ନବୀନ ନୀତିଶ ଭେଟ-କଣ ରହିବ ରାଜନୀତି?

ନବୀନ ନୀତିଶ ଭେଟ-କଣ ରହିବ ରାଜନୀତି?

ଆସନ୍ତା ୫ ତାରିଖ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ବୋଲି ଏବେ ସୂଚନା ମିଳୁଛି । ବିରୋଧୀ ଦଳମାନଙ୍କୁ ଏକଜୁଟ କରି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକ ମହାମେଣ୍ଟ ଗଠନ ଦାୟିତ୍ଵ ଏବେ ନୀତିଶ କୁମାର ନେଇଛନ୍ତି । କଂଗ୍ରେସ ସମେତ ଅନ୍ୟ ସବୁ ବିରୋଧୀ ଦଳଙ୍କୁ ଏକାଠି କରିବା ଏକ ଅସମ୍ଭବ ବ୍ୟାପାର ହୋଇଥିବା ସତ୍ତ୍ଵେ ଏହାକୁ ସମ୍ଭବ କରାଇବା ପାଇଁ ନୀତିଶ କୁମାର ଉଦ୍ୟମ କରୁଛନ୍ତି । ବିହାରରେ ରାଷ୍ଟ୍ରୀୟ ଜନତା ଦଳ ସହିତ ତାଙ୍କର ମେଣ୍ଟ ଏବେ ବିଜେପି ବିରୋଧୀ ଜାତୀୟ ମେଣ୍ଟର ଭିତ୍ତି ଭାବରେ କାମ କରୁଛି। ଇତି ମଧ୍ୟରେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଙ୍କୁ ବ୍ୟକ୍ତିଗତ ଭାବରେ ଭେଟି କଥାବାର୍ତ୍ତା କରିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ଏନସିପି ନେତା ଶରଦ ପାୱାର ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ମଧ୍ୟ ନୀତିଶ ଙ୍କ ଯୋଗସୂତ୍ରରେ ଅଛନ୍ତି। ସେହି କ୍ରମରେ ନୀତିଶ କୁମାର ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ଜାତୀୟ ରାଜନୀତିରେ ପାରଦ ବଢାଇ ଦେଇଛି।



ନବୀନ ପଟ୍ଟନାୟକଙ୍କ ରାଜନୀତିକୁ ଯେଉଁ ମାନେ ଜାଣନ୍ତି, ସେମାନେ ଭଲ ଭାବରେ ଅବଗତ ଯେ ରାଜନୈତିକ ସମ୍ପର୍କ ରଖିବା ପାଇଁ ନବୀନ କୌଣସି ରିସ୍କ ନେବା ଲୋକ ନୁହନ୍ତି । ଅନ୍ୟ ରାଜନେତା ଗରମ ଚା' ଫୁଙ୍କି ଫୁଙ୍କି ପିଉଥିବା ବେଳେ ନବୀନ ପଟ୍ଟନାୟକ ଥଣ୍ଡା ପାଣିକୁ ମଧ୍ୟ ଫୁଙ୍କି ଫୁଙ୍କି ପିଇବା ଲୋକ । ଅସଲ କଥା ହେଲା ନବୀନ ସହଜରେ ନିଜ ରାଜନୈତିକ ଚାଲ୍ ଖେଳନ୍ତି ନାହିଁ ।‌ ଆଜି ଯଦି ନବୀନ ନୀତିଶ ଙ୍କ ସହ ଦେଖା କରିବାକୁ ରାଜି ହୋଇଛନ୍ତି, ଏହା ପଛରେ ଏକ ବଡ଼ ରାଜନୈତିକ‌ ଉଦ୍ଦେଶ୍ୟ ଅବଶ୍ୟ ରହିଛି  ଏହା ପୂର୍ବରୁ ମମତା ବାନାର୍ଜୀଙ୍କ ସହିତ ନବୀନଙ୍କ ସାକ୍ଷାତକାର ହୋଇଥିଲା । ଉପରକୁ ତାହା ସମୂର୍ଣ୍ଣ ଅଣରାଜନୈତିକ ଲାଗୁଥିଲେ ମଧ୍ୟ ତା ପଛରେ ମଧ୍ୟ ବିରୋଧୀ ଏକତାର ପ୍ରସଙ୍ଗ ରହିଥିଲା

ବର୍ତ୍ତମାନ ନୀତିଶଙ୍କ ଗସ୍ତ ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ଓ ଏହି  ଦେଖା ସାକ୍ଷାତ ପଛରେ ସବୁ ବିରୋଧୀ ରାଜନେତା ଗୋଟିଏ ମଞ୍ଚକୁ ଆସିବାର ପ୍ରସଙ୍ଗକୁ ନେଇ ଆଲୋଚନା ହେବା ସ୍ଵାଭାବିକ । ନବୀନ କିନ୍ତୁ ସ୍ପଷ୍ଟ ଭାବରେ ବିରୋଧୀ ଶିବିରକୁ ଆସିବାର ସମ୍ଭାବନା ଯଥେଷ୍ଟ କମ ସମୟକ୍ରମେ ପାଣି ଯେଉଁ ଆଡକୁ ଗଡିବ, ନବୀନ ସେଇ ଆଡକୁ ଢଳିବେ ଏମିତିରେ ବିଜେପି ସହିତ ନବୀନଙ୍କ ସମ୍ପର୍କ ଅନ୍ୟ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ଯଥେଷ୍ଟ ଭଲ । ନିଜ ୯ ବର୍ଷର ଶାସନ କାଳରେ ନରେନ୍ଦ୍ର ମୋଦୀ ସବୁ ବିରୋଧୀ ଦଳଙ୍କୁ ଆକ୍ରମଣ କରୁଥିବା ବେଳେ ବିଜେଡି ପ୍ରତି ତାଙ୍କର ଦ୍ଵେଷ ଭାବ ପ୍ରାୟ ନାହିଁ ୨୦୧୯ ନିର୍ବାଚନରେ ବିଜେପି-ବିଜେଡି ଘୋର ବିରୋଧୀ ମନେ ହେଉଥିଲେ ହେଁ ନିର୍ବାଚନ ପରେ ପରେ ଉଭୟଙ୍କ ଭିତରେ ଭାବ ବଢି ଚାଲିଲା ଆଜି ମଧ୍ୟ ବିଜେଡି ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଉପରେ ଆକ୍ରମଣ କରୁନାହିଁ ।

୨୦୨୪ ପାଇଁ ନବୀନ ପଟ୍ଟନାୟକ ସବୁ ଦିଗ ପାଇଁ ନିଜ ଦୁଆର ଖୋଲା ରଖିବେ ଯଦି ବିରୋଧୀ ଏକତା ସମ୍ଭବ ହୁଏ, ତା ହେଲେ ମଧ୍ୟ ନବୀନ ସେଠାରେ ନିଜର ସ୍ଥିତି ଜାହିର କରିବେ । ବିଜେପି ଜିତିଲେ ତାଙ୍କର ଯଥାସ୍ଥିତି ବଜାୟ ରହିବଯଦି ଅଳ୍ପ କିଛି ଆସନରେ ବିଜେପିକୁ ଅନ୍ୟ ଦଳର ସହାୟତା ଦରକାର ପଡେ ତା ହେଲେ ବିଜେଡି ପ୍ରଥମେ ବିଜେପିକୁ ସମର୍ଥନ ଦେବ ।

ବିଜେପି ଏବଂ ବିଜେପି ବିରୋଧୀ ଶକ୍ତି ମଧ୍ୟରେ ବିଜେଡି ନିଜକୁ ଅଲଗା ରଖିକି ରାଜନୀତି କରିବ ନିର୍ବାଚନ ଫଳାଫଳ ପରେ ଯାଇ ବିଜେପିର ଗତି ସ୍ପଷ୍ଟ ହେବ । ନୀତିଶ ଆସିଲେ ନବୀନ ତାଙ୍କୁ ସୁନ୍ଦର ଭାବରେ ଆପ୍ୟାୟିତ କରିବେ, ହେଲେ ତାଙ୍କୁ କୌଣସି ରାଜନୈତିକ ପ୍ରତିଶ୍ରୁତି ଦେବାର ସମ୍ଭାବନା ଆଦୌ ନାହିଁ।