୨୮୮ଟି ଫେରି ନଥିବା ସ୍ବପ୍ନ

୨୮୮ଟି ଫେରି ନଥିବା ସ୍ବପ୍ନ

ନା'!

ଆଉ ଖୋଲିବାକୁ ପଡିବନି

ନୂଆ ନୀଳ ଶାଢ଼ୀର ଜରି -

ପିନ୍ଧି ଝଲସିଥିଲେ,

ଦେଖି ବିଭୋର ହେବା ଲୋକଟା-

ଆଉ ଫେରିବନି ଯେ!

 

ଭାକ୍!

ବେକାରେ, ବୋଉ ବସି

ବିରି-ଚାଉଳ ଭେଦଉଛି,

ତା' ସରୁ ଚକୁଳିରେ -

କଣା ଗଣି ହିସାବ କରିବା ମଣିଷଟା ବା

 ଆଜି ହିସାବ ରଖି ପାରିନି,

ନିଜ ଦେହର ଛିଣ୍ଡି ଯାଇଥିବା ଟୁକୁଡା ସବୁର!

 

ହଁ!

ରଜଦୋଳି ପାଇଁ ଭାଇ ଯୋଗାଡି ଥିବା

ଦଉଡିଟା-

ଆଜି କାମରେ ଆସିବ ଟିକିକୁ

କାନ୍ଧରେ ବାନ୍ଧି, ଶେଷ ବିଦାୟ ଦେବାକୁ!

 

ବଢିୟା!

 ରାତିରେ ଚାଉଁ ଚାଉଁ-

ନିଦ ଭାଙ୍ଗିବାକୁ ପଡିବନି ଆଉ ବାପାଙ୍କୁ,

ଅପେକ୍ଷା ମାନେ ତାଙ୍କର ଆଜି -

ଧଳା ଚାଦର ତଳେ ଲଅମ୍ବ ହୋଇ ଶୋଇ ଯାଇଛନ୍ତି!

 

ଦେଖିଲଣି?

ଓଲଟି ପଡିଥିବା ଡବା ତଳେ-

ଚାପି ହୋଇ ଯାଇଥିବା ସ୍ବପ୍ନ ମାନଙ୍କୁ?

ବର୍ଷେ ଝାଳ ବୁହାଇ ଅଣ୍ଟିରେ ଖୋସିଥିବା ବାସ୍ନାକୁ?

ଶେଷ ଚାନ୍ସ ପାଇଁ କୋଚିଂ ନେଉଥିବା ଆଶାକୁ?

ହାତଗଣ୍ଠି ପକେଇବାକୁ ଆସୁଥିବା ପ୍ରତିଶ୍ରୁତିକୁ?

ଝିଅ ପାଇଁ ନାଁ ଖୋଜୁଥିବା ମନକୁ?

 

ଗଣି ସାରିଲଣି?

ମୁଣ୍ଡ-ହାତ-ଗୋଡ ନଥିବା ଶରୀର ମାନଙ୍କୁ?

ବୋହି ଯାଇଥିବା ରକ୍ତ ଧାରକୁ?

ଠପ୍ ହୋଇ ଯାଇଥିବା ନିଶ୍ବାସ ମାନଙ୍କୁ?

ଚୁପ୍ ପଡି ଯାଇଥବା ହୃଦୟ ଆଉ ପାଟି ମାନଙ୍କୁ?

 

ଜାରି କଲଣି?

ମୃତକଙ୍କ ତାଜା ଲିଷ୍ଟ?

ଆହତଙ୍କ ସ°ଖ୍ୟା?

କ୍ଷତି ହୋଇଥିବା ପରିମାଣ?

କ୍ଷତିପୂରଣର ରାଶି?

ଦୋଷୀକୁ ଦଣ୍ଡିତ କରିବା ପ୍ରତିଶ୍ରୁତି?

 

ଚାଲ ତା' ହେଲେ,

ଏଥର ଫେରିବା -

ନିଜର ବକ୍ତବ୍ୟ ଆଉ

ଉଠେଇଥିବା ଫଟୋ ଅପଲୋଡ଼ କରିବା;

ସବୁ ଉଙ୍କି ମାରୁଥିବା ପ୍ରଶ୍ନ ମାନଙ୍କୁ-

ନିଦ ବଟିକା ସହ ଢୋକି ଦେବା;

ସବୁ ଅଭିଶାପକୁ ଆଶୀର୍ବାଦ କରି-

ଘୋଡେଇ ହୋଇ,

କର ଲେଉଟାଇବା;

ହେଲେ ସେ ୨୮୮ଟି-

 ଫେରିନଥିବା ସ୍ବପ୍ନମାନେ

ଶୋଇବାକୁ ଦେବେ ତ?