ଇ-ଣ୍ଡି-ଆର ଗଣତନ୍ତ୍ର ବନାମ ଏନଡିଏର ଦରବାର
ଜୁଲାଇ ୧୮, ୨୦୨୩ ଭାରତର ରାଜନୈତିକ ଇତିହାସରେ ଏକ ବିଶେଷ ତାରିଖ ଭାବରେ ସ୍ଥାନ ପାଇବ। ଏହି ଦିନ ବାଙ୍ଗାଲୋର ସହରରେ ଦେଶର ୨୬ଟି ରାଜନୈତିକ ବିରୋଧୀ ଦଳ ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକ ସର୍ବସମ୍ମତ ଏଜେଣ୍ଡା ନେଇ କାମ କରିବାକୁ ଘୋଷଣା କରିଥିଲେ। ବିରୋଧୀ ଦଳ ଏହା ପୂର୍ବରୁ ନିଜକୁ ୟୁନାଇଟେଡ଼ ପ୍ରୋଗ୍ରେସିଭ୍ ଏଲାଏନ୍ସ ବା ୟୁପିଏ ବୋଲି କହୁଥିବା ବେଳେ ବାଙ୍ଗାଲୋରରେ ଏହାର ନାମକରଣ ବଦଳି ଯାଇଛି। ବିରୋଧୀ ମେଣ୍ଟ ନିଜକୁ ଇଣ୍ଡିଆନ୍ ନେସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଏଲାଏନ୍ସ ବା ଇ-ଣ୍ଡି-ଆ ନାମରେ ରୂପାନ୍ତରିତ କରିଛନ୍ତି। ଇ-ଣ୍ଡି-ଆ ନାମକୁ ନେଇ ଶାସକ ବିଜେପି ଦଳ ହଠାତ୍ ପ୍ରତିକ୍ରିୟାଶୀଳ ହୋଇଉଠିଛି ଓ ଆସାମର ବଡକୁହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ନିଜ ଟ୍ବିଟର୍ ପରିଚୟରୁ ଇଣ୍ଡିଆ ନାମ କାଟି ଦେଇଛନ୍ତି। ନାଁ କୁ ନେଇ ବିଜେପି ଭିତରେ ଏତେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଛି ଯେ ଏବେ ବିଜେପି ନେତାମାନେ ସମ୍ବିଧାନ ସ୍ବୀକୃତ ଦେଶର ନାମକରଣକୁ ମଧ୍ୟ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି। ଏହା ବିରୋଧୀ ଦଳ ପାଇଁ ଏକପ୍ରକାର ପ୍ରାଥମିକ ବିଜୟ ବୋଲି କୁହାଯାଇପାରେ।
ଜୁଲାଇ ୧୮ ରେ ନୂଆଦିଲ୍ଲୀରେ ଶାସକ ବିଜେପିର ସହଯୋଗୀ ଭାବରେ ୪୦ରୁ ଅଧିକ ଦଳ ଏନଡିଏ ବା ନାସନାଲ୍ ଡେମୋକ୍ରାଟିକ ଏଲାଏନ୍ସ ର ଛତା ତଳେ ଏକତ୍ରିତ ହୋଇଥିଲେ। ଏହି ବୈଠକରେ ସ୍ବାଭାବିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରବାର ହିଁ ଥିଲା। ମୋଦୀଙ୍କ ସ୍ବାଗତ ଲାଗି ଏଠାରେ ଏନଡିଏର ନେତାମାନେ ଫୁଲ ତୋଡା ଧରି ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଏହି ବୈଠକରେ ମୋଦୀଙ୍କ ଭାଷଣ ଶୁଣି ଲାଗୁଥିଲା ଯେମିତି ସେ ଭୀଷଣ ଭାବରେ ରାଗିଯାଇ ଛନ୍ତି ଓ ତାଙ୍କ ଭିତରେ ଗୋଟେ ଭୟଙ୍କର ହତାଶା ବସା ବାନ୍ଧି ସାରିଛି। ୯ ବର୍ଷ କ୍ଷମତାରେ ରହିବା ପରେ ଆତ୍ମବିଶ୍ବାସ ଅପେକ୍ଷା ହତାଶା ମୋଦୀଙ୍କୁ ବେଶୀ ଆକ୍ରାନ୍ତ କରୁଛି। ଏନଡିଏ ବୈଠକରେ ବିଜେପି ବ୍ୟତୀତ ବାକି ସବୁଦଳ କେବଳ ଲିଲିପୁଟ୍ ସହଯୋଗୀ ଭାବରେ ରହିଥିଲେ।
ଏହାର ଠିକ୍ ଓଲଟା ଚିତ୍ର ଇ-ଣ୍ଡି-ଆ ବୈଠକରେ ରହିଥିଲା। କଂଗ୍ରେସ ଏହି ବୈଠକର ଆୟୋଜକ ହୋଇ ଥିଲେ ହେଁ ବାକି ସବୁ ଦଳ ଏଥିରେ ସମାନ ଗୁରୁତ୍ଵ ପାଇଥିଲେ। ବୈଠକରେ ୧୧ଜଣ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ହେବା ସ୍ବାଭାବିକ। ଇ-ଣ୍ଡି-ଆ ବୈଠକରେ ଗଣତନ୍ତ୍ରର ଏକ ସ୍ବାଭାବିକ ଚେହେରା ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ବୈଠକକୁ ନେଇ ଭାରତୀୟ ଗଣମାଧ୍ୟମର ପ୍ରତିକ୍ରିୟା ମଧ୍ୟ ଆଶାନୁରୂପ ରହିଥିଲା । ଭାରତୀୟ ଗଣମାଧ୍ୟମର ଯେଉଁ ଚାଟୁକାର ଚେହେରା ମାଏ ଦେଖିଛୁ, ସେଥିରେ ଏନଡିଏ ବୈଠକର ଆଦୌ ଜନାଧାର ନଥିବା ଦଳମାନେ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଦେଶର ବୃହତ୍ତମ ବିରୋଧୀଦଳର ମେଣ୍ଟକୁ ପ୍ରଭାବହୀନ ଦେଖାଇବାର ଉଦ୍ୟମ ହୋଇଥିଲା ।
୨୦୨୪ ସାଧାରଣ ନିର୍ବାଚନ ପାଇଁ ଇଣ୍ଡିଆ ବନାମ ଏନଡିଏର ଏହି ନୂଆ ଧାରା ଆଗାମୀ ଦିନରେ ଭାରତର ନୂଆ ରାଜନୈତିକ ଇତିହାସର ଆଧାର ପାଲଟିବ ।