ଅନେକ ଅନେକ ନିର୍ଭୟା କାହାଣୀ

ଯୁଗେ ଯୁଗେ ଏମିତି ଲେଖା ଚାଲିଥିବ
ଅନେକ ନିର୍ଭୟା କାହାଣୀ!!
ଦୋଷୀର(କିଏ ସେ?) ବିଚାର କରୁଥିବେ
ପୁରୁଷ, ସୁପୁରୁଷ, କାପୁରୁଷ ସଭିଏଁ ମିଶି_
କଟମଟ ଫୁଟିଉଠୁଥିବ କିଛି ରକ୍ତ
କିଛି ସମାଚାରର ହେଡଲାଇନ
ଘୁରି ବୁଲୁଥିବ କିଛି ଖବର ପକ୍ଷୀଭଳି, ପବନ ଭଳି
ଝଡ ପୁଣି ଥମି ଯିବନି ତା ବାଟେ!
ଏ ଅମୃତ କାଳର ପଥେ!
ମୁଁ ଦେଖିନି ମଣିପୁର ଭିଡିଓ ।
ଯେଉଁ କଳାଖଣ୍ଡରେ ଉଭା ହେଲା ମଣିପୁର ଭିଡିଓ-
ଠିକ ସେତିକିବେଳେ,
ମୁଁ ଦେଖୁଥିଲି ଅଶୀତିପର ଜଣେ ବୃଦ୍ଧା ମାର ଆକୁଳ ଚିତ୍କାର
ଓଡ଼ିଶାରେ, ଖବର କାଗଜରେ "ମୋତେ ମାରି ଦେଲାରେ.."
ଗୋଟେ ପୋଲିସ କେସ ଓ କିଛି ଡାକ୍ତରୀ ମାଇନା,
ବାସ ସେତିକିରେ ସରିଗଲା ତ କର୍ତ୍ତବ୍ୟ!
ଆଚ୍ଛା, ଆପଣ ଦେଖିଛନ୍ତି କି?
ତାକୁ ଵିଵସ୍ତ୍ର କଲାବେଳେ
ତାକୁ ବଳାତ୍କାର କଲାବେଳେ
ସେ ମା'(ସେ ବି ନାରୀ!)ର ଲୋଚାକୋଚା ଚମକୁ ବେଢ଼ି ରହିଥିବା
ଅସହାୟତାକୁ, ବିବେକହୀନତାକୁ, କାମାନ୍ଧତାକୁ?
ଯୁଗ ଯୁଗର ଅନ୍ଧାରକୁ, ଅନ୍ଧତ୍ୱକୁ ?
ଏ ଖବର ବିବ୍ରତ କଲା କି ଟିକେ ଆପଣଙ୍କୁ?
ମୁଁ ଦେଖିନି ମଣିପୁର ଭିଡିଓ
ମୁଁ ଶୁଣିନି ଗୋଧ୍ରା, ଲଖିମପୁରଖିରି କି କାଠୁଆ କାହାଣୀ ।
ମହିଳା କୁସ୍ତି ଯୋଦ୍ଧାଙ୍କ ଗୁହାରି ।
ସେଠି ନାହିଁ ମୋର କେହି ଜାୟା, ଦୁହିତା କି ଭଗିନୀ
ହେଲେ ମା? କଣ ମା ବି ନାହିଁ??
କହେ ଅଯୋନୀସମ୍ଭୁତ ମୋୖନୀ
ଚିର ଭୋଗ୍ୟା ଯେ ରମଣୀ!
ଆଇନ ତା ବାଟେ ବାଟେ ଯିବ,
ଧର୍ମ ନିକିତି ତାର ବିଚାର କରିବ..
ଯୁଗେ ଯୁଗେ ଏମିତି ହିଁ ଲେଖା ଚାଲିଥିବ
ଅନେକ ନିର୍ଭୟା କାହାଣୀ!!