ଓଡ଼ିଶା ସାହିତ୍ୟ ଏକାଡ଼େମୀକୁ ଚାରୋଟି ପ୍ରଶ୍ନ

ଓଡ଼ିଶା ସାହିତ୍ୟ ଏକାଡ଼େମୀକୁ  ଚାରୋଟି ପ୍ରଶ୍ନ

୧- ଗତ କିଛିଦିନ ତଳେ ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ବଡ଼ଭାଇ ଅସିତ୍ ମହାନ୍ତିଙ୍କର ଏକ ଆଲେଖ ପ୍ରକାଶିତ ହୋଇଥିଲା ସମ୍ବାଦରେ । ସେଥିରେ ସେ ସ୍ପଷ୍ଟଭାବେ ଲେଖିଥିଲେ ଯେ, ଓସାଏର ଯେହେତୁ ଦୀର୍ଘଦିନ ଧରି ସଭାପତି, ଉପସଭାପତି ପଦବୀ ଖାଲି ପଡ଼ିଛି ଓ କାର୍ଯ୍ୟକାରୀ କମିଟି ଗଠନ ହେଇପାରିନାହିଁ, ତେଣୁ ଆପାତତଃ ତାହା ଏବେ ଏକ ମୁରବୀବିହୀନ ସଂସ୍ଥା । ମୋର ପ୍ରଶ୍ନ ହେଲା ଏ ମୁରବୀ ବିହୀନ ସଂସ୍ଥା ଯୁବଲେଖକ ସମାରୋହ କେଉଁ ଖୁସିରେ କଲେ ଓ ସେଠାରେ ଯୋଗ ଦେଇଥିବା ଯୁବ ଲେଖକମାନେ ଘରର ଏପରି ମୁରବୀହୀନ ସ୍ଥିତିକୁ ନବୁଝି ନଶୁଝି ଆନନ୍ଦରେ ବିଭୋର ହେବା କେତେଦୂର ଯଥାର୍ଥ । ତା’ମାନେ ଘରେ ପାଣି ପଶୁ ଆମେ ସୁରକ୍ଷିତ ଏଇ ନ୍ୟାୟରେ?

 

୨- ମୁଁ ଶୁଣିଲି ଅନେକ ଯୁବ ଲେଖକ/ଲେଖିକା ନିଜ ଖର୍ଚ୍ଚରେ ଭାରତର ବିଭିନ୍ନ ସହରରୁ ଆସିଥିଲେ । ସଭାରେ ଓସାଏର କର୍ମକର୍ତ୍ତା ବା ଆୟୋଜନର ପୃଷ୍ଠପୋଷକ କହିଲେ ଯେ, ଓସାଏ କୁଆଡ଼େ ଘୋର ଆର୍ଥିକ ସଂକଟରେ ଅଛି, ତେଣୁ ଆର୍ଥିକ ସହଯୋଗ କରିହେବ ନାହିଁ । ସରକାର ତ ଜୀଜିୟା କରଠୁ ଆହୁରି କଠୋର କର ନେଉଛନ୍ତି ଆମଠୁ । କଳା-ସଂସ୍କୃତି ସାହିତ୍ୟ ପାଇଁ ସେହି ପଇସାରୁ ଦିଅନ୍ତୁ, କାହା ଘରୁ କି କାହା ଦରମାରୁ ଆଣି ଦେବାକୁ ଆମେ କହୁନୁ ।

 

୩- ଯୁବ ଲେଖକ ସମାରୋହର ଆୟୋଜକ ପ୍ରକୃତରେ କିଏ? ତାଲିକା ପ୍ରସ୍ତୁତ କରିବାରେ ଅଦୃଶ୍ୟ ଲେଖକଙ୍କ ଯାଦୁଗରୀ ସ୍ପର୍ଶ ଓ ଲେଖକ/ଲେଖିକାମାନଙ୍କୁ ନିମନ୍ତ୍ରଣ କରୁଥିବା ଲେଖକ ଏଥିରେ କାହିିଁକି ସହଯୋଗ କଲେ? ସାହିତ୍ୟ ଏକାଡ଼େମୀରେ କ’ଣ ପଇସା ସହ ଲୋକ ବି ଅଭାବ ଏସବୁ ବୁଝିବାକୁ? ଯେଉଁ ଲେଖକ ଏସବୁ ବୁଝିବ ତା’ର ପତିଆରା ଓ ମନମାନି ରହିବା ସ୍ୱାଭାବିକ ନୁହେଁ କି? ଏହାଦ୍ୱାରା ଯେଉଁ ଲେଖକ/ଲେଖିକାମାନେ ଏମାନଙ୍କ ଆକ୍ରୋଶ ବା ଅନାଦରର ଶୀକାର ହେଇ ତାଲିକାରେ ରହିପାରିଲେ ନାହିଁ ସେମାନଙ୍କ ଦୁଖଃଦ ମନୋସ୍ଥିତି ପାଇଁ ଦାୟୀ କିଏ ରହିବ?

 

୪- ମୋ ଜାଣିବାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ, ଅବହେଳା ଓ ଅନାଦରର ଶୀକାର ହୋଇଛନ୍ତି ଆମ ଉପର ପିଢ଼ି । ଯେଉଁମାନଙ୍କର ସାହିତ୍ୟ କ୍ଷେତ୍ରରେ ବେଶ୍ କିଛି ଆଖିଦୃଶିଆ କାମ କରିଛନ୍ତି । କବିତାରେ ସତ୍ୟବାଦୀ ରାଉତଙ୍କ ଠାରୁ ପୁଣି ଜ୍ଞାନୀ ଦେବାଶୀଷଙ୍କ ଯାଏ । ସେହିପରି ଗପରେ ପ୍ରଦୀପ୍ତ କୁମାର ମିଶ୍ରଙ୍କ ଠାରୁ ସୁଜିତ୍ ପଣ୍ଡାଙ୍କ ଯାଏ । ଏମାନଙ୍କୁ ନେଇ ତ କେବେ ଓସାଏ କୌଣସି ଉତ୍ସବ କରିନାହିଁ? ପିଢ଼ି ହତ୍ୟାର ଏପ୍ରକାର ଯୋଜନା କ’ଣ ପାଇଁ? ପୂଜ୍ୟପୂଜାର ପରମ୍ପରା ରହିବ ତ? ନୂଆପିଢ଼ି ଏମାନଙ୍କୁ ଅସ୍ୱୀକାର କରିବନି ତ?