ଛୋଟ ଛୋଟ ଜିନିଷ: କୁନି କୁନି ସ୍ମୃତି
ଧୀରେ ଧୀରେ ବେଶି ବେଶି ପଶ୍ଚିମ ଆଡ଼କୁ ଢଳିବାରେ ଲାଗିଥା’ନ୍ତି ସୂର୍ଯ୍ୟ। ମଧ୍ୟାହ୍ନ ଭୋଜନ ଆଉ ଏ ଭିତରେ ସମୟର ବ୍ୟବଧାନ ବଢ଼ି ଯାଇଥିବାରୁ ଭୋକ ବି ଲାଗି ଆସିଥାଏ ସେତେବେଳକୁ। ଅଥଚ ଭୋକକୁ ବେଖାତିର କରି ମହାନଦୀର ପାଣିରେ ବୁଡ଼ନ୍ତା ସୂର୍ଯ୍ୟଙ୍କ ପ୍ରତିବିମ୍ବକୁ ମୁଗ୍ଧ ହୋଇ ଦେଖିବା ସହ କୂଳର ପାଣି ଭିତରୁ ଆମେ ଦୁଇ ଭଉଣୀ ଗୋଟାଇ ଏକାଠି କରିବାରେ ଲାଗିଥାଉ ବିଭିନ୍ନ ଆକାର ଆଉ ଆକୃତିର କିଛି ରଙ୍ଗବେରଙ୍ଗ ଛୋଟ ଛୋଟ ପଥର। ଏମିତି କେତେଗୁଡ଼େ ପଥର ଏକାଠି ସଜାଇ ରଖି ତା'ର ଭିଡିଓ ବନେଇବା ପରେ ସେସବୁରୁ ଅଧିକାଂଶକୁ ସେଇ ପାଣି ଭିତରେ ପକେଇ ଦେଇ ମାତ୍ର ଅଳ୍ପ କେତୋଟି ପଥରକୁ ଗୋଟେ ଛୋଟ କ୍ୟାରି ବ୍ୟାଗ୍ରେ ପୂରାଇ ସାଙ୍ଗରେ ଆଣିଲୁ। ପରଦିନ ଘରକୁ ଫେରିବା ବେଳେ ସେଇ କୁନି ପଥର ଗୁଡ଼ିକ ଯୋଡ଼ି ହୋଇଗଲେ ଆମ ଲଗେଜ୍ ସହ। ଏବେବି ସାତକୋଶିଆ ଅଭୟାରଣ୍ୟ ଭିତରୁ ୨୦୨୪ ଜୁନ୍ରେ ଗୋଟାଇ ଆଣିଥିବା ସେ ପଥର ସବୁ ସଜା ହୋଇ ରହିଛି ଆମ ଘରେ। ଖାଲି ସେଠିକା ପଥର ନୁହେଁ, ଆମ ପାଖରେ ରହିଛି ମେଘାଳୟ ଆଉ ବା°ଲା ଦେଶ ସୀମାରେ ଥିବା ଦୌକି ନଦୀର ଶଯ୍ୟାରୁ ଗୋଟାଇ ଆଣିଥିବା କଳା ରଙ୍ଗର ଦୁଇଟି ଏକଦମ ଚିକ୍କଣ ପଥର। ଅଛି ବି ଛତିଶଗଡ଼ର ହ°ସଦେବ ନଦୀ ଶଯ୍ୟାରୁ ଆଣିଥିବା ଅଳ୍ପ କିଛି କୁନି ପଥର ଆଉ ଯେବେ କୋରାପୁଟରେ ଥିଲୁ ସେବେ କୋଲାବ ନଦୀର ଶଯ୍ୟା ଆଉ ତା’ ପୂର୍ବରୁ ସତୀଗୁଡା(ଏବେ ସତୀଗୁଡ଼ା ମାଲକାନଗିରି ଜିଲ୍ଲାରେ ଅଛି। ଆଉ ସେତେବେଳେ ମାଲକାନଗିରି କୋରାପୁଟରୁ ଅଲଗା ହୋଇନଥିଲା)ର ପାହାଡ଼ୀ ଝରଣା ଭିତରୁ ଗୋଟାଇ ଥିବା ବାଲି ଗରଡା ଇତ୍ୟାଦି।
ଖାଲି ନଦୀ କି ଝରଣା ଭିତରୁ ଆଣିଥିବା କୁନି କୁନି ପଥର କିମ୍ବା ବାଲିଗରଡ଼ା ନୁହେଁ, ଆମ ପାଖରେ ରହିଛି ବିଭିନ୍ନ ସମୁଦ୍ର କୂଳରୁ ଗୋଟାଇ ଆଣିଥିବା ଶାମୁକା ଓ କୁନି କୁନି ଗେଣ୍ଡା ଅବା କଙ୍କଡ଼ାଙ୍କ ପରିତ୍ୟକ୍ତ ଖୋଳପା ସବୁ। ଶାମୁକା ଗୋଟାଇବାର ଗୋଟେ ମଜାଦାର ଅନୁଭୂତି କଥା ଏଠାରେ କହୁଛି: ଆମେ ୨୦୧୧ରେ ଯାଇଥାଉ ଚାନ୍ଦିପୁର। ସେଠାରେ ବେଳାଭୂମି ନିକଟ ଗୋଟେ ହୋଟେଲ୍ରେ ଦୁଇ ଦିନର ରହଣି ଭିତରେ ଆମେ ଦି’ ଭଉଣୀ ମିଶି ଏକାଠି କରିଥାଉ ଭିନ୍ନ ଭିନ୍ନ ପ୍ରକାରର ବହୁତ ଗୁଡେ ଶିପ ଆଉ ଶାମୁକା। ଫେରିବା ପୂର୍ବଦିନ ରାତିରେ ବାପା-ବୋଉ ପଚାରିଲେ, ”ଏ ସବୁତକ ଶାମୁକା କ'ଣ ଆମେ ସାଙ୍ଗରେ ନେବା?” ମୁଁ କହିଲି, “ହଁ”। ବାପା ମୋତେ ଚିଡାଇବାକୁ ଯାଇ ପ୍ରଥମେ ଟିକେ ଅରାଜି ହେବାର ଅଭିନୟ କଲେ ବି ପରେ ମୋ’ କଥା ରଖି ଜରିକ ଯାକ ଶାମୁକାକୁ ନିଜେ ପୂରା ଭଲ ଭାବେ ଧୋଇଧାଇ ସଫା କରିଦେଇଥିଲେ। ଆଉ ବୋଉ ସେସବୁକୁ ପେପର୍ ଉପରେ ଖେଳାଇ ଦେଇ ଶୁଖେଇ ଦେଇଥିଲା। ତା’ ପରେ ଆଉ ସେସବୁକୁ ଆଣିବାରେ ଅସୁବିଧା ନଥିଲା। ଏବେ ବି ସେସବୁ ଭିତରୁ ବହୁତ ଗୁଡେ ଶାମୁକା ଅଛି ଆମ ପାଖରେ। ପୁରୀ ଆଉ ଚନ୍ଦ୍ରଭାଗା ବେଳାଭୂମିରୁ ଅନେକ ବାର ଗୋଟାଇ ଗୋଟାଇ ଏକାଠି କରିଛୁ ଶାମୁକା ସବୁକୁ। ସେମାନଙ୍କ ଗଠନ, ରଙ୍ଗ ଆଉ ଆକୃତିରେ ଭିନ୍ନତା ଦେଖି ଚମତ୍କୃତ ବି ହୋଇଛୁ ସବୁଥର। ତା’ ଭିତରୁ ଅଳ୍ପ କିଛିକୁ ଛାଡ଼ି ଅଧିକାଂଶକୁ ପୁଣି ଛାଡ଼ି ଦେଇ ଆସିଛୁ ସେଇ ବେଳାଭୂମିରେ। କିନ୍ତୁ ପ୍ରତିଟି ବେଳାଭୂମିରୁ ଶିପ ଓ ଶାମୁକା ଗୋଟାଇବା ବେଳର ସେ ଅନନ୍ୟ ମଜାଦାର ଅନୁଭବ ଓ ଅନୁଭୂତି ଗୁଡ଼ିକ ସତେଜ ହୋଇ ରହିଛନ୍ତି ମନ ଭିତରେ। ଏବେ ଅବଶ୍ୟ ପ୍ରାୟ ସବୁ ବେଳାଭୂମିରେ ଆଉ ଆଗ ଭଳି ଏତେ ମାତ୍ରାରେ ଶିପ କି ଶାମୁକା ଦେଖା ଯାଉ ନାହାନ୍ତି। ଅନେକ ବାର ବେଳାଭୂମିରେ ଶାମୁକା ଖୋଜିବାକୁ ଯାଇ ହତାଶ ହେବାକୁ ପଡୁଛି। ହଁ, ଜଳବାୟୁ ପରିବର୍ତ୍ତନର ଅନେକ କୁପରିଣାମ ଭିତରୁ ଏ ମଧ୍ୟ ଗୋଟିଏ ବୋଲି ଅନୁଭବ କରିଛୁ। ଆମେ ବି ତେଣୁ ମନକୁ ମାରି ପ୍ରାୟ ସେସବୁ ଗୋଟାଇବା ଛାଡ଼ି ଦେଇଛୁ। ତଥାପି ସମୁଦ୍ର କୂଳକୁ ଗଲେ ଆଖି ଆପେ ଆପେ ବାଲି ଉପରକୁ ଚାଲିଯାଏ। ଆଉ ଗୋଟେ-ଦୁଇଟା ହେଉ ପଛେ ଶାମୁକା ବି ଆଖିରେ ପଡ଼ିଯାଏ, ଯାହାକୁ ଯତ୍ନ ସହକାରେ ସାଙ୍ଗରେ ଆଣି ଆସୁ ଆମେ। କେଜାଣି, ଆଗକୁ ଆଉ ସେତିକି ବି ଭାଗ୍ୟରେ ଯୁଟିବେ କି ନାହିଁ!
ଏସବୁ ବ୍ୟତୀତ ଆମେ ଯେଉଁ ଜାଗାକୁ ଯାଉ ସ୍ମୃତି ରକ୍ଷା ପାଇଁ ସେଠାକାର କୌଣସି ନା କୌଣସି ଜିନିଷଟିଏ କିଣି କି ନିଶ୍ଚୟ ଆଣୁ। ସେ ହୋଇପାରେ- ନୈନିତାଲ୍ରୁ ଆଣିଥିବା ପାଇନ୍ ନଟ୍ସରୁ ତିଆରି କଳାକୃତି, ଉଲ୍ର ହାଲ୍କା ସ୍କାର୍ଫ୍ ଅବା ମେଟାଲ୍ ସାଇକିଲ୍ କିମ୍ବା ଜିମ୍ କର୍ବେଟ୍ଙ୍କ ଉପରେ ଲିଖିତ ବହି, ଆଗ୍ରାର କୁନି ତାଜମହଲ ରେପ୍ଲିକା, ଦିଲ୍ଲୀର ଲାଲ୍କିଲ୍ଲା ପାଖରୁ ଆଣିଥିବା ଇୟର୍ରିଙ୍ଗ୍ସ୍ ଓ ଚୁଡ଼ି ଅବା ହାଇଦ୍ରାବାଦର ବିର୍ଲା ମନ୍ଦିର ଓ ଚାର୍ମିନାର ପାଖରୁ ଆଣିବା ସୂକ୍ଷ୍ମ-ହାଲୁକା କାଚରୁ ତିଆରି ହଂସ ତଥା ମେଟାଲ୍ କାନଫୁଲ, ନ ହେଲେ ସେ ସହରର ଅଥେଣ୍ଟିକ୍ ପର୍ଲ୍ ନେକଲେସ୍। ଏସବୁ ଛଡ଼ା ଆମ ପାଖରେ ରହିଛି ଉଦୟପୁର ଓ ଜୟପୁରରୁ ଆଣିଥିବା ଛୋଟ ଆକୃତିର ରାଜସ୍ଥାନୀ ପପେଟ୍, ଏକଦମ୍ ହାଲୁକା ମୀନାକରା ଇୟର୍ରିଙ୍ଗ୍ସ, ମହୀଶୂରରୁ ଆଣିଥିବା ଛୋଟ ଛୋଟ କୂଟିକମକରା କଳାକୃତି; ମେଘାଳୟ ଓ ଆସାମରୁ ଆଣିଥିବା କୁନି କୁନି ବାଉଁଶ ସାମଗ୍ରୀ ଆଦି। ମଜା କଥା ହେଲା- ସ୍ମୃତି ରକ୍ଷା ପାଇଁ ଏଯାଏଁ ବି, ମାନେ ୯ ବର୍ଷ ପରେ ବି ଆମ ପାଖରେ ସାଇତା ହୋଇ ରହିଛି ଆରକ୍କୁ ଭ୍ୟାଲିରୁ ଆଣିଥିବା ରୋଷ୍ଟେଡ୍ କଫି ବିନ୍ସ(ସେମିତି ସିଲ୍ ହୋଇ ଗୋଟେ ଛୋଟ ପ୍ୟାକ୍ରେ। ଅବଶ୍ୟ ସେ ଭିତରୁ ଗୋଟେ ଦୁଇଟା ପ୍ୟାକେଟ୍ ବ୍ୟବହାର ବି ହୋଇଛି। ଆଉ କିଛି ନ ହେଲେ ନାହିଁ, ଆମେ ଯେଉଁଠିକୁ ବି ଯାଉ ସେଠୁ କାନଫୁଲଟେ ନ ହେଲେ କୁନି ମୂର୍ତ୍ତିଟେ ନିଶ୍ଚୟ ଆଣୁ। କାରଣ ବଡ଼ ବଡ଼ ଜିନିଷ କିଣିଲେ ଲଗେଜ୍ ବେଶି ବଢ଼ି ଯିବାର ଆଶଙ୍କା ଥାଏ। ତା’ ଛଡ଼ା ଆଜିକାଲି ପ୍ରାୟ ସବୁ ଜିନିଷ ତ ଅନ୍ୟ ସବୁଆଡ଼େ ମିଳିଯାଏ। ଏଇଟା ଆମ ଟ୍ରାଭେଲ୍ ରିଚୁଆଲ୍ସ ଭିତରୁ ସବୁଠାରୁ ଫେବରିଟ୍ ପାର୍ଟ୍। ଏଇ କିଛି ମାସ ଭିତରେ ପୁଣି ଆମ କଲେକ୍ସନ୍ରେ ଯୋଡ଼ି ହୋଇ ଯାଇଛନ୍ତି ଗୋଆରୁ ଆଣିଥିବା ଛତା, ମଦର ମେରୀଙ୍କ କୋଳରେ ହସୁଥିବା ଶିଶୁ ଯୀଶୁଙ୍କ ଗୋଟେ କୁନି ମୂର୍ତ୍ତି ଆଉ ତା’ ପରେ ଫତେହପୁର ସିକ୍ରିରୁ ଆଣିଥିବା ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଗୋଟେ ମିନିଏଚର ଧଳା ହାତୀ(ଯାହା କି ମୋଗଲ୍ ମିନିଏଚର୍ କଳା ପରମ୍ପରାର ସନ୍ତକ ବହନ କରେ)।
ତେବେ କ'ଣ ପାଇଁ ଏଇ ଅଭ୍ୟାସଟା ପିଲାବେଳୁ ଏତେ ପ୍ରିୟ ଆମ ମାନଙ୍କର! ଛୋଟ ବେଳେ ଅଧିକ ବିଶ୍ଳେଷଣ କରି ପାରିବାର କ୍ଷମତା ନଥାଏ ମଣିଷର। ଖାଲି ଆମ ଆଖିକୁ ସୁନ୍ଦର ଦିଶିଲା ଅବା ବୁଲି ଆସିଥିବା ଗୋଟେ ଜାଗା ଆଉ ସେଠି ବିତାଇଥିବା ଜୀବନର ଖୁବ୍ ଅଳ୍ପ କିଛି ଦିନର ସନ୍ତକ ସ୍ବରୂପ ଆମେ ଏ ଅଭ୍ୟାସଟା ହୁଏତ ଆରମ୍ଭ କରିଥିଲୁ ପ୍ରଥମେ। କିନ୍ତୁ ବଡ଼ ହେଲା ପରେ ଅନୁଭବ ହୋଇଛି, ସତରେ କେତେ ମୂଲ୍ୟବାନ ଏ ଅଭ୍ୟାସଟି। ଯେବେ ବି ଆମେ ସଂଗ୍ରହ କରିଥିବା ସେ ଜିନିଷ ସବୁ ଉପରେ ଆଖି ପଡ଼ିଯାଏ ଅବା ସେସବୁ ଭିତରୁ କାହା ଉପରେ ଜମି ଆସିଥିବା ଧୂଳିକୁ ସଫା କଲା ବେଳେ ଆପେ ଆପେ ମନ ଫେରି ଯାଏ ପଛକୁ। ଆଖି ଆଗରେ ନାଚିଯାଏ ଖୁସି ଖୁସିରେ ବିତାଇଥିବା ବୁଲିବା ସମୟର ସେ ଅମୂଲ୍ୟ ଆଉ ଆନନ୍ଦଦାୟକ ମୂହୁର୍ତ୍ତ ସବୁ। ସେଇ ସ୍ମୃତିର କୋମଳ ପରଶରେ ନିରାଶା ଭିତରେ ବି କିଛି ସମୟ ପାଇଁ ମନ ଭିତରେ ଆଶାଟେ ଝଲକି ଉଠେ ଯେ, ଜୀବନରେ ଆନନ୍ଦ ଅଛି। ଅଛନ୍ତି ବି ଖୁସିର ସମ୍ଭାବନା ମାନେ। ମନ ଭିତରେ ଉଙ୍କି ମାରି ଉଠନ୍ତି- କୌଣସି ନୂଆ ସହରର ରାସ୍ତାରେ ଚାଲୁଚାଲୁ ସେସବୁ ଜିନିଷ କିଣିବାକୁ ଯାହାର ପସରା ପାଖରେ ଅଟକି ଯାଇଥିଲୁ କିଛି ମୂହୁର୍ତ୍ତ, ସେଇ ଅପରିଚିତ ବିକ୍ରେତା ମାନଙ୍କ ଅସ୍ପଷ୍ଟ ମୁହଁ ସବୁ। ସେ ଅନୁଭବ ସବୁ ସତରେ ଅନନ୍ୟ। ସୁନା-ରୁପାର ପାହାଡ଼ ବି ତୁଚ୍ଛ ମନେ ହୁଏ ଏସବୁ ସ୍ମୃତି ସନ୍ତକ ପାଖରେ। ଏମାନଙ୍କ ମାଧ୍ୟମରେ ହିଁ କୋରାପୁଟରେ ବିତାଇଥିବା ପିଲାଦିନର ବେଧଡକ କିଛି ବର୍ଷ ଅବା ପରିବାର ସହ ବୁଲି ଯାଇଥିବା ବିଭିନ୍ନ ଜାଗାରେ କଟାଇଥିବା ଖୁସିର ସମୟ ସବୁ ପୁଣି ଥରେ ଜୀବନ୍ତ ହୋଇ ଉଠନ୍ତି ନିଜ ଭିତରେ। ସେଇଥିପାଇଁ ତ ବାପା କୋଣାର୍କରୁ ଅତି ଆଦରରେ ଆଣିଥିବା କାଠର ଜଗନ୍ନାଥ ମୂର୍ତ୍ତି ଅବା ଖଜୁରାହୋରୁ ଆଣିଥିବା ପିତ୍ତଳର ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତିଙ୍କୁ ଛୁଇଁ ଦେଲେ ଆପେ ଆପେ ଅନୁଭବ କରିହୁଏ ସେସବୁ ଉପରେ ସ୍ନେହରେ ବୁଲି ଆସିଥିବା ବାପାଙ୍କ ହାତର ଛୁଆଁକୁ! ସେ ଅନୁଭବକୁ ଆଉ କେଉଁ ଦୁର୍ମୂଲ୍ୟ ପଦାର୍ଥ ଭରଣା କରିପାରନ୍ତା ଯେ!