ଭିଡ଼ ହିଂସା କବଳରେ ଓଡ଼ିଶା

ଭିଡ଼ ହିଂସା କବଳରେ ଓଡ଼ିଶା

ଓଡ଼ିଶାର ସମାଜ ଓ ରାଜନୀତିରେ ଏକ ନୂଆ ଆତଙ୍କ ଜନ୍ମ ନେଇଛି ଭିଡ଼ ହିଂସା ବା ମବ ଲିଞ୍ଚିଙ୍ଗ । ଏକଦା ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ପରିଚିତ ଆମ ରାଜ୍ୟରେ ଏବେ ରାସ୍ତାରେ ଖୋଲାଖୋଲି ମାଡ଼ ଓ ହତ୍ୟା ଏକ ସାଧାରଣ ଦୃଶ୍ୟ ପାଲଟିଛି। ବିଶେଷକରି ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଢ଼ିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ଏକ ଅନିୟନ୍ତ୍ରିତ ମୋଡରେ ପହଞ୍ଚିଛି । ଗତ ୧୮ ମଇ ୨୦୨୬ ଦିନ ବ୍ରହ୍ମପୁର ସହରର ଗିରି ରୋଡ଼ରେ ଯାହା ଘଟିଲା ତାହା ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଜଣେ ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀ ରାସ୍ତାରେ ମୋଟରସାଇକେଲରୁ ପଡ଼ିଯିବା ପରେ ଦୁଇ ଜଣ ଗୁଣ୍ଡା ବାଉଁଶ ଲାଠିରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଯୁବତୀ ଜଣକ ନିଜ ବିକଳରେ ତାଙ୍କ ବନ୍ଧୁଙ୍କୁ ରକ୍ଷା କରିବା ପାଇଁ ନିଜେ ମାଡ ଖାଇଥିଲେ । ପୁରା ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହା ଓଡିଶାରେ ପ୍ରଥମ ଭିଡହିଂସା ଘଟଣା ନୁହେଁ। ଏହା ଏକ ସାଧାରଣ ଧାରା ପାଳତିଯାଇଛି

କେତେ ବଢ଼ିଲା ଭିଡ଼ ହିଂସା?

ବିଜେପି ସରକାର ଗଠନ ହେବା ପରେ (ଜୁନ ୨୦୨୪) ରାଜ୍ୟରେ ଭିଡ଼ ହିଂସା ଓ ହତ୍ୟାକାଣ୍ଡ ତଥା  ସାମ୍ପ୍ରଦାୟିକ ହିଂସାର ସଂଖ୍ୟା ବହୁତ ବଢ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ୭ଟି ମବ୍ ଲିଞ୍ଚିଙ୍ଗ୍ ଓ ୫୪ଟି ସାମ୍ପ୍ରଦାୟିକ ଦଙ୍ଗା ଘଟିଛି। ଏଥିରେ ମୁସଲିମ୍, ଦଳିତ, ବଙ୍ଗଳା ଭାଷୀ ପ୍ରବାସୀ ଓ ସାଧାରଣ ନାଗରିକଙ୍କ ଉପରେ ହିଂସାଚରଣ କରାଯାଇଛି।

  • ସମ୍ବଲପୁରରେ ଜୁଏଲ୍ ଶେଖ୍ (୧୯) ଙ୍କୁ ବାଙ୍ଗଲାଦେଶୀକହି ହତ୍ୟା
  • ଦେଓଗଡ଼ରେ କିଶୋର ଚମାର୍ (୩୫) ଙ୍କୁ ଗୋ-ହତ୍ୟା ଅଭିଯୋଗରେ ମାଡ଼
  • କଣାସରେ ଜଣେ ଯୁବକଙ୍କୁ ମାରିବା ପାଇଁ ପନିକିରେ ଆକ୍ରମଣ ଓ ତାଙ୍କ ଉପରେ ମଟର ସାଇକଲ ଚଢେଇଦେବା
  • ଭୁବନେଶ୍ୱର ନିକଟରେ ରେଳ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଭିଡ ଦ୍ୱାରା ହତ୍ୟା
  • ନୟାଗଡ ଓ ଓଡଗାଁ ରେ ଏଇଭଳି ଘଟନା

 

ଏହି ଘଟଣାଗୁଡ଼ିକ ଦେଖାଉଛି ଯେ ଆଇନର ଭୟ କମିଯାଇଛି ଓ ଗୁଣ୍ଡାମାନେ ଖୋଲାଖୋଲି ଅପରାଧ କରିବାର ସାହସ ପାଇଛନ୍ତି।

କାହିଁକି ଏମିତି ହେଉଛି?

ବିରୋଧୀ କହୁଛନ୍ତି ସରକାର ଆଇନ ଶୃଙ୍ଖଳା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ହରାଇଛି। ପୋଲିସ୍ କାର୍ଯ୍ୟାନୁଷ୍ଠାନ ମନ୍ଥର ଓ ରାଜନୈତିକ ପ୍ରଭାବିତ ହେବାର ଅଭିଯୋଗ ଉଠୁଛି। ଓଡ଼ିଶା ଯେଉଁ ଶାନ୍ତିର ପରିଚୟ ଦେଉଥିଲା, ଆଜି ସେହି ରାଜ୍ୟରେ ରାସ୍ତାରେ ମହିଳା ଓ ଯୁବକଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଉଛି ଏବଂ ଲୋକେ ଭୟରେ ଚୁପ୍ ରହୁଛନ୍ତି।ବ୍ରହ୍ମପୁର ଘଟଣା ପରେ ବିଜେଡି ନେତା ନବୀନ ପଟ୍ଟନାୟକ ସମେତ ବିରୋଧୀ ଦଳ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ସାଧାରଣ ଜନତା ପଚାରୁଛନ୍ତି — “ଆମକୁ ରକ୍ଷା କରିବାକୁ ଆମ ରାଜ୍ୟରେ ସରକାର ଅଛି ତ ?

ଅକର୍ମା ପୁଲିସ

ଓଡିଶାରେ ଯେତେବେଳେ ବି ଅପରାଧ ଓ ଅନିୟନ୍ତ୍ରିତ ଭିଡ ହିଂସା ହେଉଛି ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ସମୀକ୍ଷା ବୈଠକ ଡାକି ନିଜ ଦାୟିତ୍ଵ ସରିଗଲା ବୋଲି ଭାବୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୁଲିସ ବିଭାଗ ଏକପ୍ରକାର ଅକର୍ମା ବିଭାଗରେ ପରିଣତ ହୋଇଛି ରାଜ୍ୟ ପୁଲିସର ମୁଖିଆ ଯୋଗେଶ ବାହାଦୁର ଖୁରାନିଆ ଅପରାଧୀଙ୍କୁ ଓଡିଶାରେ ରହିବାକୁ ଦିଆଯିବ ନାହିଁ ବୋଲି ବାହାସ୍ଫୋଟ ମାରୁଛନ୍ତି ଓ “ଏନକାଉଣ୍ଟର” ର ଧମକ ଦେଉଛନ୍ତି ହେଲେ ତାଙ୍କ ଧମକ କେବଳ ସଂବାଦପତ୍ର ଓ ଟିଭି ବାଇଟ ଭିତରେ ସୀମିତ ରହୁଛି ।  

ଶେଷକଥା  

ଓଡ଼ିଶାର ଗରିମା କେବଳ ମନ୍ଦିର, ସମୁଦ୍ର ଓ ସଂସ୍କୃତି ଭିତରେ ସୀମିତ ନୁହେଁ, ବରଂ ଶାନ୍ତି, ସଂହତି, ସୌହାର୍ଦ୍ଦ୍ୟ ଓ ନିରାପତ୍ତାରେ ରହିଛି। ଯଦି ଭିଡ଼ ହିଂସା ଓ ଗୁଣ୍ଡାଗିରିକୁ ନିୟନ୍ତ୍ରଣ କରାନଯାଏ, ତେବେ ଆମ ସମାଜର ମୂଳ ଆଧାର ନଷ୍ଟ ହୋଇଯିବ

ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଢ଼ିବା ପରେ ଆଉ କିଛି ହେଉ ବା ନ ହେଉ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସବୁଠୁ ଖରାପ ସ୍ଥିତିକୁ ଚାଲି ଆସିଛି। ଭିଡ଼ ହିଂସା ବା ମବ୍ ଲିଞ୍ଚିଙ୍ଗ୍ ଓଡ଼ିଶାରେ କେବେ ଦେଖିବାକୁ ବା ଶୁଣିବାକୁ ମିଳିନଥିଲା। ଏବେ କିନ୍ତୁ ଓଡ଼ିଶାରେ ଭିଡ଼ ହିଂସା ଅତି ସାଧାରଣ ଓ ସ୍ବାଭାବିକ ଘଟଣା ପାଲଟିଛି। ଏହା ନ ବଦଳିଲେ ଓଡିଶାବାସୀ ବିଜେପିକୁ କଦାପି କ୍ଷମା କରିବେ ନାହିଁ