ପ୍ରଶ୍ନ ପଚାରିବା ଜରୁରୀ, କରମଣ୍ଡଳ ଦୁର୍ଘଟଣା ପାଇଁ ଦାୟୀ କିଏ !!
୨, ଜୁନ, ୨୦୨୩ର ସନ୍ଧ୍ୟା ସବୁଦିନ ପାଇଁ ମନେ ରହିବ । କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ହାୱଡା ଷ୍ଟେସନରୁ ତିନି ଘଣ୍ଟା ପୂର୍ବରୁ ବସିଥିବା ଯାତ୍ରୀମାନେ କେବେହେଲେ ଭାବି ନଥିବେ ଏ ଯାତ୍ରା ସେମାନଙ୍କ ପାଇଁ ଶେଷଯାତ୍ରା ହେବ । ବାଲେଶ୍ଵର ଜିଲାର ବାହାନଗା ବଜାର ଷ୍ଟେସନ ଟପିଲା ପରେ କରମଣ୍ଡଳ ଲାଇନଚ୍ୟୁତ ହୋଇ ପାଖରେ ଠିଆ ହୋଇଥିବା ମାଲବାହୀ ଗାଡିରେ ବାଡେଇ ହୋଇଥିଲା । ତାର କିଛି ସମୟ ପରେ ହାୱଡା ଯଶବନ୍ତପୁର ଏକ୍ସପ୍ରେସ ଆସି ଧାରଣାରୁ ଖସିପଡିଥିବା ବଗି ଗୁଡିକୁ ଧକ୍କା ଦେଇଥିଲା । ଏହା ଏକାଦିକ୍ରମେ ତିନୋଟି ଦୁର୍ଘଟଣା ବୋଲି କୁହାଯାଇପାରେ । ଏହି ରିପୋର୍ଟ ଲେଖା ହେଲା ବେଳକୁ ପାଖାପାଖି ୩୦୦ ଲୋକ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଓ ହଜାରେ ରୁ ଅଧିକ ଆହତ ହୋଇଛନ୍ତି । ଗତ ପଚିଶ ବର୍ଷ ଭିତରେ ଏହା ସବୁଠୁ ମର୍ମନ୍ତୁଦ ରେଳ ଦୁର୍ଘଟଣା ।
ଏହାକୁ ଆମେ ଏକ ଦୁର୍ଘଟଣା ବୋଲି କହିବା ନା ରେଳ ବିଭାଗର ବିଫଳତା କାରଣରୁ ଘଟିଥିବା ଏକ ହତ୍ୟାକାଣ୍ଡ ? ରେଳ ବିଭାଗର ଟ୍ରାଫିକ ବ୍ୟବସ୍ଥା ଭୁତ କି ଭଗବାନ ପରିଚାଳନା କରନ୍ତି କି ? ରେଳଧାରଣାରୁ ଗୋଟେ ଟ୍ରେନ ଖସି ପଡିବା ପରେ ସେ ରାସ୍ତାରେ ଆଉ ଏକ ଟ୍ରେନ ଆସିଲା କେମିତି? ଇଣ୍ଟେରନେଟ ଏବଂ ସେନ୍ସର ବ୍ୟବସ୍ଥାର ଉତ୍କର୍ଷ ଥିବା ସମୟରେ ଟ୍ରାଫିକର ଏ ଦୁରବସ୍ଥା କେମିତି ଘଟିଲା ? ଲୋକଙ୍କ ଜୀବନକୁ ନେଇ ରେଳବିଭାଗ ଖେଳ ଖେଳୁଛି କି ?
ଆଜି ଏ ପ୍ରଶ୍ନ ପଚାରିଲେ, ସରକାରରେ ଥିବା ରାଜା-ମନ୍ତ୍ରୀଙ୍କ ଭକ୍ତଗଣ କହୁଛନ୍ତି, ରୁହନ୍ତୁ- ଏବେ ରାଜନୀତି କରନ୍ତୁ ନାଇଁ । ସେମାନଙ୍କ କହିବା କଥା ହେଲା ଗୋଟେ ଦୁର୍ଘଟଣାକୁ ନେଇ ରାଜନୀତି କରାନଯାଉ!!
ତେବେ ଏହାର ଅର୍ଥ ହେଉଛି, ତିନୋଟି ଟ୍ରେନ ଗୋଟେ ଜାଗାରେ ଆସି ପରସ୍ପର ସହିତ କେମିତି ପିଟି ହେଲେ, ସେ ପ୍ରଶ୍ନ ପଚରା ନଯାଉ । ରେଲଓ୍ବେ ଟ୍ରାଫିକ ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ହାତରେ ଅଛି ନା ଭଗବାନ ଭରସାରେ ଚାଲିଛି, ସେ କଥା ପଚରା ନଯାଉ । ସବୁ ସଫଳତା ର ଶ୍ରେୟ ନେଉଥିବା ଆମର ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଉତ୍ତରଦାୟୀ କରାନଯାଉ । ନୈତିକତା ଏବଂ ଉତ୍ତରଦାୟିତ୍ଵ ବିଷୟରେ କେହି ଯେମିତି ପ୍ରଶ୍ନ ନ ଉଠାନ୍ତି, ସେ ବିଷୟରେ ଆଜିର ସରକାର ବେଶ ଚତୁରତାର ସହିତ ପ୍ରଚାର ଆରମ୍ଭ କରିସାରିଲେଣି ।
ଯେଉଁମାନେ ଏ ପ୍ରସାଙ୍ଗରେ ପ୍ରଶ୍ନ ପଚାରିବାକୁ ରାଜନୀତି ବୋଲି କହୁଛନ୍ତି, ସେମାନେ ଇ ସବୁଠୁ କଦର୍ୟ ରାଜନୀତି କରୁଛନ୍ତି । ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ କେବଳ ଏକ ସଂଖ୍ୟା ବୋଲି କହି ଏହାକୁ ଆମେ ଭୁଲିଯିବା ଇ ଆମ ସମୟର ସବୁଠାରୁ ଭୟଙ୍କର ଓ ଜଘନ୍ୟ ରାଜନୀତି । ଲୋକଙ୍କ ମୃତ ଦେହ ଆଗରେ ଫଟୋ ଉଠାଉଥିବା ମନ୍ତ୍ରୀଙ୍କର ଅଶ୍ଳୀଳ ଉପସ୍ଥିତି ହଁ ରାଜନୀତି।
ରେଳ ଚଳାଚଳ କ୍ଷେତ୍ରରେ ବାସ୍ତବ ସମସ୍ୟାକୁ ନେଇ ଗତ ୧୦ ବର୍ଷରେ କିଛି ବି କାମ ହୋଇନାହିଁ। ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ଯେ କେତେ ଅସହାୟ, ତାର ପ୍ରମାଣ ଗତକାଲି ମିଳି ସାରିଛି। କେବଳ "ବନ୍ଦେ ଭାରତ" ଭଳି ଫେନ୍ସି ଟ୍ରେନର ଉଦଘାଟନ କରିବା ଓ ମନମୁଖୀ ଯାତ୍ରୀ ଭଡ଼ା ବଢାଇବା ଏହି ସମୟରେ ରେଳ ବିଭାଗର ସବୁଠୁ ବଡ଼ ଉପଲବ୍ଧି । ରେଳବିଭାଗ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ତୁଳନାରେ ପ୍ରଚାରକୁ ଅଧିକ ଗୁରୁତ୍ଵ ଦେଉଛି । ଭାରତୀୟ ରେଳରେ ପ୍ରତିଦିନ ୨୫ ଲକ୍ଷ ଭାରତୀୟ ଯାତାୟାତ କରନ୍ତି । ଏବେ ସେହି ୨୫ ଲକ୍ଷ ଯାତ୍ରୀ ଆଉ ସରକାରଙ୍କ ଲକ୍ଷ୍ୟ ନୁହନ୍ତି । ରେଳ ବିଭାଗ ଏବେ ଏହାକୁ ଏକ ସମ୍ଭ୍ରାନ୍ତ ଓ ବିଳାସୀ ପରିବହନ ରୂପେ ଗଢି ତୋଳିବାକୁ ଚାହୁଁଛି । କରମଣ୍ଡଳ ଦୁର୍ଘଟଣାରେ ମରିଥିବା ସଂଖ୍ୟାଧିକ ଯାତ୍ରୀ ଜେନେରାଲ ବା ସାଧାରଣ ବଗିର ଯାତ୍ରୀ ।
ରେଳ ବିଭାଗର ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ କରିବା ଯଦି ରାଜନୀତି, ତାହା ଆଜି ଜରୁରୀ। ସମାଜ ଓ ନାଗରିକ ନିଜ ଜୀବନର ଅସହାୟତାକୁ ଭାଗ୍ୟ କିମ୍ବା ଆକସ୍ମିକ ଦୁର୍ଘଟଣା ଭାବି ଚୁପ୍ ବସିବ ଓ ଏଥିପାଇଁ ଯିଏ ଦାୟୀ ତାକୁ ଯଦି ପ୍ରଶ୍ନ ନ ପଚାରିବ, ତା ହେଲେ ସେ ନାଗରିକ ସମାଜର କୌଣସି ମୂଲ୍ୟ ନାହିଁ।
ଆଜି ଲାଲ ବାହାଦୁର ଶାସ୍ତ୍ରୀ କି ମଧୁ ଦଣ୍ଡବତେ ରେଳମନ୍ତ୍ରୀ ନାହାନ୍ତି । ଦୁର୍ଘଟଣାର ନୈତିକ ଦାୟିତ୍ଵ ନେଇ ଇସ୍ତଫା ଦେବା ଭଳି ରେଳମନ୍ତ୍ରୀ ଆଉ ନାହାନ୍ତି । ସବୁଜ ପତାକା ହଲାଇ ସବୁ ରେଳ ପ୍ରକଳ୍ପ ଉଦଘାଟନ କରୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ଏହାର ଉତ୍ତର ଦାୟିତ୍ଵ ନେବେନାହିଁ ।
ଯାତ୍ରୀମାନଙ୍କର ଜୀବନରକ୍ଷା ଭାରତ ସରକାର ଏବଂ ରେଳବିଭାଗର ସାମ୍ବିଧାନିକ ଦାୟିତ୍ଵ । ସେ ଦାୟିତ୍ଵ ନିର୍ବାହରେ ଯିଏ ଅବହେଳା କରିଛି, ସେ ଏଥିପାଇଁ ଉତ୍ତରଦାୟୀ ରହିବା ଜରୁରୀ । ଉତ୍ତରଦାୟିତ୍ଵ ପାଇଁ ପ୍ରଶ୍ନ ପଚାରିବା ଯଦି ରାଜନୀତି, ସେ ରାଜନୀତି ଆଜି ପାଇଁ ଅପରିହାର୍ୟ ।