ସରକାରୀ ସଂସ୍କୃତି ଓ ସଂସ୍କୃତିର ସରକାର
government-and-culture-do-they-walk-together
ଓଡ଼ିଶା ବାହାରେ ଆମର ପରିଚୟ ଦୁଇଟି କାରଣକୁ ନେଇ । ପ୍ରଥମ ଆମର ଦାରିଦ୍ର୍ୟ । ସ୍ୱାଧୀନତା ପରେ ଭାରତର ସବୁଠୁ ଦରିଦ୍ରତମ ରାଜ୍ୟଭାବରେ ଆମର କମ୍ ଦୁର୍ନାମ ନାହିଁ । ଅନାହାର ମୃତ୍ୟୁ, ପିଲା ବିକ୍ରି, ହଇଜା ମୃତ୍ୟୁ ପରି ବହୁ ନକାରାତ୍ମକ କାରଣରୁ ଆମ ପରିଚୟ ବେଶ୍ ଚର୍ଚ୍ଚିତ । ଦ୍ୱିତୀୟ କାରଣଟି ଆମର ସଂସ୍କୃତି । ଉତ୍କର୍ଷ କଳାର ଦେଶ ବୋଲି ସାରା ପୃଥିବୀ ଆମକୁ ଚିହ୍ନେ । ଆମର ମନ୍ଦିର ସ୍ଥାପତ୍ୟ, ହସ୍ତକଳା, ଶିଳ୍ପକଳା, ନୃତ୍ୟ ଓ ଅଭିନୟ, ସାହିତ୍ୟ, ସଙ୍ଗୀତ ତଥା ଚିତ୍ରକଳା ପୃଥିବୀର ସବୁବର୍ଗର ଲୋକଙ୍କୁ ଚକିତ କରିଛି । ଚିହ୍ନରା ଗରାଖମାନେ କହନ୍ତି, ଓଡ଼ିଶାର ପ୍ରତ୍ୟେକ ପଥରଖଣ୍ଡ କଥା କୁହନ୍ତି । ପ୍ରକୃତି ଓ ମଣିଷର ଚମତ୍କାର ସୌନ୍ଦର୍ଯ୍ୟ ଆମ ପାଇଁ ଈଶ୍ୱରଙ୍କର ଦାନ । ସେହି ଦାନକୁ ଠିକ୍ ଭାବରେ ଉପଯୋଗ କରିପାରିବାର ଶକ୍ତି ଆମ ପାଖରେ ଆସିଲା ନାହିଁ କାହିଁକି? ଦାରିଦ୍ର୍ୟ ଦୂରୀକରଣ ନାଁରେ ଆମରାଜ୍ୟର ଗଣତାନ୍ତ୍ରିକ ସରକାରମାନେ ୬୦ବର୍ଷ ଧରି କୋଟି କୋଟି ଟଙ୍କା ପାଣିପରି ବୁହାଇ ଚାଲିଛନ୍ତି । ତଥାପି ଏ ରାଜ୍ୟରେ ଗରିବୀ ହଟିଲା ନାହିଁ କିମ୍ବା ଭୋକିଲା ଲୋକଙ୍କ ତାଲିକା ଛୋଟିଆ ହେଲାନାହିଁ । ସେହିପରି କଥା କଥାକେ ଓଡ଼ିଶାକୁ ସଂସ୍କୃତିର ପ୍ରାଣକେନ୍ଦ୍ର ବୋଲି କହୁଥିବା ଆମ ସରକାରୀ ହାକିମମାନେ ଏ ରାଜ୍ୟର ସଂସ୍କୃତିକୁ ଦେବାଳିଆ କରିଚାଲିଛନ୍ତି । ଯେଉଁ ସମୃଦ୍ଧି ସଂସ୍କୃତି ରୂପରେ ଆମପାଖରେ ରହିଥିଲା, ତାକୁ ଦିନୁ ଦିନ ଆମେ ନଷ୍ଟକରି ଚାଲିଛୁ । ସରକାରୀ ପୃଷ୍ଠପୋଷକତାରେ ଗତ ୭୫ବର୍ଷ ଭିତରେ ଗୋଟିଏ ବି ସାଂସ୍କୃତିକ ଅନୁଷ୍ଠାନ ପୂର୍ଣ୍ଣରୂପରେ ବିକଶିତ ହୋଇ ନପାରିବା ଏହି କଥାର ପ୍ରମାଣ ଦିଏ । ଅବଶ୍ୟ ୭୫ବର୍ଷ ଭିତରେ ସଂସ୍କୃତିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଅନେକ ଉତ୍ସବ,ମହୋତ୍ସବ ଆୟୋଜିତ ହୋଇଛି ହେଲେ ସଂସ୍କୃତିର ଅବସ୍ଥା ଯେମିତିକି ସେମିତି । ବରଂ ଅନେକ କିଛି ନଷ୍ଟ ହୋଇସାରିଛି ଇତିମଧ୍ୟରେ ।
ସିଧାସଳଖ କହିବାକୁ ଗଲେ ସରକାରର ଏକମାତ୍ର ସଂସ୍କୃତି ହେଉଛି କ୍ଷମତା । ସେ ଯେଉଁ ଦଳ ବା ବ୍ୟକ୍ତିର ସରକାର ହେଉନା କାହିଁକି ସେମାନେ କ୍ଷମତାକୁ ନିଜର ସଂସ୍କୃତି ଭାବରେ ମର୍ଯ୍ୟାଦା ଦିଅନ୍ତି । ଓଡ଼ିଶାର କଳା ଓ ସଂସ୍କୃତି କଥା ସ୍ଲୋଗାନ ରୂପରେ କାନକୁ ଭଲ ଶୁଭେ ସିନା, କାର୍ଯ୍ୟରେ ତା’ର କାଣିଚାଏ ବି ଦେଖିବାକୁ ମିଳେନାହିଁ । ୭୫ବର୍ଷ ଭିତରେ ଓଡ଼ିଶା ସରକାରଙ୍କର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସମୀକ୍ଷା କଲେ ଜଣାଯାଏ ଯେ, ଏହା ହେଉଛି ଓଡ଼ିଶା ସରକାରଙ୍କର ଛେଉଣ୍ଡ ପୁଅ । ଏହି ବିଭାଗ ପ୍ରତି ଦୟା କଲାପରି କିଛି ଅର୍ଥ ବରାଦ କରାଯାଏ, ଯେଉଁ ଅର୍ଥରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ କିଛି ଯାନିଯାତ୍ରାର ଆୟୋଜନ କରାଯାଏ ଓ ବଳକା ଅର୍ଥକୁ ସରକାରୀ କର୍ମଚାରୀମାନେ ଦରମା ଆକାରରେ ନେଇଯାଆନ୍ତି । ଅବଶ୍ୟ ବାଟମାରଣା, ଭ୍ରଷ୍ଟାଚାର ଓ ଦୁର୍ନୀତିର ଏକ ନିଜସ୍ୱ ଅଂଶ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଓଡ଼ିଶାର ଶିଳ୍ପ, କୃଷି, ବାଣିଜ୍ୟ, ପରିବହନ, ଯୋଗାଯୋଗ, ଖଣି ଇତ୍ୟାଦି ସବୁ ବିଭାଗର ନିର୍ଦ୍ଦିଷ୍ଟ ନୀତି ରହିଛି । କେବଳ ସଂସ୍କୃତି ବିଭାଗର ନିଜସ୍ୱ ନୀତି ନାହିଁ । ସଂସ୍କୃତିର ପରିସୀମା ଓ ପରିଭାଷା ବିଷୟରେ ମଧ୍ୟ ସରକାର ସଚେତନ ନୁହନ୍ତି । ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗରେ ପଚରା ଉଚୁରା କରି ଆମେ ବଡ଼ ହତାଶ ହେଲୁ । ଏକ ନିର୍ଦ୍ଦିଷ୍ଟ ସଂସ୍କୃତି ନୀତି ପ୍ରଣୟନ କରିବା ପାଇଁ ଅବଶ୍ୟ ବିଶେଷ କିଛି ଉଲ୍ଲେଖଯୋଗ୍ୟ କଥାନଥିଲା । ଅମଲାତନ୍ତ୍ରର ଭାଷାରେ ଲେଖାଯାଇଥିବା ଏହି ଚିଠା ପ୍ରସ୍ତାବଟି ରାଜ୍ୟ ସରକାରଙ୍କର ସାହିତ୍ୟ, ସଂସ୍କୃତିପ୍ରେମ ବିଷୟରେ କିଛିଟା ଆଲୋକପାତ କରିଥିଲା ଯାହା । ମନ୍ତ୍ରୀ ବିଦାୟ ନେଲାପରେ ସେହି ଚିଠା ପ୍ରସ୍ତାବ ମଧ୍ୟ ଏବେ ଶୀତଳ ଭଣ୍ଡାରରେ ପଡ଼ିରହିଛି ।
ଏଥିସହ ଆଉ ଗୋଟେକଥା ମନକୁ ଆସୁଛି । ରାଜ୍ୟର ସାଂସ୍କୃତିକ ବ୍ୟାପାର ବୁଝିବାର ଦାୟିତ୍ୱ କାହାର? ସଂସ୍କୃତି ବିଭାଗର ନା ପର୍ଯ୍ୟଟନ ବିଭାଗର? ସରକାରୀ ସ୍ତରରେ ଏହି ଦୁଇଟି ବିଭାଗ ଗୋଟିଏ ହୋଇଥିବା ବେଳେ କାର୍ଯ୍ୟତଃ ଏଥିରେ ଦୁଇଜଣ ମନ୍ତ୍ରୀ ଓ ଦୁଇଜଣ ସଚିବ ରହିଛନ୍ତି । ନିର୍ଦ୍ଦେଶାଳୟ ମଧ୍ୟ ଦୁଇଟି । ସରକାରୀ କାଗଜପତ୍ରରେ କିନ୍ତୁ ଏହା ଗୋଟିଏ ବିଭାଗ । ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଜ୍ୟର ମୁଖ୍ୟ ସାଂସ୍କୃତିକ ବିଭାଗ ଯଥା: ପ୍ରତ୍ନତ୍ତ୍ତ୍ୱ, ସାହିତ୍ୟ, ଚିତ୍ରକଳା, ଲୋକକଳା, ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ, କଳାଶିକ୍ଷା, ଅଭିଲେଖ, ଉତ୍ସବ ଆୟୋଜନ, ଗ୍ରନ୍ଥାଗାର ଇତ୍ୟାଦି କଥା ବୁଝାବୁଝି କରୁଥିବା ବେଳେ ଆଦିବାସୀମାନଙ୍କର ସାଂସ୍କୃତିକ ଜୀବନଚର୍ଯ୍ୟା ପାଇଁ ଏମାନଙ୍କର କୌଣସି ବନ୍ଦୋବସ୍ତ ନାହିଁ । ଏଥିପାଇଁ ରାଜ୍ୟ ସରକାର ଅନ୍ୟ ଏକ ବିଭାଗ ଖଞ୍ଜିଛନ୍ତି । ସତେକି ରାଜ୍ୟର ଆଦିବାସୀ ସଂସ୍କୃତି ଆମ ସଂସ୍କୃତିଠୁ ଅଲଗା । ସିଧାକଥାରେ କହିଲେ, ଆମ ତଥାକଥିତ ମୁଖ୍ୟ ଧାରାର ସଂସ୍କୃତି ସହ ଏମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି ବୋଧହୁଏ ସରକାର ମନେକରୁଛନ୍ତି ।
ଅତି ସରଳ ଓ ସହଜିଆ ଢଙ୍ଗରେ ଓଡ଼ିଶାର ସଂସ୍କୃତି ବିଷୟରେ ଆଲୋଚନା କଲାବେଳେ ଆମ ରାଜନେତା ଓ ହାକିମମାନେ ଓଡ଼ିଶାର ସଂସ୍କୃତିକୁ ଜଗନ୍ନାଥ ସଂସ୍କୃତି ବୋଲି କହିଥାନ୍ତି । ଜଗନ୍ନାଥଙ୍କ ସହ ଜଡ଼ିତ ପରମ୍ପରା ଓ ସାଂସ୍କୃତିକ ବିଭାବମାନଙ୍କୁ ପ୍ରୋତ୍ସାହନ ଦେଲେ ଓଡ଼ିଶୀ ସଂସ୍କୃତି ସମୃଦ୍ଧ ହେବ ବୋଲି ଏମାନଙ୍କର ଧାରଣା । ଏକଥା ଠିକ୍ ଯେ, ଶ୍ରୀଜଗନ୍ନାଥଙ୍କ ସହ ପ୍ରତ୍ୟେକ ଓଡ଼ିଆଙ୍କର ଭାବଗତ ସମ୍ପର୍କ ରହିଛି । ଭିନ୍ନ ଦୃଷ୍ଟିରୁ କିନ୍ତୁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳରେ ନିଜସ୍ୱ ସାଂସ୍କୃତିକ ଓ ପାରମ୍ପରିକ ପରିଚୟ ରହିଛି । ଓଡ଼ିଶାର ଲୋକସଂସ୍କୃତି ତଥା ଆଦିବାସୀ ସଂସ୍କୃତି ଏତେ ବୈଚିତ୍ର୍ୟ ଏବଂ ବିବିଧତାରେ ଭରପୂର ଯେ, ସେ ବିଷୟରେ ଏକ ସ୍ଥୁଳ ଧାରଣା ଦେବା ମଧ୍ୟ ସହଜ ନୁହେଁ । ଓଡ଼ିଶାର ମୁଖ୍ୟ ଅଧିବାସୀମାନଙ୍କ ଜୀବନ ସଂସ୍କୃତିକୁ ଉପେକ୍ଷା କରିବା ସରକାରୀ ଯୋଜନାର ଏକ ଅଂଶବିଶେଷ ।