କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ପୁସ୍ତକର ଲୋକାର୍ପଣ

କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ପୁସ୍ତକର ଲୋକାର୍ପଣ

ଲେଖକର ପରିଚୟ କୌଣସି ବାଦ ବା ବନ୍ଧନ ମଧ୍ୟରେ ସୀମିତ ନହେବା ଉଚିତ। ଲେଖକଙ୍କ ପରିତୟ ଏ ସଂକୀର୍ଣତାଠାରୁ ବହୁ ଉର୍ଦ୍ଧ୍ଵରେ । କୁମାର ହସନ୍ ସେଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ବୋଲି କହିଛନ୍ତି ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା । ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ କୁମାର ହସନ୍‌ଙ୍କ “ସମ୍ବଲପୁରୀ ଲୋକସାହିତ୍ୟ” ପୁସ୍ତକର ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ ଭାବେ ଯୋଗଦେଇ ଶ୍ରୀ ପଣ୍ଡା ପଶ୍ଚିମ ଓଡ଼ିଶାର ଭାଷା, ବୋଲି ଓ ଲୋକସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ଜୟଦେବ ଭବନରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ଏହି ବହି ପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶା ସରକାରଙ୍କ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଲେ ଯେ କୁମାର ହସନ୍‌ଙ୍କ ଆଦର୍ଶ ହିଁ ତାଙ୍କ ଅବର୍ତମାନରେ ତାଙ୍କୁ ଆମ ପାଖେପାଖେ ଠିଆ କରିଛି । ସେଇ ଆଦର୍ଶ ଆମକୁ ଯେ ଯାଏଁ ଅନୁପ୍ରାଣିତ କରିବ ସେ ସେ ଯାଏଁ ଆମ ଗହଣରେ ଉପସ୍ଥିତ ଥିବେ ବୋଲି ଶ୍ରୀ ସାହୁ ଆଶାବ୍ୟକ୍ତ କରିଥିଲେ । 

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ବାସୁଦେବ ସୁନାନୀ ସ୍ୱର୍ଗତ ହସନ୍‌ଙ୍କ କବିତା ପାଠ କରିବା ସହ ତାଙ୍କର ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି କେଦାର ମିଶ୍ର କହିଥିଲେ ଯେ କୁମାର ହସନ୍‌ ଜୀବନରେ କେବେ ସାଲିସ୍ କରିନାହାନ୍ତି । ଅଭାବ ଭିତରେ ବି ସେ କାହା ଆଗରେ ହାତ ପାତିନାହାନ୍ତି ବୋଲି ସେ କହିଥିଲେ ।

କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ଗିରୀଶ ରଂଜନ ମଞ୍ଚ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ ବ୍ରେନ୍ ଟ୍ୟୁମରରେ ପୀଡ଼ିତ କୁମାର ହସନ୍‌ଙ୍କର ଗତ ଅଗଷ୍ଟ ୫ ତାରିଖରେ ମୃତ୍ୟୁ ହୋଇଥିଲା।