ବିଜେଡିରୁ ସୌମ୍ୟରଞ୍ଜନଙ୍କ ବହିସ୍କାର ପରେ

ବିଜେଡିରୁ ସୌମ୍ୟରଞ୍ଜନଙ୍କ ବହିସ୍କାର ପରେ

ଗତ କିଛିଦିନ ଧରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ବିଜେଡି ନେତୃତ୍ୱର ଟଣାଓଟରା ପରେ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଗତ କିଛିଦିନ ଧରି ସୌମ୍ୟରଞ୍ଜନଙ୍କ ରାଜନୈତିକ ବୟାନବାଜି ଓ ପରବର୍ତ୍ତୀ ସମୟରେ ଏହାକୁ ନେଇ ରାଜ୍ୟ ପୁଲିସର ଅର୍ଥନୈତିକ ଅପରାଧ ଶାଖା ସକ୍ରିୟ ଭାବରେ ସୌମ୍ୟରଞ୍ଜନଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ଚଢ଼ାଉ କରିବା ଭଳି ଘଟଣାରୁ ସୌମ୍ୟ ଯେ ଆଉ ବେଶୀଦିନ ବିଜେଡିରେ ରହିପାରିବେ ନାହିଁ ତାହା ସ୍ପଷ୍ଟ ହୋଇଯାଇଥିଲା । ସୌମ୍ୟଙ୍କୁ ବିଜେଡି ଉପ ସଭାପତି ପଦରୁ ନିଷ୍କାସିତ କରାଯିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ବିଶ୍ବାସଯୋଗ୍ୟ ନୁହେଁ ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ସୌମ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦେ କଥା କହି ନଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନଙ୍କୁ ଅସଲ ଖଳନାୟକ ବୋଲି ସମାଲୋଚନା କରି ଆସୁଥିଲେ । ସେଥିପାଇଁ ବୋଧହୁଏ ଆଜି ମୁଖ୍ୟମନ୍ତ୍ରୀ ନିଜେ ଆସି ସୌମ୍ୟରଞ୍ଜନ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ଜେନାଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଜଣ ବିଜେଡି ବିଧାୟକଙ୍କୁ ଦୁର୍ନୀତି କାରଣରୁ ଦଳରୁ ବହିଷ୍କାର କରାଯାଇଛି ବୋଲି ନିର୍ଦ୍ଦିଷ୍ଟ ଭାବରେ କହିଛନ୍ତି । ସୌମ୍ୟଙ୍କ ସମ୍ବାଦପତ୍ର "ସମ୍ବାଦ"ର ପ୍ରାୟ ୩୦୦ କର୍ମଚାରୀଙ୍କ ନାଁରେ ଋଣ ଉଠାଇ କୋଟି କୋଟି ଟଙ୍କାର ବ୍ୟାଙ୍କ ଠକେଇ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ପର୍ଯ୍ୟନ୍ତ ସୌମ୍ୟ ବାବୁ ବିଜେଡି ଉପରେ ଆକ୍ରମଣ କଲାବେଳେ ଭିକେ ପାଣ୍ଡିଆନଙ୍କୁ ଉପଲକ୍ଷ କରି କେବଳ ବିଜେଡିର ଅମଲାକରଣ କଥା କହୁଥିଲେ । ଏହାର ଜବାବରେ ବିଜେଡି ସଭାପତି ନିଜେ ସାମ୍ବାଦିକମାନଙ୍କୁ ସୌମ୍ୟରଞ୍ଜନ ଦୁର୍ନୀତିଗ୍ରସ୍ତ ବୋଲି କହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ପ୍ରସଙ୍ଗରେ ଆଜିର ଅସଲ ପ୍ରଶ୍ନ ହେଉଛି, ସୌମ୍ୟରଞ୍ଜନ ଏହା ପରେ କରିବେ କଣ ? ରାଜନୈତିକ ଭାବରେ ତାଙ୍କୁ ମୁକାବିଲା କରିବା ଅପେକ୍ଷା ତାଙ୍କର ଗଣମାଧ୍ୟମ ସଂସ୍ଥା, ପାରିବାରିକ ବ୍ୟବସାୟ ଏବଂ ଭାବମୂର୍ତ୍ତି ଉପରେ ବିଜେଡି ସରକାର ସିଧାସଳଖ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ସୌମ୍ୟଙ୍କ ସଂସ୍ଥା ସହିତ ତାଙ୍କ ସମୁଦି ଙ୍କ ଗୃହନିର୍ମାଣ ସଂସ୍ଥା ଉପରେ ମଧ୍ୟ ଇଓଡବ୍ଲୁ ତରଫରୁ ଏକପ୍ରକାର ଘେରାବନ୍ଦୀ ଆରମ୍ଭ ହୋଇଛି । ସୌମ୍ୟଙ୍କ ପ୍ରସଙ୍ଗରେ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଗଣତନ୍ତ୍ର ଓ ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି କୁହାଯାଉଛି, ହେଲେ ଏହା ସୌମ୍ୟରଞ୍ଜନଙ୍କ ଦୁର୍ନୀତି ବିରୋଧି ଏକ ଅଭିଯାନ ବୋଲି କହି ବିଜେଡି ଏକ ନୂଆ ଆବଧାରଣା ସୃଷ୍ଟି କରିବା ଆରମ୍ଭ କରିଛି।

ଆଜିର କାର୍ଯ୍ୟାନୁଷ୍ଠାନ ପରେ ସୌମ୍ୟରଞ୍ଜନ କି ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ସୌମ୍ୟ ବିଜେଡିରୁ ବିଦା ହେଲା ପରେ ବିଜେପିରେ ଯୋଗଦାନ କରିବେ ବୋଲି କେହି କେହି କହୁଛନ୍ତି । ତେବେ ମଣିପୁର ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ନୀରବତାକୁ ପ୍ରଖର ସମାଲୋଚନା କରିଥିବା ସୌମ୍ୟରଞ୍ଜନ ବିଜେପିରେ ଯୋଗଦାନ କରିବା ସହଜ ନୁହେଁ । ତାଙ୍କ ରାଜନୈତିକ କ୍ୟାରିଅରରେ ସୌମ୍ୟ ରାଜ୍ୟର ସବୁ ପ୍ରମୁଖ ଦଳରେ କିଛି କିଛି ଦିନ ରହି ସାରିଛନ୍ତି । ସବୁ ଦଳ ସହିତ ତାଙ୍କର ତିକ୍ତ ଅନୁଭବ ରହିଛି । ଏକଦା ସେ ନିଜେ ଗଢ଼ି ଥିବା "ଆମ ଓଡ଼ିଶା" ଦଳ ଏବେ ମୃତ ପ୍ରାୟ । ସେହି ପୃଷ୍ଠଭୂମିରେ ସେ ଯିବେ କୁଆଡେ ?  

ସୌମ୍ୟଙ୍କୁ କେନ୍ଦ୍ର କରି ବିଜେଡି ରାଜନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସଚିବ ଯାହା କରୁଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ସଂପୂର୍ଣ୍ଣ ସମର୍ଥନ ରହିଛି ଓ ଭିକେ ପାଣ୍ଡିଆନ ହିଁ ନବୀନ ପଟ୍ଟନାୟକଙ୍କ ଏକମାତ୍ର ପ୍ରତିନିଧି ବୋଲି ନିଜେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ଏ ପ୍ରସଙ୍ଗରେ କେନ୍ଦ୍ରର ବିଜେପି ସରକାରର ମଧ୍ୟ ପ୍ରଚ୍ଛନ୍ନ ସମର୍ଥନ ରହିଥିବାର ସ୍ପଷ୍ଟ ଜଣାପଡୁଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଭିକେ ପାଣ୍ଡିଆନଙ୍କ ସାକ୍ଷାତ ପରଠୁ ବିଜେପିର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଘଟିଛି

ତେବେ ଏ ପ୍ରସଙ୍ଗରେ ବିଜେଡ଼ିର ପ୍ରତିଶୋଧପରାୟଣ ରାଜନୀତି ଅନେକାଂଶରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟର ମୁଖ୍ୟ ବିରୋଧୀ ସ୍ଵର ଭାବରେ ପ୍ରତିଷ୍ଠା ଦେଉଛି । ବିଜେଡ଼ିର ଅମଲାକରଣ ବିଷୟରେ ସୌମ୍ୟରଞ୍ଜନ ଯାହା କହୁଛନ୍ତି ତାକୁ ନେଇ ଏବେ ରାଜ୍ୟର ସହରୀ ମଧ୍ୟବିତ୍ତଙ୍କ ଭିତରେ ଚର୍ଚ୍ଚା ବଢିଛି ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ିରୁ ବିଦା ହେବା ପରେ ସେ ରାଜ୍ୟର ସବୁଠୁ ପ୍ରଭାବଶାଳୀ ବିରୋଧୀ ନେତାର ଭୂମିକା ଆପେ ଆପେ ପାଇ ଯାଇଛନ୍ତି ।