ଜେପିଙ୍କ ବିଷୟରେ ଯାହା କହିବି ସତ କହିବି

ଜେପିଙ୍କ ବିଷୟରେ ଯାହା କହିବି ସତ କହିବି

ଜଗନ୍ନାଥ ପ୍ରସାଦ ଦାସ ଓରଫ ଆମ ସମସ୍ତଙ୍କର ପ୍ରିୟ ଜେପି ଚାଲିଗଲେ । ନବେ ବର୍ଷ ଜୀବନ ବଞ୍ଚିଲା ପରେ ମୃତ୍ୟୁ ଏକ ସ୍ଵାଭାବିକ ବାସ୍ତବତା । ତାଙ୍କର ଯିବାର ଥିଲା ଓ ସେ ଗଲେ । ତାଙ୍କ ଯିବା ପରେ କୌଣସି ଖାଲି ଜାଗା ନାହିଁ । ସାଧାରଣ ମଣିଷର ମୃତ୍ୟୁ ଓ ଲେଖକର ମୃତ୍ୟୁ ଭିତରେ ଗୋଟେ ବିରାଟ ପ୍ରଭେଦ ରହିଛି । ସାଧାରଣ ମଣିଷ ମଲା ପରେ ତା ଜାଗାକୁ ଶୂନ୍ୟସ୍ଥାନ ମାଡି ବସେ । ହେଲେ ଲେଖକର ମୃତ୍ୟୁ ପରେ ତା ଜାଗାରେ ତା ଲେଖା ଗୁଡିକ ତା ଭଳି ପୃଥିବୀ ସାରା ଚାଲବୁଲ କରନ୍ତି ।

ଲେଖା ଓ ଲେଖକର ଦୂରତ୍ଵ

ଲେଖକ ପାଇଁ ତା ବହିମାନେ ତାର ସବୁଠୁ ବଡ ବୋଝ। ସେମାନେ ତାକୁ ମରିବାକୁ ଦିଅନ୍ତି ନାଇଁ । ସେ ତା ନିଜ ବହି ଭିତରେ ପ୍ରେତ ବା ଦେବତା ହୋଇ ବଞ୍ଚିରହେ । ଜେପିଙ୍କ ଜାଗାରେ ଏବେ ଜେପିଙ୍କ ବହିମାନେ ଅଛନ୍ତି ଓ ରହିବେ। ସେ ବହି ସବୁରେ ଜେପିଙ୍କ ଦେହରୁ ଜନ୍ମ ନେଇଥିବା କାହାଣୀ, କବିତା, କଳ୍ପନା, ଗାଲୁଗପ, ଆଲୋଚନା, ବିଚାର, ଗବେଷଣା, ଦର୍ଶନ ଓ ସୃଜନଶୀଳତା ବଞ୍ଚିକି ରହିବେ। ଲେଖକ ମୃତ୍ୟୁର ଆଉ ଗୋଟେ ଭଲ ଦିଗ ହେଉଛି, ଲେଖକ ମଲାପରେ ତା ବହି ମାନେ ପୂର୍ଣ୍ଣାଙ୍ଗ ଭାବରେ ସ୍ଵାଧୀନ। ଲେଖକ ବଞ୍ଚିଥିବା ଯାଏ ସେ ତା ଲେଖାକୁ ନିଜର ବୋଲି ଭାବେ, ସେମାନଙ୍କୁ ସୁରକ୍ଷା ଦିଏ, ନିଜ ବାଗରେ ତାର ଅର୍ଥ ଓ ଅନର୍ଥ ନିର୍ମାଣ କରିବାକୁ ଚେଷ୍ଟା କରୁଥାଏ। ଲେଖା ଓ ଲେଖକ କିନ୍ତୁ ନିଜ ନିଜ ବାଟରେ ସ୍ଵାଧୀନ। ଲେଖକ ମଲାପରେ ଲେଖା ନିଜକୁ ସାର୍ବଭୌମ ବୋଲି ଘୋଷଣା କରିଥାଏ । ଆଜି ଜେପିଙ୍କ ସାହିତ୍ୟ ସ୍ଵାଧୀନ, ସାର୍ବଭୌମ ଏବଂ ଲେଖକୀୟ ନିୟନ୍ତ୍ରଣରୁ ମୁକ୍ତ ।

ଅବଶ୍ୟ ଜେପି ନିଜ ଲେଖାର ଏହି ସ୍ଵାଧୀନ ଦିଗ ପ୍ରତି ବେଶ ସଚେତନ ଥିଲେ । ନିଜ ଲେଖାକୁ ମାଡିବସିବା ଓ ନିଜ ଲେଖାର ପାଠକ ତିଆରି କରିବାର ବ୍ୟାକୁଳତା ତାଙ୍କର ପ୍ରାୟ ନଥିଲା । ଲେଖିବା ତାଙ୍କ ପାଇଁ ଏକ ପ୍ରକାର କର୍ମଯୋଗ ଥିଲା । ସେ ସହଜ ଲେଖକ ଆଦୌ ନୁହନ୍ତି । ତାଙ୍କ କବିତା ଓ ଗପର ବାକ୍ୟଗୁଡିକ ବେଶ ସରଳ ଲାଗନ୍ତି, ହେଲେ ଏହି ସବୁ ସରଳ ବାକ୍ୟର ସଂରଚନା ପାଇଁ ଜେପି ଗୋଟେ ଜଟିଳ ପ୍ରକ୍ରିୟା ଦେଇ ଚାଲୁଥିଲେ । ଗୋଟେ ଗୋଟେ ଶବ୍ଦ ଖଞ୍ଜିଲା ବେଳେ ସେ ଅଭିଧାନ, ଶବ୍ଦକୋଷ, ବ୍ୟାକରଣ ଓ ଆବଶ୍ୟକସ୍ଥଳେ ଭାଷାବିତମାନଙ୍କ ପରାମର୍ଶ ନିଅନ୍ତି । ତାଙ୍କ ପାଇଁ ଗପ ଓ କବିତା ଈଶ୍ଵରଦତ୍ତ ପ୍ରେରଣା ନୁହେଁ, ବରଂ ଏହା ଏକ ଭାଷାତାତ୍ତ୍ଵିକ ବୈଜ୍ଞାନିକ ପ୍ରକ୍ରିୟା ଯହିଁରେ ଲେଖକକୁ ପ୍ରଚୁର ପରିଶ୍ରମ କରିବାକୁ ପଡେ । ଜେପିଙ୍କ ଗପ, କବିତା, ଉପନ୍ୟାସ, ନାଟକ, ଶିଶୁ ଲେଖା, ଆଲୋଚନା, କଳା ଇତିହାସ ଇତ୍ୟାଦିରେ ଆପଣ ତପସ୍ୟା ଓ ସାଧନାକୁ ହିଁ ଦେଖିବେ । ତାଙ୍କର ସାହିତ୍ୟ ଜ୍ଞାନ ଓ କର୍ମଯୋଗର ସାହିତ୍ୟ, ସେଠି ଭକ୍ତି ଓ ଭାବପ୍ରବଣତାର ସ୍ଥାନ ଗୌଣ ।

ଦେଶ କାଳ ପାତ୍ର ; ଇତିହାସ ବନାମ ଉପନ୍ୟାସ

ଜେପିଙ୍କ ପରିଚୟର ଅଧା ଜାଗା ତାଙ୍କ ଉପନ୍ୟାସ “ଦେଶ କାଳ ପାତ୍ର” ମାଡି ବସିବାକୁ ବାଧ୍ୟ । ଯଦିଓ ସେ ଚମତ୍କାର କବିତା, ଗପ ଓ ନାଟକ ମଧ୍ୟ ଲେଖିଛନ୍ତି, ହେଲେ “ଦେଶ କାଳ ପାତ୍ର’ର ଏକ ଭିନ୍ନ ଆବେଦନ ତଥା ଆବଶ୍ୟକତା ରହିଛି । ଓଡିଶାର ରାଜନୈତିକ ଅସ୍ମିତା ସମ୍ପର୍କରେ ଏ ଉପନ୍ୟାସ ହେଉଛି ଏକ ବଡ ପ୍ରେରଣାସ୍ରୋତ । ଇତିହାସର ନିଷ୍ଠୁର ପ୍ରବାହ ଭିତରେ ଗୋଟେ ଜାତିର ପରିଚୟ ଖୋଜିବାର ଏକ ଅଦ୍ଭୁତ ବ୍ୟାକୁଳତା ଏ ଉପନ୍ୟାସରେ ରହିଛି । ଉପନ୍ୟାସର ଆରମ୍ଭରେ ଜେପିଙ୍କ ବର୍ଣ୍ଣନା ଓଡିଆ ଜାତିର ସଙ୍କଟକୁ ଏକ ଅଦ୍ଭୁତ ଢଙ୍ଗରେ ବୟାନ କରୁଛି-

“ବିଲୁଆମାନେ ହଠାତ ଏକସ୍ଵରରେ ଭୁକିବା ଆରମ୍ଭ କରିଦେଲେ, ସତେ ଯେମିତି ସେମାନେ ପୁରୀ ସହରକୁ ଦାଖଲ କରିବାକୁ ବଦ୍ଧ ପରିକର। ହୁକେ ହୋ ଚିତ୍କାର ଓ ସକାଳର ଥଣ୍ଡା ପବନରେ ବୀରକେଶରୀଙ୍କ ନିଦ ଭାଙ୍ଗିଗଲା। ରାତି ସାରା ଜର ଓ ଅନିଦ୍ରାରେ ଛଟପଟ ହେବା ପରେ ପାହାନ୍ତା ପହରରେ ସାମାନ୍ୟ ଆଖି ଲାଗି ଯାଇଥିଲା ତାଙ୍କର। ବିଛଣା ଉପରେ ପଡି ରହି ସେ ମିଞ୍ଜି ମିଞ୍ଜି ଜଳୁଥିବା ଦୀପ ଆଡକୁ ଅଣାଇଲେ, ସକାଳର ଆଲୁଅରେ ଦୀପା ଆହୁରି ନିଷ୍ପ୍ରଭ ଦିଶୁଥିଲା”।    

ଏଇ ଗୋଟିଏ ପାରାଗ୍ରାଫରୁ ଆପଣ ପୂରା “ଦେଶ କାଳ ପାତ୍ର”ର ସାରାଂଶକୁ ପାଇଯିବେ । ମ୍ଳାନ ଓ ମୂମୂର୍ଷୁ  ଏକ ସମାଜର ସକାଳ ଖୋଜିବାର ଏକ ସଙ୍କେତ।  ୧୮୫୯ ରୁ ୧୯୦୭, ଠିକ ୪୯ ବର୍ଷର ଓଡିଶା ଇତିହାସ କାଳଖଣ୍ଡକୁ ଜେପି ଏ ଉପନ୍ୟାସର ନାୟକ ଭାବରେ ଗ୍ରହଣ କରିଛନ୍ତି। ଏ ଉପନ୍ୟାସରେ କାଳ ହେଉଛି ନାୟକ, ଦେଶ ଓ ପାତ୍ରମାନେ କାଳର ଅଧୀନ।

ଉପନ୍ୟାସର ଆରମ୍ଭ ହେଉଛି ଗଜପତି ବୀରକେଶରୀ ଦେବଙ୍କ ମୃତ୍ୟୁ ଶଯ୍ୟାରେ ଓ ସମାପ୍ତ ହେଉଛି କବିବର ରାଧାନାଥଙ୍କ ପାପବୋଧରେ । ବଙ୍ଗଳାର ବିଦୁଷୀ କବି ନଗେନ୍ଦ୍ରବାଳା ରାୟଙ୍କ ପ୍ରେମକୁ ପାପ ମଣି ଏକ ସ୍ଵୀକାର ପତ୍ର ରାଧାନାଥ ଲେଖିଛନ୍ତି ଓଡିଶାର ସଭ୍ୟ ସମାଜକୁ । ସେହି ଚିଠିରେ ସରୁଛି ଉପନ୍ୟାସ । ଏହି ଦୁଇଟି ଘଟନା ଭିତରେ ଓଡିଆ ସମାଜର ନୈତିକ ସଂଘର୍ଷ ଓ ରାଜନୈତିକ ଶୂନ୍ୟକାଳ ବିଷୟରେ ଗୋଟେ ଉପନ୍ୟାସ ରଚିତ ହୋଇଯାଉଛି ।

ପୂରା ଉପନ୍ୟାସରେ ଖବର କାଗଜ, ଦଲିଲ, ଦସ୍ତାବିଜ, କବିତା ଓ ଚିଠିପତ୍ରର ବ୍ୟବହାର ପ୍ରାୟ ଅଶୀ ଭାଗ  । ବାକି କୋଡିଏ ଭାଗ ଜେପିଙ୍କର ଇତିହାସର ନବନିର୍ମାଣ ।  ସେ ଉପନ୍ୟାସରେ କଳ୍ପନା ଯୋଡି ନାହାନ୍ତି। ତଥ୍ୟ ଆଧାରରେ ବାସ୍ତବତାର ନବ ନିର୍ମାଣ ଏ ଉପନ୍ୟାସର ଏକ ବିଶେଷ ସଫଳତା । ଓଡିଆ ଭାଷାର ଇତିହାସକୁ ନେଇ ଯଦିଓ ଏହା ପ୍ରଥମ ଉପନ୍ୟାସ ନୁହେଁ, ତେବେ ଇତିହାସର ଗୁଣସୂତ୍ରକୁ ଆଦୌ ପରିବର୍ତ୍ତନ ନକରି ଏକ ତଥ୍ୟାତ୍ମକ କାହାଣୀର ନିର୍ମାଣରେ ଏହା ଓଡିଶାର ପ୍ରଥମ ଓ ସର୍ବଶେଷ ଉପନ୍ୟାସ।

ଜେପି ; ବ୍ୟକ୍ତିତ୍ବ, କବିତ୍ଵ ଓ କଥକତ୍ଵ

ଜେପିଙ୍କ ସାହିତ୍ୟ ଓ ବ୍ୟକ୍ତିତ୍ବ ଭିତରେ ଗୋଟେ ସତର୍କ ଦୂରତା ସବୁବେଳେ ରହିଆସିଛି । ଜେପି ନିଜ ଲେଖାରେ ନିଜକୁ ଥୋପିବାକୁ ବା ଆରୋପିତ କରିବାକୁ କେବେ ବି ଚେଷ୍ଟା କରିନାହାନ୍ତି। ଜୀବନର ଶେଷ ଆଡକୁ ସେ ଲେଖିଥିବା ଉପନ୍ୟାସିକା "ସୁଭଦ୍ରାଙ୍କ ଆଖି" ମୁଁ ପଢ଼ିବା ଆରମ୍ଭ କରିଥିଲି ଗୋଟେ ଅଦ୍ଭୂତ କୌତୁହଳରେ। ପ୍ରଥମେ ମୋତେ ଲାଗିଲା, ସେ ତାଙ୍କର ପ୍ରସିଦ୍ଧ ଗବେଷଣା ପୁସ୍ତକ "ପୁରୀ ପେଣ୍ଟିଂସ୍" ରଚନାର ପୃଷ୍ଠଭୂମି ବିଷୟରେ ଏକ ରଚନା ଲେଖୁଛନ୍ତି। ତାପରେ ଲାଗିଲା, ନା, ଜେପି ଗୋଟେ ଗପ କହୁଛନ୍ତି। ବହିଟି ପଢି ସାରିଲା ପରେ, ମୁଁ ଅବାକ୍ ହୋଇ ଭାବୁଛି, ଏଇଟା ବାସ୍ତବରେ ଲେଖା ହୋଇଛି ନା ଅଦୃଶ୍ୟ ଅକ୍ଷରରେ କେବଳ ହଳେ ରହସ୍ୟମୟ ଆଖି ଏ ବହିରେ ଢଳ ଢଳ ହେଉଛି? ଏହା ଏକ ରହସ୍ୟ ରୋମାଞ୍ଚ ଭରା ଉପନ୍ୟାସ ନା ଅଙ୍ଗେ ନିଭାଇଥିବା ଏକ ବାସ୍ତବ ଅନୁଭବ?

ଏ ବହିର ସବୁ ଘଟଣା ଓ ଚରିତ୍ର ବାସ୍ତବ। ହେଲେ ଏ ବହିରେ ଗୋଟେ ବିଚିତ୍ର ରହସ୍ୟ ରହିଛି ଯିଏ  ବାସ୍ତବତା କୁ ଭୟ ଓ ଅନ୍ଧାରର ଏକ ବିଚିତ୍ର ପୋଷାକ ପିନ୍ଧେଇ ପାଠକକୁ ଚମକେଇ ଦେଉଛି। ଅନେକ ବର୍ଷ ପରେ ଗୋଟେ ବହି ମୋତେ ଚମକେଇ ଦେଇଛି। ଗପ ପଢୁ ପଢୁ ମୁଁ ଭୟକୁ ଭୟ କରିଛି। ଓଡ଼ିଆ ଗପରେ ଇଏ ଏକ ଚମତ୍କାର ଭୟାନକ କାହାଣୀ।

ଜେପିଙ୍କ ରଚନା ସବୁବେଳେ ଏମିତି, ସେ ତାଙ୍କ ଗପରେ ଅଛନ୍ତି ଓ ନାହାନ୍ତି ।

ଶେଷରେ ଆଉ ଗୋଟେ ବ୍ୟକ୍ତିଗତ କଥା ନିଶ୍ଚୟ କହିବି । ଜେପିଙ୍କୁ ଭଲପାଇବା ଓ ଜେପି ଆପଣଙ୍କୁ ଭଲପାଇବା, ଦୁଇଟା ଯାକ ବଡ କଠିନ ବିଷୟ। ସମ୍ପର୍କରେ ଭାବପ୍ରବଣତା ରହିଲେ, ସମ୍ପର୍କ ସହଜ ଓ ସ୍ଵାଭାବିକ ଲାଗେ । ଜେପିଙ୍କ ସହ ସମ୍ପର୍କର ଆଧାର ହେଉଛି ସମାନତା, ଅନୁଶୀଳନଧର୍ମୀତା ଓ ସମୀକ୍ଷାତ୍ମକତା । ଆପଣ ଜେପିଙ୍କ ପାଖରେ କେବଳ ସମଧର୍ମା ଲେଖକ। ବୟସରେ ଆପଣ ତାଙ୍କଠୁ ଯେତେ ସାନ ହେଲେବି ସେ ଆପଣଙ୍କୁ ତାଙ୍କ ପରି ହିଁ ଗ୍ରହଣ କରିବେ । ତାଙ୍କ ସହ ସମ୍ପର୍କରେ ବରିଷ୍ଠ କନିଷ୍ଠ ଭେଦ କେବେ ନଥାଏ । ସେ ଆପଣଙ୍କର ବନ୍ଧୁ, କିନ୍ତୁ ଭାବପ୍ରବଣ ଭାବରେ ସେ ଆପଣଙ୍କୁ କେବଳ ଭଲପାଇବେ ନାଇଁ । ସେ ଅନେକ ସମୟରେ ଆପଣଙ୍କର ନିଷ୍ଠୁର ସମାଲୋଚକ ହେବେ, ଆପଣ ତାଙ୍କୁ ସହୃଦୟତାର ସହ ଗ୍ରହଣ କରିବେ କି ନା, ସେ ବିଚାର ଆପଣଙ୍କର । ଜେପିଙ୍କ ଆଖିରେ ଆପଣ ଯେହେତୁ ତାଙ୍କ ସମୟରେ ଲେଖୁଛନ୍ତି, ଆପଣ ତାଙ୍କର ସମସ୍କନ୍ଦ ଓ ସମସାମୟିକ । ସେ ନିଜକୁ ଆପଣଙ୍କ ଉପରେ କେବେ ବସେଇବେ ନାଇଁ କି ଆପଣଙ୍କ ସହ ଅନାବଶ୍ୟକ ଭାବରେ ସମୟ ନଷ୍ଟ କରିବେ ନାଇଁ।

ସାହିତ୍ୟରେ ଜେପିଙ୍କର ବାଟ ଓ ଘାଟ ସବୁବେଳେ ଅଲଗା। ସେ ଆମ ସାହିତ୍ୟର ଏମିତି ଏକ ପରମ୍ପରା, ଯିଏ ନିଜର ଆରମ୍ଭ ଓ ଶେଷକୁ ନିଜେ ଇ ନିର୍ଦ୍ଧାରଣ କରି ଯାଇଛନ୍ତି।