କୋଭିଡ ଲକ ଡାଉନ ସମୟରେ ଆତ୍ମହତ୍ୟା କରିଛନ୍ତି ୧ ଲକ୍ଷ ୧୨ ହଜାର ଦିନ ମଜୁରିଆ

କୋଭିଡ ଲକ ଡାଉନ ସମୟରେ ଆତ୍ମହତ୍ୟା କରିଛନ୍ତି ୧ ଲକ୍ଷ ୧୨ ହଜାର ଦିନ ମଜୁରିଆ

୨୦୧୯ ରୁ ୨୦୨୧, ଏହି ତିନି ବର୍ଷରେ ଦେଶର ୧.୧୨ଲକ୍ଷ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି ବୋଲି ଲୋକସଭାରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଉଦ୍ଧାର କରି ମନ୍ତ୍ରୀ ଏ କଥା ସ୍ପଷ୍ଟ ଭାବରେ ସ୍ଵୀକାର କରିଛନ୍ତି । ଏକଥା କହିବା ଅନାବଶ୍ୟକ ଯେ ଏହି ସମୟ ହେଉଛି କୋଭିଡ ଲକ ଡାଉନର ସମୟ । ଗୋଟେ ପକ୍ଷରେ କୋଭିଡ ମହାମାରୀରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଜୀବିକା ହରାଇ ୧.୧୨ ଦିନ ମଜୁରିଆ ନିଜ ହାତରେ ନିଜର ଜୀବନ ନେଇଛନ୍ତି । ଲକ ଡାଉନ କଟକଣା ସମୟରେ ଜଣେ ବଲିଉଡ ଅଭିନେତାଙ୍କ ଆତ୍ମହତ୍ୟାକୁ ନେଇ ମାସ ମାସ ଧରି ହୋ ହଲ୍ଲା କରିଥିବା ଗଣମାଧ୍ୟମ ଏ ଦେଶର ଲକ୍ଷାଧିକ ଶ୍ରମିକ ଓ ଗରିବଙ୍କ ଆତ୍ମହତ୍ୟା ବିଷୟରେ ଧାଡିଟିଏ ବି ଖବର କରିନଥିଲା ।

ଏହି ସମୟ ମଧ୍ୟରେ ୬୬,୯୧୨ ଗୃହିଣୀ, ୫୩,୬୬୧ ଆତ୍ମ ନିଯୁକ୍ତ ବ୍ୟବସାୟୀ, ୪୩,୪୨୦ ଚାକିରିଆ, ୪୩,୩୮୫ ବେକାର ମଧ୍ୟ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ୩୫, ୯୫୦ ଛାତ୍ର ଏବଂ ୩୧,୮୩୯ କୃଷକ ଆତ୍ମହତ୍ୟା କରିଥିବାର ବିବରଣୀ ଶ୍ରମମନ୍ତ୍ରୀ ଲୋକସଭାରେ ଦେଇଛନ୍ତି । ଆଜି ପ୍ରଶ୍ନ ଉଠୁଛି, ଏମାନଙ୍କ ଆତ୍ମହତ୍ୟା ପାଇଁ ଦାୟୀ କିଏ ? ଲକ ଡାଉନ ସମୟରେ ସରକାର ସବୁ ଲୋକଙ୍କ ଜୀବନର ସୁରକ୍ଷା ଦାୟିତ୍ଵ ସଫଳତାର ସହିତ ନିର୍ବାହ କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ସରକାର ଏ ସମ୍ପର୍କରେ କି ସ୍ପଷ୍ଟୀକରଣ ରଖିବେ

ଅକସ୍ମାତ ଘୋଷଣା ହୋଇଥିବା ଲକ ଡାଉନ ଯୋଗୁଁ କୋଟି କୋଟି ଲୋକ ଯେଉଁ ଦୁର୍ଦ୍ଦଶା ଭୋଗିଲେ, ସେ ବିଷୟରେ ଏ ଦେଶର କୌଣସି ଅନୁଷ୍ଠାନ କିଛି ଚିନ୍ତା କାଲେ ନାଇଁ । କୋଭିଡ ଜନିତ ଅସଲ ମୃତ୍ୟୁ ସଂଖ୍ୟା ଯେମିତି ସରକାରୀ ସ୍ତରରେ ଲୁଚାଗଲା, ଲକ ଡାଉନ ଜନିତ ଦୁର୍ଦ୍ଦଶାର ଚିତ୍ର ମଧ୍ୟ ଲୋକଙ୍କ ନଜରରୁ ହଟାଇ ଦିଆଗଲା । ଏ ସମ୍ପର୍କରେ ଯେଉଁ ତଥ୍ୟ ସରକାର ଦେଇନାହାନ୍ତି, ତାହା ଆହୁରି ଚିନ୍ତାର ବିଷୟ । ଶ୍ରମ ମନ୍ତ୍ରୀ କେବଳ ରିପୋର୍ଟ ହୋଇଥିବା ଆତ୍ମହତ୍ୟାର ତାଲିକା ଦେଇଛନ୍ତି । ଲକ ଡାଉନ ସମୟରେ ରିପୋର୍ଟ ହୋଇନଥିବା ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇଥିବ ନିଶ୍ଚୟ ।

ସରକାରକୁ ଓ ସରକାରର ମୁଖୀଙ୍କୁ ଭଲ ପାଇବାରେ ଆମେ ଏତେ ଅନ୍ଧ ହୋଇଯାଇଛୁ ଯେ ଏତେ ଭୟଙ୍କର ଦୁର୍ଦ୍ଦଶାର ଚିତ୍ରାକୁ ମଧ୍ୟ ଆମେ ଅଣଦେଖା କରିଛୁ ।