ଭ୍ରମର ଗୀତ

ଭ୍ରମର ଗୀତ

ଭଅଁର ଟାଏ

ଫୁଲରୁ ଫୁଲକୁ ଉଡୁଉଡୁ

ଫୁଲରୁ ମହୁ ନଉ ନଉ  

ଏମିତି ପୁଣି କାହିଁକି ହେଲା ।

ନୀଳ ରଙ୍ଗର ଫୁଲଟି କାହିଁକି ମନକୁ ମୋହିଲା ?

ତାକୁ ସବୁଦିନ ଦେଖିବାକୁ ମନ କଲା ।

ତା' ରୁପ ରଙ୍ଗ କାହିଁକି ମନେ ପଡିଲା ଦିନସାରା ?

ଭଅଁରକୁ ସବୁ ଫୁଲରେ ସେଇ ଗୋଟିଏ ଫୁଲ ଦେଖାଗଲା । ସେ ଖୋଜିଲା ନୀଳ ଫୁଲକୁ । ନୀଳ ଫୁଲଟି କୋଉ ବଗିଚାରେ ଦେଖା ହେଇଥିଲା, ଭଅଁର ତାହା ଭୁଲିଯାଇଥାଏ । ଭଅଁର କୋଉ ଗୋଟିଏ ବଗିଚାର ବନ୍ଧୁ କି ? ମହୁ ନିଶାରେ ଭଅଁର ବଗିଚା ବଗିଚା ବୁଲେ । ମହୁ ପାଇଗଲେ ନା ଫୁଲ ନା ବଗିଚା କିଛି ମନେରହେନା ।

ବିଚରା ଭଅଁର । ଆଉ ତାକୁ କିଛି ଭଲଲାଗୁନି । ଭୋକଶୋଷ ବି ଜଣାପଡୁନି । ମହୁ ଭଲଲାଗୁନି । ଫୁଲ ଭଲ ଲାଗୁନି । ଭଅଁର ତା ଗୀତ ଭୁଲିଗଲାଣି । ତାକୁ ଉଡିବାକୁ ଇଚ୍ଛା ହଉନି । ଦୁର୍ବଳ ହେଇ ନିସ୍ତେଜ ପ୍ରାୟ ପଡି ରହୁଚି । ସାଙ୍ଗସାଥି କେହି ଡାକିଲେ ଯାଉନି । ଶୋଇ ରହୁଚି । ସେଇ ଫୁଲର ସ୍ବପ୍ନ ଦେଖୁଚି ।

ମୋ ଫୁଲ କଣ ଏବେ ବି ମତେ ମନେରଖିଥିବ ? ସେ ବି କଣ ମୋ ଭଳି ପାଗଳ ହେଉଥିବ ? ସେ' ତ ଫୁଲ, ଫୁଟିବା ତା ଧର୍ମ । ସେ କ'ଣ ଜାଣିବ ଯେ ଗୋଟିଏ ଭଅଁର ତା ଚିନ୍ତାରେ ଭୋକଶୋଷ ଭୁଲିଗଲାଣି । ଏମିତି ଭାବିଭାବି ଭଅଁରଟି ମନ ଦୁଃଖରେ ଥାଏ ।

ତେଣେ ଫୁଲକୁ କାହିଁ କିଛି ଭଲ ଲାଗୁନଥାଏ । ସେ ହସୁଥାଏ, ତା ମନର ସରସ, ହରଷ ସବୁ ଯେମିତି କିଏ ନେଇଯାଇଛି । ତା ପାଖୁଡ଼ାରେ ରଙ୍ଗ ଆଉ ଝଲମଲ କରୁନି ।

ସେ ବି ସେହି ଭଅଁରର ପରଶ ଖୋଜୁଛି । କିନ୍ତୁ କୋଉ ଭଅଁରର ପରଶ ତାହା ସେ ଜାଣିପାରୁନି । ସେ ତ ଫୁଲ ନିଜକୁ ବିଛେଇ ରଖିଛି ଅନ୍ୟକୁ ଖୁସି କରିବାକୁ । କିଏ ତାକୁ ନେଇ ଠାକୁର ପୂଜାରେ ଅର୍ପଣ କରୁଛି, କିଏ ତା ଘର ସଜେଇ ଫୁଲରେ ନିଜେ ଖୁସି ହଉଚି । କେହି ପୁଣି କେରାଏ ଫୁଲ ଅନ୍ୟକୁ ଦେଇ ଖୁସି କରାଉଛି । କାହା ମୁଣ୍ଡ ରେ ତ' କାହା ପାଦରେ ବିଛାଯାଇଛି ଫୁଲକୁ । କେତେ ଭଅଁର, ଉଡା ପୋକ ତା' ଉପରେ ବସି ଉଡିଯାଆନ୍ତି । କେତେ ମହୁ ଶୋଷି ତାକୁ ଖାଲି କରିଦିଅନ୍ତି । କାହା ଠିକଣା ତ କେବେ ରଖିନି ଫୁଲ ।

ଏବେ ଭଅଁରକୁ ସେ ଖୋଜିବ କୋଉଠି ?
ଫୁଲର ମଳିନ ହସ ଦେଖି ଦୁଃଖ କଲା ଜହ୍ନ ।

"ଏ ପୁଣି କେମିତିକା ହସ ଫୁଲ ?"

"'ଣ .....କ... ଣ ହେଲା ଯେ...."

ତମେ କାନ୍ଦ ପଛେ । ଏମିତି ହସନି ।"

ମୁଁ ମୋ ଭାଗ୍ୟକୁ ଆଦରି ପଡି ରହିଛି ।"

ନା ! ଏହି କରୁଣ ହସ ମୁଁ ସହି ପାରୁନି ।"

"ମତେ କୁହ ମୁଁ କ'ଣ କରିବି । "

"ମନ ଖୋଲିଦିଅ । ମତେ କୁହ ।"

"ନା!! କହିପାରିବିନି । ତମେ ଯାଅ ।"

"ଏମିତି କଷ୍ଟ ମତେ ଦିଅନି । କୁହ କ'ଣ ହେଇଚି ।"

"ଫୁଲ ଥାଏ ହସିବା ପାଇଁ, ହସାଇବା ପାଇଁ । ମୁଁ ମୋ କାମ କରୁଚି । ମତେ କିଛି କୁହନି । ଯାଅ ଚାଲିଯାଅ । ତମେ ବି ତମ କାମ କର ।"

ଫୁଲ ବ୍ୟତିବ୍ୟସ୍ତ ହୋଇପଡିଲା ଜହ୍ନ କଥାରେ ।
.........

ସ୍ମୃତି ଷ୍ଟେଜରେ ଗପ କହୁଥାଏ । ସୁମିତ ଗପ ସହିତ ସ୍ମୃତିର ମୁହଁରେ ବଦଳୁଥିବା ଭାବକୁ ବି ପଢିବାକୁ ଚେଷ୍ଟାକରୁଥାଏ । ସୁମିତ ଓ ସ୍ମୃତିଙ୍କ ଆଠ ବର୍ଷର ସମ୍ପର୍କ । ସୁମିତ ବହୁତ ଭଲପାଏ ସ୍ମୃତିକୁ । ସମ୍ମାନ ବି କରେ । ନିକଟ ଭବିଷ୍ୟତରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବା ନିଷ୍ପତ୍ତି ବି ନେଇଛନ୍ତି । କିନ୍ତୁ ଏ ଲେଖିକା, କାହାଣୀକାର ସ୍ମୃତିକୁ ସେ ବୁଝିପାରେନି ।

ପ୍ରତି କାହାଣୀ ସହିତ ସ୍ମୃତିର ମାନସିକତାକୁ ପରଖି ଦେଖିବାକୁ ଚାହିଁଚି ସୁମିତ । କେବେ ତାକୁ ଗପ ଭିତରେ ସେଇ ସ୍ମୃତି ଟି ମିଳେନି ଜାହାକୁ ସେ ଜାଣିଛି । ଏତେ ଶାନ୍ତ ସରଳ ଝିଅଟି ଭିତରେ କ' ଏମିତି ବି କିଛି ସବୁ ରହିଛି ଯାହା ସେ ଜାଣିପାରିନି ।

ସ୍ମୃତିକୁ ଘରେ ଛାଡିବା ଆଗରୁ ସୁମିତ ପଚାରିଲା

"ଆଛା ସେ ଭଅଁରଟା ମୁଁ ନୁହଁ ତ ?"

"ତମ ଛଡା କ'ଣ ଆଉ କିଛି ଲେଖିପାରିବିନି ?"

"ନିଶ୍ଚୟ ପାରିବ, କିନ୍ତୁ କୁହନା ସେ ଭଅଁରକୁ ତମେ ଚିହ୍ନିଲ କେମିତି ?"

" ସୁମିତ ! ଏମିତି ଭଅଁର ଫୁଲମାନଙ୍କ ପାଖେ ନିହାତି ମିଳିଯାଆନ୍ତି ।"

" କିନ୍ତୁ ତମ ଭଅଁରକୁ ପ୍ରେମ ହେଇଗଲା ଯେ ।"

" ହଁ, ଭଅଁର ପ୍ରେମ କରେ । କିନ୍ତୁ ଫୁଲକୁ ନୁହଁ । ମହୁକୁ ।

" ତମ ଗପର ଭଅଁର ତ ବିରହୀ ପ୍ରେମିକଟିଏ ।"

" ହଁ, କାହିଁକି ଜାଣ ?"

"ପ୍ରେମରେ ପାଇବା ଇଚ୍ଛା ରଖିଲେ ବିରହ ଯନ୍ତ୍ରଣା ଅଧିକ ହୁଏ ।"

"ପ୍ରେମରେ ପାଇବା ଇଚ୍ଛା ତ ପ୍ରବଳ ହୁଏ ।"

"ଯୋଉଠି ଆଶା, ସେଇଠି ଦୁଃଖ ।" କହିଲା ସ୍ମୃତି

"ବୁଝିପାରୁନି ଏହି ଲେଖିକାଟିକୁ ।"

"ଲେଖାରୁ ଲେଖକଙ୍କ ବ୍ୟକ୍ତିତ୍ବ କାହିଁକି ବୁଝିବାକୁ ଚେଷ୍ଟା କରନ୍ତି ଲୋକ ? ଛାଡିଦିଅ ଲେଖକଙ୍କୁ ତାଙ୍କ ଦୁନିଆରେ । ପ୍ରତି ଚରିତ୍ରରେ ଯଦି ମୁଁ ନିଜକୁ ରଖିବି, ଚରିତ୍ର ସବୁ ଅଲଗା କେମିତି ଲାଗିବ ? ଫୁଲକୁ ଫୁଲ ଜାଗାରେ, ଭଅଁରକୁ ଓ ଜହ୍ନକୁ ତା' ଜାଗାରେ, ମତେ ମୋ ଜାଗାରେ ରହିବାକୁ ଦିଅ ନା' !!"

ସୁମିତ ଭାବୁଛି, ସେ କାହାକୁ ଶୁଣୁଛି, ଲେଖିକାକୁ ନା ସ୍ମୃତିକୁ !!

କିଏ ତାର ପ୍ରେମିକା ??? ସ୍ମୃତି ନା ସେ ଲେଖିକା ??