ଦାସ ବୋଇଲେ ଜଣେ

ଦାସ ବୋଇଲେ ଜଣେ

ବାହାରିବା ନବାହାରିବା ଭିତରେ
ପହଂଚିଯିବେ ଦାସେ,
ଯା ମୁହଁ ଦେଖିବାକୁ ଫି - ନାକ୍ଷେ
କଥା ଶୁଣିବାକୁ ମିଶା ଦଶ କି କୋଡ଼ିଏ
ଯିଏ ଚାଲିଗଲେ ସୁନା ପଦୁଅଁ
ହସିଦେଲେ ଗଜମୁକୁତା
ସିଏ ଯଦି ଆସି ହାଜର
ଗୋଡ଼ଦି'ଟା ଆଉ ରହିବ କି ମାଟିରେ!
ଓଲଟ ଲାଗିବ କୋଉ ଜନମର ପୁଣ୍ୟରୁ
ତାଂକ ପାଦ ପଡ଼ିଗଲା ସୁଦାମା ଘରେ!!

ଚାହିଁବସିଥିଲି ଯାହାଂକୁ ଦଇବ ପଠେଇଚି ତାହାଂକୁ;
ମଣିଷ ବୋଇଲେ ତ ଜଣେ
ଦେବତା ହୋଇଲେ ଜଣେ
ଯିଏ ଘଣେଇହଉଚି ଦେଶଦଶଂକ ପାଇଁ
ତାଂକୁ ସମୟ ମିଳିବ କାହୁଁ?
କିଏ ମଲା କିଏ ଗଲା ଆଇଲା କିଏ
ସବୁ ହିସାବ ତାଂକ କତିରେ
କା କାମ ସଚିବାଳୟରେ କାର ଜିଲ୍ଲାପାଳ
କୋଉକୋଉ କାର୍ଯ୍ୟାଳୟରେ କାମ କାର
କେମିତି ଧରିବ କାକୁ ଦିଆନିଆ କେତେ କ'ଣ
ସବୁ ନଖଦର୍ପଣରେ ତାଂକର,
ହାତରୁଖାଇ ଘୋଡ଼ାଆଗେ ଡେଇଁ
ଏ କଳିକାଳେ ପ୍ରଥମ ଖୁସିହବା ଲୋକ !
କେମିତି ଜାଣଂତି ସେ ସବୁ ଅସୁବିଧା
ପାଖ କି ଘରଲୋକ ଜାଣିବାଆଗରୁ ?
ଅଂତର୍ଯ୍ଯାମୀ ଅବା! ମୁଁ ବି କାବା!

ସତକହିଲେ କର୍ମ ତାଂକର ଚଂଦ୍ରଉଦିଆ
ମୋର ସିଏ ଗୁରୁଭାଇ ସିନା 
ନଇଲେ ସିଏ ଦାସକୁ ମୁଁ ପ୍ରଧାନ
ସିଏ କାହ୍ନୁକୁ ମୁଁ ଅନୁ,
ମୁଁ କାଦୁଅକୁ ସିଏ ଘୋରା ଚଂଦନ 
ଗଂଠିପଡ଼ିଯାଇଚି ସିନା
ଛାର ମଣିଷ ମୁଁ ସିଏ ସତ ଭଗବାନ!

ସିଏ ମିଳିବା ଭାଗ୍ୟ ନୁହଁ ତ ଆଉକଣ!
ଦି'ପଦ କଥା ହେଇଗଲେ କାନ ପବିତ୍ର,ମନ ଅମୃତ
ତେଣିକି ଯାଉ ଯୁଗେ କି ଯେତେ
କିଏ ପଚାରେ!
କିଏ ବି ଅଛି ଆଉ
ଯା ସ' କଥାହେଇପାରିବ ମନମେଲିଯେ!
ଏଇ ମୁହଁ ଚହାଁଚହିଁ ଆଉ ପଦେଅଧେ ଭାଷା ତ ଜୀବନ !
ବାକିସବୁ ଦେଖାଯୋଖା ପାଣିମିଶା - 
ପଡ଼ିଗଲେ ଉଠେଇବାକୁ ନାଇଁ ଜଣେ
ସେଠି ବୁଝିବ କିଏ କା' କଥା!

ହଉ, ପହିଲେ ପଡ଼ୁ ପାଦ
ବାକି ତାପରେ,
ପାଇଛା ମନ କୁଆଡ଼େ ବୁଲିଯିବ ଯଦି ଗଲା-ପବନ!
ଧନମଣି !
ମଂଜପାଇଚି ଯିଏ ସେ ଜାଣେ ପୀରତି କ'ଣ,
ମିଛକୁ  ନୁହଁମ ମୋ ଆଂଟ!
ଦେଖୁନ, ଆସିବାଆଗରୁ ଝୋଟିଚିତାରେ
କେମିତି ଦିଶୁଚି ତାଂକ ପାଦଚିହ୍ନ!!