ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ଶୁଝି ନପାରିବାର କାରଣ
ଅଳ୍ପଦିନ ତଳେ, ବିଧାନ ସଭାର ଏକ ଷ୍ଟାଣ୍ଡିଂ କମିଟି, ସ୍ଵୟଂ ସହାୟିକା ଗୋଷ୍ଠୀ ମାନେ ଋଣ ନେଇ ଶୁଝୁନଥିବା କଥା ବିଧାନ ସଭାରେ ପ୍ରକାଶ କରିବା ବିଭିନ୍ନ ଖବକାଗଜ ତଥା ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । କଥାଟି ଏକ ଦମ ସତ୍ୟ । କିନ୍ତୁ ଏମାନେ କାହିଁକି ଋଣ ନେଇ ସୁଝୁ ନାହାନ୍ତି, ସେ ବିଷୟରେ ଷ୍ଟାଣ୍ଡିଂ କମିଟି ଗଭୀରକୁ ଯାଇ ଅନୁସନ୍ଧାନ କରିଛନ୍ତି କି, ଯଦିବା କିଛି କରିଛନ୍ତି, ତାହା ତାଙ୍କ ରିପୋର୍ଟରେ ପ୍ରତିଫଳିତ ହୋଇନାହିଁ । ଏକଥା କଥା କେହି କହୁ ନାହାନ୍ତି କିମ୍ବା ଚିନ୍ତା କରୁ ନାହାନ୍ତି । କାହିଁକି ନା ଏ ବିଷୟରେ କୌଣସି ଖବର କାଗଜ କିମ୍ବା ସାମାଜିକ ଗଣମାଧ୍ୟମରେ ଆଲୋଚନା ହେଉଥିବା ମୋ ନଜରକୁ ଆସୁନାହିଁ। ମୁଁ କାମ କରୁଥିବା ଅନୁଷ୍ଠାନ ୧୯୮୭ ମସିହାରୁ ମହିଳା ସଂଗଠନ ଗୁଡିକ ସହିତ ଜଡିତ ଓ ଆମେ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ କାମ କରି ଆସୁଛୁ । ଆମେ ୧୯୯୫ ମସିହାରୁ ସ୍ଵୟଂ ସହାୟିକା ଗୋଷ୍ଠୀମାନଙ୍କ ସହିତ କାମ କରି ଆସୁଅଛୁ ଓ ବର୍ତ୍ତମାନ ଆମେ କାମ କରୁଥିବା ଗୋଷ୍ଠୀର ସଂଖ୍ୟା ୩୫୦ ରେ ପହଞ୍ଚିଛି ।
କନ୍ଧମାଳ ଜିଲାର ପ୍ରଥମ ସ୍ଵୟଂ ସହାୟିକା ଗୋଷ୍ଠୀ ଦାରିଙ୍ଗବାଡି ରେ ହିଁ ଆରମ୍ଭ ହୋଇଥିଲା । ୧୯୯୮ ମସିହା ଯାଏ ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକ ବାହ୍ୟ ଆର୍ଥିକ ସହାୟତା ନନେଇ ନିଜ ନିଜ ର ମାସିକ ଚାନ୍ଦାରୁ ଅର୍ଥ ସଞ୍ଚୟ କରି, ସେହି ଅର୍ଥରୁ ଦରକାର ସମୟରେ ଋଣ ଦେଣନେଣ କରି ଦଳ ଚଲାଉଥିଲେ । ଏହି ପ୍ରକ୍ରିୟା ୨୦୦୬ ମସିହା ଯାଏ ଚାଲିଲା । ଅବଶ୍ୟ ଏହା ମଧ୍ୟରେ କିଛି କିଛି ଆର୍ଥିକ ସହାୟତା ଜଳଛାୟା ପ୍ରକଳ୍ପ ତଥା ଅନ୍ୟାନ୍ୟ ସଂସ୍ଥା ମାନେ ଦଳଗୁଡିକୁ ଦେଇଥିଲେ, ଯାହା ପାଞ୍ଚ ହଜାରରୁ ପଚିଶ ହଜାର ମଧ୍ୟରେ ସୀମିତ ଥିଲା । ଅତି ଆବଶ୍ୟକ ସ୍ଥଳେ ବ୍ୟାଙ୍କ ସଂଯୋଗୀକରଣ ମାଧ୍ୟମରେ ଦରକାର ସମୟରେ ଦଳଗୁଡିକ ଋଣ ନେଇ ପରିଶୋଧ କରୁଥିଲେ। ସେଯାଏ ଋଣ ପରିଶୋଧ କରିବାର ହାର ୯୭ ପ୍ରତିଶତ ଥିଲା । ଏଯାଏ ପ୍ରାୟ ସବୁଥିକ ଠାକ ଚାଲିଥିଲା । କିନ୍ତୁ ପ୍ରକୃତ ଅସୁବିଧା ଆରମ୍ଭ ହେଲା ସ୍ଵର୍ଣ୍ଣଜୟନ୍ତି ଗ୍ରାମ୍ୟ ସ୍ଵରୋଜଗାର ଯୋଜନା ଆରମ୍ଭ ହେବାରୁ । ପ୍ରତି ବ୍ଲକ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା ଓ ଲକ୍ଷ୍ୟ ପୂରଣ ପାଇଁ ତାଗିଦ କରାଗଲା । ଦଳଗୁଡିକୁ ଏହି ଯୋଜନା ରୁ ଫାଇଦା ଉଠାଇବା ପାଇଁ ଏକ ରକମ ପ୍ରଲୋଭିତ କରାଗଲା । ଏହି ଯୋଜନାରେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଋଣ ର ପ୍ରାବଧାନ ଥିଲା ଓ ତନ୍ମଧ୍ୟ ରୁ ଏକ ଲକ୍ଷ ଟଙ୍କା ଛାଡ ର ବ୍ୟବସ୍ଥା ରହିଥିଲା ।
ମହିଳା ମାନେ ସହଜରେ ରାଜି ନହେବାରୁ ସେମାନଙ୍କ ସ୍ଵାମୀ ଓ ଭାଇମାନଙ୍କ ଜରିଆରେ ଚାପ ସୃଷ୍ଟି କରାଗଲା । ଧୀରେ ଧୀରେ ଲକ୍ଷେ ଟଙ୍କା ଲୋଭରେ ଦଳଗୁଡିକ ଏହି ଋଣ କରିବା ପାଇଁ ମନ ବଳାଇଲେ ଓ ପରବର୍ତ୍ତୀ ସମୟରେ କଲେ ମଧ୍ୟ । କିନ୍ତୁ ସେତେବେଳେ ଏତେ ଟଙ୍କାର ପରିଚାଳନା ଦକ୍ଷତା ମହିଳା ମାନଙ୍କର ନଥିଲା । ମୁଁ ସେତେବେଳେ ଏ ଯୋଜନାର ଭବିଷ୍ୟତ ବିଷୟରେ ଅନୁମାନ କରି ପାରୁଥିଲି । ତେଣୁ ଏ ବିଷୟରେ ଜିଲା ତଥା ରାଜ୍ୟ ର ଅଧିକାରୀମାନଙ୍କୁ ଏହାର କୁପରିଣାମ ବିଷୟ ରେ ଅବଗତ କରାଇଥିଲି । ଦଳଗୁଡିକୁ ପାଇଁ ସ୍ୱଳ୍ପ ତଥା ସହଜରେ ମିଳିପାରୁଥିବା ଋଣ ର ଆବଶ୍ୟକତା ବିଷୟରେ ବୁଝାଇଥିଲି, କିନ୍ତୁ ଅଧିକାରୀମାନେ ଅଳ୍ପ ଅର୍ଥରେ ସେମାନଙ୍କର କଣ ଉନ୍ନତି ହୋଇପାରିବ ବୋଲି ମୋତେ ଓଲଟା ପ୍ରଶ୍ନ କରିଥିଲେ । ଏହି ଋଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଗଲା । କିଛି ଅସାଧୁ ଅଧିକାରୀମାନେ ନିଜ ନିଜର ଏଜେଣ୍ଟ ମାନଙ୍କ ଜରିଆରେ ଦଳଗୁଡିକୁ ବୁଝାଇ ସୁଝାଇ ଆଣି ଋଣ ମଞ୍ଜୁର କରାଇଲେ, ଯେଉଁଥିପାଇଁ ସେମାନଙ୍କୁ ତିରିଶ ହଜାର ଟଙ୍କାଯାଏ ହାତ ଗୁଞ୍ଜା ଦେବାକୁ ପଡୁଥିଲା । ଲକ୍ଷେ ଟଙ୍କା ମିଳିବା ଆଶାରେ ଦଳଗୁଡିକ ଅନୈତିକ ପନ୍ଥା ଅବଲମ୍ବନ କରିବାକୁ ପଛାଇଲେ ନାହିଁ ।
ଅସଲ ଅସୁବିଧା ଆରମ୍ଭ ହେଲା ଋଣ ମଞ୍ଜୁର ହେଲା ପରେ । ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବାପରେ, ବ୍ୟାଙ୍କମାନେ ସେହି ଅର୍ଥରୁ ସେମାନଙ୍କ ସ୍ଵାମୀ ତଥା ଶ୍ଵଶୁର ମାନଙ୍କ ନାମରେ ଥିବା ପୁରୁଣା ବକେୟା ଋଣ ଟଙ୍କା କାଟି ନେଇଗଲେ । ପ୍ରକୃତରେ ଦଳ ହାତକୁ ଆସିଲା କେଉଁଠି ପଚାଶ ହଜାର ତ କେଉଁଠି ଅତି ବେଶୀରେ ଲକ୍ଷେ ଟଙ୍କା । କିନ୍ତୁ ଗୋଷ୍ଠୀ ନାମରେ ଅଢେଇ ଲକ୍ଷ ଟଙ୍କାର ଋଣ ଗଡିଲା ସୁଧ ସହିତ । ମହିଳାମାନେ କାହାପାଇଁ କେତେ ଅର୍ଥ କଟିଲା ତାହା ମଧ୍ୟ ଜାଣି ପାରିଲେ ନାହିଁ । ଗୋଷ୍ଠୀ ମଧ୍ୟରେ ବିଶୃଙ୍ଖଳା ଦେଖାଦେଲା । ଦଳ ନା ମୂଳ ନା ସୁଧ ପଇଠ କଲେ । ସମୁଦାୟ ଅର୍ଥ ପରିଶୋଧ କଲେ, ଲକ୍ଷେ ଟଙ୍କା ଛାଡ ର ପ୍ରାବଧାନ କଥା ଆଗରୁ କହିଲେ ନାହିଁ । ତେଣୁ କୌଣସି ଗୋଷ୍ଠୀ ଛାଡ ଟଙ୍କା ପ୍ରାୟ ପାଇଲେ ନାହିଁ । ପରବର୍ତ୍ତୀ ସମୟରେ ପ୍ରଥମେ ବ୍ୟାଙ୍କ ଓ ପରେ କୋର୍ଟରୁ ଋଣ ସୁଝିବା ପାଇଁ ବାରମ୍ବାର ନୋଟିସ ଆସିଲା ଓ ବ୍ୟାଙ୍କ ଅଧିକାରୀ ମାନେ ସେମାନଙ୍କ ଘରକୁ ଯାଇ ଟଙ୍କା ଫେରାଇବା ପାଇଁ ବାଧ୍ୟ କଲେ । ଅଧିକାଂଶ ସ୍ଥଳେ ସେମାନକ ବହୁଦିନର କଷ୍ଟ ଅର୍ଜିତ ମାସିକ ସଞ୍ଚୟ ଯାହା କିଛି ଆକାଉଣ୍ଟ ରେ ଥିଲା, ତାହା ଋଣ ସୁଝିବା ପାଇଁ କାଟି ନିଆଗଲା । ମହିଳାମାନେ ହତାଶ ହୋଇ ଗୋଷ୍ଠୀ ଭାଙ୍ଗି ଦେଲେ । କେତେକ ଦଳ, ଲୋକ ଅଦାଲତ ଜରିଆରେ କିଛି ଟଙ୍କା ଦେଲା ପରେ ଦଳ ଗୁଡିକୁ ଭାଙ୍ଗିଦେଲେ । ମୋ ଜାଣିବାରେ ତିନୋଟି ଦଳ ବିନା ହାତ ଗୁଞ୍ଜା ରେ ସେହି ଋଣ କରି, ଠିକ ଭାବେ ଟଙ୍କାର ବିନିଯୋଗ କରି ଲକ୍ଷେ ଟଙ୍କା ଛାଡ ପାଇ ଲାଭବାନ ହୋଇଛନ୍ତି। ଏହି ତିନୋଟି ଦଳରେ ଲେଖାପଢା ଜାଣିଥିବା ମହିଳା ମାନେ ଥିବାରୁ ଓ ପୁରୁଷମାନଙ୍କ ବିନା ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଲା ।
ସେତେବେଳେ ପ୍ରାୟ ୧୫ ରୁ ୨୦ ଜଣଙ୍କୁ ନେଇ ଦଳ ତିଆରି ହୋଇଥିଲା । ଏହାପରେ ଦଶ ବାର ଜଣଙ୍କୁ ନେଇ ନୂଆ ନାଆଁ ଦେଇ ଦଳ ଗଢିଲେ । ସମସ୍ତେ ଭାବୁଥିଲେ ଏବେ ଦଳର ସଦସ୍ୟାମାନେ ନିଜ ତିକ୍ତ ଅନୁଭୂତିରୁ କିଛି ଶିଖିବେ, ଏବେ ଦଳ ଠିକରେ ଚାଲିବ । କିନ୍ତୁ ଓଡିଶା ଜୀବିକା ମିଶନ ଆସିବା ପରେ ସ୍ଥିତି ଆହୁରି ଖରାପ ହେବାରେ ଲାଗିଲା । ଦଳଗୁଡିକ ଶୋଷଣ ର ଶିକାର ହେଲେ ଓ ସେମାନଙ୍କୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଗଲ। । ବର୍ତ୍ତମାନ ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ କୁ ଦଳଗୁଡିକୁ ଋଣ ଦେବାପାଇଁ ପଚିଶ ଲକ୍ଷ ଟଙ୍କା ଦିଆଯାଇଛି । କିନ୍ତୁ ଅଧିକାଂଶ ଜାଗାରେ ସେ ଅର୍ଥ ସେମିତି ପଡିରହିଛି କିମ୍ବା ଦଳଗୁଡିକୁ ଦିଆଯାଇଥିଲା, ସେମାନେ ଆଉ ଫେରାଉ ନାହାନ୍ତି। ଏହାର ଭରପୁର ଫାଇଦା ବେସରକାରୀ ଅର୍ଥ ଲଗାଣକାରୀ ଅନୁଷ୍ଠାନମାନେ ନେଉଛନ୍ତି। କୋଭିଡ ମହାମାରି ପରବର୍ତ୍ତୀ ଆର୍ଥିକ ପରିସ୍ଥିତି ଗ୍ରାମ୍ୟ ମହିଳା ମାନଙ୍କୁ ଏହି ଅନୁଷ୍ଠାନମାନଙ୍କ ପାଖରୁ ଋଣ ଆଣିବା ପାଇଁ ଏକ ରକମ ବାଧ୍ୟ କରିଛି । ଏହି ଅନୁଷ୍ଠାନମାନଙ୍କ ଶୋଷଣ ଓ ଜୁଲୁମ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଋଣ ସୁଝିବା ପାଇଁ କେବଳ ଭ୍ରମରବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡାନପିପାଲି ଗ୍ରାମର ୨୧ ଟି ପରିବାର ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି । ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଆସିଲେ, ଋଣ ନେଇଥିବା ଲୋକଙ୍କୁ ନିଦ ଆସୁ ନାହିଁ । କାରଣ ଲୋକଙ୍କୁ ସାପ୍ତାହିକ ଋଣ ଫେରସ୍ତ କରିବାକୁ ପଡୁଛି। ଖାଲି ବୁଡାନପିପାଲି ଗୋଟିଏ ଗାଁ ନୁହେଁ, ପ୍ରାୟ କନ୍ଧମାଳ ଜିଲା ର ସବୁ ବ୍ଲକରେ ସମାନ ସ୍ଥିତି । ତେବେ ପ୍ରଶ୍ନ ଉଠୁଛି ଏ ଜୀବିକା ମିଶନ କାହା ପାଇଁ? ବର୍ତ୍ତମାନ ସ୍ଵୟଂ ସହାୟିକା ଗୋଷ୍ଠୀ, ବ୍ୟାଙ୍କ, ଜୀବିକା ମିଶନ ଓ ପ୍ରଶାସନ ଭିତରେ ଏକ ଅବିଶ୍ଵାସ ର ବାତାବରଣ ସୃଷ୍ଟି ହୋଇଛି। ନା ଦଳ ନା ମିଶନ – କେହି କାହାରି କୁ ବିଶ୍ୱାସକୁ ନେଇ ପାରୁ ନାହାନ୍ତି । ସମସ୍ତେ ବର୍ତ୍ତମାନ ସ୍ଵୟଂ ସହାୟିକା ଗୋଷ୍ଠୀମାଙ୍କୁ ଦୋଷ ଦେବାକୁ ଲାଗିଲେଣି ।
ଗୃହ କମିଟି ପାଇଁ, ଏ ବିଷୟରେ ଗଭୀର ଭାବେ ଅନୁଧ୍ୟାନ କରିବା ପାଇଁ ପ୍ରକୃଷ୍ଟ ସମୟ । ଖାଲି ସ୍ଵୟଂ ସହାୟିକା ଗୋଷ୍ଠୀ ମାନେ ଋଣ ନେଇ ଶୁଝୁ ନାହାନ୍ତି ବୋଲି କହିଦେଲେ ଚଳିବ ନାହିଁ । ଏହି ପରିସ୍ଥିତି ରେ ଦଳମାନଙ୍କୁ ସେମିତି ଛାଡିଦେଲେ ମଧ୍ୟ ଚଳିବ ନାହିଁ । ଗାଁ ସ୍ତରରେ ମହିଳାମାନଙ୍କୁ ଭେଟି ସେମାନଙ୍କ ପ୍ରକୃତ ସମସ୍ୟା ବୁଝିବାକୁ ପଡିବ । ଜୀବିକା ମିଶନ ସହିତ ଜଡିତ ସମସ୍ତ ଙ୍କ ସହ ଆଲୋଚନା କରିବାକୁ ପଡିବ । ଆହୁରି ମଧ୍ୟ ବୁଝିବାକୁ ପଡିବ ଯେ କେବଳ ଅର୍ଥ ଦେଇଦେଲେ ଉନ୍ନତି ହେବ ନାହିଁ। ପ୍ରକୃତରେ ଗ୍ରାମ୍ୟ ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ, ଜୀବିକା ମିଶନର ସବୁ ସ୍ତରରେ ସ୍ଵଚ୍ଛତା, ପ୍ରତିବଦ୍ଧତା, ଉତ୍ତରଦାୟିତ୍ଵ , ନିଷ୍ଠା ଓ ସର୍ବୋପରି ଦୃଢ ନେତୃତ୍ଵ ର ଆବଶ୍ୟକତା ପଞ୍ଚାୟତ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ରହିଛି । ଏହା ସହିତ ଏଦିଗରେ ଆଗରୁ କାର୍ଯ୍ୟ କରିଥିବା ତଥା ମହିଳା ସଶକ୍ତିକରଣରେ ଅନୁଭୂତି ସହ ପ୍ରତିବଦ୍ଧତା ଥିବା ସାମାଜିକ ସଙ୍ଗଠନମାନଙ୍କୁ ଏହି ପ୍ରକ୍ରିୟା ରେ ଯୋଡିବାର ଆବଶ୍ୟକତା ରହିଛି। ଅତିକମରେ ଏମାନେ ଗୋଷ୍ଠୀ ସଂଗଠନ, ଦଳ ମଧ୍ୟରେ ଦେଖା ଦେଉଥିବା ଦ୍ଵନ୍ଦ ର ସମାଧାନ (conflict resolution) ଓ ଦକ୍ଷତା ବୃଦ୍ଧି କାମ ସହଜରେ କରିପାରିବେ, ଯାହାକି ଏହି ପ୍ରକ୍ରିୟାର ମୂଳାଧାର ଅଟେ । ଏବେ ସମୟ ଆସିଛି, ନେଡି ଗୁଡ କହୁଣୀ କୁ ବୋହିଯିବା ଆଗରୁ, ଆସନ୍ତୁ ସମସ୍ତେ ମିଶି ଏ ଦିଗରେ କାମ କରିବା ଓ ସକାରାତ୍ମକ ବାତାବରଣ ସୃଷ୍ଟି କରି ଗ୍ରାମ୍ୟ ଅର୍ଥନୀତି କୁ ଆଗେଇ ନେବାରେ ସହାୟକ ହେବା ।