ସବୁଦିନ କବିତାର ଦିନ ହେଉ
ଯଦି ଆବେଗର ଉତ୍ତାଳ ଢେଉରେ
ଭାବର ବେଳାଭୂଇଁ
ରାଜହଂସ ପରି ନାଚି
ଡେଣା ଝାଡ଼ି ବିଛାଡି ପକାଏ
ପଲ୍ଲବିତ ଶବ୍ଦର ମୁକୁତା
ତେବେ,
ସବୁଦିନ କବିତାର ଦିନ ହେଉ...
ସବୁଦିନ
ବାୟା ବସାରେ
ତା'ର ତ୍ରସ୍ତ ସଂସାରୀ କଲିଜାକୁ
ନିର୍ଭୟରେ ଛାଡି
କବି ଓହ୍ଲାଉ ଥାଉ
ହନୁ ପରି
ଅଶୋକ ବାଟିକାରୁ ସନ୍ତକକୁ ଧରି।
ସବୁଦିନ କବିତାର ଦିନ ହେଉ।
କବିଟିର ନିଗିଡା ନିଶ୍ୱାସର
ଗଳି ବାଟ ଦେଇ
ଅନ୍ଧ ଭଅଁର ଯେତେ
ପଦ୍ମବନ ମୁହାଁ ହୋଇ ଧାଉଁଥାନ୍ତୁ
ଭରିବାକୁ ଜୀବନର ଚୂନା ଚୂନା ଫୁଲ
ଚରମ ବୈରାଗୀର କମଣ୍ଡଳୁରେ।
ସବୁଦିନ କବିତାର ଦିନ ହେଉ।
ହାତ ପାଆନ୍ତାରେ ନ ହେଲା ନାହିଁ
କବିର ଅତନ୍ଦ୍ର ଚୈତନ୍ୟର
ନିଶୁଣି ଦେଇ
ସବୁଦିନ ମର୍ତ୍ତ୍ୟକୁ ଅବତରୁଥାନ୍ତୁ
ଛତିଶ ପାଟକ ବଳବତୀ ସ୍ୱପ୍ନ
ଭରିବାକୁ ଆଖିଏ ପ୍ରତ୍ୟୟ
ଅବସନ୍ନ ମେଦିନୀ ପାଦରେ।
ସବୁଦିନ କବିତାର ଦିନ ହେଉ।
କଅଁଳା ବାଛୁରୀ ପରି
ନରମ ଖୁରାରେ କୁଦା ମାରି
କବି ଖେଦି ଚାଲିଥାଉ
କେବେ ସ୍ଥାବରରୁ ଜଙ୍ଗମ
ତ କେବେ ପିଣ୍ଡରୁ ବ୍ରହ୍ମାଣ୍ଡ
ପହିଲି ସକାଳର
ବ୍ରହ୍ମକମଳର ପାଖୁଡାରେ
ବୁନ୍ଦେ ଝରା କାକରର ବିସ୍ମୟ ପରି
ଝଟକୁ ଥାଉ ତା'ର କବିତା।
ସବୁଦିନ କବିତାର ଦିନ ହେଉ।।