ଦେଶଦ୍ରୋହ ଲୁଚାଇବାକୁ ଦେଶପ୍ରେମର ମୁଖା

ଦେଶଦ୍ରୋହ ଲୁଚାଇବାକୁ ଦେଶପ୍ରେମର ମୁଖା

ଦେଶର ସର୍ବୋଚ୍ଚ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓର ଜଣେ ଅତ୍ୟନ୍ତ ପଦସ୍ଥ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ମହାରାଷ୍ଟ୍ରର ସନ୍ତ୍ରାସବାଦ ବିରୋଧୀ ସଂସ୍ଥା ଇତି ମଧ୍ୟରେ ଗିରଫ କରିଛି। ପ୍ରଦୀପ କୁରୁଲକର ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଦାୟିତ୍ଵବାନ ପଦବୀରେ ରହି ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ନିଜ ସରକାରୀ ବୃତ୍ତି ସହିତ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜଣେ ପୁରୁଣା ସ୍ବେଚ୍ଛାସେବୀ ମଧ୍ୟ ଥିଲେ। ଆରଏସଏସର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଦୀପ କୁରୁଲକର ଭାଷଣ ଦେଇ ଦେଶପ୍ରେମ ବିଷୟରେ ଭାଷଣ ଦେଉଥିବାର ଭିଡିଓ ଦେଖିବାକୁ ମିଳିଛି। ନିଜ ଦେଶଦ୍ରୋହୀ ଚେହେରାକୁ ଲୁଚାଇବାକୁ ପ୍ରଦୀପ କୁରୁଲକର ସଙ୍ଘୀ ରାଷ୍ଟ୍ରବାଦକୁ ଏକ ମୁଖା ଭାବରେ ବ୍ୟବହାର କରି ଚାଲିଥିଲେ।

ବର୍ତ୍ତମାନ ସମୟରେ ଆଉ ଏକ ବଡ଼ ଖବର ହେଉଛି କେନ୍ଦ୍ର ସରକାରଙ୍କ ନିଶା ନିବାରଣ ବିଭାଗର ପୂର୍ବତନ ଚର୍ଚ୍ଚିତ ଅଧିକାରୀ ସମୀର ଓ୍ବାଙ୍ଖଡେ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଅଭିଯୁକ୍ତ ହୋଇଛନ୍ତି। ଇଏ ହେଉଛନ୍ତି ସେହି ସମୀର ଓ୍ବାଙ୍ଖଡେ ଯିଏ ଶାହାରୁଖ ଖାଁ ଙ୍କ ପୁଅ ଆର୍ୟନ୍ ଖାଁ ଙ୍କୁ ଗିରଫ କରି ରାତାରାତି ହିରୋ ପାଲଟି ଯାଇଥିଲେ। ବିଜେପି ଆଇଟି ସେଲ୍, ସରକାରୀ ସମର୍ଥକ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓ ଭକ୍ତ ମଣ୍ଡଳୀ ସମୀର ଓ୍ବାଙ୍ଖଡେଙ୍କୁ ନିଜ ଭଗବାନ ବୋଲି ଭାବୁଥିଲେ। ଅସଲରେ ସମୀର ଓ୍ବାଙ୍ଖଡେ ଜଣେ ବ୍ଲାକମେଲର ଓ ମୁମ୍ବାଇ ବଲିଉଡ ଜଗତରେ ସେ ନିଜ ଦୁର୍ନୀତିର ଜାଲ ବିଛେଇ ଥିଲେ ବୋଲି ଏବେ ସିବିଆଇ କହିଛି। ନିଜ ପାପ ଲୁଚାଇବାକୁ ଯାଇ ସମୀର ଓ୍ବାଙ୍ଖଡେ କହିଛନ୍ତି ଯେ- ଦେଶପ୍ରେମୀ ହୋଇ ଥିବାରୁ ତାଙ୍କୁ ଏ ଦଣ୍ଡ ଭୋଗିବାକୁ ପଡୁଛି। ଏହାର ଅର୍ଥ ହେଉଛି ଦୁର୍ନୀତିଖୋର୍ ସମୀର ଓ୍ବାଙ୍ଖଡେର ଦେଶପ୍ରେମକୁ ଭାରତ ସରକାରଙ୍କ ସିବିଆଇ ସହି ପାରୁନାହିଁ।

ଗତ ମଇ ୧୫ରେ ଓଡ଼ିଶାର ଖବରକାଗଜ ସବୁରେ ଗୋଟେ ବଡ ଖବର ବାହାରିଛି। ପାକିସ୍ତାନର ଗୁପ୍ତଚର ଭାବରେ କାମ କରୁଥିବା ଓଡିଶାର ତିନିଜଣ ଯୁବକଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି ‌। ସେମାନେ ହେଲେ -ନୟାଗଡ ଇଟାଭାଟି ଅଞ୍ଚଳର ପଠାଣି ସାମନ୍ତ ଲେଙ୍କା, ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାଏକ ଏବଂ ଯାଜପୁର ସୁଜନପୁରର ସୌମ୍ୟ ପଟ୍ଟନାୟକ। ଏମାନେ ସମସ୍ତେ ଟଙ୍କା ବଦଳରେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିଲେ।

ଏହି ତିନୋଟି ଯାକ ଖବରର ଗୋଟେ ସାଧାରଣ ସତ୍ୟ ହେଲା, ଦେଶ ବିରୋଧୀ କାମ କରୁଥିବା ଏ ସବୁ ଭାରତୀୟ ନିଜକୁ ହିନ୍ଦୁ ରାଷ୍ଟ୍ରପ୍ରେମୀ ଭାବରେ ଉପସ୍ଥାପନ କରୁଛନ୍ତି। ଏହି ଦେଶଦ୍ରୋହୀ ଚରିତ୍ର ଯଦି ହିନ୍ଦୁ ନ ହୋଇ ଅନ୍ୟ କେଉଁ ଧର୍ମର ହୋଇଥିଲେ ଆରଏସଏସ ଓ ଆଜିର ବିଜେପି ସରକାର ସବୁ ଅଣହିନ୍ଦୁଙ୍କୁ ସନ୍ତ୍ରାସବାଦୀ ବୋଲି କହି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥାନ୍ତେ। ପ୍ରଦୀପ କୁରୁଲକର ସଙ୍ଘର ସ୍ବେଚ୍ଛାସେବୀ ନ ହୋଇ ଯଦି କଂଗ୍ରେସର କେଉଁ ସଭାରେ ବସି ଥାନ୍ତେ ତା ହେଲେ ଆଜି ସାରା ଦେଶ ଉଠୁଥାନ୍ତା ଆଉ ପଡୁଥାନ୍ତା। ଧର୍ମକୁ ଦେଶପ୍ରେମର ମାନକ ଭାବରେ ବ୍ୟବହାର କରୁଥିବା ଆରଏସଏସ ଓ ବିଜେପି ନିଜ ଅନୁଷ୍ଠାନ ଭିତରେ ଥିବା ଦେଶଦ୍ରୋହୀ ଙ୍କୁ ନେଇ ଏତେ ଚୁପ୍ କାହିଁକି? ସମୀର ଓ୍ବାଙ୍ଖଡେ ଭଳି ଜଣେ ଅପରାଧୀ ଚରିତ୍ରର ଅଧିକାରୀକୁ ହିରୋ କରିଥିବା ସଂଘ ଓ ଗଣମାଧ୍ୟମ ଆଜି ମୁହଁ ଲୁଚେଇ ବୁଲୁଛନ୍ତି କାହିଁକି?

ଏ ପ୍ରସଙ୍ଗରେ ସବୁଠୁ ବଡ଼ ପ୍ରଶ୍ନ ହେଲା, ପାକିସ୍ତାନର ଗୁପ୍ତଚର ଭାବରେ କାମ କରୁଥିବା ଲୋକଙ୍କୁ ଧରିବାରେ ଓଡ଼ିଶା ସରକାରଙ୍କ କ୍ରାଇମବ୍ରାଞ୍ଚ କିମ୍ବା ମହାରାଷ୍ଟ୍ର ସରକାରଙ୍କ ଏଟିଏସ୍ ସଫଳ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅନୁଷ୍ଠାନ ଏନଆଇଏ କରୁଛି କଣ? ଦେଶ ସହିତ ପଇସା ପାଇଁ ହେଉ ବା ହନିଟ୍ରାପ୍ ରେ ପଡ଼ି ଯେଉଁ ମାନେ ବିଶ୍ବାସଘାତକତା କରିଛନ୍ତି, ସେମାନଙ୍କୁ ଧରିବାକୁ ଏନଆଇଏ ସମର୍ଥ ହୋଇନାହିଁ କେମିତି। ପ୍ରଦୀପ କୁରୁଲକର କେବେଠୁ ଦେଶର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇ ଚାଲିଥିବା ବେଳେ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସଂସ୍ଥା ସବୁ ଅଜଣା ଥିଲେ କେମିତି?

ଏଠାରେ ଭାବନ୍ତୁ, ପ୍ରଦୀପ କୁରୁଲକର ର ନାଁ ଯଦି ପ୍ୟାରେ ଖାଁ ହୋଇଥାନ୍ତା ତା'ହେଲେ ଆଜି କ'ଣ ଘଟିଥାନ୍ତା। ଧାର୍ମିକ ରାଷ୍ଟ୍ରବାଦ ନାମରେ ଆଜି ସାରା ଦେଶରେ ଛଳନାର ଏକ ବିଶାଳ ଜାଲ ବିଛେଇ ଦିଆଯାଇଛି। ଧାର୍ମିକ ବିଭାଜନ କରି ଦେଶପ୍ରେମ ନାମରେ ଦେଶଦ୍ରୋହ ଏବଂ ଭ୍ରଷ୍ଟାଚାରର ଏକ ବିଶାଳ ରାକେଟ ଏବେ ଦେଶ ସାରା ମାଡ଼ି ଚାଲିଛି।

ତେବେ ପଚାରନ୍ତୁ ନାହିଁ, ଏ ରାକେଟର ମୁଖ୍ୟ କାର୍ପଟଦାର କିଏ!!