ମଣିପୁର: ଦେଶର ଗୋଟିଏ ଅଂଶର ହତ୍ୟା!

ମଣିପୁର: ଦେଶର ଗୋଟିଏ ଅଂଶର ହତ୍ୟା!

ଟ୍ରେନ୍ ଖଚାଖଚ ଭରିଛି ଯୁଦ୍ଧତ୍ରସ୍ତ ଲୋକଙ୍କ ଭିଡ଼ରେ। ରେଲି°ଠାରୁ ଡବା ଭିତର ଯାଏଁ କେଉଁଠି ବି ଟିକେ ହେଲେ ଜାଗା ନାହିଁ। ତାରି ଭିତରେ ଲାଉତୁମ୍ବାର ପାତ୍ରଟେ କୋଳରେ ଜାକି ଧରି ବସି ରହିଛି ମହିଳାଟିଏ। ହଠାତ୍ ମହିଳା ଜଣଙ୍କ ତା' ପାତ୍ରଟିକୁ ଖୋଲୁଛି ଆଉ ପାଖ ଲୋକଙ୍କୁ ଡାକି ତା' ଭିତର ଦେଖାଉଛି। ଭିତରେ ରହିଛି ଗୋଟେ ଛୋଟ ଝିଅର କଟାମୁଣ୍ଡ। ସ୍ଥିର ଆଖି ଡୋଳା ତା'ର ପାଉଁଶିଆ ପଡ଼ି ଗଲାଣି କେତେବେଳୁ। ମା'ଟି କହୁଛି, "ଜାଣିଛ; ୟା ମୁଣ୍ଡରେ ଏଇ ବେଣୀ କରିବାକୁ ମୋତେ କେତେ ସମୟ ଲାଗିଥିଲା!"

 ଉପରେ ବର୍ଣ୍ଣିତ ଏଇ ଦୃଶ୍ୟଟି ହେଉଛି ୧୯୬୦ ଦଶକରେ ଘଟିତ ନାଇଜେରିଆର ଗୃହ ଯୁଦ୍ଧ, ଯେଉଁଥିରୁ କି ନାଇଜେରିଆ ବିଭାଜିତ ହୋଇ ଏକ ନୂଆ ରାଷ୍ଟ୍ର 'ବାୟଫ୍ରା'ର ସୃଷ୍ଟି ହୋଇଥିଲା, ସେଇ ସମୟର ଦୃଶ୍ୟପଟ୍ଟ ସମ୍ବଳିତ ଏକ ଉପନ୍ୟାସ 'ହାଫ୍ ଅଫ୍ ଏ ୟେଲୋ ସନ୍'ର। ଆଜି ମଣିପୁରର ଚୁରାଚାନ୍ଦପୁର ଅଞ୍ଚଳରେ ବି ଦେଖିବାକୁ ମିଳୁଛି ପ୍ରାୟ ସେମିତି କିଛି ଛାତିଥରା ଦୃଶ୍ୟ। ଏଠାକାର 'ୱାଲ୍ ଅଫ୍ ରିମେମ୍ବରାନ୍ସ'ରେ ଲାଗିଛି ଗତ ଅଢେ଼ଇ ମାସରୁ ଅଧିକ ସମୟ ଧରି ରାଜ୍ୟରେ ଲାଗି ରହିଥିବା ହି°ସାରେ ପ୍ରାଣ ହରାଇଥିବା ବହୁ ସଂଖ୍ୟକ ସ୍ଥାନୀୟ ମୃତକଙ୍କ ଫଟୋ। ଏହା ଭିତରେ ଗୋଟିଏ ୨ମାସ ଛୁଆର ଫଟୋ ବି ରହିଛି। ଆତ୍ମୀୟ ପରିଜନଙ୍କ ସେମାନଙ୍କୁ ମନେ ପକାଇ କାନ୍ଦୁଥିବା ଶବ୍ଦରେ ଫାଟି ପଡୁଛି ସେଇ ସ୍ଥାନ। ଖାଲି କୁକି ବହୁଳ ଏଇ ଅଞ୍ଚଳ ନୁହେଁ, ଇମ୍ଫାଲ ଘାଟିର ସାଇଖମ୍ ସୁବୋଲ(ଏକ ମୈତେୟୀ ଭିଲେଜ୍ ଡିଫେନ୍ସ କମିଟିର ଭଲ୍ୟୁଣ୍ଟର, ଯିଏ କି ଜୁଲାଇ ୧୦ରେ ପ୍ରାଣ ହରାଇଛନ୍ତି)ଙ୍କ ଘର ଆଗରେ ମଧ୍ୟ କେହି ହେଲେ ଦେଖିବ ସେଇ ସମାନ ଦୃଶ୍ୟ। ବାପା ସାଇଖମ୍ ରକେଟ୍ (ଜଣେ ରିଟାୟାର୍ଡ ସେନା ଅଧିକାରୀ)ଙ୍କ ହାତରେ ତାଙ୍କ ପୁଅ ଦେହରେ ଲାଗିଥିବା ଗୁଳିର କିଛି ଅଂଶ। ସେ ଚାହାନ୍ତି ତାଙ୍କ ପୁଅର ମୃତ୍ୟୁ ସମ୍ପର୍କରେ ସଠିକ୍ ରୂପେ ତଦନ୍ତ ହେଉ। ସେମିତି ମା'ଙ୍କ ହାତରେ ବଢିଲା ପୁଅର ଫୁଟବଲ୍ ଜର୍ସି। ଏଯାଏଁ ଆଖିରୁ ଲୁହ ଶୁଖୁନି ସେ ଅଭାଗିନୀ ମା'ର। ୨୮ବର୍ଷୀୟ ସୁବୋଲଙ୍କ ମୃତ୍ୟୁ ପ୍ରତିବାଦରେ ସ୍ଥାନୀୟ ମହିଳା ମାନେ ଇମ୍ଫାଲର ଇମା ବଜାର ନିକଟରେ ରାସ୍ତା ଅବରୋଧ କରି ପ୍ରତିବାଦ ମଧ୍ୟ କରିଥିଲେ। ତେବେ ରାଜ୍ୟର ଉଭୟ ସମ୍ପ୍ରଦାୟ, ସେ କୁକି ହୁଅନ୍ତୁ କି ମୈତେୟୀ, ସମସ୍ତଙ୍କ ମନରେ ଦୁଃଖ, କ୍ରୋଧ ଓ ଅସନ୍ତୋଷର ସମ୍ମିଳିତ ଭାବ। ହିଂସା ନିୟନ୍ତ୍ରଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ। ମଝି ମଝିରେ ପରିସ୍ଥିତି ଟିକିଏ ଶାନ୍ତ ପଡ଼ି ଆସିବା ଭଳି ଲାଗିଲା ବେଳକୁ ପୁଣି କେଉଁଠି ନା କେଉଁଠି ଗୁଳିକାଣ୍ଡ କି ହତ୍ୟା କିମ୍ବା କାହା ଘରେ ନିଆଁ ଲଗାଇ ଦିଆଯିବା ଭଳି ଘଟଣା ହିଂସାକୁ ପୁଣି ତେଜି ଦେଉଛି। ସତେ ଯେମିତି ମଣିପୁରରର ଏ ହିଂସା ରାଜ୍ୟଟିକୁ ପୂରା ଛାରଖାର ନ କଲା ଯାଏଁ ଥମିବନି ବୋଲି ପଣ କରିଛି। ଏ ପର୍ଯ୍ୟନ୍ତ ଏଇ ହି°ସାରେ ୧୪୨ରୁ ଉର୍ଦ୍ଧ ପ୍ରାଣ ହରାଇ ସାରିଥିବା(ଏମାନଙ୍କ ମଧ୍ୟରେ କେତେକ ଯବାନ ମଧ୍ୟ ଅଛନ୍ତି) ବେଳେ ପାଖାପାଖି ୬୦,୦୦୦ -୬୫୦୦୦ ଲୋକ ବାସସ୍ଥାନ ହରାଇ ନିରାଶ୍ରୟ ହୋଇ ପଡ଼ିଛନ୍ତି। ରାଜ୍ୟ ସରକାରଙ୍କ ଅନୁସାରେ ଚଳିତ ହିଂସାରେ ଏ ପର୍ଯ୍ୟନ୍ତ ୫,୦୦୦ରୁ ଅଧିକ ଅଗ୍ନିକାଣ୍ଡ ଘଟିଯାଇଛି(ଘର, ଦୋକାନ ଗୃହ, ଅଫିସ୍ ଓ ଚର୍ଚ୍ଚ ତଥା ମନ୍ଦିର ଇତ୍ୟାଦିରେ ନିଆଁ ଲଗାଇ ନଷ୍ଟ କରାଯିବା)। ତା' ଛଡ଼ା ନିକଟରେ ମଣିପୁର ସରକାରଙ୍କ ପକ୍ଷରୁ

ସୁପ୍ରିମକୋର୍ଟଙ୍କ ନିକଟରେ ଦାୟର କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଏଇ ହିଂସା ସମ୍ପର୍କିତ ୫,୯୯୫ଟି ମାମଲା ଦର୍ଜ କରାଯାଇଥିବା ବେଳେ ମୋଟ ୬,୭୪୫ଜଣଙ୍କୁ ବନ୍ଦୀ କରାଯାଇଛି। ଆଉ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଲୁଟ୍ ହୋଇଛି।

  ମଣିପୁର ହି°ସାରେ ଘରଦ୍ୱାର ହରାଇ ସେଠାକାର ବିଭିନ୍ନ ଅସ୍ଥାୟୀ ଆଶ୍ରୟଗୃହରେ ଆଶ୍ରୟ ନେଇଥିବା ଲୋକ ମାନଙ୍କ ଦୁରବସ୍ଥା ମଧ୍ୟ କମ୍ ନୁହେଁ। ଅଧିକାଂଶ ଆଶ୍ରୟସ୍ଥଳୀରେ ଦିନକୁ ମାତ୍ର ଦୁଇ ବେଳା ଖାଇବାକୁ ମିଳୁଛି। ସେ ବି ଅନେକ ସମୟରେ ଯଥେଷ୍ଟ ମାତ୍ରାରେ ନୁହେଁ। ପରିବା କିମ୍ବା ଆମିଷ ଖାଦ୍ୟ କଥା ଛାଡ଼ ଅଧିକାଂଶ ଦିନ ଖାଲି ଭାତ ଆଉ ଡାଲିରେ କାମ ଚଳାଇବାକୁ ପଡୁଛି। ନା ଯଥେଷ୍ଟ ପରିମାଣର ଖାଇବା ନା ଆବଶ୍ୟକ ମାତ୍ରାରେ ନିଦ। ସ୍ବଳ୍ପ ଖାଇବା ଓ ନିଦ ଅଭାବରୁ ଦିନକୁ ଦିନ ବଢୁଥିବା ଅସୁସ୍ଥତା। ତା' ସାଙ୍ଗକୁ ସଫାସୁତୁରା ଟଏଲେଟର ଅଭାବ(କାରଣ ଏତେ ଲୋକଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୌଚ ଗୃହ ବି ନାହିଁ)। ଫଳରେ କଲେରା ଭଳି କିଛି ସ°କ୍ରାମକ ରୋଗ କାହାଠାରେ ଦେଖା ଦେଲେ ତାହା ତୁରନ୍ତ ବ୍ୟାପି ଯିବାର ଆଶଙ୍କା ରହିଛି। ସମ୍ପୃକ୍ତ ଅନ୍ତେବାସୀଙ୍କ ମଧ୍ୟରେ ଥଣ୍ଡା ଜ୍ବର ଓ ଅନ୍ୟ ବ୍ୟାପୁଥିବା ରୋଗ ଦିନକୁ ଦିନ ବଢିବାର ଆଶଙ୍କା ତ ଅଛି ତା'ଛଡା ଖାଦ୍ୟରେ ଭିଟାମିନ୍ ଅଭାବରୁ ବହୁ ଜଣଙ୍କ ଠାରେ ମାଉଥ୍ ଅଲସର ଭଳି ଅବସ୍ଥା ଦେଖାଯାଉଛି। ଟଙ୍କା ଓ ବାସଗୃହର ଅଭାବ, ଭୁଶୁଡ଼ି ପଡ଼ିଥିବା ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ବ୍ୟବସ୍ଥା ଦିନକୁ ଦିନ ସ୍ଥାନୀୟ ଲୋକମାନଙ୍କୁ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଟାଣି ନେଉଛି।

   ତେବେ ମଣିପୁରରେ ଚଳିତ ବର୍ଷ ମେ' ମାସ ୩ ତାରିଖରୁ ଆରମ୍ଭ ହୋଇଥିବା ଏଇ ହିଂସାର କାରଣ ଖୋଜିବାକୁ ହେଲେ ପ୍ରଥମେ ଏହାର ଭୌଗୋଳିକ ଅବସ୍ଥିତି ତଥା ଇତିହାସ ସମ୍ପର୍କରେ କିଛିଟା ଜାଣିବାକୁ ହେବ। ଦେଶର ସମ୍ପୂର୍ଣ୍ଣ ଉତ୍ତରପୂର୍ବ ଅଞ୍ଚଳରେ ଥିବା ଏଇ ଛୋଟ ରାଜ୍ୟଟିର ସୀମାର ଏକ ବିଶାଳ ଅଂଶ(ପ୍ରାୟ ୩୯୮ କିଲୋମିଟର ଦୀର୍ଘ ଘଞ୍ଚ ଜଙ୍ଗଲପୂର୍ଣ୍ଣ ଅଞ୍ଚଳ) ମ୍ୟାନମାରକୁ ଲାଗି କି ରହିଛି। ଏଇ ରାଜ୍ୟର ମଝାମଝି ରହିଛି ଏକ ଉପତ୍ୟକା, ଯାହା କି ଇମ୍ଫାଲ ଭ୍ୟାଲି ନାମରେ ପରିଚିତ। ଏଇ ଉପତ୍ୟକାର ଆକାର ରାଜ୍ୟର ମୋଟ ଭୂମିର ମାତ୍ର ୧୦ପ୍ରତିଶତ ହୋଇଥିବା ବେଳେ ଏଠାରେ ବାସ କରନ୍ତି ରାଜ୍ୟ ଜନସଂଖ୍ୟାର ପ୍ରାୟ ୫୩% ଲୋକ(ମୈତେୟୀ)। ଅନ୍ୟ ପକ୍ଷରେ ମଣିପୁରର ବାକି ୯୦% ହେଉଛି ପାହାଡ଼ିଆ ଅଞ୍ଚଳ ଓ ଏଠାରେ ଜନସଂଖ୍ୟାର ବାକି ୪୭% ଲୋକେ ବାସ କରିଥାନ୍ତି। ଏଇ ୪୭% ଜନସଂଖ୍ୟା ମଧ୍ୟରେ ଅଛନ୍ତି ପୁଣି ପ୍ରାୟ ୩୩ ପ୍ରକାର ଜନଜାତି। ତେବେ ଏମାନଙ୍କୁ ମୁଖ୍ୟତଃ ଦୁଇଟି ବଡ଼ ଭାଗରେ ବିଭକ୍ତ କରାଯାଇଛି: ନାଗା ଓ କୁକି ବା ଚିନ୍ (ଏମାନଙ୍କ ଭିତରେ ମୁଖ୍ୟତଃ ଅଛନ୍ତି କୁକି ଓ ଜୋମି ଭଳି ସମୁଦାୟ )। ଆଉ କେଉଁଠି ନା କେଉଁଠି ଭୂମି ଓ ଜନସଂଖ୍ୟାର ଏଭଳି ଅସମାନ ବିଭାଜନ ଆଜିର ଏଇ ହିଂସା ପାଇଁ ଦାୟୀ। ତେବେ ଇମ୍ଫାଲ ଭ୍ୟାଲିରେ ଜନସଂଖ୍ୟାର ଘନତ୍ବ ବହୁତ ଅଧିକ ହୋଇଥିବା ସତ୍ତ୍ଵେ ଏଇ ଅଞ୍ଚଳରେ ରାଜ୍ୟର ବାକି ଅଞ୍ଚଳ ଅପେକ୍ଷା ପାନୀୟ ଜଳ, ଉନ୍ନତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା, ଉନ୍ନତ ମାନର ଇନ୍ଧନ ଓ ଗୁଣବତ୍ତା ଦୃଷ୍ଟିରୁ ଉନ୍ନତ-ପୁଷ୍ଟିଯୁକ୍ତ ଖାଦ୍ୟ ଆଦି ସୁବିଧା ଉପଲବ୍ଧ। ଏହା ଛଡ଼ା ଏଠାରେ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନର ସୁଯୋଗ ତଥା ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ୍ ମଧ୍ୟ ପାହାଡ଼ିଆ ଅଞ୍ଚଳ ଅପେକ୍ଷା ଯଥେଷ୍ଟ ଅଧିକ ମାତ୍ରାରେ ଉପଲବ୍ଧ। ଏସବୁ ବ୍ୟତୀତ ଇମ୍ଫାଲ ଉପତ୍ୟକା ଅଞ୍ଚଳର ଭୂମି ଅଧିକ ଉର୍ବର ହୋଇଥିବାରୁ ଏଠାରେ କୃଷି କାର୍ଯ୍ୟ ମଧ୍ୟ ଅଧିକ ହୋଇଥାଏ। ତେଣୁ ସବୁ ଦୃଷ୍ଟିରୁ ବିଚାର କଲେ ଇମ୍ଫାଲ ଭ୍ୟାଲିର ବାସିନ୍ଦା ମାନେ ଆର୍ଥିକ ଦୃଷ୍ଟିରୁ ଅଧିକ ସମ୍ପନ୍ନ। ଏ ଦୃଷ୍ଟିରୁ ଉଭୟ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ଖୁବ୍ ଅଧିକ। ତେଣୁ ଏହା ବି ଏଇ ହିଂସା ପଛର ଏକ କାରଣ। ଏଠାରେ ଆଉ ଗୋଟିଏ କଥା ବି ଆମକୁ ବୁଝିବାକୁ ପଡ଼ିବ। ଇମ୍ଫାଲ ଭ୍ୟାଲିର ୯୦ରୁ ୯୫% ଲୋକ ମୈତେୟୀ ହୋଇଥିବା ବେଳେ ପାହାଡି ଇଲାକାରେ ରହୁଥିବା ୯୦ରୁ ୯୫% ଲୋକ ହେଉଛନ୍ତି କୁକି ସମ୍ପ୍ରଦାୟର। ଅର୍ଥାତ୍ ମୈତେୟୀ ମାନଙ୍କ ନିକଟରେ ସବୁ ପ୍ରକାର ଉତ୍ତମ ସୁବିଧା-ସୁଯୋଗ ଓ ଚାକିରୀ ସୁବିଧା ଉପଲବ୍ଧ। ଖାଲି ଏତିକି ନୁହେଁ, ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ମୈତେୟୀ ମାନେ ଅଧିକ କ୍ଷମତା ସମ୍ପନ୍ନ। ମଣିପୁର ବିଧାନସଭାର ୬୦ଟି ଆସନ ମଧ୍ୟରୁ ୪୦ଟି ମୈତେୟୀ ମାନଙ୍କ ଅଧୀନରେ ଥିବା ଏହାର ପ୍ରମାଣ।

  ତେବେ ମୈତେୟୀ ମାନେ ଏଭଳି କ୍ଷମତାଶାଳୀ ହେବା ପଛରେ ରହିଛି ସେମାନଙ୍କ ଐତିହାସିକ ପୃଷ୍ଠଭୂମି। ହଜାର ହଜାର ବର୍ଷ ପୂର୍ବରୁ ବର୍ତ୍ତମାନର ଉତ୍ତର ମ୍ୟାନମାର ଅଞ୍ଚଳରୁ ଏଇ ସମ୍ପ୍ରଦାୟର ଲୋକେ ମଣିପୁରକୁ ଆସିଥିଲେ। ତା' ପରେ ସେମାନେ ବହୁ ବର୍ଷ ଧରି ଇମ୍ଫାଲ ଉପତ୍ୟକାରେ ଶାସନ କଲେ। ପ୍ରଥମେ ତ ଏଇ ସମ୍ପ୍ରଦାୟର ଲୋକେ ନିଜର ମୂଳ ଧର୍ମ 'ସେନେମାହି'ର ଅନୁଗାମୀ ଥିଲେ। କିନ୍ତୁ ୧୭୩୦ ଦଶକରେ ଯେତେବେଳେ ମୈତେୟୀ ରାଜା ନିଜେ ହିନ୍ଦୁ ଧର୍ମ ଗ୍ରହଣ କଲେ ସେତେବେଳେ ଅନ୍ୟ ମୈତେୟୀ ମାନେ ମଧ୍ୟ ହିନ୍ଦୁ ଧର୍ମ (ମୁଖ୍ୟତଃ ହିନ୍ଦୁ ବୈଷ୍ଣବ) ଗ୍ରହଣ କଲେ। ତେବେ ୧୮୦୦ ଶତାବ୍ଦୀର ଆରମ୍ଭରେ ବର୍ମା ମଣିପୁର ଆକ୍ରମଣ କଲା। ଏହା ପରେ ପରେ ବ୍ରିଟିଶ ମାନେ ମଧ୍ୟ ମଣିପୁର ଆକ୍ରମଣ କଲେ ଓ ରାଜ୍ୟକୁ ନିଜ ଅଧୀନକୁ ନେଇଗଲେ। ୧୯୪୯ ମସିହାରେ ଭାରତ ସରକାରଙ୍କ ସହ ମଣିପୁର ରାଜାଙ୍କ ପକ୍ଷରୁ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମଣିପୁର ଭାରତର ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେଲା। ତେବେ କୁହାଯାଏ, ଏଥିପାଇଁ ରାଜା ସେତେବେଳେ ମଣିପୁର ଲେଜିସଲେଟିଭ୍ କାଉନସିଲ ଠାରୁ ଅନୁମତି ନେଇନଥିଲେ। ଆଉ ମୁଖ୍ୟତଃ ଏଇ କାରଣରୁ ହିଁ ସେଠାରେ ବିଭିନ୍ନ ସମୟରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ମାନ ଦେଖାଗଲା। ତେଣୁ ମଣିପୁର ଭିନ୍ନ ଭିନ୍ନ ସମୟରେ ବହୁ ଛୋଟ ବଡ଼ ସଶସ୍ତ୍ର ଆନ୍ଦୋଳନର ସାମ୍ନା କରିଛି। ଏପରିକି ମଣିପୁରର ନାଗା, କୁକି, ମୈତେୟୀ ଓ ଅନ୍ୟ ବହୁ ଛୋଟ ଛୋଟ ସମ୍ପ୍ରଦାୟ ମଧ୍ୟରେ ଅନେକ ଛୋଟବଡ଼ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଓ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ରହି ଆସିଛି। ଏସବୁ ତଥ୍ୟରୁ ଏତିକି ଅନ୍ତତଃ ସ୍ପଷ୍ଟ ଯେ, ମୈତେୟୀ ସମୁଦାୟ ବହୁ କାଳ ଧରି ଇମ୍ଫାଲ ଭ୍ୟାଲିରେ ଅତ୍ୟନ୍ତ କ୍ଷମତାଶାଳୀ ରହି ଆସିଛନ୍ତି। ତେଣୁ କାଳକ୍ରମେ ସେମାନେ ନିଜ କ୍ଷମତା କ୍ଷେତ୍ର ବୃଦ୍ଧି ପାଇଁ ଅଧିକରୁ ଅଧିକ ଚେଷ୍ଟା କରିବା ସ୍ବାଭାବିକ। ଆଉ ଏଇ ପ୍ରକ୍ରିୟାରେ କୁକି ମାନଙ୍କ ନିକଟରେ ଥିବା ବହୁ ଅଧିକ ମାତ୍ରାରେ ଭୂମି ବା ଭୂ-ସମ୍ପଦ ଉପରେ ମଧ୍ୟ ଧୀରେ ଧୀରେ ନିଜ ଅଧିକାର ଜାହିର କରିବାକୁ ମୈତେୟୀ ମାନେ ଉଦ୍ୟମ କରିଛନ୍ତି। ଏଇ କାରଣରୁ ବହୁ ସମୟରେ ଏଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖା ଦେଇଛି(ଏପରିକି ଦେଶ ସ୍ବାଧୀନତା ପାଇବା ଅନେକ ପୂର୍ବରୁ)। ହେଲେ ସବୁ ପରେ ବି ମଣିପୁରକୁ ପାଖରୁ ଦେଖୁଥିବା ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ପ୍ରାୟ ୬/୭ ବର୍ଷ ଧରି ମଣିପୁର ଶାନ୍ତ ଥିଲା। ନାଗା, କୁକି ଓ ମୈତେୟୀ ମାନଙ୍କ ମଧ୍ୟରେ ସହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବୃଦ୍ଧି ପାଇବା ସହ ରାଜ୍ୟରେ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ଦେଖା ଦେଇଥିଲା।

 ତା' ହେଲେ କ'ଣ ପାଇଁ ପୁଣି ଥରେ ଏ ପ୍ରକାର ଉଗ୍ର ହିଂସାର ଆରମ୍ଭ ହେଲା? ଏଥିପାଇଁ ପର୍ଯ୍ୟବେକ୍ଷକ ମାନେ ଗତ ବର୍ଷ ସେପ୍ଟେମ୍ବରରେ ମଣିପୁର ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେକୁ ଦାୟୀ କରନ୍ତି। କେତେକ ବାହ୍ୟ ଗୋଷ୍ଠୀ ପକ୍ଷରୁ ରାଜ୍ୟର ଜଙ୍ଗଲ ଭୂମିକୁ ବେଆଇନ ଭାବେ ଜବରଦଖଲ କରାଯାଇଥିବା ନେଇ ଖବର ମିଳିବା ପରେ ୨୦୨୨ ସେପ୍ଟେମ୍ବରରେ ରାଜ୍ୟର ସ°ରକ୍ଷିତ ଜଙ୍ଗଲ ଓ ଆର୍ଦ୍ର ଭୂମିକୁ ନେଇ ଏକ ସର୍ଭେ କରାଗଲା। ଉଭୟ ମୈତେୟୀ ଓ କୁକି-ନାଗା ଅଧିକୃତ ଅଞ୍ଚଳରେ କରାଯାଇଥିବା ଏଇ ସର୍ଭେ ସମୟରେ ବହୁ ସଂଖ୍ୟକ ଅତିକ୍ରମଣକାରୀଙ୍କୁ ଉଚ୍ଛେଦ ମଧ୍ୟ କରାଯାଇଥିଲା। ତେବେ ପାର୍ବତ୍ୟ ଅଞ୍ଚଳରେ ଏଇ ପ୍ରକ୍ରିୟା ଚାଲିଥିବା ବେଳେ ଆଦିବାସୀ ମାନେ ଆଶଙ୍କା କରିବାକୁ ଲାଗିଲେ ଯେ, ସରକାର ସେମାନଙ୍କୁ ଜାଣିଶୁଣି ଟାର୍ଗେଟ୍ କରୁଛନ୍ତି। ଅନ୍ୟ ପଟେ ସରକାରଙ୍କ ପକ୍ଷରୁ ଆଶଙ୍କା ଜାହିର କରାଗଲା ଯେ, ମୁଖ୍ୟତଃ ମ୍ୟାନମାର ଅଞ୍ଚଳରୁ ଚାଲିଆସିଥିବା କୁକି ମାନେ ହିଁ (ସରକାରୀ ଅଧିକାରୀଙ୍କ ଅନୁଯାୟୀ ଦେଶର ସୀମା ଆରପଟେ ମଧ୍ୟ ଅନେକ ନାଗା ଓ କୁକି ଗାଁ ରହିଛି), ଯେଉଁ ମାନଙ୍କୁ 'ନିୟୁ କୁକି' ବୋଲି କୁହାଯାଉଛି, ରାଜ୍ୟର ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଅଫିସ ଚାଷ କରୁଛନ୍ତି। ତେଣୁ ଏଇ ବେଆଇନ ଅଫିମ ଚାଷକୁ ରୋକିବା ଉଦ୍ଦେଶ୍ୟରେ ମଧ୍ୟ ସରକାର ଏଇ ପଦକ୍ଷେପ ନେଇଥିବା କୁହାଯାଇଛି। କିନ୍ତୁ ଆଦିବାସୀ ମାନେ ଭାବିଲେ ଯେ, ଏମିତି କରି ସରକାର ସେମାନଙ୍କ ଜମିକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ, ମଣିପୁରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବୀରେନ ସି° ହେଉଛନ୍ତି ମୈତେୟୀ ସମ୍ପ୍ରଦାୟର। ତେଣୁ ରାଜ୍ୟ ସରକାର ମୈତେୟୀଙ୍କ ପ୍ରତି ଅଧିକ ଅନୁକମ୍ପାଶୀଳ ହେବା ନେଇ କୁକି ମାନେ ଆଶଙ୍କା କରିବା ସ୍ବାଭାବିକ। ତା' ଛଡ଼ା ମୈତେୟୀ ମାନଙ୍କ ପକ୍ଷରୁ ସେମାନଙ୍କୁ ଅନୁସୂଚିତ ଜନଜାତିର ଷ୍ଟାଟସ୍ ଦେବା ନେଇ ଦାବି (ଯେହେତୁ ମୈତେୟୀ ମାନଙ୍କର ପାର୍ବତ୍ୟାଞ୍ଚଳର ଆଦିବାସୀ ଭୂମିକୁ କ୍ରୟ କରିବାର ଅଧିକାର ନାହିଁ ଓ କାଳକ୍ରମେ ସେମାନଙ୍କ ପାଇଁ ଇମ୍ଫାଲ୍ ଭ୍ୟାଲିର ସ୍ବଳ୍ପ ଭୂମିରେ ରହିବାରେ ବହୁ ଅସୁବିଧା ହେଉଛି। ତା' ଛଡ଼ା ପାହାଡି ଲୋକେ ମଧ୍ୟ ଆବଶ୍ୟକ ସ୍ଥଳେ ଇମ୍ଫାଲ ଭ୍ୟାଲିରେ ଜାଗା କିଣି ପାରିବେ)

ମଧ୍ୟ କୁକି ମାନଙ୍କ ଏଇ ସନ୍ଦେହକୁ ଆହୁରି ବଢାଇ ଦେଇଥିଲା। ଏଇ ସନ୍ଦେହକୁ ତେଜିବାରେ ମଣିପୁର ହାଇକୋର୍ଟଙ୍କ ଏକ ରାୟର ମଧ୍ୟ ଭୂମିକା ରହିଛି। ଚଳିତ ବର୍ଷର ଏଇ ରାୟରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୈତେୟୀ ମାନଙ୍କ ଏସଟି ଷ୍ଟାଟସ୍ ଦାବି ନେଇ ଆବେଦନକୁ ବିଚାର କରିବା ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟର ବିଜେପି ସରକାର ଓ ଆଦିବାସୀ କୁକିଙ୍କ ମଧ୍ୟରେ ସୃଷ୍ଟ ବିବାଦ କାରଣରୁ ଚଳିତ ବର୍ଷ ଏପ୍ରିଲ୍ ମାସ ୨୭ତାରିଖ ଦିନ କୁକି ବହୁଳ ଚୁରାଚାନ୍ଦପୁର ଅଞ୍ଚଳରେ ଆୟୋଜିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଏକ ସଭାର ଆୟୋଜନ ସ୍ଥଳୀକୁ ନିଆଁ ଲଗାଇ ଦିଆଗଲା। ଏହାର କିଛି ଦିନ ପରେ ମେ' ୩ ତାରିଖ ଦିନ 'ଅଲ୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟସ୍ ୟୁନିୟନ୍, ମଣିପୁର' ପକ୍ଷରୁ ନାଗା ଓ କୁକି ବହୁଳ ଅଞ୍ଚଳରେ ଆୟୋଜିତ ଏକ 'ଟ୍ରାଇବାଲ୍ ସଲିଡାରିଟି ମାର୍ଚ୍ଚ୍' ସମୟରେ ପ୍ରଥମେ ହିଂସା ସୃଷ୍ଟି ହୋଇଥିଲା ଓ ଧୀରେ ଧୀରେ ଏହା ସମ୍ପୂର୍ଣ୍ଣ ରାଜ୍ୟକୁ ବ୍ୟାପି ଯାଇଥିଲା।

  ବର୍ତ୍ତମାନର ହିଂସା ପ୍ରଶମିତ ହେବା ପରେ(କେବେ ହେବ ଜଣା ନାହିଁ ଯଦିଓ) ବି ରାଜ୍ୟକୁ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା କେବେ ବି ସହଜ ହେବନି। କାରଣ ହିଂସାରେ କେବଳ ମଣିପୁରର ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇନି, ରାଜ୍ୟର ଏଇ ଦୁଇ ମୁଖ୍ୟ ସମୁଦାୟର ଲୋକଙ୍କ ମଧ୍ୟରେ ଯୁଗ ଯୁଗର ବିଶ୍ବାସ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇ ଯାଇଛି। ଏବେ କୁକି ମାନେ ନିଜ ପାଇଁ ଏକ ସ୍ବତନ୍ତ୍ର ପ୍ରଶାସନ ନିମନ୍ତେ ଦାବି କରୁଛନ୍ତି(ସେ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେଉ କି ଏକ ଅଲଗା ରାଜ୍ୟ)। କାରଣ ସେମାନଙ୍କ ପ୍ରତି ମଣିପୁର ସରକାର ପାତରଅନ୍ତର ମୂଳକ ରାଜନୀତି କରିଥିବା ସେମାନେ କହୁଛନ୍ତି। ଏବେ ଇମ୍ଫାଲ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି କୁକି ବହୁଳ ଚୁରାଚାନ୍ଦପୁର ଅଞ୍ଚଳ। ଏପରିକି ଏଠାକାର ଲୋକମାନେ ଏକ ଲମ୍ବା ରାସ୍ତା ଅତିକ୍ରମ କରି ମିଜୋରାମର ଆଇଜଲରୁ ପଛେ ଅତ୍ୟାବଶ୍ୟକ ଜିନିଷ ଆଣୁଛନ୍ତି କିନ୍ତୁ ଇମ୍ଫାଲ ଯାଉ ନାହାନ୍ତି। ବହୁ ସଂଖ୍ୟକ ସ୍ଥାନୀୟ ଯୁବକ ଏବେ ହାତରେ ହଥିଆର ଧରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କ ଉପରେ କ୍ଷୋଭକୁ ନେଇ ସେମାନେ ଏବେ ଚୁରାଚାନ୍ଦପୁରର ନାଁ ବଦଳାଇ (ମୈତେୟୀ ରାଜାଙ୍କ ପ୍ରଦତ୍ତ) ତାକୁ 'ଲମକା' ରଖିବାକୁ ଦାବି କରୁଛନ୍ତି। ଏପଟେ ମୈତେୟୀ ସମୁଦାୟର ଲୋକ ମାନେ ମଧ୍ୟ ସବୁବେଳେ କୁକିଙ୍କ ତରଫରୁ ଆକ୍ରମଣ ଆଶଙ୍କାରେ କାଳ କାଟୁଛନ୍ତି। ଅନେକ ଏଇ ହିଂସା ପାଇଁ ରାଜ୍ୟକୁ ବେଆଇନ ଅନୁପ୍ରବେଶ କରୁଥିବା ଲୋକଙ୍କୁ ମୁଖ୍ୟତଃ ଦାୟୀ କରୁଛନ୍ତି। କିନ୍ତୁ ସବୁ ପରେ ଏଇ ହିଂସା ଏତେ ମାତ୍ରାରେ ବୃଦ୍ଧି ପାଇବା ଓ ଏତେ ଦୀର୍ଘ ସମୟ ଧରି ଚାଲିବା ପାଇଁ ଉଭୟ ସମୁଦାୟର ଲୋକେ ଡବଲ ଇଂଜିନ୍ ସରକାର(ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି କ୍ଷମତାରେ ଅଛି)ଙ୍କ ବିଫଳତାକୁ ହିଁ ଦାୟୀ କରିଛନ୍ତି।

   ଏବେ ପୁଣି ମଣିପୁରର ପରିସ୍ଥିତି ଉପରେ ଚୀନ ସଜାଗ ଦୃଷ୍ଟି ରଖିଥିବା ନେଇ ଖବର ଆସୁଛି। ଆଗକୁ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ଏହା ଆଗକୁ ଭାରତ ପାଇଁ ଏକ ଦୁଃସ୍ବପ୍ନରେ ପରିଣତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ବ୍ୟତୀତ ଜୁଲାଇ ୧୯ତାରିଖ ଦିନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓ କ୍ଲିପ୍ ମଧ୍ୟ ପୁଣି ଥରେ ଦେଶର ଲୋକଙ୍କୁ କ୍ଷୁବ୍ଧ ଓ ଲଜ୍ଜିତ କରିଛି। ଏଥିରେ ଦୁଇ ଜଣ ଯୁବତୀଙ୍କୁ ଭିଡ଼ ଭିତରେ ସମ୍ପୂର୍ଣ୍ଣ ଉଲଗ୍ନ କରି ସେମାନଙ୍କ ପ୍ରତି ଅସଦାଚରଣ(ଛାତି ଓ ଗୁପ୍ତାଙ୍ଗରେ ହାତ ଲଗାଇବା) ପ୍ରଦର୍ଶନ କରାଯାଉଥିବା ଦେଖା ଯାଇଛି। ଅବଶ୍ୟ ବହୁ ସମାଲୋଚନା ଓ ନିନ୍ଦା ପରେ ବିଳମ୍ବିତ ରାତିରେ ଏଇ ଭିଡିଓ ନେଇ ଦେଶର ମହିଳା ଓ ବାଳ ବିକାଶ ମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିନ୍ତୁ ଏଇ ଭିଡିଓ କ୍ଲିପ୍ କେବଳ ମଣିପୁରର ନୁହଁ ସାରା ଦେଶର ମହିଳା ମାନଙ୍କୁ ଅସୁରକ୍ଷିତ କରି ତୋଳିଛି। ଆଗକୁ ସତରେ ଯେ କେବେ ଏଇ ରାଜ୍ୟକୂ ଶାନ୍ତି ଫେରିବ, ସେ ନେଇ ଦେଶବାସୀଙ୍କୁ ଆହୁରି ସନ୍ଦିହାନ ମଧ୍ୟ କରି ଦେଇଛି।

  ଜଳି ଯାଇଥିବା ଶହ ଶହ ଘର, ଖାଲି ପଡ଼ିଥିବା ଗାଁ, ଖାଁ ଖାଁ ସହର-ବଜାର, ଜନଶୂନ୍ୟ ରାସ୍ତା ସାଙ୍ଗକୁ ଅନିଶ୍ଚିତ ଭବିଷ୍ୟତ ଓ ଜୀବନକୁ ନେଇ ଆଶଙ୍କିତ ମଣିଷ ମାନେ ଆଜି ମଣିପୁରର ପ୍ରତୀକ ପାଲଟି ଯାଇଛନ୍ତି। ତା' ସାଙ୍ଗକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରିସ୍ଥିତି ନିୟନ୍ତ୍ରଣକୁ ନେଇ ବିଫଳତା ଓ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପରିସ୍ଥିତିକୁ ନେଇ ଅସମ୍ଭବ ଓ ଦୀର୍ଘ ନିରବତା! ମଣିପୁରର ଗତି ତା' ହେଲେ କେଉଁ ଆଡେ!!!