜିତ ଡ଼ଙ୍ଗାରେ ବସି 
ଏ କରୁଣ ଦୃଶ୍ୟକୁ କ୍ୟାମେରାରେ ବାନ୍ଧିରଖୁଛି 
କେହି ଜଣେ ଖୁବ୍ ସରାଗରେ - ଯା'ର ହସହସ ମୁହଁ,
ନିଷ୍କରୁଣ ଆଖି, ଓ ଛବି ତୋଳିବାର ବିଚିତ୍ର ବିଳାସ 
ଫୁଟିଯାଉଛି କଣ୍ଟା ଭଳି ସବୁରି ପାଦରେ!
ଯା'ର ନିଜମନସ୍କତା ଜାଳିଦେଉଛି ଆମ ପଦ୍ମବନକୁ 
ଅଳ୍ପ ଅଳ୍ପ କରି, ଓ ପାଉଁଶଗଦାରେ ଛଳନାର ଅକ୍ଷିମୁଠି 
ହେଇ ବୁଣିଯାଉଛି ଛାଇ ଅନ୍ଧାରରେ...

ଏ ଲୋକଟିକୁ ଆପଣ ଚିହ୍ନନ୍ତି, ହଜୁର?
ପୋକମାଛି ଭଳି ଦିଶୁଥିବା ଲୋକମାନଙ୍କର 
ଏ ଭିଡକୁ ଦେଖି ଖୁସିହୁଅନ୍ତି ଆପଣ? 
ହଜୁର.... 
ହଜୁର?