କେଜରିୱାଲଙ୍କ କାହାଣୀ ଓ ସେଇ ଅପାଠୁଆ ରାଜା

କେଜରିୱାଲଙ୍କ କାହାଣୀ ଓ ସେଇ ଅପାଠୁଆ ରାଜା

ଗୋଟେ ଗାଁରେ ଗୋଟେ ଗରିବ ପିଲା ଥିଲା । ପେଟ ପୋଷିବା ପାଇଁ ସେ ପିଲା ଗାଁ ପାଖ ରେଳ ଷ୍ଟେସନରେ ଚା' ବିକୁଥିଲା । ପିଲାଟି ସ୍କୁଲ ଯିବାକୁ କେବେ ବି ଭଲ ପାଉନଥିଲା । ଚତୁର୍ଥ ଶ୍ରେଣୀ ପଢିଲା ପରେ ପିଲାଟି ସ୍କୁଲର ମୁହଁ ଆଉ ଦେଖିନଥିଲା । ଅପାଠୁଆ ପିଲାଟି ଦିନେ ତା' ମା ପାଖରେ ବସିଥିବା ବେଳେ, ଜଣେ ଜ୍ୟୋତିଷ ଆସି ପହଞ୍ଚିଲେ । ପିଲାଟିକୁ ଦେଖି ସେ କହିଲେ, ଏ ଟୋକା ଦିନେ ରାଜା ହେବ । ସତକୁ ସତ ଟୋକା ଦିନେ ରାଜା ହୋଇଗଲା । ରାଜା ହେଲା ସିନା, ଲୋକେ କହିଲେ ରାଜା ଆମର ଅପାଠୁଆ । ରାଜା ଲୋକଙ୍କ ଟାହିଟାପରା ସହି ନ ପାରି ନିଜ ପାଇଁ ଏମଏ ପାସ୍ କରିଥିବାର ଗୋଟେ ସାର୍ଟିଫିକେଟ ଯୋଗାଡ କଲା । ସେ ସାର୍ଟିଫିକେଟ ମିଛ ବୋଲି ଯିଏ କହିଲା, ରାଜା ତା ଉପରେ ୨୫ହଜାର ଟଙ୍କାର ଜରିମାନା ଲଗାଇଲା ।

ରାଜା ଅପାଠୁଆ ଥିବାରୁ କିଛି ବୁଝୁନଥିଲା କି କିଛି କରୁନଥିଲା । ଅଫିସରମାନେ ଯାହା କହିଲେ ସେଥିରେ ରାଜା ମୁଣ୍ଡ ହଲାଉ ଥିଲା। ଯିଏ ଯାହା କହିଲେ, ରାଜା ସେଇଆ କରୁଥିଲା । କେହି କହିଲା, ଦେଶରେ ବିମୁଦ୍ରାକରଣ କରିଦିଅ । ଅପାଠୁଆ ରାଜା ରାତାରାତି ଦେଶର ସବୁ ଟଙ୍କା ଅଚଳ କରିଦେଲା । ଚାରିଆଡେ ହାହାକାର। ଅପାଠୁଆ ରାଜା ଉପରେ ତାର କିଛି ପ୍ରଭାବ ପଡ଼ିଲା ନାହିଁ । ଅପାଠୁଆ ରାଜା ଅମଳରେ ସବୁ ଜିନିଷର ଦରଦାମ ବଢ଼ିଗଲା । ଅପାଠୁଆ ରାଜା ରାଜ୍ୟର ସବୁ ସମ୍ପତ୍ତି ନିଜର ସାଙ୍ଗକୁ ବିକିଦେଲା । ବ୍ୟାଙ୍କ, ବନ୍ଦର,ବିମାନ ବନ୍ଦର, କୋଇଲା ଖଣି ଇତ୍ୟାଦି ସବୁ କିଛି ନିଜ ସାଙ୍ଗ ନାଁ ରେ ଲେଖିଦେଲା । ଅସଲରେ ସାଙ୍ଗ ନାଁ ରେ ରାଜା ନିଜ ଲୁଟ୍ ସମ୍ପତ୍ତିକୁ ଲୁଚାଇ ରଖୁଥିଲା ।

ସେହି ରାଜ୍ୟରେ ଭିତରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଥିଲା। ସେ ଲୋକଙ୍କୁ ମାଗଣାରେ ପାଣି ଓ ବିଜୁଳି ଦେଉଥିଲା । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ବୁଝୁଥିଲା । ମୁଖ୍ୟମନ୍ତ୍ରୀ ର କାମ ଦେଖି ରାଜା ପ୍ରମାଦ ଗଣିଲା। ମୁଖ୍ୟମନ୍ତ୍ରୀକୁ କାମ କରାଇ ନ ଦେବାକୁ ରାଜା ଷଡ଼ଯନ୍ତ୍ର କଲା । ମୁଖ୍ୟମନ୍ତ୍ରୀ ପଛରେ ରାଜ୍ୟର ପୁଲିସ୍ ଲଗାଇଲା । ରାଜା ପାଗଳ ହୋଇଗଲା ।

ଦିନ ଆସିଲା, ଲୋକେ ସେ ରାଜାକୁ ସିଂହାସନରୁ ଉଠାଇ ଫୋପାଡି ଦେଲେ।

କାହାଣୀ ଏଇଠି ସରିଲା । ଏ କାହାଣୀ କେହି ଲେଖକ ଲେଖିନାହାନ୍ତି। ଏହାର କଥକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଦିନ ସିବିଆଇ ତାଂକୁ ୯ ଘଣ୍ଟା ଜେରା କରିବା ପରେ କେଜ୍ରିୱାଲ ସୋମବାର ଦିଲ୍ଲୀ ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନରେ ଏହି କାହାଣୀ ଟି କହିଥିଲେ । କେଜ୍ରିୱାଲ କହିବା କଥା ହେଲା, ଏ କାହାଣୀର ସାରାଂଶ ହେଉଛି, ଅପାଠୁଆ ରାଜା ହାତରେ ଗୋଟେ ଦେଶ ନଷ୍ଟ ହୋଇଯାଏ।

କେଜ୍ରିୱାଲଙ୍କ କାହାଣୀର ରାଜା ଓ ମୁଖ୍ୟମନ୍ତ୍ରୀ କିଏ, ସେଟା ବୁଝାପଡୁଛି । ନାଁ ନ ନେଲେ ମଧ୍ୟ ବୁଝି ହୋଇଯାଇଛି ଯେ, କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି । କେଜ୍ରିବାଲଙ୍କ କାହାଣୀ କହିବାର ଦକ୍ଷତା ଅନେକ ବଡ ଲେଖକଙ୍କୁ ମଧ୍ୟ ଆଚମ୍ବିତ କରିବ
କେଜ୍ରିୱାଲ ଭଲଭାବରେ ବୁଝି ବିଚାରି ନରେନ୍ଦ୍ର ମୋଦୀଙ୍କ ପାଠ ଉପରେ ପ୍ରଶ୍ନ ପଚାରୁଛନ୍ତି । ସିବିଆଇ ଜରିଆରେ ମୋଦୀ ସରକାର କେଜ୍ରିୱାଲ ସରକାରର ପତନ ଘଟାଇବାକୁ ଚାହୁଁଛି । ମୋଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ କେଜ୍ରିୱାଲ ବାରମ୍ବାର ମୋଦୀଙ୍କ ଅହଙ୍କାର ଉପରେ ପ୍ରଶ୍ନ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଅପାଠୁଆ ବୋଲି ବାରମ୍ବାର କହିବା ଫଳରେ କେଉଁଠି ନା କେଉଁଠି ମୋଦୀଙ୍କର ଅହଂ ଆହତ ହେଉଛି । ଗଣତାନ୍ତ୍ରିକ ଦେଶର ମୁଖ୍ୟ ହୋଇଥିଲେ ମଧ୍ୟ ମୋଦୀ ଯେ ନିଜ ଶିକ୍ଷାଗତ ଯୋଗ୍ୟତା ଦେଖାଇବାକୁ ବିଫଳ, ଏହା ଏକ ସହଜିଆ ବାର୍ତ୍ତା । ଏହା ଲୋକଙ୍କ ମନରେ ଏକ ପ୍ରକାର ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ ‌।

ମୋଦୀ କେଜ୍ରିୱାଲଙ୍କୁ ଯେତେ ଅଡ଼ୁଆରେ ପକାଇବାକୁ ଚାହିଁବେ, ସେତେ ଅଧିକ ଅସୁବିଧାରେ ବିଜେପି ପଡ଼ିବ। ରାହୁଲ ଗାନ୍ଧୀ କିମ୍ବା ମମତା ବାନାର୍ଜୀଙ୍କ ଭଳି ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଆକ୍ରମଣ କରନ୍ତି ନାହିଁ । ବିନା ଉତ୍ତେଜନାରେ କେମିତି ବିରୋଧୀଙ୍କୁ ହସି ହସି ଗାଳି କରାଯାଏ, ସେ କଳାଟି କେଜ୍ରିୱାଲ ଭଲଭାବରେ ଜାଣନ୍ତି । ‌ଗପ କହିବା ବାହାନାରେ ପ୍ରଧାନମନ୍ତ୍ରୀଙ୍କୁ ସେ ଏମିତି ଜାଗାରେ ଚିମୁଟିଛନ୍ତି ଯେ ବିଜେପି ତାଙ୍କ କଥାକୁ ନେଇ କଣ ପ୍ରତିକ୍ରିୟା ପ୍ରକାଶ କରିବ‌ ଵୁଝି ପାରୁ ନାହିଁ।

କେଜ୍ରିୱାଲ ମୋଦି ଏବଂ ବିଜେପିର ଅଜାଗାରେ କାହାଣୀ କହି କହି ଭୟଙ୍କର ଚିମୁଟା ଦେଇଛନ୍ତି ।  ମୋଦୀ ଡାଳେ ଡାଳେ ଗଲେ କେଜ୍ରିୱାଲ ପତ୍ରେ ପତ୍ରେ ଚାଲିଛନ୍ତି