ଏଗଜିଟ ପୋଲ : ବିଜେପି ଖାତାକୁ ଯିବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ

ଏଗଜିଟ ପୋଲ : ବିଜେପି ଖାତାକୁ ଯିବ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ

ଏଗଜିଟ ପୋଲର ଆକଳନ ଅନୁଯାୟୀ ତ୍ରିପୁରା ଏବଂ ନାଗଲାଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପି ଓ ତାର ସହଯୋଗୀ ପୁଣିଥରେ ସରକାର ଗଠନ କରିବେ । ମେଘାଳୟରେ ହୁଏତ ଝୁଲା ସରକାର ହୋଇପାରେ । ଆଜିକାଲି ନିର୍ବାଚନରେ ବିଜେପି ଜିତିବା ଏକ ସାଧାରଣ ଘନତା ହୋଇଯାଇଛି । ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ତିନୋଟି ଛୋଟ ରାଜ୍ୟ । ହେଲେ ଏହି ସବୁ ରାଜ୍ୟର ବିଜୟକୁ ଆଗକୁ ବଡ କରି ଦେଖାଯିବ । ଆଦାନୀ ପ୍ରସଙ୍ଗରେ ବିଜେପି ସରକାର ଏବେ ଭୟଙ୍କର ଚାପର ସମ୍ମୁଖୀନ ହେଉଛି । ଏହି ସମୟରେ ତିନୋଟି ରାଜ୍ୟରେ ବିଜେପିର ବିଜୟ ଶାସକ ଦଳକୁ ବେଶ ସାହସ ଦେବ । ଯିଏ ଯାହା ବିରୋଧ କଲେ ବି ଆମେ ଲୋକଙ୍କ ଭୋଟ ପାଉଛୁ- ତେଣୁ ବିରୋଧୀ ସମାଲୋଚନା କରିବାର କିଛି ଅର୍ଥ ନାଇଁ ବୋଲି ବିଜେପି ତରଫରୁ କୁହାଯିବ ।  ସେ  କଥାକୁ ଗଣମାଧ୍ୟମ ଅଧିକ ବଡ କରି ଦେଖାଇବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏହି ବିଜୟକୁ ଖୁବ ବଡ କରି ଦେଖାଇବ ।

୨ ମାର୍ଚ୍ଚ ଦିନ ଚୂଡାନ୍ତ ଫଳାଫଳ ଆସିବା ଆଗରୁ ଏଗଜିଟ ପୋଲ ବିଜେପିକୁ ସରକାରରେ ବସାଇ ସାରିଛି । ଗତ କିଛି ବର୍ଷ ହେଲାଣି ଓପିନିଅନ ପୋଲ ଏବଂ ଏଗଜିଟ ପୋଲ ବିଜେପି ପାଇଁ ଏକପ୍ରକାର ସଫଳତାର ସିଡି ପାଲଟିଛନ୍ତି । ବିଭିନ୍ନ ପୋଲ ଏଜେନ୍ସି ଜରିଆରେ ବିଜେପି ଜନମତକୁ ପ୍ରଭାବିତ କରିବାର ଏକ ସଫଳ ବାଟ ପାଇଯାଇଛି । ଏ ସମ୍ପର୍କରେ ଭାରତର ନିର୍ବାଚନ କମିଶନ ଏକପ୍ରକାର ଶାସକ ଦଳର ସହାୟକ ଭାବରେ କାମ କରୁଛନ୍ତି । ପୋଲ ଏଜେନ୍ସି ସବୁ କାହା ପାଇଁ କାମ କରୁଛନ୍ତି ଓ ସେଥିରେ କେଉଁ ଦଳର ସ୍ଵାର୍ଥ ଅଛି, ତାକୁ ଦେଖିବା ପାଇଁ କମିଶନଙ୍କ ପାଖରେ କୌଣସି ବ୍ୟବସ୍ଥା ନାଇଁ

ତେଣୁ ସବୁ ଓପିନିଅନ ପୋଲ ଏବଂ ଏଗଜିଟ ପୋଲରେ ବିଜେପି ଜିତିବାର ଆକଳନ ଏକ ପ୍ରକାର ସ୍ଵାଭାବିକ ଲାଗୁଛି । ଏବେ ଅସଲ ଫଳାଫଳ ଦିନକୁ ଅପେକ୍ଷା କରାଯାଉ ।