ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ବକ୍ତବ୍ୟ ରଖୁନାହାନ୍ତି କାହିଁକି ?

ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀ ସଂସଦରେ ବକ୍ତବ୍ୟ ରଖୁନାହାନ୍ତି କାହିଁକି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠି ଭାଷଣ ଦେଉଛନ୍ତି, ହେଲେ ସଂସଦରେ କହିବାକୁ ତାଙ୍କ ଭିତରେ ଏତେ କୁଣ୍ଠା କାହିଁକି ? ମଣିପୁର ରାଜ୍ୟ ଗତ ତିନିମାସ ହେଲା ଜଳୁଛି । ହତ୍ୟା, ଧର୍ଷଣ, ଲୁଟପାଟ ଏବଂ ଗାଁ ପୋଡି ଭଳି ଜଘନ୍ୟ ଅପରାଧ ମଣିପୁରରେ ଅବାଧରେ ଘଟିଚାଲିଛି । ପୁଲିସ ଅସ୍ତ୍ରାଗାରରୁ ଲୋକେ ଅସ୍ତ୍ରଶସ୍ତ୍ର ଲୁଟିଆ ନେଉଛନ୍ତି ଓ ସେଥିରେ ଲୋକଙ୍କୁ ଖୋଲାଖୋଲି ହତ୍ୟା କରୁଛନ୍ତି । ସାରା ମଣିପୁରରେ ଏକପ୍ରକାର ଅରାଜକତା ବ୍ୟାପି ରହିଛି ଯାହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ମଣିପୁରରେ ଆଇନର ଶାସନ  ବୋଲି କିଛି ନାହିଁ । ସେନାବାହିନୀ, ଅର୍ଦ୍ଧ ସାମରିକ ପୁଲିସ ଏବଂ ଆସାମ ରାଇଫଲ୍ସର ବ୍ୟାପକ ବନ୍ଦୋବସ୍ତ ସତ୍ତ୍ୱେ ସେଠିକାର ସ୍ଥିତି ନିୟନ୍ତ୍ରଣକୁ ଆସୁନାହିଁ । ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବା ଆଜି ସବୁଠୁ ବଡ ଆବଶ୍ୟକତା । ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଦେଶବାସୀଙ୍କର ପ୍ରତିନିଧି ସଂସଦକୁ ଅବଗତ କରାଇବା ତାଙ୍କର ସାମ୍ବିଧାନିକ ଦାୟିତ୍ଵ । କେଉଁ ରହସ୍ୟମୟ କାରଣ ଯୋଗୁଁ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସଂସଦରେ କିଛି କହିବାକୁ ଚାହୁଁନାହାନ୍ତି, ତାହା ଆଜିର ସବୁଠୁ ବଡ ପ୍ରଶ୍ନ

ସଂସଦକୁ ଚଳାଇବା ଓ ସଂସଦରେ ଦେଶର ସ୍ଥିତି ବିଷୟରେ ଆଲୋଚନା କରିବା ପ୍ରଧାନମନ୍ତ୍ରୀଙ୍କର ପ୍ରାଥମିକ ଦାୟିତ୍ଵ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ପ୍ରାୟତଃ ଆସୁନାହାନ୍ତି । ସଂସଦର ଚଳିତ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ଦୁଇ ମିନିଟ ପାଇଁ ମଧ୍ୟ ସଂସଦକୁ ଆସିନାହାନ୍ତି । ସଂସଦୀୟ ପରମ୍ପରା ଅନୁଯାୟୀ ସଂସଦ ଅଧିବେଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସାଂସଦ ବ୍ୟତୀତ ଅନ୍ୟ କେଉଁଠି କିଛି ବକ୍ତବ୍ୟ ରଖିବା ଉଚିତ ନୁହେଁ । ମୋଦୀଙ୍କ ସରକାର କିନ୍ତୁ ଏହାର ଠିକ ବିପରୀତ କାମ କରୁଛି । ମୋଦୀ ସଂସଦ ବ୍ୟତୀତ ଅନ୍ୟ ସବୁଠାରେ ଭାଷଣ ଦେଇ ଚାଲିଛନ୍ତି ।  ଏପଟେ ସଂସଦ ଅଚଳ ହୋଇ ରହୁଛି ।

ମଣିପୁରରେ ଘଟୁଥିବା ଘଟନା ସାମାନ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ନୁହଁ । ଏହାକୁ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ଘଟିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ତୁଳନା କରି ଶାସକ ବିଜେପି ଦଳ ଦେଶକୁ ଏକ ଭୟଙ୍କର ବିପଦ ଆଡକୁ ଠେଲି ଦେଉଛି । ତେବେ ଏହି ଘଟଣାର ଅସଲ କଥା ହେଉଛି, ବିଜେପି ନିଜ ବିଫଳତାକୁ ଲୁଚି ବୁଲୁଛି । ୨୦୧୭ରୁ ମଣିପୁରରେ ବିଜେପି ସରକାରରେ ଥିବା ବେଳେ ରାଜ୍ୟର ଅରାଜକତା ପାଇଁ ବିଜେପି କଂଗ୍ରେସକୁ ଦାୟୀ କରୁଛି । ଏହା ବୋଧହୁଏ ପୃଥିବୀର ସବୁଠୁ ହାସ୍ୟାସ୍ପଦ ରାଜନୀତି । କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ରହିଥିବା ବେଳେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏଥିପାଇଁ ରାହୁଲ ଗାନ୍ଧୀଙ୍କୁ ଗାଳି କରୁଛନ୍ତି । ସଂସଦ ଭିତରେ ଜଣେ କ୍ୟାବିନେଟ ମନ୍ତ୍ରୀ ସଂସଦର ସଦସ୍ୟ ନଥିବା ଜଣେ ବ୍ୟକ୍ତିଙ୍କୁ ଦାୟୀ କରିବା, ଆଶ୍ଚର୍ୟଜନକ ।  

ଗତ କିଛି ବର୍ଷ ଭିତରେ ସଂସଦକୁ ଆଲୋଚନା ଏବଂ ବିତର୍କର ଗୃହ ଭାବରେ ବ୍ୟବହାର ନକରି ଏହାକୁ ଶାସକ ଦଳର ଅହଂକାର ପ୍ରଦର୍ଶନର ଏକ କ୍ଷେତ୍ର ଭାବରେ ବିଜେପି ବ୍ୟବହାର କରୁଛି । ସଂସଦରେ ପ୍ରଧାନମନ୍ତ୍ରୀ ପ୍ରାୟତଃ ନ ରହିବା ଏବଂ ମନ୍ତ୍ରୀମାନେ ବିରୋଧୀଙ୍କ ପ୍ରତି ନିନ୍ଦନୀୟ ଭାଷା ପ୍ରୟୋଗ କରିବା, ଆମ ସଂସଦୀୟ ପରମ୍ପରାକୁ କଳଙ୍କିତ କରୁଛି

ତେବେ ଏ ପ୍ରସଙ୍ଗରେ ସବୁଠୁ ବଡ ପ୍ରଶ୍ନ ହେଲା- ପ୍ରଧାନମନ୍ତ୍ରୀ ସଂସଦରେ ମଣିପୁର କଥା କହିବାକୁ ଡରୁଛନ୍ତି କାହିଁକି ?