ଚଳନ୍ତି ବହି ଦୋକାନ : ଭୁବନେଶ୍ବରରେ ବୁକ ଭ୍ୟାନ

ଚଳନ୍ତି ବହି ଦୋକାନ : ଭୁବନେଶ୍ବରରେ ବୁକ ଭ୍ୟାନ

: ଆପଣଙ୍କୁ ମୁଁ ସଜେଷ୍କ କରିପାରିବି !

: ହଁ, ସ୍ୟୋର୍।

: ଗପ କି ଉପନ୍ୟାସ ?

: ଉପନ୍ୟାସ। ଟିକେ ସଫ୍ଟ ଥିବ ଲେଖା ଶୈଳୀ।

: ଅକ୍ଷୟ ମହାନ୍ତିଙ୍କ ବାମପନ୍ଥୀ, ହିରଣ୍ମୟୀ ମିଶ୍ରଙ୍କ ପ୍ରେମଗଳ୍ପ...ଆପଣ ଏଇ ଦୁଇଟା ଟ୍ରାଏ କରନ୍ତୁ। 

: ଆପଣ ?

: ମୁଁ କବିତା, ଉପନ୍ୟାସ ଲେଖେ।  ଆମେ ଏଠି କିଛି ଓଡ଼ିଆ ବହି ରଖିଛୁ ପାଠକଙ୍କ ପ୍ରତିକ୍ରିୟା ଜାଣିବାକୁ। 

: ଗ୍ରେଟ୍। ମୁଁ ହିନ୍ଦୀ ପଢ଼ି ପଢ଼ି ତା'ର ଗୋଟେ ସାଚୁରେସନ୍ ଆସିଗଲାଣି। ଓଡ଼ିଆ ଆରମ୍ଭ କରିବାକୁ ଚାହେଁ। 

--

ଦିନେ ବୁଦ୍ଧ ପାର୍କରୁ ୱକିଙ୍ଗ୍ ସାରି ଫେରୁଥିଲି ଝିଅ ମୋମୋ ନେବାକୁ ଫୋନ୍ କଲା ତା ପ୍ରିୟ ଫୁଡ୍ ଟ୍ରକ୍ ୟେଟି'ରୁ। ଫୁଡ୍ ଟ୍ରକ୍ ଟି ଖୋଜି ଖୋଜି ପାର୍କର ଗେଟ୍ ରୁ ଟିକିଏ ଦୂରକୁ ଯାଇ ଶେଷରେ ପାଇଲି। ପନିର୍ ଫ୍ରାଏଡ୍ ମୋମୋ ଅର୍ଡର୍ ଦେଉ ଦେଉ ଆଖି ପଡିଲା ପାଖ ଭ୍ୟାନ୍ ରେ। ଭାବିଲି ଆଉ ଗୋଟେ ଫୁଡ୍ ଟ୍ରକ୍ ହେଇଥିବ। ଆଖି ପକେଇଲି ହୋର୍ଡିଙ୍ଗ୍ କୁ । ଉପରେ ଲେଖା ହେଇଛି ଫାଣ୍ଟାଷ୍ଟିକ୍ ବୁକ୍ସ। ମୋ ଆଖିରେ ଯେମିତି ଚମକ ଖେଳିଗଲା। ବୁକ୍ ଭ୍ୟାନ୍...!!! ଏତେ ପାଖରେ ! ବୁଦ୍ଧ ପାର୍କ୍ ରେ ପୁଣି ବୁକ୍ ଭ୍ୟାନ୍ !  ପଶ୍ଚିମା ପବ୍ଲିକେସନ୍ସ ସହ କାମ କରିବା ପରଠୁ ବିଭିନ୍ନ ସମୟରେ ବହିଗୁଡିକର ପ୍ରଚାର ପ୍ରସାର ପାଇଁ ମୁଁ ଅନେକ କାମ କରିଥାଏ।  ଏପରିକି ପ୍ରକାଶକ ଅଶୋକ ମହାନ୍ତିଙ୍କୁ ବୁକ୍ ଭ୍ୟାନ୍ ର ପ୍ରସ୍ତାବ ମଧ୍ୟ ଦେଇଛି ଅନେକ ଥର ଯଦିଓ ପିଲା ମିଳୁନଥିବାରୁ ସମ୍ଭବ ହେଇ ପାରିନଥିଲା। ବୁକ୍ ଭ୍ୟାନ୍ ପାଖକୁ ଗଲି। ଭ୍ୟାନ୍ ର ମାଲିକ ସୁଜିତ ବାବୁ ବସିଥିଲେ ସାମ୍ନାରେ। ପଚାରି ବୁଝିଲି ପ୍ରାୟ ଦୁଇ ମାସ ହେଲାଣି ଭ୍ୟାନ୍ ଟି ଠିଆ ହେଉଛି ସନ୍ଧ୍ୟାରେ ସେଠି ଏବଂ କେବଳ ଇଂରାଜୀ ନଭେଲ୍ ଉପଲବ୍ଧ ହେଉଛି। ମନ ଟିକେ ଊଣା ହେଲା। ନିରାଶ ସ୍ୱରରେ ପଚାରିଲି, ଓଡ଼ିଆ ବହି ରଖୁ ନାହାଁନ୍ତି କାହିଁକି ? ତାଙ୍କ ଉତ୍ତର ଥିଲା ସେ ଜେନ୍ଜି ପିଲାଙ୍କୁ ଲକ୍ଷ୍ୟ କରି ବୁକ୍ ଭ୍ୟାନ୍ ର ପରିକଳ୍ପନା କରିଛନ୍ତି। ଯେହେତୁ ପ୍ରାୟ ପିଲା ଇଂରାଜୀ ମିଡିୟମ୍ ରେ ପାଠ ପଢନ୍ତି ଓ ସେମାନେ ହିଁ ଗରାଖ ହେବେ ତେଣୁ ଓଡ଼ିଆ ବହିର ଚାହିଦା ନା ବରାବର। ସେଦିନ ତାଙ୍କଠୁ ଗୋଟେ ବାଇଟ୍ ଓ ତାଙ୍କ ଫୋନ୍ ନମ୍ୱର ନେଇ ଫେରିଲି। ଇନ୍-ଷ୍ଟା ରେ ବୁକ୍ ଭ୍ୟାନ୍ ର ଭିଡ଼ିଓ ପୋଷ୍ଟ୍ କଲି। ଗୋଟିଏ ଦିନରେ ଭିଡ଼ିଓ ଭାଇରାଲ୍। ମନରେ ଉତ୍କଣ୍ଠା ଓ ଆଶା ଓଡ଼ିଆ ବହି ସେଠି ରଖିବି। ଅଶୋକ ମହାନ୍ତିଙ୍କ ସହ କଥା ହେଇ ଏବଂ ସୁଜିତ ବାବୁଙ୍କୁ ଅନୁରୋଧ କରି ତା'ର ସପ୍ତାହେ ପରେ ପଶ୍ଚିମା ପବ୍ଲିକେସନ୍ସର କିଛି ଓଡ଼ିଆ ଗପ ଏବଂ ଉପନ୍ୟାସ ରଖିଲି ଏବଂ ମୁଁ ନିଜେ ରହିଲି ଭ୍ୟାନ୍ ରେ ସନ୍ଧ୍ୟାରେ। 

୨୦୨୫ ଭୁବନେଶ୍ୱର ବୁକ୍ ଫେୟାର୍ ଓ ସମ୍ବଲପୁର ବୁକ୍ ଫେୟାର୍ ରେ ପଶ୍ଚିମା ପବ୍ଲିକେସନ୍ସର ଷ୍ଟଲ୍ ରେ ରହି ବହି ପ୍ରମୋଶନ୍ କରିବାର ଅନୁଭୂତି ଉତ୍ସାହଜନକ ଥିଲା। ପାଠକଙ୍କ ଋଚି ଜାଣି ତାଙ୍କୁ ବହି ପରଶିଦେଲେ ଗୋଟିଏ ଜାଗାରେ ଦୁଇଟି ବହି ବିକ୍ରି ହୁଏ। ଭ୍ୟାନ୍ ରେ ପ୍ରଥମ ଦିନ ଗୋଟିଏ ଉପନ୍ୟାସ ବିକ୍ରି ହେଲା। ତା ପର ଦିନ ବି ଗୋଟିଏ। ଇନ୍-ଷ୍ଟା ରେ ଭିଡ଼ିଓ ଅପଲୋଡ଼ କଲି। ତା ପର ଦିନ ପାଞ୍ଚଟି। ଏବଂ ତା ପରଠୁ ପ୍ରତ୍ୟେକ ଦିନ ଅନ୍ତତଃ ଚାରୋଟି ବହି ବିକ୍ରି ହୁଏ ଦୁଇ ଘଣ୍ଟାରେ। ଏଠି ପ୍ରଶ୍ନ ନୁହେଁ କେତେ ବହି ବିକ୍ରି ହେଉଛି, ଆଶ୍ୱସ୍ତିର କଥା ହେଉଛି ପିଲାମାନେ ଇନ୍-ଷ୍ଟା ଭିଡ଼ିଓ ଦେଖି ଓଡ଼ିଆ ଉପନ୍ୟାସ ଓ ଗପ ବହି ପଢିବାକୁ ଏଇ ଭ୍ୟାନ୍ ପାଖକୁ ଆସୁଛନ୍ତି। ଯେଉଁ ଜେନ୍ଜି ଇଂରାଜୀ ବହି ଖୋଜୁଛନ୍ତି ସେଇ ଜେନ୍ଜି କହୁଛନ୍ତି ହିନ୍ଦି ଓ ଇଂରାଜୀ ପଢି ପଢି ସାଚୁରେସନ୍ ହେଇଗଲାଣି। ଆମେ ଓଡିଆ ପଢିବାକୁ ଚାହୁଁଛୁ। ଅନେକ ଯୁବକ ଯୁବତୀ କୁହନ୍ତି ଓଡ଼ିଆ ଗପ ଉପନ୍ୟାସ ପଢିବା ଆରମ୍ଭ କରିବାକୁ ଚାହୁଁଛି।‌ ଆପଣ ସଜେଷ୍ଟ କରନ୍ତୁ। 

ଆମ ରାଜ୍ୟରେ ବହି ପଢ଼ିବାର ସଂସ୍କୃତି ନାହିଁ ଯେପରି ପଡ଼ୋଶୀ ରାଜ୍ୟ କୋଲକାତାରେ ଦେଖିବାକୁ ମିଳେ। କୁହାଯାଏ ଯେଉଁ ଭାଷାର ପାଠକ ଯେତେ ସେଇ ଭାଷା ସେତେ ସମୃଦ୍ଧ। କିଛି ବର୍ଷରୁ ଆମ ଭାଷା ଓଡ଼ିଆରେ ଛତୁ ଫୁଟିଲା ଭଳି ପବ୍ଲିକେସନ୍ସ ହାଉସ୍ ଓ ଛତୁ ଫୁଟିଲା ଭଳି ଲେଖକ ସୃଷ୍ଟି ହେଉଛନ୍ତି। ଭଲ କଥା। ଇଂରାଜୀ ଭାଷାର ପ୍ରାଦୁର୍ଭାବରେ ନିଜ ମାତୃଭାଷା ଦୁର୍ବଳ ହେଇ ଯାଉଥିଲା ବେଳେ ଅନ୍ତତଃ କିଛି ପିଲା ଲେଖୁଛନ୍ତି। କିନ୍ତୁ ସେ ବହି ପଢୁଛି କିଏ ? ଲେଖା ହେଉଛି, ବହି ଛପା ହେଉଛି ଓ ତାପରେ ମୁହଁ ମାଡ଼ି ରହୁଛି ପବ୍ଲିକେସନ୍ସ ହାଉସ୍ ରେ। ବହି ବିକ୍ରିକୁ ନେଇ ଆମ ଲେଖକୀୟ କି ପ୍ରକାଶକ ମହଲରେ ତତ୍ପରତା ନାହିଁ। ବୁକ୍ ଫେୟାର୍ ହିଁ ଶେଷ ଓ ଏକମାତ୍ର ଭରସା। ଅନଲାଇନ୍ ରେ ବହି ଉପଲବ୍ଧ କିନ୍ତୁ ସାଧାରଣ ପାଠକ ପାଖକୁ ଏଇ ତଥ୍ୟଟି ବି ଯିବାର ରାସ୍ତା ସଙ୍କୁଚିତ। ତେଣୁ ଯେଉଁ ମାତ୍ରାରେ ବହି ବିକ୍ରି ହେବା କଥା ହେଇପାରୁନି। ସେଥିପାଇଁ ହୁଏତ ଆମ ରାଜ୍ୟରେ ଲେଖକ କେବଳ ଲେଖାଲେଖି କରି ପେଟ ପୋଷି ପାରେନି। ଆଉ ଗୋଟେ ଅନୁଭବ ବାଣ୍ଟିବାକୁ ଚାହିଁବି। କୁହାଯାଉଛି ନୂଆପିଢି ଆଉ ବହି ପଢୁ ନାହାଁନ୍ତି। ବୁକ୍ ଫେୟାର୍ ସମୟରେ ଦେଖିଛି ଅନେକ କଲେଜ ଛାତ୍ରଛାତ୍ରୀ ଭଲ ଗପ ଉପନ୍ୟାସ ଖୋଜନ୍ତି। ଏଠି ତେର ଦିନର ବୁକ୍ ଭ୍ୟାନ୍ ଅଭିଜ୍ଞତାକୁ କହିବି ପ୍ରାୟ ପାଠକଙ୍କ ବୟସ ୨୦ରୁ ୩୫। କେହି ବୟସ୍କ ପାଠକଙ୍କୁ ଏଯାଏଁ ମୁଁ ଭେଟିନି ଏଇ ତେର ଦିନରେ। ତା ଅର୍ଥ ପିଲା ପଢିବାକୁ ଚାହାଁନ୍ତି କେବଳ ଆମେ ତାଙ୍କ ପାଖରେ ବହିଗୁଡ଼ିକ ପହଞ୍ଚାଇବାରେ ହେଳା କରୁଛେ। ଯଦି ତେର ଦିନରେ ଆଭରେଜ୍ ଗହଳି ଥିବା ଏକ ପାର୍କ୍ ରେ ସନ୍ଧ୍ୟାରେ ମାତ୍ର ଦୁଇ ଘଣ୍ଟା ଠିଆ ହେଇ ମୁଁ ୫୪ଜଣ ଓଡିଆ ପାଠକ ସୃଷ୍ଟି କରିପାରିଛି ତେବେ ଓଡ଼ିଆ ବହିର ଆଦର କମିଛି କଥାଟି ଭୁଲ୍ ବୋଲି କହିବି। ଅବଶ୍ୟ ଶହେରେ ଦୁଇ ଭାଗ ଓଡ଼ିଆ ନାଁ ରେ ମୁହଁ ମୋଡନ୍ତି । ତେବେ ସେଥିରେ ବ୍ୟସ୍ତ ହେବାରେ ନାହିଁ। ସବୁଠି ବାଳୁଙ୍ଗା ଘାସ ତ ରହିବେ। ଆଉଗୋଟେ ଗୁରୁତ୍ୱପୂର୍ଣ୍ଣ ଅଭାବ ମତେ ଲାଗେ ଆମେ ବହିକୁ ନେଇ କାହିଁକି କଥା ହୁଅନ୍ତିନି ! ସମୟ ସହ ସବୁ ବଦଳୁଛି। ଆମେ ଅନ୍ତର୍ବସ୍ତ୍ର କିଣିବାକୁ ଗଲାବେଳେ ବି ମଲ୍ ରେ ବିସ୍ତାରରେ କହିବାକୁ ସହାୟିକା ଥା'ନ୍ତି। ତେବେ ବହି ଦୋକାନରେ ବା ପବ୍ଲିକେସନ୍ସ ହାଉସ୍ ରେ ପାଠକଙ୍କୁ ବହି ସହ ପରିଚୟ କରିବାକୁ ଜ୍ଞାନ ଥିବା ସହାୟକ ବା ସହାୟିକା ରହୁନାହାନ୍ତି କାହିଁକି ? କାହିଁକି ଆମେ ଲେଖକ ଆମ ବହି ବିଷୟରେ କହୁନା। ବହିଟି ଲେଖିଦେଲେ ଦାଇତ୍ୱ ସରିଯାଏ କ'ଣ ! ତେବେ ଓଡ଼ିଆ ପାଠକ ନାହାଁନ୍ତି, ପାଠକ ନାହାଁନ୍ତି ବୋଲି ହୁରି ପଡୁଛି କାହିଁକି ! 

ଓଡ଼ିଶାରେ ବୁକ୍ ଭ୍ୟାନ୍ ପ୍ରଚଳନ ବା ୱକିଙ୍ଗ୍ ବୁକ୍ ଫେୟାର୍ ନାହିଁ କହିଲେ ଚଳେ। ୨୦୧୪ରେ ଶତାବ୍ଦୀ ମିଶ୍ର ଓ ଅକ୍ଷୟ ବହିବାଲା/ରାଉତରାୟ ବ୍ୟାଗ୍ ପ୍ୟାକ୍ ରେ ବହି ବୋହି ବୋହି ଗାଁ ଗାଁ, ସହର ସହର ଯାଇ ବିକ୍ରି କରୁଥିଲେ ଏବଂ ପରେ ଏକ ପୁରୁଣା ଭ୍ୟାନ୍ କିଣି ୱକିଙ୍ଗ୍ ବୁକ୍ ଫେୟାର୍ ନାଁ ରେ ବହି ବୁଲି ବୁଲି ବିକ୍ରି କରୁଥିଲେ। ଏହା ବ୍ୟତିତ NBT ମଧ୍ୟ Books On Wheels  ମାଧ୍ୟମରେ ଗାଁ ଓ ସହରରେ ବହିକୁ ଲୋକଙ୍କ ପାଖକୁ ନେବାର ପ୍ରୟାସ କରିଛି। କିନ୍ତୁ କଟକ ଭୁବନେଶ୍ୱରର ପ୍ରକାଶକମାନେ ଏ ଦିଗରେ ଏକଦମ ନୀରବ। ପ୍ରକାଶକଙ୍କ ବ୍ୟବସାୟୀ ମନୋବୃତ୍ତି ଓ ଲେଖକଙ୍କ ନୀରବତା ଭିତରେ ପାଠକ ମରି ମରି ଯାଉଛି। କାହାର ଉଦ୍ୟମ ନାହିଁ ବହିଟେ କିପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ। କାଲି ଜଣେ ବଙ୍ଗାଳୀ ଆସିଲେ କିଟ୍ ରେ ଅଧ୍ୟାପନା କରନ୍ତି, ଇଂରାଜୀ ଉପନ୍ୟାସ ନେବାକୁ। କହିଲେ ଓଡିଶାରେ ବୁକ୍ କଲ୍ଚର୍ ନାହିଁ। ଆପଣ ମୋ ଘରକୁ ଆସନ୍ତୁ ଲାଇବ୍ରେରୀ ଦେଖିବେ। ମୁଁ ମୁଣ୍ଡ ନୁଆଇଁ ହଁ ମାରିଲି। ଏଇ ବୁକ୍ ଭ୍ୟାନ୍ ଟି ଭୁବନେଶ୍ବରର ପ୍ରଥମ ବୁକ୍ ଭ୍ୟାନ୍ ନିଶ୍ଚୟ ତେବେ ଆହୁରି ଏଇ ଭଳି ଉଦ୍ୟମ ଆମ ରାଜ୍ୟ ଓ ଆମ ଭାଷା ପାଇଁ ନିହାତି ଜରୁରୀ। ଯେମିତି ଦିନେ ସେଇ ବଙ୍ଗାଳୀ ଅଧ୍ୟାପକଙ୍କ ଆଖିରେ ଆଖି ମିଶେଇ କହିପାରିବି ଆମ ଓଡିଆମାନେ ଖୁବ୍ ପଢ଼ନ୍ତି ଓ ମାତୃଭାଷାକୁ ପ୍ରେମ କରନ୍ତି।