ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଅନନ୍ତ ପଟ୍ଟନାୟକ ସୃଜନ ସମ୍ମାନ

ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଅନନ୍ତ ପଟ୍ଟନାୟକ ସୃଜନ ସମ୍ମାନ

ଗତ ୨୫ ଜୁନ ସନ୍ଧ୍ୟାରେ କଟକର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ଏବଂ ଅନନ୍ତ ପଟ୍ଟନାୟକ ସ୍ମୃତି ପରିଷଦ ଦ୍ଵାରା ଆୟୋଜିତ ଓଡିଆ ପ୍ରଗତିବାଦୀ କାବ୍ୟଧାରାର ଅନ୍ୟତମ ମହାନ କବି ଅନନ୍ତ ପଟ୍ଟନାୟକଙ୍କ ସ୍ମୃତି ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ଏବଂ କଥାକାର ପ୍ରଶାନ୍ତ ପଟ୍ଟନାୟକଙ୍କୁ ଅନନ୍ତ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍କଳ ସାହିତ୍ୟ ସମାଜର ଶ୍ରୀରାମଚନ୍ଦ୍ର ଭବନରେ ଆୟୋଜିତ ଏହି ଉତ୍ସବରେ ପ୍ରଖ୍ୟାତ କବି ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନନ୍ତ ପଟ୍ଟନାୟକଙ୍କ ଜୀବନ ଓ କବିତା ତାଙ୍କ ସମୟକୁ ଅତିକ୍ରମ କରି ଅନନ୍ତ ସମୟ ଯାଏ ଆମକୁ ପ୍ରଭାବିତ କରୁଥିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଅନନ୍ତ ପଟ୍ଟନାୟକ ସ୍ମୃତି ସମ୍ମାନ ଗ୍ରହଣ କରି ପ୍ରଶାନ୍ତ ପଟ୍ଟନାୟକ କହିଥିଲେ ଯେ ଏହା ତାଙ୍କ ପାରିବାରିକ ରାଜନୈତିକ ବିଚାର ପ୍ରତି ଏକ ବିଶେଷ ସ୍ଵୀକୃତି । ଏହି ଅବସରରେ କବି ତଥା ସମୀକ୍ଷକ କେଦାର ମିଶ୍ର “ଅନନ୍ତ ପଟ୍ଟନାୟକଙ୍କ କବିତା ଓ ପ୍ରଗତିବାଦର ପୃଷ୍ଠଭୂମି” ପ୍ରସଙ୍ଗରେ ଏକ ବ୍ୟାଖ୍ୟାନ ଦେଇଥିଲେ । ଓଡ଼ିଆ କବିତାର ପ୍ରଗତିବାଦୀ ଧାରା ହିଁ ଆଧୁନିକ ଓଡ଼ିଆ କବିତା ର ମୁଖ୍ୟ ସ୍ବର ବୋଲି ଶ୍ରୀ ମିଶ୍ର କହିଥିଲେ। ୯୦ ପରବର୍ତ୍ତୀ ଓଡ଼ିଆ କବିତାରେ ଅନନ୍ତ ପଟ୍ଟନାୟକଙ୍କ କବିତା ନୂଆ ରୂପରେ ଓ ନୂଆ ଛନ୍ଦରେ ସମକାଳର କବି ମାନଙ୍କୁ ପ୍ରଭାବିତ କରୁଛି ବୋଲି ସେ କହିଥିଲେ।  ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜୟ ପଢିଆରୀ ସ୍ଵାଗତ ଭାଷଣ ଏବଂ ଆଦିତ୍ୟ ପ୍ରସାଦ ଧଳା ଅତିଥି ସ୍ଵାଗତ କରିଥିଲେ । କବି ଦୀପକ ସାମନ୍ତରାୟ, ପ୍ରସନ୍ନ କୁମାର ସ୍ଵାଇଁ, ମୋହିତ ଚକ୍ରବର୍ତ୍ତୀ ଏବଂ ସଞ୍ଜୟ ଜେନା କବି ଅନନ୍ତ ପଟ୍ଟନାୟକଙ୍କ କବିତା ପାଠ କରିଥିଲେ ।