ଫାଲ୍ଗୁନ ଚୈତ୍ର : ପ୍ରେମ ଓ ରକ୍ତର ଅଭିନବ କାହାଣୀ

ଫାଲ୍ଗୁନ ଚୈତ୍ର : ପ୍ରେମ ଓ ରକ୍ତର ଅଭିନବ କାହାଣୀ

ପ୍ରେମ ଚାଙ୍ଗୁଡାଏ ମଲ୍ଲିଫୁଲ , କିଛି ସୁଗନ୍ଧରାଜ କି କିଛି ରକ୍ତଗୋଲାପର ସ୍ତବକ ନୁହେଁତ? ନା ପ୍ରେମ ଗୋଟେ ଋତୁ, ଏ ଋତୁରେ ବସନ୍ତ ଥାଉ ବା ନଥାଉ କିନ୍ତୁ ଥାଏ ମହୁମାଛି, ବଗିଚାଏ ଫୁଲ , ପବନରେ ମଳୟ , ଗଛରେ କୋଇଲି ଆଉ ପେଟରେ ପ୍ରଜାପତି ! କେବେ କାହାକୁ ପ୍ରେମ କରିଛନ୍ତି? ଏକାନ୍ତ ଭାବରେ ତାର ହେବାର ମୋହରେ ଆଖିରେ ସ୍ବପ୍ନ ଆଉ ଦେହରେ ରୋମାଞ୍ଚ ବୁଣିଛନ୍ତି? ଥରେ ତେବେ କାହାକୁ ମନ ଆଉ ଦେହ ଦେଇ ପ୍ରେମ କରି ଦେଖନ୍ତୁ ନା !

ପ୍ରେମ ପରି ଆଉ ଏକ ଋତୁ ଅଛି , ଅପ୍ରାପ୍ତି ! ଭୋଗିଛନ୍ତି ପ୍ରେମ ଦେଇ ପ୍ରତିବଦଳରେ ପ୍ରେମକୁ ହରାଇ ଦେବାର କଷ୍ଟ ? ଅନନ୍ତ କୋହରେ ଛାତି ଫାଟି ଛତ୍ରଖାନ ହୁଏ, ଆଖି ଲୁହମାନେ, ଓଠର ଚୁମ୍ବନମାନଙ୍କର ଦାଗ ପୋଛି ନିଅନ୍ତି ଆଉ ଶଦ୍ଦମାନେ ତଣ୍ଟି ପାଖରେ ଅଟକି ଯାଆନ୍ତି, ବେଦନାରେ! ପ୍ରେମରେ ପ୍ରାପ୍ତି ଯେତେ ମଧୁର , ଅପ୍ରାପ୍ତି ସେତିକି ପୀଡ଼ାଦାୟକ ! ଏମିତି କିଛି ତିକ୍ତ ଓ ମଧୁର କାହାଣୀ କୁ ନେଇ ଆଦ୍ୟା ଜଗଦେବ ପ୍ରଡକ୍ସନ୍ ନିର୍ମାଣ କରିଛନ୍ତି ନୂଆ ଓଡିଆ ସିନେମା " ଫାଲଗୁନ ଚୈତ୍ର"!

 ମନୋଜ ଦାସଙ୍କ ଶଦ୍ଦରେ କହିଲେ "ଯେମିତି  ମେଘମାଳାକୁ ପଟ୍ଟଭୂମିରେ ରଖି କୌଣସି କାହାଣୀର ଆରମ୍ଭ ପରି ପ୍ରତିଶୃତି ପୂର୍ଣ୍ଣ" । ଚଳିଚ୍ଚତ୍ରର ଆରମ୍ଭ ବେଶ ପ୍ରତିଶୃତିସମ୍ପଣ୍ଣ।  ପ୍ରଥମ ଭାଗରେ କାହାଣୀର ସର୍ପିଳ ଗତି ହିଁ ଦର୍ଶକକୁ ପ୍ରଲୁବ୍ଧ  କରେ। କିଛି ସମର୍ଥ ଯୋଦ୍ଧା ନିଜ କାନ୍ଧରେ ସମ୍ପୁର୍ଣ୍ଣ ମହାଭାରତର କାହାଣୀକୁ ବୋହିଲା ପରି ପ୍ରଥମ ଭାଗର କାହାଣୀକୁ ନିଜ କାନ୍ଧରେ ଚୌଧୁରୀ ଜୟ ପ୍ରକାଶ ଦାସ ଏକା ବୋହିବା ବେଳେ ଥକି ପଡିଲା ପରି ମନେ ହୁଅନ୍ତି ନାହିଁ !  ତାଙ୍କ ସହିତ ଅଭିନୟରେ ସମତାଳରେ ଗତି କରନ୍ତି  ବି:ଏମ୍ ବୈଶାଳୀ । ଅତି ନିଖୁଣ ଏ ଦୁହିଁଙ୍କ ଅଭିନୟ ଅଭିନୟରେ ମୋହିତ ଦର୍ଶକ ହଠାତ ଦେଖେ , କାହାଣୀରେ ଗତି କାହିଁ ? କାହାଣୀରେ ଗତିଶୀଳତାର ଅଭାବ ଦର୍ଶକକୁ ଟିକେ ନିରାଶ କରେ । ଚଳଚିତ୍ରର ରୂପେଲି ପରଦା ଉପରେ ନାୟକ ଓ ନାୟିକାଙ୍କ ନୈକଟ୍ୟ ଯଦି ଦେଖୁଥିବା ଦର୍ଶକର ମନରେ ରୋମାଞ୍ଚ ନଆଣେ ତେବେ ନିରାଶ ହେବାକୁ ହିଁ ପଡେ।  ସିନେମାଟିରେ କିଛି ପାରମ୍ପରିକ ଦୃଶ୍ୟ ତଥା ଅତି ସୁନ୍ଦର ଦୃଶ୍ୟ ଉତ୍ତୋଳନ ବା ସିନେମାଟୋଗ୍ରାଫି ଭଲ ଲାଗିବ।

କାହାଣୀର ଦ୍ଵିତୀୟ ଭାଗ ସତରେ ଯେମିତି ମନ ପବନ ଘୋଡାରେ ସବାର। ତେବେ  ସେଠି ଭାସ୍ବତୀ ବସୁ ଓ ସୁକାନ୍ତ ରଥଙ୍କ ଚମତ୍କାର ଅଭିନୟ ଆପଣମାନଙ୍କୁ ଦେଖିବାକୁ ମିଳିବ। ଭଲ ଲାଗିବ । ଏ ଚଳଚ୍ଚିତ୍ରରେ ଆଉ ଏକ ଉତ୍ତମ ଭାଗ ତାର ଗୀତ ଓ ସଂଗୀତ । ଆପଣ ହଲରୁ ବାହାରିବା  ପରେ ବି ତାର ମଧୁର ସ୍ଵର ଆପଣଙ୍କ ମନକୁ ମଧୁରିମାରେ ଭରୁଥିବ   

ଜଣେ ଦର୍ଶକ ଭାବରେ ଏ ମୋର ବିଶ୍ଵାସ ଯେ' ଚଳଚ୍ଚିତ୍ର ହେଉଛି ମୂଳତଃ ନିର୍ଦ୍ଦେଶକର ମାଧ୍ୟମ । ନିର୍ଦେଶକ ମାତୃ ଗର୍ଭରେ ବୀଜ ସ୍ଥାପନ ବେଳାରୁ ଭୂମିଷ୍ଠ ହେବା ପର୍ଯ୍ୟନ୍ତ ଇନ୍ଦ୍ର ହେବା ଦରକାର ( ଇନ୍ଦ୍ର କୁ ସହସ୍ର ନୟନ କୁହାଯାଏ , ତାଙ୍କର ଦେହସାରା ଆଖି) । କେବଳ ଅଳ୍ପ କିଛି ସମର୍ଥ କଳାକାରମାନଙ୍କ ଉଚ୍ଚକୋଟୀର ଅଭିନୟ , ଚମତ୍କାର ସିନେମାଟୋଗ୍ରାଫି ଆଉ ଗୋଟେ ପ୍ରେମ କାହାଣୀ ଗୋଟେ ସୁନ୍ଦର ଚଲଚିତ୍ର ର ଆଧାର ନହେଇ ପାରେ। ଏହା ଏକ ସାମୁହିକ ନିର୍ଦ୍ଦେଶକୀୟ ସ୍ଵପ୍ନ । 

ହୁଏତ ଚିତ୍ରନାଟ୍ୟ ଆଉ ଟିକେ ସବଳ ହୋଇଥିଲେ ଏ କାହାଣୀ ଆହୁରି ଜମିଥାନ୍ତାଦୁଇଜଣ ଅଲଗା ନାୟିକା ଗୋଟିଏ ଧରଣର ପୋଷାକରେ ଠିକ  ଲାଗୁ ନାହାନ୍ତି । ପ୍ରଥମ ଭାଗରେ ନାୟକକୁ କିଛି ଫ୍ଲାସବ୍ୟାକ୍ ଦିଆ ଯାଇଥିଲେ ହୁଏତ ଗୋଟିଏ ଦୃଶ୍ୟକୁ ବାରମ୍ବାର ଦେଖାଇବାର ଆବଶ୍ୟକତା ରହି ନଥାନ୍ତା। ନିର୍ଦ୍ଦେଶକ ଏସବୁ ଉପରେ ନଜର ରଖିବାର ଥିଲା। କେବଳ ଜଣେ ଅଭିନେତାଙ୍କ ଉପରେ ସମ୍ପୁର୍ଣ୍ଣ ଚଳଚିତ୍ରର ଭାର ବୋଝେଇଦେବା ଟିକେ ଅଜବ ଲାଗିଲା। ଯଦିଓ ସେ ଜଣେ ଉଚ୍ଚକୋଟୀର ଅଭିନେତା, ସେଥିରେ ସନ୍ଦେହ କରିବାର କୌଣସି କାରଣ ନାଇଁ  ।

ଜଣେ ଦର୍ଶକ ଭାବରେ ଆଉ ଏପରି ସମ୍ପୁର୍ଣ୍ଣ ଏକ ଓଡିଆ ନାଁ ଶୁଣିବା ପରେ ପରେ ମୋର ଏ ଚଳଚ୍ଚିତ୍ର ଠୁ ଆଶା ଟିକେ ଅଧିକ ଥିଲା। ଟ୍ରେଲର ବି ବେଶ କିଛି ଅଧିକ ଆଶାର ଖୋରାକ ଦେଇଥିଲା। ତେବେ ଏ ସିନେମାର ସଫଳତାର ଶ୍ରେୟ ପ୍ରଥମେ ଚୌଧୁରୀ ଜୟ ପ୍ରକାଶ ଦାସ ବି: ଏମ୍ ବୈଶାଳୀ , ଭାସ୍ବତୀ ବସୁ ଓ ସୁକାନ୍ତ ରଥଙ୍କ ଚମତ୍କାର ଅଭିନୟକୁ ଯିବ। ପରବର୍ତ୍ତୀ ଶ୍ରେୟ ଯିବ ସିନେମାର ନୂଆ କାହାଣୀକୁ । ପ୍ରଚ୍ଛଦ ସଂଗୀତ ଗୀତ ତଥା ସଂଗୀତ ସୁନ୍ଦର । ସିନେମାଟୋଗ୍ରାଫିରେ ଅନେକ ଯାଦୁକରୀ ଦୃଶ୍ୟର ରୂପାନ୍ତର ଅଛି ।

    ସତକଥା ହେଲା ପ୍ରେମ ଏକ ଖୁବ ସମ୍ବେଦନଶୀଳ ପ୍ରସଙ୍ଗ। ତାକୁ ନେଇ ଏତେ ଟିକେ ଏପଟ ସେପଟ ହେଲେ କ୍ଷତାକ୍ତ ହେବାକୁ ହୁଏ। ରକ୍ତ ଗୋଲାପ ସହ କିଛି କଣ୍ଟା ବି ମନ ଭିତରକୁ ପଶି ଆସନ୍ତି , ଅଳ୍ପ ଟିକେ ଅସାବଧାନତାରେ ଟିପ ଫୁଟି ରକ୍ତ ଜର୍ଜର ହୁଏ ହାତ । ଚଳଚ୍ଚିତ୍ର ନିର୍ମାଣ ବି ପ୍ରେମ ଓ ଫୁଲ ପରି ।