ସଂରଚିତ ଅତୀତ: ଧଉଳୀ ପର୍ବତ

ସଂରଚିତ ଅତୀତ: ଧଉଳୀ ପର୍ବତ

ଓଡିଶାରେ ବୌଦ୍ଧଧର୍ମର ଇତିହାସ ପର୍ଯ୍ୟାଲୋଚନା କଲାବେଳେ ଭୁବନେଶ୍ୱରର ଧଉଳୀ ପାହାଡର ଅତୀତ ଆଡକୁ ଦୃଷ୍ଟିଦେବାକୁ ପଡେ । ଊନବିଂଶ ଶତକରେ ବ୍ରିଟିଶ୍‍ ଐତିହାସିକ ମର୍‍ଖାମ୍‍ କିଟ୍ଟୋ ଏବଂ ଜେମସ୍‍ ପ୍ରିନ୍‍ସେପ୍‍ ଏହି ଧଉଳୀ ପାହାଡ ବୁଲିଆସିଥିଲେ ଏବଂ ସେମାନେ ଏହା ସମ୍ପର୍କରେ ବିବରଣୀ ଛାଡିଯାଇଛନ୍ତି । ଧଉଳୀ ପାହାଡ ସହିତ ବୌଦ୍ଧଧର୍ମର ପ୍ରତ୍ୟକ୍ଷ ସମ୍ପର୍କର ମୂଳ ଉପାଦାନ ହେଉଛି ଏଠାରେ ଉତ୍କୀର୍ଣ୍ଣ ସମ୍ରାଟ ଅଶୋକଙ୍କର ଅନୁଶାସନ । ଏହି ଶିଳାନୁଶାସନମାନଙ୍କର ଉପସ୍ଥିତି ଯୋଗୁଁ ଐତିହାସିକମାନେ ଧଉଳୀ ପ୍ରତି ଦୃଷ୍ଟି ନିକ୍ଷେପ କରିଥାଆନ୍ତି । ପୁଣି ବିଂଶ ଶତକରେ କବି ପଦ୍ମଚରଣ ପଟ୍ଟନାୟକ ଉତ୍କଳ ସାହିତ୍ୟ ପତ୍ରିକାର ୨୩ ଭାଗ ପ୍ରଥମ ସଂଖ୍ୟାରେ ୧୯୨୦ରେ ଏଠାରେ ଅଶୋକ କଳିଂଗ ଯୁଦ୍ଧ କରିଥିବାର କବିତା ପ୍ରକାଶ କରି ଜାତୀୟବାଦୀ ଐତିହାସିକମାନଙ୍କୁ ଉଦ୍‍ବୁଦ୍ଧ କରିଥିଲେ । ପରବର୍ତ୍ତୀକାଳରେ କେତେକ ଐତିହାସିକ ଏହି ଆଖ୍ୟାନକୁ ଗ୍ରହଣ କରି ଏଠାରେ ଅଶୋକକାଳୀନ ଶିଳାନୁଶାସନମାନ ଦେଖି ଧଉଳୀକୁ କଳିଂଗ ଯୁଦ୍ଧର ଭୂମି ରୂପେ ଗ୍ରହଣ କରିଥିଲେ । ତେବେ  ୧୮୭୯ରେ ପ୍ରକାଶିତ ପ୍ୟାରମୋହନ ଆଚାର୍ଯ୍ୟ ଓଡିଶା ଇତିହାସରେ ଏବଂ କୃପାସିନ୍ଧୁ ମିଶ୍ର ୧୯୨୬ରେ ପ୍ରକାଶିତ ଉତ୍କଳ ଇତିହାସରେ ଧଉଳୀ ପାହାଡ ତଥା ଅଶୋକ ଶିଳାନୁଶାସନ କଥା ଉଲ୍ଲେଖ କରିଥିଲେ ମଧ୍ୟ ଏହା କଳିଂଗ ଯୁଦ୍ଧର ଭୂମି ରୂପେ ଚିତ୍ରଣ କରିନଥିଲେ ।     


 ମଧ୍ୟଯୁଗୀୟ ଓଡିଆ ସାହିତ୍ୟରେ ଧଉଳୀଗିରି/ଧବଳଗିରି ଶବ୍ଦଟି ଅନ୍ତତଃ ସାରଳା ଦାସଙ୍କ ମହାଭାରତର କୌଣସି କୌଣସି ସଂସ୍କରଣରେ ସ୍ଥାନ ପାଇଛି । ମଧ୍ୟଯୁଗର ଶେଷ ଭାଗରେ ସଂକଳିତ ରାଜଭୋଗ ଏବଂ ବିଂଶଶତକର ଆଦ୍ୟ ଦୁଇ ଦଶନ୍ଧୀରେ ରଚିତ କଟକ ରାଜବଂଶାବଳୀରେ ମଧ୍ୟ ଏହି ଶବ୍ଦ ରହିଛି । ତେବେ ଏହା ଯେ ବୌଦ୍ଧଧର୍ମ ସହିତ ଜଡିତ ସେ ସମ୍ପର୍କିତ ତଥ୍ୟ ବ୍ରିଟିଶ୍‍ ଐତିହାସିକମାନଙ୍କ ପୂର୍ବରୁ ଜଣା ଥିଲା । ଆର୍ତ୍ତବଲ୍ଲଭ ମହାନ୍ତି ସଂକଳିତ ରାଜଭୋଗରେ ଧଉଳୀ ପର୍ବତରେ ଗୁଂଫାମାନଙ୍କରେ ସିଦ୍ଧବୌଦ୍ଧମାନେ ଥିବାର ବର୍ଣ୍ଣନା ରହିଛି; ଯଦିବା ଏଥିରେ ଅଶୋକକାଳୀନ ଶିଳାନୁଶାସନ କଥାର ବର୍ଣ୍ଣନା ନାହିଁ ।  ଐତିହାସିକ ମର୍‍ଖାମ୍‍ କିଟ୍ଟୋ ଏବଂ ଜେମସ୍‍ ପ୍ରିନସେପ୍‍ ପ୍ରଭୃତି ଊନବିଂଶ ଶତକର ଏତିହାସିକମାନେ ଏହାକୁ ବୌଦ୍ଧପୀଠରୂପେ ଶିଳାନୁଶାସନ ଭିତ୍ତିରେ ବର୍ଣ୍ଣନା କଲେ । ଏମାନଙ୍କ ପୂର୍ବରୁ କଲୋନେଲ୍‍ ମ୍ୟାକେଞ୍ଜି ଏବଂ ଜେନେରାଲ୍‍ ଷ୍ଟୁଆର୍ଟ ମଧ୍ୟ ଭୁବନେଶ୍ୱରକୁ ଆସି ଧଉଳୀ ଅଞ୍ଚଳକୁ ପରିଭ୍ରମଣ କରିଥିଲେ । କିଟ୍ଟୋ ୧୮୩୮ ମସିହା ପୂର୍ବରୁ ଧଉଳୀକୁ ଆସି କେତେକ ନକ୍‍ସା ଏବଂ ଚିତ୍ର ଅଙ୍କନ କରିଥିଲେ ଏବଂ ସ୍ଥାନ ସମ୍ପର୍କରେ ବିବରଣୀ ଦେଇଥିଲେ । କିଟ୍ଟୋ ବନାରସର ମୀର୍‍ଜାପୁରର ଜଣେ ସାଧୁଙ୍କ ଠାରୁ ଧଉଳୀ ସମ୍ପର୍କରେ ସୂଚନା ପାଇଥିଲେ । ପରେ ସେ ଧଉଳୀ ଅଞ୍ଚଳର ଅରଣ୍ୟକୁ କାଟି ଧଉଳୀ ଅନୁଶାସନର କପି କରିଥିଲେ । ତାଙ୍କ ବିବରଣୀରେ ଅଶ୍ୱସ୍ତମ୍ଭ ନାମକ ଏକ ପର୍ବତ ଦୟାନଦୀ କୂଳର ଧଉଳୀ ଗ୍ରାମ ନିକଟରେ  ଅବସ୍ଥିତ ଥିଲା ବୋଲି ସୂଚନା ଦେଇଥିଲେ । ଏହାର ଉତ୍ତର-ପଶ୍ଚିମ କୋଣରେ ଥିଲା କନ୍‍ଶୋଲ୍‍-ଗଙ୍ଗ ଯାହାକୁ ଗଙ୍ଗେଶ୍ୱର ଦେବ ଦ୍ୱାଦଶ ଶତକରେ ତାଙ୍କର ପାପର ପ୍ରାୟଶ୍ଚିତ ପାଇଁ ଖୋଳାଇଥିଲେ । ଧଉଳୀର ଚାରିପାଖର ବିବରଣୀକୁ ପ୍ରିନ୍‍ଶେପ୍‍ ଗ୍ରହଣ କରି ଧଉଳୀ ଅନୁଶାସନର ଚର୍ଚ୍ଚା କରିଥିଲେ । ସେ ଦୁବଲାଇ(ଧଉଳୀ)  ଥୁପ(ସ୍ଥୂପ) ଦେବାନାଂ ପ୍ରିୟଙ୍କର କୀର୍ତ୍ତି ବୋଲି ସୁଚନା ଦେଇଥିଲେ । ସେ ଏହାକୁ ଅଶୋକଙ୍କର ଲିପିଠାରୁ ସ୍ୱତନ୍ତ୍ର ମନେକରି ଦେବାନାଂପ୍ରିୟସା ବଚନେନକୁ କୌଣସି ଅଧୀନସ୍ଥ ରାଜକୀୟ କର୍ମଚାରୀଙ୍କ ଆଦେଶ ବୋଲି ଗ୍ରହଣ କଲେ । ତାଙ୍କ ବର୍ଣ୍ଣନାରୁ ଧଉଳୀ ଅଞ୍ଚଳ ଏକ ପ୍ରସିଦ୍ଧ ବୌଦ୍ଧପୀଠ ଥିବାର ସୂଚନା ମିଳିଥିଲା । ପରବର୍ତ୍ତୀ କାଳରେ ଐତିହାସିକମାନେ ଧଉଳୀର ଏହି ସ୍ୱତନ୍ତ୍ର ଅନୁଶାସନର ଗୁରୁତ୍ୱ ଉପଲବ୍‍ଧି କଲେ ।

ଊନବିଂଶ ଶତକରେ ମଧ୍ୟ ବେଗ୍‍ଲାର୍‍ ଏବଂ ରାଜେନ୍ଦ୍ରଲାଲ ମିତ୍ର ଧଉଳୀ ଅଞ୍ଚଳର ବୌଦ୍ଧ ନିଦର୍ଶନର ସନ୍ଧାନ କରିଥିଲେ । ଏହି ଧଉଳୀ ଅନୁଶାସନକୁ କରନ୍‍, ସେନାର୍ଟ, ବୁହ୍ଲର୍‍, ହୁଲ୍‍ଚା ଏବଂ ଦିନେଶ ଚନ୍ଦ୍ର ସରକାର ପ୍ରଭୃତି ଐତିହାସିକମାନେ ପାଠୋଦ୍ଧାର କରିଛନ୍ତି । ଧଉଳୀ ଅଞ୍ଚଳରେ ସମ୍ରାଟ ଅଶୋକଙ୍କର ଦୁଇଟି ସ୍ୱତନ୍ତ୍ର ଅନୁଶାସନ ତଥା ଏକାଦଶ, ଦ୍ୱାଦଶ ଏବଂ ତ୍ରୟୋଦଶ ଶିଳାନୁଶାସନ ବାଦ୍‍ ପଡି ଅବଶିଷ୍ଟ ଉତ୍କୀର୍ଣ୍ଣ ହୋଇଥିବାରୁ ଏହା ସ୍ୱୀକାର କରାଯାଇପାରେ ଯେ ଏହି ଅଞ୍ଚଳ ଏକ ଉନ୍ନତ ସଭ୍ୟତାର କେନ୍ଦ୍ର ଥିଲା । ସ୍ୱତନ୍ତ୍ର ଶିଳାନୁଶାସନରେ ତୋଷାଳୀ ଶବ୍ଦ ଥିବାରୁ ଏହି ଧଉଳୀ ଅଞ୍ଚଳ ତୋଷାଳୀ ରାଜ୍ୟ ଅନ୍ତର୍ଗତ ଥିଲା । ତୋଷାଳୀ ରାଜ୍ୟ ଜୈନ ଧର୍ମଧାରାର ଏକ ପୀଠ ହିସାବରେ ଜୈନ ମହାବୀରଙ୍କ ସମୟରୁ ଖ୍ୟାତିଲାଭ କରିଥିଲା । ପୁଣି ଖାରବେଳଙ୍କ ହାତିଗୁମ୍ଫା ଶିଳାଲିପିରେ ତନ୍‍ଶୁଲୀ ତୋଷାଳୀର ବିକୃତ ଉଚ୍ଚାରଣ ହୋଇଥିବାରୁ ତୋଷାଳୀର ନାମ ମଧ୍ୟ ଉତ୍କୀର୍ଣ୍ଣ ହୋଇଥିଲା । ତେଣୁ ଜୈନ ଧର୍ମର ଏକ କେନ୍ଦ୍ରସ୍ଥାନ ରୂପେ ମହାବୀରଙ୍କ କାଳରୁ ପ୍ରସିଦ୍ଧ ଥିବା ତୋଷାଳୀ ବୌଦ୍ଧଧର୍ମ ସହିତ କିପରି ସମ୍ପର୍କାନ୍ୱିତ ହେଲା ତାହାର ବିଚାର ଆବଶ୍ୟକ ।


 ବୌଦ୍ଧମାନଙ୍କର ବିବରଣୀରେ ତୋଷାଳୀକୁ ଗୌତମ ବୁଦ୍ଧ ଆସିଥିବାର ସିଧାସଳଖ ପ୍ରମାଣ ନାହିଁ । କିନ୍ତୁ ସେ କଳିଂଗ ନିକଟବର୍ତ୍ତୀ ସୁମ୍‍ହ ରାଟ୍ଟ(ସୁମ୍‍ହ)ଠାରେ ଜନପଦ କଲ୍ୟାଣୀ ସୂତ୍ର ଦେଶକ ନଗରର ଏକ ବନରେ ପ୍ରଚାର କରିଥିଲେ ବୋଲି ଜାତକ ଗ୍ରନ୍ଥମାଳାରେ ସୂଚିତ । ତୋଷାଳୀ ଏବଂ ସୁମ୍‍ହ ମଧ୍ୟରେ କିଛି ବ୍ୟବଧାନ ଥିଲେ ମଧ୍ୟ ବୁଦ୍ଧଙ୍କର ବାର୍ତ୍ତା ସୁମ୍‍ହ ରୁ ତୋଷାଳୀକୁ ଆସିବାରେ ଅସୁବିଧା ନଥିଲା । ସୁମ୍‍ହ ବଂଗର ଅଂଶବିଶେଷ ଏବଂ ତୋଷାଳୀ ସମ୍ଭବତଃ ବଂଗର ସୀମାରେ ଅବସ୍ଥିତ । ତୋଷାଳୀର ପରବର୍ତ୍ତୀ ପ୍ରସାରଣରୁ ଜଣାପଡେ ଯେ ଏହା ଅନ୍ତତଃ ମେଦିନପୁର ପର୍ଯ୍ୟନ୍ତ ବିସ୍ତୃତ ଥିଲା ଉତ୍ତର ତୋଷାଳୀ ହିସାବରେ । ବୁଦ୍ଧ ତୋଷାଳୀକୁ ଆସିଥିଲେ କି ନାହିଁ ତାହାର ସୂଚନା ନଥିଲେ ମଧ୍ୟ ଗୌତମ ବୁଦ୍ଧ କାଳରେ ତାଙ୍କ ପ୍ରଚାରିତ ଧର୍ମ ତୋଷାଳୀରେ ଆଦୌ ପ୍ରଭାବ ପକାଇନଥିବ ଏପରି ବକ୍ତବ୍ୟ ଅସଂଗତ ମନେହୁଏ । ଅବଶ୍ୟ ତାପସୁ ଓ ବହ୍ଲିକ ବଣିକ ଦ୍ୱୟଙ୍କର ବୁଦ୍ଧଙ୍କ ସହିତ ସମ୍ପର୍କକୁ ବିଚାରକୁ ନେଲେ ମନେହୁଏ ସେମାନଙ୍କର ବାସସ୍ଥାନ  ଭୁଲ୍‍କ୍ରମେ ତୋଷାଳୀ ପରିବର୍ତ୍ତେ ଉକ୍କଳ ହୋଇଯାଇଥିଲା । କାରଣ ଉତ୍କଳ(ଉକ୍କଳ?) ଗୌତ୍ତମ ବୁଦ୍ଧଙ୍କ ଧର୍ମପ୍ରଚାର କାଳରେ ନଥିଲା, ଥିଲା କେବଳ ତୋଷାଳୀ ବା ତୋଷଳ । ତୋଷାଳୀର ଏକ ଅଂଶ ପ୍ରାଚୀନ କାଳରେ ସପ୍ତମ ଶତକ ବେଳକୁ ଉତ୍କଳ ବୋଲି ସୂଚିତ ହେଲା । ଏହା ମଧ୍ୟ ଜଣାଇଦିଏ ଯେ ତାପସୁ ଓ ବହ୍ଲିକ ବଣିକ ଦ୍ୱୟ ପ୍ରକୃତରେ ତୋଷାଳୀର ଅଧିବାସୀ । ଯେତେବେଳେ ବୌଦ୍ଧ ଇତିହାସରେ ଏହି ଉକ୍କଳ ସେ ଦୁଇଙ୍କର ଜନ୍ମଭୂମି ବୋଲି ଲେଖାଗଲା, ସେତେବେଳେ ସମ୍ଭବତଃ ତୋଷାଳୀ ଭାଗଭାଗ ହୋଇଯାଇଥିଲା ଏବଂ ଉତ୍ତର ତୋଷାଳୀକୁ ଉତ୍କଳ(ଉକ୍କଳ?) ବୋଲି କୁହାଯାଇଥିଲା । ତେଣୁ ଏ ବଣିକଦ୍ୱୟ ନିଜ ଜନ୍ମସ୍ଥାନ ତୋଷାଳୀର କୌଣସି ଅଂଶରେ ଏହି ଧର୍ମଧାରାର ପ୍ରଚାର କରିଥିବା ମନେହୁଏ । ସେ ଦୃଷ୍ଟିରୁ ଅଶୋକଙ୍କ ରାଜତ୍ୱ ବେଳକୁ ବୌଦ୍ଧ ଓ ଜୈନଧର୍ମଧାରା ଏଠାରେ କିଛିଟା ପ୍ରସାର ଲାଭ କରିଥିଲା । ଅଶୋକ ତୋଷାଳୀର ସୀମା ଅଞ୍ଚଳ ଧଉଳୀରେ ଏହି ଶିଳାନୁଶାସନ ରଖିଥିଲେ ।  ବୌଦ୍ଧକୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟା ଗଙ୍ଗ ।


 କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗ ରେ ସ୍ଥାନ ପାଇଛି । ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି ।  ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍‍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି ।  ମୂଳ ରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂ ଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ । ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେବ ସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ । ତାହାରି ମଧ୍ୟରେ ସେ ରହିବେ । ରାଜକନ୍ୟାକୁ ଏହିପରି ଚଳାଇଲାବେଳକୁ ଲୋକମାନେ ଉପହାସ କଲେ । ତେଣୁ ସଂକୋଚ ପାଇ ରାଜା ପୁଣି ରାଜକନ୍ୟାଙ୍କୁ ନଅରକୁ ନେଲେ । ରାଜକନ୍ୟାଙ୍କୁ ଯେଉଁ ପର୍ଯ୍ୟନ୍ତ ବୁଲାଇ ରକ୍ତ ଗୋଡରୁ ବହିନଥିଲା ତାହାର ସୀମାନ୍ତ ଘେନି ପୋଖରୀ ଖୋଳାଇ ଦୀପଦାଣ୍ଡି କଲେ । ସେହିଦିନୁ ପୋଖରୀ କୌସଲ୍ୟାଗଙ୍ଗ ନାମରେ ପରିଚିତ ହେଲା । ରାଜଭୋଗରେ ପ୍ରସଂଗଟି ଏହିପରି ଥିଲେ ମଧ୍ୟ ଦେଶଖଂଜାରେ ପରବର୍ତ୍ତୀ ପର୍ଯ୍ୟାୟରେ ଧର୍ମକେଶରୀ ପ୍ରସଂଗରେ ଏହା ସୂଚିତ ହୋଇଥିଲା । ରାଜଭୋଗରେ କୌସଲ୍ୟାଗଙ୍ଗର ସ୍ଥାନ ନିର୍ଣ୍ଣିତ ହୋଇନଥିଲା । କିନ୍ତୁ ଦେଶଖଂଜାରେ କଉସୁଲା ଗାଙ୍ଗ କୋଠରାହାଙ୍ଗ ବିଶେରେ ଅବସ୍ଥିତ ଥିବାର ବର୍ଣ୍ଣନା ରହିଛି ।

କଟକ ରାଜବଂଶାବଳୀରେ ପ୍ରସଂଗଟିକୁ ସଂକ୍ଷେପ କରି ଗଙ୍ଗସୂର ପ୍ରସଂଗରେ କୁହାଯାଇଛି । ଏଥିରେ ବର୍ଣ୍ଣନା କରାଯାଇଛି-ରାଜା ଗଂଗାସୂର(ଗଂଗେଶ୍ୱର) ଅନ୍ୟାୟରେ ମତ୍ତ ହୋଇ କାଳକ୍ରମେ ନିଜର ପାପର ପ୍ରାୟଶ୍ଚିତ ପାଇଁ କୋଶଳଗଙ୍ଗା ନାମକ ପୁଷ୍କରିଣୀ ଖୋଳାଇଥିଲେ । ତେଣୁ ମୁଖ୍ୟତଃ ଜନଶ୍ରୁତିଟି ଗଙ୍ଗବଂଶ ସହିତ ଜଡିତ ଥିଲା । ଭୁଲ୍‍କ୍ରମେ ଏହାକୁ ଦେଶଖଂଜାରେ କେଶରୀବଂଶ ପ୍ରସଂଗରେ ପ୍ରବେଶ କରାଇଦିଆଯାଇଛି । ଏହି ପ୍ରସଂଗଟି ମଧ୍ୟ ଗୋପାଳତୀର୍ଥ ମଠ ପାଞ୍ଜିରେ ସ୍ଥାନ ପାଇଥିଲା । ସେଥିରେ କୁହାଯାଇଥିଲା-“ଧର୍ମକେଶରୀ ଏ ରାଜାଙ୍କର ଝିଅ କୌଶଲ୍ୟା ଯେମା ଦେଇ ଏ ଝିଅକୁ ସୁନ୍ଦର ଦେଖି ଅଧର୍ମ ଆଚରଣ କରି ମହାଦେଇ କଲେ । ଏ ରାଣୀ ନାଏ କୋଠ ରାହାଙ୍କ ବିଶେରେ କୌଶଲ୍ୟା ଗାଙ୍ଗ ପୋଖରୀ ଖୋଳାଇ ଚାରିଦିଗେ ଚାରି ଶାସନ ବସାଇ ପୋଖରୀ ମଝିରେ ବାରବାଟି ଦିପିଦଣ୍ଡି କରି ଶାସନ ବସାଇଲା ।” ସମ୍ଭବତଃ ଏହି ଅଂଶଟି ଏବଂ ଦେଶଖଂଜା ଅଂଶଟି ଗୋଟିଏ ପାଂଜିରୁ ଉଦ୍ଧୃତ ହେବାବେଳେ କେତେକ ପରିବର୍ତ୍ତନ କରିଦିଆଯାଇଥିଲା । ଯେପରି ଦେଶଖଂଜାରେ ଦିପଦଣ୍ଡି ବାରବାଟି ଥିବା ବେଳେ ଗୋପାଳ ତୀର୍ଥ ପାଂଜିରେ ବାରବାଟି ଦିପିଦଣ୍ଡି ବୋଲି ସୂଚାଇ ଦିଆଯାଇଛି । ପ୍ରସଂଗଟିକୁ କିଟ୍ଟୋ ବ୍ୟବହାର କରି ଲେଖିଥିଲେ । ଏଥିରେ ବାରବାଟି ଶବ୍ଦଟି ଥିବାରୁ ପୁଷ୍କରିଣୀ ମଧ୍ୟସ୍ଥଳରେ ନିର୍ମିତ ମଣ୍ଡପଟି ଏକ ବୃହତ୍‍ ପ୍ରାସାଦ ତୁଲ୍ୟ ହୋଇଥିବାର ମନେହୁଏ । 


 ଏହି ଜନଶ୍ରୁତି ଷୋଡଶ ଶତକ ଶେଷ ଭାଗରେ  ଓଡିଶାରେ ପ୍ରଚଳିତ ଥିଲା ବା ସଂରଚିତ ହୋଇଥିଲା ଯାହା ଫଳରେ ଏହା ପ୍ରଥମେ ରାଜଭୋଗରେ ସ୍ଥାନ ପାଇଥିଲା । ଏହା ଏକ ଐତ୍‍ିହାସିକ ଘଟଣାପ୍ରବାହର ବିକୃତ ବର୍ଣ୍ଣନ । ବିଂଶ ଶତକରେ କେତେକ  ଏତିହାସିକ ନାମଟିକୁ କୋଶଳା ଭାବି ଚୋଡଗଙ୍ଗଙ୍କ ରାଣୀ କୋସଲମା ସହିତ ସଂଯୋଜିତ କରିଥିଲେ । ତେବେ ଷୋଡଶ ଶତକ ପୂର୍ବେ ଏହା କୁଶଳ ଗଙ୍ଗା ଥିବା ସତ୍ୟ ମନେହୁଏ । କୁଶଳ ଗଙ୍ଗା କ୍ରମେ କୌଶଲ୍ୟା ଗାଙ୍ଗରେ ପରିଣତ ହୋଇଗଲା । କୁଶଳ ଶବ୍ଦଟି ତୋଷ ସହିତ ଜଡିତ । ସମ୍ଭବତଃ ଏହା ପ୍ରଥମେ ତୋଷାଳୀର ସୀମାରେ ଥିବାରୁ ବୌଦ୍ଧ ଅନୁଶାସନ ଥିବା ସୁରଭଗିରି(ପରବର୍ତ୍ତୀ ଧଉଳୀ) ନିକଟସ୍ଥ ଏକ ବୃହତ୍‍ ପୁଷ୍କରିଣୀକୁ ତୋଷଳ ଗଂଗା ବୋଲି କୁହାଯାଇଥିଲା । ତାହା ପରିବର୍ତ୍ତିତ ହୋଇ ତୋଷଳ ଶବ୍ଦର ପ୍ରଚଳନ ବନ୍ଦ ହେବାପରେ ମଧ୍ୟଯୁଗରେ ତୋଷଳରୁ କୁଶଳ ଗଙ୍ଗା ଏବଂ ପରେପରେ କୌଶଲ୍ୟାଗାଙ୍ଗରେ ପରିଣତ ହେଲା ।ସମ୍ଭବତଃ ଅଶୋକଙ୍କର ଶିଳାନୁଶାସନ ସୁରଭଗିରି/ଧଉଳୀଗିରିରେ ଉତ୍କୀର୍ଣ୍ଣ ହେବାପରେ ବୌଦ୍ଧମାନେ ବହୁସଂଖ୍ୟାରେ ବସବାସ କରିବାପରେ ସେମାନଙ୍କର ଆବଶ୍ୟକତା ପାଇଁ  ଏପରି ପୁଷ୍କରିଣୀ ଖୋଦନ କରାଯାଇଥିଲା । ପରେପରେ ବୌଦ୍ଧଧର୍ମର ପତନ ହେବାପରେ ବ୍ରାହ୍ମଣ୍ୟ ଧର୍ମ ଏହି ଅଞ୍ଚଳରେ ପ୍ରତିଷ୍ଠା ହେବାବେଳେ ତୋଷଳ ଶବ୍ଦଟି କୁଶଳ ଶବ୍ଦରେ ପରିଣତ ହୋଇ କାଳକ୍ରମେ କୌଶଲ୍ୟା ଗଂଗାରେ ପରିଚିତ ହେଲା ।

ପରବର୍ତ୍ତୀ ପର୍ଯ୍ୟାୟରେ  ଗଙ୍ଗବଂଶୀ ରାଜାମାନେ ଭୁବନେଶ୍ୱରରେ କେତେକ କୀର୍ତ୍ତି ସ୍ଥାପନ କରିଥିଲେ । ଚୋଡଗଙ୍ଗଙ୍କ ଉତ୍କଳ ଅଧିକାର ସମୟରେ ଭୁବନେଶ୍ୱର ଶୈବକ୍ଷେତ୍ରର ଉନ୍ନତି କରାଇଥିବାର ସୂଚନା ତାଙ୍କର ଶିଳାଲେଖ ମାନଙ୍କରେ ରହିଛି । ପୁଣି ମାଦଳାପାଞ୍ଜି ଅନୁସାରେ ଚୋଡଗଙ୍ଗ ଉତ୍କଳରେ କ୍ଷମତା ବୈଧିକରଣ ପାଇଁ ଭୁବନେଶ୍ୱର-ଶୈବମାନଙ୍କର ସକ୍ରିୟ ସମର୍ଥନ ପାଇଥିଲେ । ଭୁବନେଶ୍ୱର ଓ ଧଉଳୀ ମଧ୍ୟବର୍ତ୍ତୀ ଶିଶୁପାଳ ଗଡରେ ଗ୍ରାମଦେବତାରୂପେ ପୂଜିତ ହୋଇଥିବା ଏକ ପାର୍ବତୀ ମୂର୍ତ୍ତିର ପୃଷ୍ଠଦେଶରେ ଉତ୍କୀର୍ଣ୍ଣ ଏକ ସଂସ୍କୃତ ଲେଖାରେ ଗଙ୍ଗେଶ୍ୱର ଦେବଙ୍କ ଦ୍ୱାରା ଏକ ମନ୍ଦିର ନିର୍ମାଣ ସମ୍ପର୍କରେ ଏକ ପ୍ରଶସ୍ତି ମିଳେ ଯାହା ଚୋଡଗଙ୍ଗଦେବଙ୍କୁ ଭୁବନେଶ୍ୱର ସହିତ ସଂଯୋଜିତ କରିବାର ଅନ୍ୟ ଏକ ଅଭ୍ରାନ୍ତ ପ୍ରମାଣ । ତେଣୁ ଅନୁମାନ କରାଯାଇପାରେ ଯେ ଚୋଡଗଙ୍ଗ କାଳରେ ଏହି କୁଶଳ ଗଙ୍ଗା ପୁଷ୍କରିଣୀଟି ବୃହତ୍‍ କରାଯାଇ ମଧ୍ୟଭାଗରେ ଏକ ବିସ୍ତାରିତ ଅଂଶରେ ଦୀପଦଣ୍ଡି ନିର୍ମାଣ କରାଯାଇଥିଲା ଯାହାର ଏକ ବୃହତ୍‍ ପ୍ରାସାଦ ତୁଲ୍ୟ । ଏଠାରେ ଆମୋଦପ୍ରମୋଦ ପାଇଁ ରାଜପରିବାର ବସବାସ କରୁଥିଲେ । ସେପରି କାରଣରୁ ଏହି ପୁଷ୍କରିଣୀର ନାମ କୌଶଲ୍ୟା ଗାଙ୍ଗ ହୋଇଥିବା ଅସମ୍ଭବ ନୁହେଁ । ଯେହେତୁ ପ୍ରଥମେ ଏହା ବୌଦ୍ଧମାନଙ୍କର ସରୋବର ଥିଲା ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରାହ୍ମଣମାନେ  ବୌଦ୍ଧଧର୍ମଧାରାକୁ ଲୋକଚକ୍ଷୁରେ ନିମ୍ନ କରିବାକୁ  ଚେଷ୍ଟା କରି ଏପରି କୁଶ୍ଚିତ ଆଖ୍ୟାନ ସଂରଚନା କରିଥିଲେ ।

ପୁଣି ଯେହେତୁ  ଚୋଡଗଙ୍ଗ ଓଡିଶାରେ ରାଜତ୍ୱ ଆରମ୍ଭରେ ତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ତାନ୍ତ୍ରିକ ପୀଠମାନଙ୍କୁ ତଥା ଗୋସାଣୀମାନଙ୍କୁ ନିୟନ୍ତ୍ରଣ କରିଥିଲେ-ଯାହାର ପ୍ରମାଣ ମାଦଳାପାଞ୍ଜିରେ ସ୍ଥାନୀତ ଏବଂ ଯେହେତୁ ବୌଦ୍ଧଯୁଗରୁ ପ୍ରସିଦ୍ଧ ଥିବା କୁଶଳ ପୁଷ୍କରିଣୀକୁ ସେ ବୃହତ୍‍ ରୂପ ଦେଇଥିଲେ ତେଣୁ ବୌଦ୍ଧମାନଙ୍କୁ ନିନ୍ଦିତ କରିବାବେଳେ ତାଙ୍କ ସ୍ଥାନ ନିୟନ୍ତ୍ରକ ଚୋଡଗଙ୍ଗଙ୍କୁ ମଧ୍ୟ ନିନ୍ଦିତ କରିବାର ଉଦ୍ୟମ ହୋଇଥିବା ଅସମ୍ଭବ ନୁହେଁ । ମାଦଳାପାଞ୍ଜିର ଏହି ଆଖ୍ୟାନରେ ବୌଦ୍ଧ-ବ୍ରାହ୍ମଣ୍ୟ ବିବାଦ ପ୍ରଚ୍ଛନ୍ନ ଭାବରେ ରହିଛି । କୌଶଲ୍ୟା ଗଙ୍ଗ ଜନଶ୍ରୁତି ମାଧ୍ୟମରେ ବୌଦ୍ଧଧର୍ମଧାରାର ତାନ୍ତ୍ରିକ ମତବାଦକୁ କଠୋର ସମାଲୋଚନା କରାଯାଇଛି । ଗଙ୍ଗବଂଶୀ ସମ୍ରାଟ ଚୋଡଗଙ୍ଗ ବେତାଳସାଧ୍ୟ ଥିବାର ପରଂପରାକୁ ବ୍ୟବହାର କରି ତାଙ୍କର ମହତ୍‍ ଗଠନାତ୍ମକ କାର୍ଯ୍ୟକୁ ଘୋଡାଇ ଏପରି କୁଶ୍ଚିତ ଆଖ୍ୟାନ ସଂରଚିତ ହେଲା ।  ତାନ୍ତ୍ରିକ ବୌଦ୍ଧମାନେ ଏହିପରି ପାପ କାର୍ଯ୍ୟରେ  ମଧ୍ୟ ପ୍ରବୃତ୍ତ ହୋଇଥିଲେ ବୋଲି ନିନ୍ଦା କରାଯାଇଥିଲା । ତାହା ସତ୍ତ୍ୱେ ଏହି ପ୍ରକାଣ୍ଡ ସର ଏକଦା ବୌଦ୍ଧମାନଙ୍କର ଏକ କେନ୍ଦ୍ରସ୍ଥଳ ଥିଲା ଏଥିରେ ସନ୍ଦେହ କରାଯାଇନପାରେ । ସମ୍ଭବତଃ ଅଶୋକ ପରବର୍ତ୍ତୀ କାଳରେ ବୌଦ୍ଧମାନେ ସୁରଭଗିରି ଅଞ୍ଚଳରେ ବସବାସ କରି ଏପରି ଏକ ସର ଖୋଦନ କରାଇ ଏହାର  ଉପଯୁକ୍ତ ବ୍ୟବହାର କରିଥିଲେ । ପରେ ଏହା ମଧ୍ୟଯୁଗରେ ଏକ ବୃହତ୍‍ ଜଳାଶୟ ବା ଗଙ୍ଗା ରୂପ ନେଇଥିଲା । କୌଶଲ୍ୟାଗଙ୍ଗା ଅଞ୍ଚଳରେ ନାନାପ୍ରକାର ବୌଦ୍ଧକୀର୍ତ୍ତି ଥିବାର କଥା ଊନବିଂଶ ଶତକର ଐତିହାସିକମାନେ ମତ ଦେଇଥିବାରୁ  ମଧ୍ୟଯୁଗରେ ବୌଦ୍ଧମାନଙ୍କୁ ଲୋକଚକ୍ଷୁରେ କଳଂକିତ କରିବା ଅଭିପ୍ରାୟରେ ବ୍ରାହ୍ମଣମାନେ ଏପରି ଏକ କୁଶ୍ଚିତ ଆଖ୍ୟାନ ସଂରଚନା କରିଥିବା ଅସମ୍ଭବ ନୁହେଁ । ମାଦଳାପାଞ୍ଜି ରାଜଭୋଗରେ ବୌଦ୍ଧ-ବ୍ରାହ୍ମଣ ବିବାଦର ନାନା ପ୍ରସଂଗ ରହିଛି ।  ବୌଦ୍ଧଯୁଗ ସହିତ ଜଡିତ କୌଶଲ୍ୟା ଗଙ୍ଗ ସେହି ବିବାଦର ଏକ ଭୂମି ରୂପେ ଗ୍ରହଣ କରାଯାଇପାରେ ।


  ଧଉଳୀ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ରାଜତ୍ୱ କାଳରେ ସୁରଭଗିରି ନାମରେ ପରିଚିତ ଥିଲା । ସୁରଭଗିରି ଉଷାଲୋକରେ ଉଜ୍ଜ୍ୱଳ ଦିଶୁଥିବାର ପରବର୍ତ୍ତୀ କାଳରେ  ଖ୍ରୀଷ୍ଟୀୟ ତୃତୀୟ ଶତକରେ ଗଣ୍ଡବ୍ୟୁହ ନାମକ ମହାଯା୍‌ନ ଗ୍ରନ୍ଥରେ ପ୍ରକାଶ ପାଇଥିଲା । ତେଣୁ ଏହାକୁ ସ୍ୱର୍ଣ୍ଣକୁଟଗିରି ବା ସ୍ୱର୍ଣ୍ଣାଦ୍ରୀ ନାମରେ ସ୍ଥାନୀୟ ଲୋକମାନେ ଗ୍ରହଣ କରିଥିବାର କଥା ସାରୋଳା ମହାଭାରତ ରଚନା ପୂର୍ବରୁ ଏକାମ୍ର ପୁରାଣରେ ସୂଚିତ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ଏହି ସୁରଭଗିରି ନାମ ପରିବର୍ତ୍ତିତ ହୋଇଗଲା । ଏହାର କାରଣ ଏହି ଗିରିର କ୍ରମପତନ ବା ସଂକୁଚନ । ତେଣୁ ଲୋକମାନେ ଏହାକୁ ଦୁର୍ବଳଗିରି ଏବଂ ପରେ ଧବଳଗିରି ନାମରେ ପରିଚିତ କଲେ । ଧବଳ/ଧବଳିଆ ଦୁର୍ବଳ ସୂଚକ । କ୍ରମେ ଧବଳ/ଧବଳୀ ଧଉଳୀରେ ପରିଣତ ହେବା ଅସମ୍ଭବ ନୁହେଁ ।  ସାରୋଳା ମହାଭାରତ ରଚନା କାଳରେ ସ୍ୱର୍ଣ୍ଣାଦ୍ରି ପ୍ରସଂଗ ଥିଲା କାରଣ ସାରୋଳା ମହାଭାରତରେ କୃତ୍ତିବାସ କ୍ଷେତ୍ର ସହିତ ସ୍ୱର୍ଣ୍ଣାଦ୍ରି ଜଡିତ ଥିବାର ଆଲୋଚନା ରହିଛି । ତେବେ ସେ ସମୟକୁ  ଏହା ଧବଳଗିରି ନାମରେ ବିଶେଷଭାବରେ ପରିଚିତ ଥିଲା । ଅନ୍ୟପକ୍ଷରେ ସୁରଭଗିରି ବୌଦ୍ଧ ଇତିହାସରେ ଏକ ଅଭିନବ ପର୍ଯ୍ୟାୟ ଆଣିଥିଲା । ଏହା ପ୍ରକାଣ୍ଡ ଆକାର ଥିଲା ଏବଂ ଚେରମୁଳିକା ଆଦି ଔଷଧଯୁକ୍ତ ହୋଇଥିଲା ।

ଏଠାରେ ଭୌମ ରାଜତ୍ୱ କାଳରେ ଏକ ମଠ ମଧ୍ୟଥିବାର ଅଭିଲେଖୀୟ ପ୍ରମାଣ ରହିଛି । ସୁରଭଗିରିର ଅଂଶବିିଶେଷ ଅଶ୍ୱତ୍‍ଥାମା ନାମରେ ବର୍ତ୍ତମାନ ଲୋକମୁଖରେ ପ୍ରସିଦ୍ଧି ଲାଭ କରିଥିବା ହସ୍ତୀ ମୂର୍ତ୍ତିର ନିମ୍ନଭାଗରେ ପ୍ରାୟ ୧୫ ଫୁଟ ଲମ୍ବ ଏବଂ ୧୦ ଫୁଟ ପ୍ରସ୍ଥ ବିଶିଷ୍ଟ କୂର୍ମପୃଷ୍ଠାକାର ଇଷତ୍‍ ସମତଳ ଶୈଳଖଣ୍ଡରେ ଅଶୋକ ଅନୁଶାସନଗୁଡିକ ଖୋଦିତ ହୋଇଛି । ଖୋଦନର ସୁବିଧା ପାଇଁ ଏହାକୁ ତିନୋଟି କ୍ଷେତ୍ରରେ ବିଭକ୍ତ କରାଯାଇଛି ଏବଂ ପ୍ରତି ଅନୁଶାସନର ତଳକୁ ସମାପ୍ତିସୂଚକ ଏକ କ୍ଷୁଦ୍ରରେଖା ଦେଖାଯାଏ । କିଟ୍ଟୋଙ୍କ ପ୍ରଦତ୍ତ ବିବରଣୀରୁ ଜଣାଯାଏ ଯେ ହସ୍ତୀର ଦକ୍ଷିଣକୁ ଥିବା ଶୈଳଖଣ୍ଡରେ ଏକ ଧାଡିରେ ଖୋଳା ହୋଇଥିବା ପାଞ୍ଚଟି ଗୁମ୍ଫା ପଞ୍ଚପାଣ୍ଡବ ଗୁମ୍ଫା ନାମରେ ପରିଚିତ ଥିଲା । ଏଗୁଡିକ ବ୍ୟତୀତ ଆଉ କେତେକ ଗୁମ୍ଫାର ଭଗ୍ନାବଶେଷ ଓ ପଥର ଦେହରେ ଖୋଦିତ ଛୋଟ ଛୋଟ ଖୋଲ ମଧ୍ୟ ସେ ଦେଖିଥିଲେ । ଧବଳେଶ୍ୱର ମନ୍ଦିରର ଧ୍ୱଂସାବଶେଷରେ ଥିବା ସର୍ବୋଚ୍ଚ ପାହାଡର ନିମ୍ନାଂଶରେ କେତେକ କ୍ଷୁଦ୍ର ଗୁମ୍ଫା ଅକ୍ଷୁର୍ଣ୍ଣ ଓ କେତେକ ଖଣ୍ଡିତ ଓ ଭଗ୍ନ ଅବସ୍ଥାରେ ଅବସ୍ଥିତ ଥିଲା । ସେଥି ମଧ୍ୟରୁ ଗୋଟିଏ ଗୁମ୍ଫାରେ ଏକ ଲେଖା ଥିଲା । କିଟ୍ଟୋଙ୍କ ପରିଦର୍ଶନର ପ୍ରାୟ ୩୬ ବର୍ଷ ପରେ ୧୮୭୪ ଖ୍ରୀଷ୍ଟାବ୍ଦରେ ସାର୍‍ ଆଲେକ୍‍ଜାଣ୍ଡାର୍‍ କନିଂହାମ୍‍ଙ୍କ ସହକାରୀ ଜେ:ଡି: ବେଗ୍‍ଲାର୍‍ ଧଉଳୀର ପ୍ରାଚୀନ ବୌଦ୍ଧ କୀର୍ତ୍ତି ପରିଦର୍ଶନ କରି ଏକ ବିବରଣୀ ଲିପିବଦ୍ଧ କରିଥିଲେ । ସେଥିରୁ ଜଣାଯାଏ ହସ୍ତୀ ଖୋଦିତ ହୋଇଥିବା ପାହାଡର ଏକ ସମତଳ ଭୂମି ଉପରେ ଏବଂ ଅଳ୍ପ ଦୂରବର୍ତ୍ତୀ ବିପରୀତ ଦିଗରେ ଥିବା ଅନ୍ୟ ପାହାଡ ଉପରେ ପୂର୍ବେ ଦୁଇଟି ସ୍ତୂପର ଭଗ୍ନାବଶେଷ ବିଦ୍ୟମାନ ଥିଲା । ବେଗ୍‍ଲାର୍‍ଙ୍କ ଦ୍ୱାରା ବର୍ଣ୍ଣିତ ଭଗ୍ନଦଶାପନ୍ନ ଧବଳେଶ୍ୱର ମନ୍ଦିର ନିକଟରେ ଏକ ସ୍ତୂପର ଅବସ୍ଥିତି ମନ୍ଦିରର ଜିର୍ଣ୍ଣୋଦ୍ଧାର କାର୍ଯ୍ୟ ପରିଚାଳିତ ହେଉଥିବା ସମୟରେ ପ୍ରମାଣିତ ହୋଇଅଛି ।

କେଦାରନାଥ ମହାପାତ୍ରଙ୍କ ମତାନୁସାରେ ମନ୍ଦିରର ପଶ୍ଚିମକୁ ଥିବା ପାହାଡର ଅଂଶ ଅବିକୃତ ଥିବାରୁ ସ୍ତୂପଟି ମନ୍ଦିରର ପୂର୍ବଭାଗରେ ଅବସ୍ଥିତ ଥିଲା । ମନ୍ଦିର ମଧ୍ୟରେ ପୂଜିତ ଶିବଲିଙ୍ଗ ମଧ୍ୟ ସ୍ତୂପ ନିକଟବର୍ତ୍ତୀ ଏକ ବୌଦ୍ଧ ସ୍ତମ୍ଭର ଅଂଶାବଶେଷ ବୋଲି ଗ୍ରହଣ କରାଯାଇଛି । ଅଶୋକଙ୍କ ରାଜତ୍ୱ ପରେ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଧଉଳୀର ବୌଦ୍ଧ କୀର୍ତ୍ତି ଅକ୍ଷତ ରହିଥିଲା ।  ମାଦଳାପାଞ୍ଜି ରାଜଭୋଗ ଅନୁସାରେ ଧଉଳୀ ସିଦ୍ଧ ବୌଦ୍ଧମାନଙ୍କର ପୀଠ ଥିଲା । ସମ୍ଭବତଃ ସପ୍ତମ ଶତକ ବେଳକୁ ଶୈବଧର୍ମର ପ୍ରସାର ଫଳରେ ଏହାର ଅବକ୍ଷୟ ଆରମ୍ଭ ହୋଇଥିଲା । କଟକର ସୁବାଦାର ମହମ୍ମଦ ତକୀଖାଁଙ୍କ ଦ୍ୱାରା ୧୭୩୧-୩୨ ଖ୍ରୀଷ୍ଟାବ୍ଦରେ ଧଉଳୀ ଧ୍ୱଂସ୍ତବିଧ୍ୱଂସ୍ତ ହେବାରୁ ଏହାର ପୂର୍ବ ଗୌରବ ଓ ବିଭବର ଅବସାନ ଘଟିଲା । ଏହାପରେ ଉକ୍ତ ଅଞ୍ଚଳ କ୍ରମଶଃ ପରିତ୍ୟକ୍ତ ଓ ଅବହେଳିତ ହେବାରୁ ଚତୁର୍ଦ୍ଦିଗ କଣ୍ଟକପୂର୍ଣ୍ଣ ବେତସକୁଞ୍ଜ ଓ ଶ୍ୱାପଦସଂକୁଳ ଘନ ଅରଣ୍ୟରେ ଆଚ୍ଛାଦିତ ହେଲା । କିନ୍ତୁ ଧଉଳୀର ଅଶ୍ୱତ୍‍ଥାମା ନାମକ ଶୈଳଖଣ୍ଡରେ ଉତ୍କୀର୍ଣ୍ଣ ପ୍ରିୟଦର୍ଶୀ ଅଶୋକଙ୍କର ଅନୁଶାସନଗୁଡିକ ଊନବିଂଶ ଶତକରେ ପାଠୋଦ୍ଧାର କରାଯାଇ ଭାରତରେ ଏହା ଅଶୋକକାଳୀନ ଏକ ପ୍ରସିଦ୍ଧ ବୌଦ୍ଧ ପୀଠରୂପେ ଖ୍ୟାତିଲାଭ କଲା । ୧୯୦୪ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସୃଷ୍ଟିପରେ ଏହି ପ୍ରାଚୀନତମ ବୌଦ୍ଧ ଲେଖଗୁଡିକ ସଂରକ୍ଷିତ କୀର୍ତ୍ତିରୂପେ ଘୋଷିତ ହୋଇ ଏଗୁଡିକର ସୁରକ୍ଷା ପାଇଁ ବ୍ୟବସ୍ଥା କରାଗଲା । ୧୯୭୦ ମସିହାରେ ଏଠାରେ ରାଜଗୃହ ପରି ଶାନ୍ତିସ୍ତୂପ ନିର୍ମାଣ ଆରମ୍ଭ ହେଲା । କଳିଂଗ ନିପନ(ଜାପାନ) ବୁଦ୍ଧ ସଂଘ ନାମରେ ଏକ ପରିଚାଳନା ସମତି ଗଠିତ ହୋଇ ଏହି ଶାନ୍ତିସ୍ତୂପ ୧୯୭୧ ମସିହାରେ ନିର୍ମାଣ ଆରମ୍ଭ କରାଯାଇ ୧୯୭୨ ମସିହାରେ ଶେଷ ହୋଇଥିଲା । ଅଶୋକଙ୍କ ଦ୍ୱାରା ନିର୍ମିତ ସ୍ତୂପର ଧ୍ୱଂସାବଶେଷ ଅଦୂରରେ ମହାମାନ୍ୟ ଗୁରୁଜୀ ଫୁଜୀ ମହାମାନବ ଗୌତମ ବୁଦ୍ଧଙ୍କର ମହତ୍‍ ବାଣୀର ପ୍ରଚାର ଓ ଅଶୋକଙ୍କର ମହାନ୍‍ ଶନ୍ଦେଶର ପୁନରଜ୍ଜୀବନ ପାଇଁ ଧଉଳୀର ଶିଖର ପ୍ରଦେଶରେ ଏକ ବିରାଟ ଚିତ୍ତାକର୍ଷକ ଶୁଭ୍ରଶୁଭସ୍ତୂପ ଉତ୍ତୋଳନ କରି ଧଉଳୀର ଗୌରବମୟ ଅତୀତକୁ ମନେ ପକାଇଥିଲେ ।  ତେଣୁ ପ୍ରାଚୀନ ତୋଷାଳୀର ସୀମାରେ ଅବସ୍ଥିତ ବୌଦ୍ଧକୀର୍ତ୍ତି ମଣ୍ଡିତ ଧଉଳୀ ପାହାଡ(ସୁରଭଗିରି) ଅଧିକ ଗବେଷଣା ଆବଶ୍ୟକ କରେ ।