କୃଷକ : କେତେ ସୁଖ ତାହାର!!

କୃଷକ : କେତେ ସୁଖ ତାହାର!!

“ଚାଷକାମ ଯାହାର

କେତେ ସୁଖ ତାହାର।

ସେହି ସିନା ଦୁନିଆକୁ

ଯୋଗାଉଛି ଆହାର।।”

ପିଲାଦିନେ ପାଠବହିରେ ଏଇ କୁନି କବିତାଟି ପଢ଼ି, ତା’ ସହ ଥିବା ହଳଲଙ୍ଗଳ କାନ୍ଧରେ ପକାଇଥିବା ହସହସ କୃଷକର ଛବିକୁ ଦେଖି ପିଲାମନ ମୋର ସେତେବେଳେ ଭାବୁଥିଲା, ସତରେ ଚାଷୀମାନେ ବୋଧେ ବହୁତ ସୁଖୀ ହୋଇଥିବେ(ହୁଏତ ଏତେ କଥା ଭାବି ବି ନଥାଇ ପାରେ ସେତେବେଳେ। ଖାଲି ଗୋଟେ ପିଲାଳିଆ ଧାରଣା ବି ହୋଇଥାଇ ପାରେ)। ଆଜି ବି ମୋ’ ମନରେ ସେ ଧାରଣା ବଳବତ୍ତର ଅଛି। କାରଣ ମନସ୍ତତ୍ତ୍ୱ ଅନୁସାରେ ମଣିଷ ଯେତେବେଳେ କାହାକୁ ସାହାଯ୍ୟ କରେ ଅଥବା କାହାକୁ କିଛି ଦାନ କରେ ସେତେବେଳେ ତା’ ମସ୍ତିଷ୍କରେ ଖୁସି ରଖୁଥିବା ହରମୋନ୍ କ୍ଷରଣ ହୁଏ ଆଉ ସେ ଆନନ୍ଦ ବୋଧ କରେ। ସେଇ ଦୃଷ୍ଟିରୁ ବିଚାର କଲେ କୃଷକ ମାନେ ତ ଚିର ସୁଖୀ ହେବା ସୁନିଶ୍ଚିତ। କାରଣ ସେମାନେ ଶ୍ରମ ଦାନ କରି, ଦିନରାତି ଏକ କରି ଲହୁଲୁହ ଢାଳି ନିଜ କ୍ଷେତରେ ଫସଲ ଉପୁଜାଇ ଥାନ୍ତି ଆଉ ସାରା ଦୁନିଆକୁ ଖାଦ୍ୟ ଯୋଗାଇ ଥାଆନ୍ତି। ସମଗ୍ର ବିଶ୍ବର ଖାଦ୍ୟ ଶୃଙ୍ଖଳାରେ ତେଣୁ ଛୋଟରୁ ଛୋଟ ଜଣେ ଚାଷୀଙ୍କର ନିଶ୍ଚୟ ଅବଦାନ ଥାଏ। ଖାଲି ଖାଦ୍ୟ ନୁହେଁ, ଆମକୁ ବସ୍ତ୍ର ଓ ବାସଗୃହ ଯୋଗାଇବାରେ ମଧ୍ୟ କୃଷକ ମାନଙ୍କ ଅବଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। ତେଣୁ ଆମ ଜୀବନ ପ୍ରବାହରେ ଏତେ ବଡ଼ ଦାତାର ଭୂମିକା ତୁଲାଇଥିବା କୃଷକ ତ ଆନନ୍ଦରେ ବୁଡ଼ି ରହିବା କଥା। ହେଲେ ବାସ୍ତବରେ ସେମିତି ହୁଏ କି? 

  ୨୦୨୩ ଡିସେମ୍ବର ମାସରେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(NCRB) ପକ୍ଷରୁ ପ୍ରକାଶିତ ତଥ୍ୟକୁ ଲକ୍ଷ୍ୟ କଲେ କିନ୍ତୁ ଚାଷୀମାନେ ନିଜକୁ ସୁଖୀ ମଣୁଥିବା ନେଇ ଉପରୋକ୍ତ ଧାରଣାଟିରେ ସତ୍ୟତା ଥିବା ଭଳି ଆଦୌ ମନେ ହୁଏନାହିଁ। NCRBର ତଥ୍ୟ ଅନୁଯାୟୀ ବର୍ଷ ୨୦୨୨ରେ ଆମ ଦେଶରେ କୃଷି ସହ ଜଡ଼ିତ ମୋଟ ପ୍ରାୟ ୧୧,୨୯୦ ଜଣ (୫,୨୦୭ ଜଣ କୃଷକ ଓ ୬,୦୮୩ ଜଣ କୃଷି ଶ୍ରମିକ) ଆତ୍ମହତ୍ୟା କରିଥିଲେ। ୨୦୨୨ରେ ବର୍ଷ ୨୦୨୧ (ସେଇ ବର୍ଷ କୃଷି କାର୍ଯ୍ୟ ସହ ଜଡ଼ିତ ୧୦,୮୮୧ ଜଣ ଆତ୍ମହତ୍ୟା କରିଥିଲେ) ତୁଳନାରେ କୃଷକ ମାନଙ୍କ ଆତ୍ମହତ୍ୟାରେ ୩.୭ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ୨୦୨୦ ତୁଳନାରେ ଏଥିରେ ୫.୭ ପ୍ରତିଶତ ବୃଦ୍ଧି ଘଟିଥିଲା। ଆଉ ୨୦୧୯ (ସେହି ବର୍ଷ ଏଭଳି ୧୦,୨୮୧ଟି ମାମଲା ଘଟିଥିଲା) ପରଠାରୁ ଏଭଳି ଚାଷୀ ଆତ୍ମହତ୍ୟା ମାମଲାରେ କ୍ରମାଗତ ବୃଦ୍ଧି ଘଟୁଥିବା ଦେଖାଯାଉଛି। ଏନସିଆରବିର ଏଇ ତଥ୍ୟ ଅନୁଯାୟୀ, ୨୦୨୨ ବର୍ଷରେ ଆମ ଦେଶରେ ପ୍ରତିଦିନ ଅନ୍ତତଃ ୧୫୪ ଜଣ କୃଷକ ଓ ଦିନ ମଜୁରିଆ ବିଭିନ୍ନ ପାରିବାରିକ ସମସ୍ୟା ତଥା ଅସୁସ୍ଥତା କାରଣରୁ ଆତ୍ମହତ୍ୟା କରିଛନ୍ତି(୨୦୨୧ରେ ଏଇ ସଂଖ୍ୟା ଥିଲା ୧୪୪)। ଅର୍ଥାତ୍ ଏହି ବର୍ଷ ପ୍ରତି ଘଣ୍ଟାରେ ଅନ୍ତତଃ ଜଣେ କୃଷକ ଆତ୍ମହତ୍ୟା କରିଥିଲେ।

   ଯଦି ଆମ ଦେଶର ବିଭିନ୍ନ ରାଜ୍ୟ କଥା ବିଚାରକୁ ନିଆଯାଏ ତେବେ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା ମାମଲା ରହିଥିବା ବେଳେ ଏହା ପଛକୁ ରହିଛି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଛତିଶଗଡ଼, ତେଲେଙ୍ଗାନା ଓ ମଧ୍ୟପ୍ରଦେଶ ଭଳି ରାଜ୍ୟ। State Relief and Rehabilitation ବିଭାଗ ପକ୍ଷରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ବର୍ଷ ୨୦୨୩ରେ ମହାରାଷ୍ଟ୍ରରେ ମୋଟ ୨,୮୫୧ ଜଣ କୃଷକ ଆତ୍ମହତ୍ୟା କରିଥିଲେ। ଆଉ ବିଦର୍ଭ ଅଞ୍ଚଳରେ ଏଭଳି ସର୍ବାଧିକ ମାମଲା ଘଟିଥିଲା। ଏମିତି ଦେଖିଲେ ମହାରାଷ୍ଟ୍ରର ମରାଠୱାଡ଼ା, ଅମରାବତୀ ଓ ୟବତମାଲ ଆଦି ଅଞ୍ଚଳରେ ମଧ୍ୟ କୃଷକ ଆତ୍ମହତ୍ୟା ମାମଲା ବେଶ୍ ଚିନ୍ତାଜନକ ରହିଛି। 

  ତେବେ ଭାରତ ଭଳି ଏକ କୃଷିପ୍ରଧାନ ଦେଶ, ଯାହାର ପ୍ରାୟ ୭୦% ଜନସଂଖ୍ୟା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଚାଷ ସହ ଜଡ଼ିତ, ସେଠାରେ କାହିଁକି ୨୦୧୩ ପରଠାରୁ ପ୍ରତିବର୍ଷ ପ୍ରାୟ ୧୨,୦୦୦ କୃଷକ ଓ କୃଷି ଶ୍ରମିକ ଆତ୍ମହତ୍ୟାର ବାଟ ଆପଣାଉଛନ୍ତି? ସଂସାରର ଅନ୍ନଦାତା ବୋଲାଉଥିବା କୃଷକ ମାନେ କାହିଁକି ଏତେ ହତାଶାଜନକ ସ୍ଥିତିର ଶିକାର ହୁଅନ୍ତି ଯେ, ସେମାନେ ନିଜ ଜୀବନ ହାରିବାକୁ ବି ପଛାନ୍ତି ନାହିଁ? 

  ବିଭିନ୍ନ ଗବେଷଣା ଓ ଅନୁସନ୍ଧାନରୁ କୃଷକ ଆତ୍ମହତ୍ୟାର ଯେଉଁ ମୁଖ୍ୟ କାରଣ ସବୁ ସାମ୍ନାକୁ ଆସିଛି, ସେସବୁ ହେଲା:

କୃଷିଭିତ୍ତିକ ଖର୍ଚ୍ଚ ବୃଦ୍ଧି: ଅଧ୍ୟୟନରୁ ଜଣାପଡିଛି ଯେ, ୨୦୦୫ ତୁଳନାରେ ଏ ଭିତରେ କୃଷି କ୍ଷେତ୍ରରେ ନିୟୋଜିତ ନିବେଶ ତଥା ସାମଗ୍ରୀ ଜନିତ ଖର୍ଚ୍ଚରେ ପ୍ରାୟ ୩ଗୁଣ ବୃଦ୍ଧି ଘଟିଛି। ତେବେ ଏଭଳି ଘଟିବା ପଛରେ ଯେଉଁ କାରଣ ଗୁଡ଼ିକ ରହିଛି ସେସବୁ ହେଲା- ଚାଷ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାରର ସାର, ଫସଲ ରକ୍ଷାକାରୀ ରସାୟନ (crop protection chemical) ଓ ବିହନ ଇତ୍ୟାଦିର ମୂଲ୍ୟ ବୃଦ୍ଧି। ଏହାଛଡ଼ା ହଳ ଓ ଜଳସେଚନ ପାଇଁ ବ୍ୟବହୃତ ଟ୍ରାକ୍ଟର ଓ ସବମର୍ସିବଲ୍ ପମ୍ପ୍ ଭଳି ଅତି ଦାମିକିଆ ଉପକରଣ ଗୁଡ଼ିକର ବହୁଳ ବ୍ୟବହାର ମଧ୍ୟ ଖର୍ଚ୍ଚ ବୃଦ୍ଧିରେ ସହାୟକ ହୋଇଥାଏ। ଏସବୁ ମୂଲ୍ୟବାନ ଉପକରଣ ବ୍ୟବହାର କରିବାରେ ଅକ୍ଷମତା ଯୋଗୁଁ ଅତି ଛୋଟ ଓ ସ୍ବଳ୍ପ ଜମି ଥିବା କୃଷକ ମାନେ ହତାଶ ବୋଧ କରିଥାନ୍ତି। ଖାଲି ସେତିକି ନୁହେଁ, କୃଷି ଶ୍ରମିକ ମାନଙ୍କ ପାଉଣା ଓ ଚାଷରେ ନିୟୋଜିତ ପଶୁ ସମ୍ପଦର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କୃଷିଭିତ୍ତିକ ଖର୍ଚ୍ଚ ବୃଦ୍ଧିରେ ସହାୟକ ହୋଇଥାଏ। 

  ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସବସିଡିରେ ହ୍ରାସ ମଧ୍ୟ ଅନେକ ସମୟରେ ଚାଷୀର ଆୟକୁ ସଙ୍କୁଚିତ କରିବା ସହ କୃଷିଭିତ୍ତିକ ଖର୍ଚ୍ଚ ବୃଦ୍ଧି କରାଇଥାଏ।

  କୃଷିଭିତ୍ତିକ ଖର୍ଚ୍ଚ ବୃଦ୍ଧିର ଏକ କୁପରିଣାମ ହେଲା- ଗ୍ରାମ୍ୟ ଆୟରେ ହ୍ରାସ। ଏପରି ହେବା ଦ୍ବାରା ସ୍ଥାନୀୟ କୃଷକ ମାନେ ବହୁତ କମ୍ ରୋଜଗାର କରିପାରନ୍ତି। ଫଳରେ ସେମାନେ ସହରରେ ଥିବା ବିଭିନ୍ନ ସରକାରୀ ମଣ୍ଡି ଓ ଅନ୍ୟ ଉଦ୍ୟୋଗ ଗୁଡ଼ିକରେ ନିଜ ଉତ୍ପାଦିତ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହୋଇ ପାରନ୍ତି ନାହିଁ। ଏହା ଦ୍ୱାରା ସେମାନେ ନିଜ ପରିଶ୍ରମ ଓ ଫସଲର ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇ ପାରନ୍ତି ନାହିଁ।

ପ୍ରାକୃତିକ ବିପର୍ଯ୍ୟୟ: କୃଷି କ୍ଷେତ୍ରରେ ଉତ୍ତମ ଅମଳ ଅନେକ ସମୟରେ ସମ୍ପୂର୍ଣ୍ଣ ରୂପେ ଉତ୍ତମ ପାଣିପାଗ ଉପରେ ନିର୍ଭରଶୀଳ ହୋଇଥାଏ। ତେବେ ବିଶ୍ଵ ତାପମାତ୍ରାରେ ବୃଦ୍ଧି ଓ ଜଙ୍ଗଲ ହ୍ରାସ ଇତ୍ୟାଦି କାରଣରୁ ପ୍ରାକୃତିକ ବିପର୍ଯ୍ୟୟରେ ଅହେତୁକ ବୃଦ୍ଧି କୃଷି କ୍ଷେତ୍ରକୁ ନକାରାତ୍ମକ ଭାବେ ପ୍ରଭାବିତ କରୁଛି। ଦିନକୁଦିନ ପ୍ରବଳ ବର୍ଷା, ବନ୍ୟା, ଅନିୟମିତ ମୌସୁମୀ, ସ୍ୱଳ୍ପ ବୃଷ୍ଟିପାତ, ମରୁଡ଼ି ଓ ଭୀଷଣ ବାତ୍ୟା ଆଦିର ସଂଖ୍ୟା ବଢୁଥିବାରୁ ଚାଷରେ ଆବଶ୍ୟକ ଅମଳ ହୋଇପାରୁନାହିଁ ଓ ଚାଷୀଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ ଅନେକ ସମୟରେ ଅଗ୍ନି ବିତ୍ପାତ ଭଳି ଦୁର୍ଘଟଣା ମଧ୍ୟ କୃଷକର ଆୟକୁ ପ୍ରଭାବିତ କରିଥାଏ। 

ଶିକ୍ଷାର ଅଭାବ: ଆମ ଦେଶର ବହୁ ସଂଖ୍ୟକ କୃଷକଙ୍କ କ୍ଷେତ୍ରରେ ଉପଯୁକ୍ତ ଶିକ୍ଷାର ଅଭାବ ସେମାନଙ୍କ ବିକାଶ ଦିଗରେ ବାଧକ ସାଜି ଥାଏ। ସାକ୍ଷରତା ଓ ଶିକ୍ଷାର ଅଭାବରେ ସେମାନେ ବହୁ ସମୟରେ ଆବଶ୍ୟକ ହେଉଥିବା ଉପଯୁକ୍ତ ନିଷ୍ପତ୍ତି କିମ୍ବା ସଠିକ୍ ପଦକ୍ଷେପ ନେଇପାରନ୍ତି ନାହିଁ। ଏହା ଦ୍ବାରା ସେମାନେ ପାରମ୍ପରିକ ଓ ରକ୍ଷଣଶୀଳ କୃଷି ପଦ୍ଧତି ଉପରେ ନିର୍ଭରଶୀଳ ହୋଇପଡନ୍ତି ଓ ଆବଶ୍ୟକ ଅମଳ କରିପାରନ୍ତି ନାହିଁ। 

ଅସୁସ୍ଥତା ଓ ପାରିବାରିକ: ସ୍ବଳ୍ପ ଆୟ କାରଣରୁ ଅନେକ ସମୟରେ ଜଣେ କୃଷକ ନିଜ ଶାରୀରିକ ସମସ୍ୟା ପାଇଁ ଉପଯୁକ୍ତ ଚିକିତ୍ସା କରାଇ ପାରନ୍ତି ନାହିଁ ଓ ଦୀର୍ଘକାଳୀନ ଅସୁସ୍ଥତା ଯୋଗୁଁ ହତାଶ ବୋଧ କରିଥାନ୍ତି। ଏହା କ୍ରମେ ତାଙ୍କୁ ଆତ୍ମହତ୍ୟା ପାଇଁ ମଧ୍ୟ ପ୍ରବର୍ତ୍ତାଇ ଥାଏ। ଆୟ ଅଭାବରୁ ପାରିବାରିକ ସମସ୍ୟା ବି ଲାଗିରହେ। ଆଉ ଏହା ପ୍ରକାରାନ୍ତରେ ଅଶାନ୍ତି ତଥା ଜୀବନ ହାନିର କାରଣ ମଧ୍ୟ ହୋଇଥାଏ।

 ତେବେ ଉପୋରକ୍ତ କାରଣ ଗୁଡ଼ିକ ବ୍ୟତୀତ କୃଷକ ଆତ୍ମହତ୍ୟା ମାମଲାରେ ବୃଦ୍ଧି ପାଇଁ ଅନ୍ୟ ଯେଉଁ କାରଣଟିକୁ ମୁଖ୍ୟତଃ ଦାୟୀ କରାଯାଏ ତାହା ହେଲା- 

ବଢୁଥିବା ଋଣଭାର: ବିଶ୍ଳେଷଣରୁ ଜଣା ପଡିଛି ଯେ, ଅନେକ ସମୟରେ କୃଷକ(ମୁଖ୍ୟତଃ ଛୋଟ) ମାନେ ବିଭିନ୍ନ କୃଷି ଉପକରଣ, ସାର ଓ ବିହନ ଆଦି ସାମଗ୍ରୀ କିଣିବା ପାଇଁ ବେସରକାରୀ ଋଣ ପ୍ରଦାନକାରୀଙ୍କ ଠାରୁ ଚଢା ସୁଧରେ ଋଣ ଆଣିଥାନ୍ତି, ଯାହାକୁ ସେମାନେ ବହୁ ସମୟରେ ପରିଶୋଧ କରିବାରେ ଅସମର୍ଥ ହୋଇଥାନ୍ତି। ଫଳରେ ଋଣ ପ୍ରଦାନକାରୀଙ୍କ ଅତ୍ୟାଚାରର ଶିକାର ହୋଇ ସେମାନେ ନିଜ ଜୀବନ ନେବାକୁ ମଧ୍ୟ ପଛାଇ ନଥାନ୍ତି। ଖାଲି ବେସରକାରୀ ନୁହେଁ, ଆର୍ଥିକ ଦୁଃସ୍ଥିତି ଯୋଗୁଁ ବହୁ ସମୟରେ କୃଷକ ମାନେ ସରକାରୀ ଋଣ ମଧ୍ୟ ପରିଶୋଧ କରିପାରନ୍ତି ନାହିଁ। ଆଉ ଋଣ ପରିଶୋଧ ନ କରିପାରି ସେମାନେ ଆତ୍ମହତ୍ୟାର ବାଟ ଆପଣାଇ ଥାନ୍ତି। ଉଦାହରଣ ସ୍ୱରୂପ ଏଇ ତଥ୍ୟକୁ ଲକ୍ଷ୍ୟ କରନ୍ତୁ- ୨୦୧୫-୧୬ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ କମର୍ସିଆଲ୍ ବ୍ୟାଙ୍କରୁ ନିଆଯାଇଥିବା କୃଷି ଋଣର ପରିମାଣ ୧୨ଲକ୍ଷ କୋଟି ଟଙ୍କା ଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇଥିଲା ୧୮.୪ ଲକ୍ଷ କୋଟି ଟଙ୍କାକୁ। ସେହିପରି ଉକ୍ତ ସମୟକାଳ ମଧ୍ୟରେ ଏଭଳି ଋଣ ନେଇଥିବା କୃଷକ ମାନଙ୍କ ସଂଖ୍ୟା ମଧ୍ୟ ୬.୯ କୋଟିରୁ ବଢ଼ି ୧୦କୋଟିରୁ ଅଧିକ ହୋଇଯାଇଥିଲା।

  ତେବେ କ'ଣ କରାଯାଇପାରେ କୃଷି କ୍ଷେତ୍ରରେ ନୈରାଶ୍ୟଜନକ ପରିସ୍ଥିତି ଦୂର କରିବା ପାଇଁ? କ'ଣ ପଦକ୍ଷେପ ନିଆଯାଇପାରେ କୃଷକ ଆତ୍ମହତ୍ୟା ରୋକିବାକୁ? ୧. ପ୍ରକୃତିର ଦୟା ଉପରେ ନିର୍ଭରଶୀଳତା ହ୍ରାସ କରି ଜଳ ସମ୍ପଦର ସୁବିନିଯୋଗ ତଥା ଫସଲହାନି ରୋକିବା ପାଇଁ ବୈଜ୍ଞାନିକ ପଦ୍ଧତିର ଉପଯୋଗ ଦ୍ବାରା ଉତ୍ତମ ଅମଳ ଓ ଏହା ଦ୍ବାରା କୃଷକଙ୍କ ଆୟରେ ବୃଦ୍ଧି ଘଟିପାରେ‌। ୨.ଚାଷରେ ଆର୍ଥିକ ଦୃଷ୍ଟିରୁ ଫଳପ୍ରଦ ଓ ସ୍ବଳ୍ପ ସମୟ ମିଆଦୀ ପଦ୍ଧତିର ଉପଯୋଗକୁ ନେଇ କୃଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ଦ୍ବାରା ଅମଳ ବୃଦ୍ଧି ହୋଇପାରେ। ୩. ସେହିପରି କୃଷକ, ଖାସ୍ କରି ଅତି ଛୋଟ ଓ ସ୍ବଳ୍ପ ଜମି ସମ୍ପନ୍ନ ଚାଷୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଯଥେଷ୍ଟ ଇନଷ୍ଟିଚ୍ୟୁସନାଲ୍ ଫଣ୍ଡି°(ସ°ସ୍ଥାଗତ ବିତ୍ତ ପୋଷଣ)ର ବ୍ୟବସ୍ଥା କରାଯିବା ସହ ଏହାର ଉପଯୁକ୍ତ ମନିଟରି° ମଧ୍ୟ ଆବଶ୍ୟକ, ଯାହା ଦ୍ବାରା ବେସରକାରୀ ଋଣ ପ୍ରଦାନକାରୀଙ୍କ ଉପରେ ଚାଷୀ ମାନଙ୍କ ନିର୍ଭରଶୀଳତା ହ୍ରାସ ପାଇବ ଓ ସେମାନେ ସ୍ବଳ୍ପ ସୁଧରେ ଋଣ ପାଇଁ ପାରିବେ। 

୪. ସରକାରଙ୍କ ତରଫରୁ ଅତି ଛୋଟ ଛୋଟ ଜମି ଥିବା ଚାଷୀମାନଙ୍କ ଚାଷଜମିକୁ ଏକାଠି କରି ବଡ଼ ଚାଷୋପଯୋଗୀ ଜମିରେ ପରିଣତ କରାଯିବା ନେଇ ପଦକ୍ଷେପ ନିଆଯିବା ଆବଶ୍ୟକ। ତା' ଛଡ଼ା ଏଭଳି ଚାଷୀ ମାନଙ୍କୁ ଆୟର ବିକଳ୍ପ ପନ୍ଥାକୁ ନେଇ ପ୍ରଶିକ୍ଷଣ ଓ ପରାମର୍ଶ ଦିଆଯିବା ଉଚିିତ।

୫. ସରକାରଙ୍କ ପକ୍ଷରୁ ଫସଲ ବିବିଧୀକରଣ(crop diversification) ଦିଗରେ କୃଷକ ମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ। ଏହା ଫସଲହାନିର ବିପଦକୁ ହ୍ରାସ କରିଥାଏ। ଏହା ଛଡା ଦୀର୍ଘକାଳୀନ ଭିତ୍ତିରେ କିଭଳି ଫସଲକୁ ସୁରକ୍ଷିତ ରଖିହେବ ସେ ଦିଗରେ ପ୍ରଯୁକ୍ତି କୌଶଳର ବ୍ୟବହାର ଓ ଟ୍ରେନିଂ ତଥା ପାଣିପାଗ ସମ୍ବନ୍ଧୀୟ ସଠିକ୍ ସୂଚନାର ଉପଲବ୍ଧି ମଧ୍ୟ ଚାଷୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହ ସେମାନଙ୍କ ଜୀବନ ହାନି ରୋକିବା ଦିଗରେ ସାହାଯ୍ୟ କରିପାରିବ।

ଏସବୁ ବ୍ୟତୀତ ଚାଷୀ ଆତ୍ମହତ୍ୟା ରୋକିବା ଦିଗରେ ଅନ୍ୟ ଯେଉଁ ଉପାୟଟି ସହାୟକ ହୋଇପାରିବ ତାହା ହେଲା- ୬. କୃଷକ ମାନଙ୍କ ମାନସିକ ସ୍ଵାସ୍ଥ୍ୟ ରକ୍ଷା ଦିଗରେ ପଦକ୍ଷେପ ନିଆଯିବା। ସେମାନଙ୍କ ଶିକ୍ଷାର ବିକାଶ ଓ ଆର୍ଥିକ ବିକାଶ ସହ ସେମାନେ କିଭଳି ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ଦୃଢ଼ତାର ସହ ସାମ୍ନା କରିପାରିବେ ସେଥିପାଇଁ ସେମାନଙ୍କ ନିମନ୍ତେ କାଉନସେଲିଂ ଇତ୍ୟାଦିର ବ୍ୟବସ୍ଥା ରହିବା ଆବଶ୍ୟକ।

 ଯଦିଓ ଭାରତରେ ଚାଷୀ ଆତ୍ମହତ୍ୟା ରୋକିବା ଦିଗରେ ‘ପ୍ରଧାନମନ୍ତ୍ରୀ କୃଷକ ବୀମା ଯୋଜନା’ ଭଳି ଅନେକ ଯୋଜନା ହାତକୁ ନିଆଯାଇଛି ତଥାପି ଏ ଦିଗରେ ଆହୁରି ବ୍ୟାପକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ନିକଟରେ ଖବରକାଗଜରେ ଭାରତ ସମେତ ବିଶ୍ବର ପ୍ରାୟ ୬୫ଟି ଦେଶ(ଏଥିରେ ଏସିଆ ମହାଦେଶର ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ଓ ବା°ଲାଦେଶ ଆଦି ଅନ୍ତର୍ଭୁକ୍ତ)ରେ କୃଷକ ମାନେ ସେମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବର୍ତ୍ତମାନ ସମୟରେ ଆନ୍ଦୋଳନ ଚଳାଇଥିବା ସମ୍ପର୍କିତ ଏକ ଖବର ପ୍ରକାଶିତ ହୋଇଥିଲା। ଏଭଳି କି ୨୦୨୩ ଜାନୁଆରୀରୁ ଦକ୍ଷିଣ ଆମେରିକା ଅନ୍ତର୍ଗତ ୬୭% ଦେଶର କୃଷକ ନିଜର ବିଭିନ୍ନ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଆସୁଥିବା ନେଇ ମଧ୍ୟ ସେଥିରେ ଉଲ୍ଲେଖ ଥିଲା। ତେବେ ସମଗ୍ର ବିଶ୍ୱକୁ ନିଜ ଅକ୍ଳାନ୍ତ ପରିଶ୍ରମର ପ୍ରତିବଦଳରେ ଆହାର ଯୋଗାଉଥିବା ଆମ ଏଇ କୃଷକ ବନ୍ଧୁ ମାନଙ୍କୁ ଜୀବନର ନିରାପତ୍ତା ଯୋଗାଇ ଦେବା କ'ଣ ସମସ୍ତଙ୍କ କର୍ତ୍ତବ୍ୟ

ନୁହେଁ?

ଭୁବନେଶ୍ୱର