ଓଡ଼ିଆ ସିନେମା ଓ ଶସ୍ତା କୋଳାହଳର ବଜାର

ଓଡ଼ିଆ ସିନେମା ଓ ଶସ୍ତା କୋଳାହଳର ବଜାର

ଗତ ଛଅ ମାସ  ଓଡ଼ିଆ ସିନେମା ପାଇଁ ଗୋଟେ ଭଲ ସମୟ ଥିଲା । ପ୍ରାୟତଃ ମରି ଆସୁଥିବା ମୌଳିକ ଓଡ଼ିଆ ସିନେମାରେ କିଛି ନୂଆ ନିର୍ଦ୍ଦେଶକ ନୂଆ ପ୍ରାଣ ସଂଚାର ଲରିଥିଲେ ମୌଳିକ ଓଡ଼ିଆ କାହାଣୀ ଓ ଚରିତ୍ର ଙ୍କୁ ନେଇ "ଦମନ" ଏବଂ "ପ୍ରତୀକ୍ଷା" ସିନେମା ବଜାରକୁ ଚଳଚଞ୍ଚଳ କରିଥିଲା । ଏହି ଦୁଇଟି ଯାକ ସିନେମାର ସଫଳତା ପଛରେ ନୂଆ ଚିନ୍ତା ଓ ଆଭିମୁଖ୍ୟ ରହିଥିଲା। ଏହାର ନିର୍ମାଣ ଏବଂ ନିର୍ଦ୍ଦେଶନାରେ ନୂଆ ସମୟର ଚିତ୍ର ରହିଥିବାରୁ ଏହାକୁ ନୁଆ ପୀଢ଼ିର ଦର୍ଶକ ସହଜରେ ଗ୍ରହଣ କରିଥିଲେ । ଏହି ଦୁଇଟି ଯାକ ସିନେମା ସାଙ୍ଗରେ "ଗ୍ୟାଙ୍ଗ୍ସ୍ ଅଫ ପୁରୀ" ଭଳି ଏକ ଓ୍ବେବ୍ ସିରିଜକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ବ୍ୟାବସାୟିକ ସଫଳତା ବାହାରେ "ଆଦିୟୁ ଗୋଦାର୍ଦ" ଏବଂ "ଫାଲଗୁନ ଚୈତ୍ର" ସମାଲୋଚକୀୟ ପ୍ରଶଂସା ପାଇଥିଲା ।

ଅନେକ ବର୍ଷ ପରେ ଓଡ଼ିଆ ସିନେମାରେ ଏତେ ଗୁଡିଏ ସଫଳ କାହାଣୀ ଆମେ ଦେଖିଲୁ ଓ ଶୁଣିଲୁ । ଏସବୁ ସଫଳ କାହାଣୀର ନାୟକ ନାୟିକାମାନେ ଓଡ଼ିଆ ସିନେମାରେ ନୂଆ କରି ପାଦ ଦେଇଥିଲେ। ଗତ ୨୦ ବର୍ଷ ଧରି "କପି-ପେଷ୍ଟ" ସିନେମାର ଧାରାକୁ ଭାଙ୍ଗି ନୂଆ ନିର୍ମାଣ ଶୈଳୀ ଓ ନୂଆ ଭାବନାର ସିନେମା ତିଆରି କରୁଥିବା ତରୁଣ ପୀଢ଼ି ହିଁ ଆମ ସିନେମାର ଭବିଷ୍ୟତ। ସେମାନଙ୍କ ବିଷୟରେ ଆମ ଗଣମାଧ୍ୟମ ଅଧିକ ଆଗ୍ରହ ଦେଖାଇବା ଉଚିତ ହୁଅନ୍ତା। ହେଲେ ଓଡ଼ିଆ ସିନେମାକୁ ନେଇ ଆମ ଗଣମାଧ୍ୟମର ଆଗ୍ରହ "ଗୁଲିଗପ" ଏବଂ "ବିବାଦ" ଭିତରେ ସୀମିତ । ଆମକୁ ସିନେମାର କାହାଣୀ ଅପେକ୍ଷା ସିନେ ତାରକାଙ୍କ ବ୍ୟକ୍ତିଗତ ଜୀବନର ମସଲା ବେଶୀ ଆକର୍ଷିତ କରୁଛି । ଅନାବଶ୍ୟକ ବିବାଦ, ଗୁଜବ ଏବଂ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଆମେ ବେଶୀ ଗପି ଚାଲିଛୁ ।

କିଛି ଦିନ ତଳେ ବାବୁସାନ୍ ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗୋଟେ ଲମ୍ବା ନାଟକ ଆମେ ଦେଖିଲୁ । ଏବେ ସେ କାହାଣୀର ଦ୍ବିତୀୟ ଭାଗ ବେଶ ରୋଚକ ଢଙ୍ଗରେ ଆମକୁ ଦେଖାଇ ଦିଆଯାଉଛି । କିଛି ପ୍ରଯୋଜକ ଯେଉଁ ମାନେ ନିଜ ଜୀବନରେ ଗୋଟେ ବି ଭଲ ସିନେମା କରି ନାହାନ୍ତି ସେମାନେ ଗଣମାଧ୍ୟମ ଆଗରେ ନିଜକୁ "ମୁଭି ମୋଗଲ" ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ।

ଜଣେ ନିର୍ଦ୍ଦିଷ୍ଟ ପ୍ରଯୋଜକଙ୍କ ନାଁରେ ଏକାଧିକ ଅଭିନେତ୍ରୀ ଏବେ କାଷ୍ଟିଙ୍ଗ କାଉଚ୍ ଏବଂ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଏହା ସିଧାସଳଖ ଏକ ଅପରାଧ ମାମଲା । ଏହାକୁ ନେଇ ଗଣମାଧ୍ୟମରେ ନାଟକ କରିବା ଅପେକ୍ଷା ଏହାକୁ ପୁଲିସ୍ ଅନୁସନ୍ଧାନ କରିବାର ଆବଶ୍ୟକତା ବେଶୀ । ସମ୍ପୃକ୍ତ ପ୍ରଯୋଜକ ଗଣମାଧ୍ୟମରେ ନିଜର ପକ୍ଷ ରଖିବାକୁ ଯାଇ ଯେଉଁ ଭାଷାରେ କଥାବାର୍ତ୍ତା କରୁଛନ୍ତି, ସେଥିରୁ ମହିଳା କଳାକାରଙ୍କ ପ୍ରତି ତାଙ୍କର ହେୟ ମନୋଭାବ ବାରି ହୋଇ ପଡ଼ୁଛି । ନିଜକୁ "ଓଡ଼ିଶା ବାସୀଙ୍କ ପ୍ରିୟ" ବୋଲି ଦାବୀ କରୁଥିବା ଏହି ପ୍ରଯୋଜକ ଅନ୍ତତଃ ଗଣମାଧ୍ୟମ ଆଗରେ ମହିଳାଙ୍କ ପ୍ରତି ସମ୍ମାନଜନକ ଭାଷା ବ୍ୟବହାର ଶିଖନ୍ତୁ । ତାଙ୍କ କଥାବାର୍ତ୍ତାରୁ ଲାଗୁଛି, ସତେକି ସବୁ ଅଭିଯୋଗ ଆଣିଥିବା ଅଭିନେତ୍ରୀ ଜଣେ ଜଣେ ଅପରାଧୀ, ଆଉ ସେ ନିଜେ ଏକମାତ୍ର ନିର୍ଦ୍ଦୋଷ ସତ୍ୟବାନ ।

ଯୌନ ଶୋଷଣ ମାମଲାରେ ସବୁ ବେଳେ ମହିଳା କଳାକାରଙ୍କ ଅଭିଯୋଗର ଗୁରୁତ୍ବ ରହିଛି । ଏ ପ୍ରସଙ୍ଗରେ ରାଜ୍ୟ ପୁଲିସ ନିଜ ପକ୍ଷରୁ ତଦନ୍ତ ଆରମ୍ଭ କରିବା ଉଚିତ ହେବ । ଏ ପ୍ରସଙ୍ଗରେ ପ୍ରଥମ ପାଟି ଫିଟାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ପୂର୍ବରୁ ଏହି ପ୍ରଯୋଜକଙ୍କ ଦ୍ବାରା ଗଣମାଧ୍ୟମରେ ମାନସିକ ଭାବରେ ନିର୍ଯାତିତ ହୋଇଛନ୍ତି । ବାବୁସାନ୍ ମାମଲାରେ ପ୍ରକୃତିଙ୍କ ଚରିତ୍ରକୁ ନେଇ ଗଣମାଧ୍ୟମ ଆଗରେ ସମ୍ପୃକ୍ତ ପ୍ରଯୋଜକ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଏକାଧିକ ଥର ଦେଇଥିଲେ । ଏହା ସିଧାସଳଖ ଅପରାଧ ମୂଳକ ମାନହାନି । ସେତେବେଳେ ଏ ପ୍ରକାର ଅବାନ୍ତର ବକ୍ତବ୍ୟକୁ ଆମର ଗଣମାଧ୍ୟମ ନିରନ୍ତର ପ୍ରଚାର କରି ଚାଲିଥିଲା। ଆଜି ପ୍ରକୃତିଙ୍କ ସମେତ ଆଉ କିଛି ଅଭିନେତ୍ରୀ ଯେତେବେଳେ ସେହି ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି, ତାକୁ ଅଣଦେଖା କରିବା ଅସମ୍ଭବ।


ଓଡ଼ିଆ ସିନେମା ପାଇଁ ସେମିତି କିଛି ଉଲ୍ଲେଖଯୋଗ୍ୟ ଅବଦାନ ରଖିନଥିବା କିଛି ବ୍ୟକ୍ତି ଏବେ ଅନାବଶ୍ୟକ ବିବାଦ ଜରିଆରେ ନିଜକୁ ପ୍ରାସଙ୍ଗିକ କରି ରଖିବାକୁ ଚାହାନ୍ତି । ଏମାନେ ଓଡ଼ିଆ ସିନେମାର ସବୁଠୁ ବଡ଼ ଶତ୍ରୁ ।