ଜଖମ୍ ପ୍ରଜାପତି
ବେଶୀ ଦୂର ନୁହେଁ, ଏଇ ଆଖ ପାଖ ଆକାଶରେ ମୋର ଉଡ଼ିବାର ମନ ପ୍ରଜାପତି ହୋଇ।
ଜଖମ୍ ପ୍ରଜାପତିଟି ପଡ଼ିଛି ମାଟିରେ। ଦଳେ ନାଲି ପିମ୍ପୁଡ଼ି ବୋହି ନେଉଛନ୍ତି ତା'କୁ, କେତେଦୂର, ନିହାରୀକା ?
ଅଲଗା ଅଲଗା ପକ୍ଷୀମାନେ, ଅଲଗା ଅଲଗା ଯାଗାରେ, ଅଲଗା ଅଲଗା ରାଗରେ ଗୀତ ଗାଉଛନ୍ତି, ଯାହାର କୌଣସି ଭାଷା ଓ ଅର୍ଥ ନାହିଁ। ପାହାଡ଼ର ଲୁହ ପରି ଝରଣାର ସତରଟି ଧାର ଥିପି ଥିପି ତିଆରି ହୋଇଛି ଏ ଘୁଗର, ଯେଉଁଠି ମୁଁ ବୁଡ଼ି ମରୁଥିବାର ସ୍ବପ୍ନ ଦେଖିଲି ଗଲା ରାତିରେ। ମୃତ୍ୟୁ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନାରେ ଭାଙ୍ଗିଲା ମୋର ନିଦ।
ଦୂର ଗାଁ'ର ନିଲାମ୍ ହୋଇ ସାରିଥିବା ସେ ଯେଉଁ ଡୁଙ୍ଗୁରି, ତା'ର କୋଳରୁ ବହଳ କୁହୁଡ଼ି ମାଖି ପ୍ରସବ ହେଉଥିଲା ସୂର୍ଯ୍ୟ। କୁନି ଚଢ଼େଇଟିଏ ଉଡ଼ିଆସି ବସିଲା ଇଲେକ୍ଟ୍ରି ତାରରେ। ସେ ଗୀତ ଶିଖି ନଥିଲା ବା ନିରବତା ତା'କୁ ଭଲ ଲାଗେ। ବାଛୁରୀ କ୍ଷୀର ପିଉଛି ତା' ମାଁର ଥନରୁ।
ଜହ୍ନର ମାଟିକୁ ତନ୍ନ ତନ୍ନ ପରୀକ୍ଷା କରି ସାରିଲା ପରେ ବିକ୍ରମ ଶୋଇ ପଡ଼ିଲା ବା ମରିଗଲା, ପଢ଼ିଲି। ଲଫଙ୍ଗା ପ୍ରେମିକକୁ ଘରୁ ଟାଣି ଆଣି ଝିଅର ବାପା ଭାଇ ନିର୍ଦ୍ଧୁମ ଛେଚିଲେ, ମଲା ପ୍ରେମିକର ଶବକୁ ରଖି ଲୋକେ ରାସ୍ତାରୋକ କଲେ, ଆହୁରି ପଢ଼ିଲି। ପଡ଼ୋଶୀ ଘରର ବୁଢ଼ାଲୋକର ଗୋଡ଼ ଆଉ ଚଳୁନି, ତା'ର ଗୁହ ଗନ୍ଧାଉଛି। ୟୁଟୁବ୍ ଗୁଗଲ୍ କ୍ରୋମରୁ ଏତେ ଏତେ କରୁଣରସାଶ୍ରିତ ଗୀତ ଶୁଣି ସୁଦ୍ଧା ଉଦାର ହେଲାନି ମାଟି।
ଘରେ ଆଉ କିଛି ନାହିଁ ଈଶ୍ଵରଙ୍କୁ ଭୋଗ ଲଗେଇବାକୁ। ପଟେ ବାସି ରୁଟି ଚଢ଼େଇ ଦେଇ ପ୍ରାର୍ଥନା ବୋଲିଲା ବୁଢ଼ାଲୋକର ବୋହୂ। ଗୋଟେ ବି ଫୁଲ ଫୁଟି ନଥିବା ମନ୍ଦାର ଗଛ ଶୀତଳ ଖରା ମାଖୁଥିଲା ଅଗଣାରେ, ଯେମିତି ଟୋପାଏ ବି ରକ୍ତ ଝରିବାର ନାହିଁ ଆଜି ଜଖମ୍ ପୃଥିବୀର ଛାତିରୁ।
ଅଜଣା ଲୋକ ଜଣେ ଆସି ମତେ ନମସ୍କାର ହେଲା। ଚଟାପଟ୍ ଦୁଃଖସୁଖ କଥା ପଚାରିଲା। ଗାଜାର ହସ୍ପିଟାଲରେ ବିସ୍ଫୋରଣ କଥା କହିଲା ଓ ହସିଲା ଜୋରରେ, କିଏ ଆପଣ ବୋଲି ପଚାରିବା ପୂର୍ବରୁ ମୋ ଚଉରାର ତୁଳସୀ ଗଛରୁ ଚାରୋଟି ପତ୍ର ଛିଣ୍ଡାଇଲା ଓ ଚାଲିଗଲା।
ଟୋପେ ଦି'ଟୋପା ଲଠା ଲଠା ଲୁଣିଆ ପାଣି ଆଖିକୁ ମୋର ପରଳେଇ ଦେଲା। ମୁଁ ଦେଖି ପାରିଲିନି, କେତେବେଳେ ଉଡ଼ିଗଲା କୁନି ଚଢ଼େଇଟି ଇଲେକ୍ଟ୍ରି ତାରରୁ। ଦେଖି ପାରିଲିନି ମାଁ ଗାଈ ଗଲା ଜଙ୍ଗଲ, ବାଛୁରୀ ଡେଉଁଛି ପଡ଼ିଆରେ। ଦୂରରେ ଗୋଟିଏ କଳା ମେଘ, ଦିଶିଲାନି। ହାଲକା ବର୍ଷାଭିଜା ମନ୍ଦେ ଝଡ଼ ଆସି, ହାତ ଧରି କଢ଼େଇନେଲା ମତେ ଘର ଭିତରକୁ। ଦୂର ସେଇ ଡୁଙ୍ଗୁରିରେ କ'ଣ କ'ଣ ସବୁ ଥିଲା ? ପତ୍ର, କାଠି, ମହୁଲ, କେନ୍ଦୁ, ଚାର, ଚାରୋଟି ବିଲୁଆ,ତେରଟି ଠେକୁଆ, ଅଠାବନ ଏଣ୍ଡୁଅ, ଗୋଟିଏ ଝରଣା ଆଉ ଅଲଗା ଅଲଗା ପକ୍ଷୀମାନଙ୍କ ଅଲଗା ଅଲଗା ରାଗର ନିର୍ଭାଷା ନରର୍ଥକ ଗୀତ ଅଗଣିତ ? ଦୁର୍ବୋଧ୍ୟ।
ଭାବନା ବଡ଼ ମାରାତ୍ମକ ହେ ! ଇମାନୁଏଲ୍ କାଣ୍ଟ୍ ଗଲେଣି କ୍ଲବକୁ ଚେସ୍ ଖେଳିବାକୁ। ରେନ୍ ଦେକାର୍ଟ ବସ୍ତି ପିଲାଙ୍କ ଫୁଟବଲ୍ ମ୍ୟାଚରେ ରେଫେରୀ ହୋଇ ଖେଳାଉଛନ୍ତି, କାର୍ଲ ୟାସଫରସ୍ ଯାଇଛନ୍ତି କେନାଲ କୁଳକୁ ଖୋଜିବାକୁ ତାଙ୍କ ଅସ୍ତିତ୍ବ। ଏ ମୃଦୁମନ୍ଦ ବର୍ଷଣ ସଂଧ୍ୟାରେ ତୁମେ ଏବେ କବିତା ଲେଖିବ ! ଅଲଗା ଅଲଗା ଭାବନାର ଦଶ ବାରଟି ସରଳ ବାକ୍ୟକୁ ଗୁନ୍ଥିବ ଜଟିଳ ସୂତାରେ !
ମତେ କିନ୍ତୁ ଟିକେ ବର୍ଷାରେ ଭିଜିବାର ଅଛି ! ବେଶୀ ଦୂର ନୁହେଁ, ଏଇ ଆଖ ପାଖର ଆକାଶରେ ପ୍ରଜାପତିଟିଏ ହୋଇ ଉଡ଼ିବାର ଅଛି ମସ୍ତ - ଯେ ମୋ ଭାଗର ଚାଖଣ୍ଡକ ଆକାଶ ନିଲାମ୍ ହୋଇ ସାରିଛି।
କୁଆଡ଼େ ଗଲେ, କୁଆଡ଼େ ଗଲେ, ସେ ନାଲି ନାଲି ପିମ୍ପୁଡ଼ି ଦଳକ ଜଖମ୍ ପ୍ରଜାପତିଟିକୁ ବୋହି ? ନିହାରୀକାରେ ତ ଏବେ ଘମାଘୋଟ ଯୁଦ୍ଧ।