ବହି : ଦିନ ଦିନାନ୍ତର
ଏକ
୨୩ ଏପ୍ରିଲ୍ କୁ ବହିଦିନ ହିସାବରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରାଯାଏ । ପ୍ରସିଦ୍ଧ ନାଟ୍ୟକାର ଉଇଲିଅମ ଶେକସପିଅରଙ୍କ ଉଭୟ ଜନ୍ମ ଆଉ ମୃତ୍ୟୁଦିନ ହେଉଛି ଏଇ ୨୩ ଏପ୍ରିଲ୍ । ଏମିତିରେ କହିବାକୁ ଗଲେ ୧୫୬୪ ଖ୍ରୀଅ ଏବଂ ୧୬୧୬ଖ୍ରୀଅ ଉଭୟ ର ଏପ୍ରିଲ ମାସ ୨୩ ତାରିଖ ହେଉଛି ଶେକସପିଅରଙ୍କ ଜୀବନ ନାଟକର ଆରମ୍ଭ ଆଉ ଶେଷ । ତାଙ୍କର ସମ୍ମାନାର୍ଥେ ଏହି ଦିନଟିକୁ ବହି ଦିନ ଆକାରରେ ପାଳନ କରାଯାଇ ଆସୁଛି ।
ବହି ଦିନ ହିସାବରେ ଯେଉଁ ଦିନକୁ ଆମେ ପାଳନ କରୁ ଅର୍ଥାତ୍ ଏପ୍ରିଲ ମାସର ୨୩ ତାରିଖ ହେଉଛି ଏମିତିରେ ଗୋଟିଏ ବଡ ମାରକ ଦିବସ । କେବଳ ଶେକସପିଅର ନୁହଁ ଅନେକ ଉଚ୍ଚମାନର ସାହିତ୍ୟରଥିଙ୍କର ଏଇ ସମାନ ଦିନରେ ଦେହାବସାନ ହୋଇଅଛି ।
ମରଣ ସହିତ ବହିର କେଉଁ ସଂପର୍କ ଅଛି ବୋଲି କଥାଟିକୁ ବୁଝିବାକୁ ଗଲାବେଳେ ଆମ ଆଗକୁ ପ୍ରସିଦ୍ଧ କଥାକାର ହର୍ହେ ଲୁଇସ୍ ବର୍ହେସ ଙ୍କର ଗୋଟିଏ ଉଦ୍ଧୃତି ସ୍ମରଣକୁ ଆସିବ । ବର୍ହେସ୍ କହିଛନ୍ତି,ମଣିଷ ମରିଗଲେ ଗୋଟିଏ ବହି ପାଲଟି ଯାଏ । ମଣିଷ ଆଉ ମରଣକୁ ନେଇ ଏହାଠାରୁ ଭଲ ଆଉ ଗୋଟିଏ ଦ୍ୱିତୀୟ ମନ୍ତବ୍ୟ ହେବନାହିଁ । ମରଣ ପରେ ଆମେ ସତରେ ଗୋଟିଏ ବହି ପାଲଟି ଯାଉ । କାହା କାହାକୁ ବହିରୂପରେ ପୃଥିବୀର ଲୋକେ ନିଜର ଅଧ୍ୟୟନର ପରିସରରେ ସବୁବେଳେ ରଖିବାକୁ ସୁଖ ପାଆନ୍ତି ଆଉ କାହା କାହାକୁ ନିଜ ଘର ବଇଦ ଭଳି ଅସୁବିଧାରେ ପଡିଲେ ଠୁଣୁକାଠୁଣୁକି ପାଇଁ ଲୋଡିଥାଆନ୍ତି । ଅନେକଙ୍କୁ ଏଡାଇ ସିଧା ବାଟ ଭାଙ୍ଗି ଯାଆନ୍ତି । ଶେଷୋକ୍ତ ପାରଲୌକିକ ଭାଗ୍ୟ ସହିତ ଚିରକାଳ ବସବାସ କରିବା ଆମର ଭବିତବ୍ୟ ବୋଲି ଜାଣି ଆମର ସାମାନ୍ୟତମ କ୍ଷୋଭ ନାହିଁ । ତମେ ସତ କହୁଚ ? ନା ,ତମକୁ ଅସ୍ୱୀକାର କରାଯାଉଛି ବୋଲି ଇଏ କ୍ଷୋଭ ତଥା ପ୍ରତିକ୍ରୀୟା ପ୍ରକାଶର ଇଏ ଏକ ଚଟୁଳ ବାଗାଡମ୍ବର ? ଆରେ ବାବୁ,କୌଣସି ବହି ତ ଆଉ ମୁହଁ ଫିଟାଇ କାହାକୁ କହିପାରିବନି,ଭାବ ଅଭାବକୁ ପସରାମେଲି ବସିଛି,ଆସ ! କାହାକୁ ବାଧ୍ୟ କରି କହିପାରିବ ନାହିଁ ଯେ,ମୁଁ ପରା ତମର ସମସ୍ତ ଜଟିଳ ଅବବୋଧର
ବର୍ଣ୍ଣବୋଧ । ତମ ସାମ୍ନାରେ ଏଇ ଯେଉଁ ପୃଥିବୀ ଦିନକୁ ଦିନ ଜଟିଳରୁ ଜଟିଳତର ହୋଇଯାଉଛି ତାହାକୁ ବୁଝିବାକୁ ହେଲେ ତମେ ଆସ, ମୋ ଦେହକୁ ଯେତେ ପାରିବ ଝୁଣି ଖାଅ । ଏମିତି ପାଠଟି କିନ୍ତୁ ହେବ ନାହିଁ । ତମେ ମରଣ ପରେ ଯେଉଁ ଭଳି ବହି ପାଲଟି ଯାଇଛ ସେତେବେଳେ ମୁହଁମାଡି ମଲାଟ ଭିତରେ ତମର କେବଳ ଶୋଇ ରହିବାର କଥା । ଆଉ ଅଧିକ କିଛି ଭାବନା ନଥିବ । ହଁ ,ମରଣ ପରେ ତମେ ଯେଉଁ ବହିରୂପ ନେବ ସେତେବେଳେ ତମର ଗୋଟିଏ କଥା ମନେ ରଖିବା ଉଚିତ । ଯେଉଁ ବହି ଯେତେ ବ୍ୟବହାରରେ ଥାଏ ତାହା ସେତିକି ପୁରୁଣା ସେତିକି ଜୀର୍ଣ୍ଣ ଶୀର୍ଣ୍ଣ । ବ୍ୟବହାର ରେ ରହୁନାହଁ ମାନେ ତମେ ଆଉ ଯାହା ହୁଅନା କାହିଁକି ବହି ଆକାରରେ ତମେ ସବୁବେଳେ ଅରଖ ନୂଆ ।
ନିଜେ ବହି ହିସାବରେ ସବୁବେଳେ ନୂଆ ବା ସେଇଭଳି ଚଇନି ଫିଟ୍ ରହିବାର ଆନନ୍ଦ ଯାହାକୁହ ସବୁବେଳେ ବିଶେଷ,ସବୁବେଳେ ସ୍ୱତନ୍ତ୍ର ।
ଉପସ୍ଥିତ ଲେଖକ ଆକାଶକୁ ବେଳେ ବେଳେ ଚାହିଁଲେ ସଫା ମଲାଟମାନ ଦେଖାଯାଆନ୍ତି । ଆତ୍ମକଥା ଲେଖିବାକୁ ଭାରି ଇଚ୍ଛା ହୁଏ,ଯାହାର ପାଠକ କେବଳ ଜଣେ,ଅର୍ଥାତ୍ ତମେ ନିଜେ ।
୨୩ ଏପ୍ରିଲ କୁ ବହିଦିନ ଆକାର ରେ ପାଳନ କରିବା ଧାରଣା ଶେକସପିଅରଙ୍କ ମରଣ ଦିବସ କୁ ଆଧାରକରି ପ୍ରଥମରୁ ଆରମ୍ଭ ହୋଇ ନଥିଲା । ଏହାର ପରିକଳ୍ପନା କରିଥିଲେ ଜଣେ ସ୍ପେନୀୟ ସାହିତ୍ୟକାର । ତାଙ୍କର ନାଆଁ ହେଉଛି ଭିସେନ୍ତ କ୍ଲାଭେଲ୍ ଆଦ୍ରେସ୍ । ଭିସେନ୍ତଙ୍କ ସାହିତ୍ୟ ଗୁରୁ ଥିଲେ ସ୍ପେନ୍ ର ଆଉଜଣେ ପ୍ରଖ୍ୟାତ ଲେଖକ ମିଡେଲ୍ ଦେ ଥେର୍ଭାନ୍ତେସ୍ । ଥେର୍ଭାନ୍ତେସ୍ ଙ୍କର ବିୟୋଗ ୧୯୧୬ ସାଲ ଏପ୍ରିଲ୍ ମାସ ୨୩ ତାରିଖ ରେ ଘଟେ । ନିଜର ଗୁରୁକୁ ସ୍ମରଣ କରିବା ପାଇଁ ୧୯୨୩ ର ଏପ୍ରିଲ୍ ୨୩ ତାରିଖ ଠାରୁ ଆଦ୍ରେସ୍ ସ୍ପେନ୍ ରେ ବିଶ୍ୱ ବହି ଦିବସ ପାଳନ ର ଆରମ୍ଭ କରନ୍ତି । ଏହି ଭଳି ଗୋଟିଏ ଦିବସ ପାଳନ କରିବା ପଛରେ ଆଦ୍ରେସଙ୍କ ଉଦ୍ଦେଶ୍ୟ ଥିଲା ବହି ପଢିବା ମାଧ୍ୟମରେ ମଣିଷର ଆତ୍ମାର ପରିଶୁଦ୍ଧି,ମୁକ୍ତି,ପାରସ୍ପରିକ ଚିନ୍ତାର ବିନିମୟ,ଜୀବନରେ ଆନନ୍ଦର ପରିପ୍ରକାଶ ତଥା ଜୀବନର ଜଟିଳ ଅବବୋଧକୁ ହୃଦୟଙ୍ଗମ । ୧୯୨୩ ଠାରୁ ପ୍ରତି ଏପ୍ରିଲ୍ ୨୩ ତାରିଖ ଦିନ ବିଶ୍ୱ ବହି ଦିବସ ଆଦ୍ରେସ୍ ଙ୍କ ଏଇଭଳି ପରିକଳ୍ପନା ଅନୁସାରେ ପାଳିତ ହୋଇ ଆସୁଥିଲା । ୧୯୯୫ ସାଲରେ ୟୁନେସ୍କୋ ସେଇ ଏପ୍ରିଲ୍ ୨୩ କୁ ଆନ୍ତର୍ଜାତିକ ପୁସ୍ତକ ଦିବସ ହିସାବରେ ପାଳନ କରିବାକୁ ଘୋଷଣା କରିଥିଲା । ତଦନୁସାରେ ୧୯୯୫ ଠାରୁ ସେହି ଦିନ ପୁସ୍ତକ ଦିବସ ସର୍ବତ୍ର ପାଳନ କରାଯାଉଛି । ୟୁନେସ୍କୋ ର ପୁସ୍ତକ ଦିବସ ପାଳନର ଉଦ୍ଦେଶ୍ୟ ହେଉଛି,ବହି ପଢା,ବହି ଛାପା ଏବଂ ବହିର କପିରାଇଟ ସଂରକ୍ଷଣ ବିଷୟରେ ଅଧିକ ସଚେତନତା ବୃଦ୍ଧି ।
ଆମର କାକତାଳୀୟ ବୋଲି କଥାଟିଏ ଅଛି ଯେଉଁଠି କାର୍ଯ୍ୟ କାରଣ ରହିତ ଗୋଟିଏ କୁଆ କେଉଁଠୁ ଉଡିଆସେ ଆଉ ଠିକ୍ ସେତିକିବେଳକୁ କେଉଁଠି ତାଳଟିଏ ତାଳଗଛର ଉଚ୍ଚ ଡାଳରୁ ଖସିପଡେ । ଆମେ ଉଭୟ ଘଟଣାର ଆକସ୍ମିକତାରେ ଆଶ୍ଚର୍ଯ୍ୟ ହେଉ,ପ୍ରଭାବିତ ହେଉ ମାତ୍ର ଏହି ଘଟଣାର କାରକ ଯଥା କୁଆ ଆଉ ତାଳକୁ ନେଇ କୌଣସି ଭ୍ରୁକୁଞ୍ଚନ କରୁନା ।
ଠିକ୍ ସେମିତି ଏଇ ୨୩ ଏପ୍ରିଲ ତାରିଖରେ ଘଟିଥିବା ଅନେକ ଘଟଣାର ଉଲ୍ଲେଖ କରିବାକୁ ଆଗ୍ରହୀ ହେଉଥିବା ବେଳେ ଆମର ମନେରଖିବାକୁ ହେବ ଯେ, ଏମିତିରେ କହିଲେ ଗୋଟିଏ ଦିନ ବା ଗୋଟିଏ ତାରିଖରେ ପୃଥିବୀସାରା ଅନେକ ଘଟଣା ଘଟିଥାଏ ଆଉ ସେ ଦୃଷ୍ଟି ରୁ ଆମ ଆଗରେ କାକତାଳୀୟତା ଆଉ କ'ଣ ? କାକତାଳୀୟତାକୁ ଖୋଜିବାକୁ ହୁଏ ଆଉ ଆଶ୍ଚର୍ଯ୍ୟର କଥା ଯେ ଏଇ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ଦିନ ଅନେକ ପ୍ରସିଦ୍ଧ ଲେଖକ କବିଙ୍କର ଦେହାବସାନ ଘଟିଅଛି ।
ଶେକସପିଅର ଙ୍କ ଦେହାବସାନ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ଦିନ ସ୍ପେନ୍ ର ଲେଖକ ତଥା ବିଶ୍ୱ ସାହିତ୍ୟ ର ଅନ୍ୟତମ ପ୍ରସିଦ୍ଧ ଲେଖକ ମିଗୁଏଲ୍ ସର୍ଭାଣ୍ଟିସ୍ ଙ୍କର ଦେହାବସାନ ହୋଇଥିଲା । ସର୍ଭାଣ୍ଟିସ୍ ଙ୍କ ଉପନ୍ୟାସ "ଡନ୍ କୁଇହୋତି" (ଯଦିଓ ଏହାର ଶୀର୍ଷକ ଟି ଅନେକ ଦୀର୍ଘ,ଓଡିଆରେ କେହି କେହି ଏହାକୁ "ଡନ୍ କୁସ୍ତି" ବୋଲି କହିଥାନ୍ତି ) ଆମର ବେଶ୍ ପରିଚିତ । ଏବଂ ୧୬୧୬ ଖ୍ରୀଅ ର ଏହି ସମାନ ଦିନରେ ଏଲ୍ ଇନକା ଗାର୍ସିଲାସୋ ଦି ଲା ଭେଗା ବୋଲି ଜଣେ ଐତିହାସିକ ଙ୍କର ପରଲୋକ ଘଟିଥିଲା। ଗାର୍ସିଲାସୋ ଙ୍କ ଲିଖିତ ବୃତ୍ତାନ୍ତ ଫଳରେ ଇଉରୋପୀୟ ଜଗତ ପ୍ରାଚୀନ ଆମେରିକୀୟ ଅଧିବାସୀଙ୍କ ଇତିହାସ ତଥା ସାଂସ୍କୃତିକ ଚଳଣୀ ସଂପର୍କ ରେ ଅବଗତ ହୋଇଥିଲେ । ଏହି ଭଳି ଗୋଟିଏ ପ୍ରାଚୀନ ପରଂପରାକୁ ଲୋକଲୋଚନକୁ ଆଣିଥିବା କାରଣରୁ ଗାର୍ସିଲାସୋଙ୍କୁ ସମ୍ମାନର ସହ ସ୍ମରଣ କରାଯାଏ ।
ଇଂଲଣ୍ଡର ଦକ୍ଷିଣପଶ୍ଚିମରେ ଅବସ୍ଥିତ ୱେଲସ୍ ର ଜଣେ ମେଟାଫିଜିକାଲ୍ କବି ହେନରି ଭନ୍ ଙ୍କର ଏପ୍ରିଲ୍ ମାସର ଏଇ ୨୩ ତାରିଖ ଦିନ ବି ପରଲୋକ ଘଟିଥିଲା । ଏଇଠି ସାଲ ଟି ଥିଲା କିନ୍ତୁ ୧୭୯୫ । ଏଇ ଦିନ ଲୋକାନ୍ତରିତ ହୋଇଥିବା କବିଙ୍କ ତାଲିକା ରେ ଅଛନ୍ତି ୧୭୪୦ ଖ୍ରୀଅ ରେ ଥୋମାସ ଟିକେଲ୍ ,ଯିଏ ସମସାମୟିକ ନାୟକ ମାନଙ୍କୁ ଉପରେ କବିତା ରଚନା କରି ପ୍ରସିଦ୍ଧ ଥିଲେ ।
୧୮୫୦ ସାଲ ର ଏପ୍ରିଲ୍ ୨୩ ରେ ଯେଉଁ କବି ଜଣକ ମୃତ୍ୟୁ ବରଣ କରିଥିଲେ ସେ ଶେକସପିଅର୍ ଆଉ ସର୍ଭାଣ୍ଟିସ୍ ଙ୍କ ଭଳି ଆମର ବେଶ୍ ପରିଚିତ । ଆମର ପିଲାଏ ତାଙ୍କର ପାଠ୍ୟକ୍ରମରେ ଏଇ କବି ଙ୍କୁ ଭେଟିଥାନ୍ତି ଆଉ ସେ ପ୍ରାୟତଃ ଆମର ସ୍ମରଣ ରେ ରହିଥାନ୍ତି । ୨୩ ଏପ୍ରିଲ୍ ୧୮୫୦ ଠାରୁ ଅବର୍ତ୍ତମାନ ହୋଇଯାଇଥିବା ଏହି ପ୍ରସିଦ୍ଧ କବିଙ୍କ ନାଆଁ ହେଉଛି ଉଇଲିଅମ ୱାର୍ଡସୱାର୍ଥ ।
ଶେକସପିଅର ଏବଂ ସର୍ଭାଣ୍ଟିସ ଙ୍କ ଯୋଗସୂତ୍ରକୁ ଆଖି ଆଗରେ ରଖି ୟୁନେସ୍କୋ ଏହି ପ୍ରଖ୍ୟାତ ମାରକ ଦିବସ ଅର୍ଥାତ୍ ୨୩ ଏପ୍ରିଲ୍ କୁ "ଆନ୍ତର୍ଜାତିକ ପୁସ୍ତକ ଦିବସ " ହିସାବରେ ପାଳନ କରିବା ପାଇଁ ଘୋଷଣା କରିଛି ।
ଏଇଠି ଆଉ ଗୋଟିଏ ତଥ୍ୟ ସହ ଏଇ ପ୍ରସିଦ୍ଧ ମାରକ ଦିବସ ର କଥା ସ୍ଥଗିତ ରହିବ ।
ଷ୍ଟ୍ରାଟଫୋର୍ଡ ଅଫ୍ ଏଭନ ରେ ଶେକସପିଅର୍ ୨୩ ଏପ୍ରିଲ୍ ୧୬୧୬ ରେ ଯେତେବେଳେ ମୃତ୍ୟୁ ବରଣ କରିଥିଲେ ଠିକ୍ ସେତେବେଳେ କିନ୍ତୁ ମାଦ୍ରିଦ୍ ରେ ସର୍ଭାଣ୍ଟିସ୍ ଙ୍କର ଅର୍ଥାତ୍ ସେହି ୨୩ ଏପ୍ରିଲ୍ ୧୬୧୬ ରେ ମୃତ୍ୟୁ ଘଟିନଥିଲା ।
ଏହା କେମିତି ସମ୍ଭବ ? ଗୋଟିଏ ତାରିଖ ଗୋଟିଏ ମସିହା ଅଥଚ ଉଭୟ ଶେକସପିଅର୍ ଆଉ ସର୍ଭାଣ୍ଟିସ୍ ଙ୍କ ବିୟୋଗ ଗୋଟିଏ ଦିନରେ ଘଟିନାହିଁ ? ଏହାର ଉତ୍ତର ଅତି ସହଜ ଏଇ ଦୁଇଜଣ ସାହିତ୍ୟ ରଥିଙ୍କର ଶେଷଦିନକୁ ଦୁଇଟି ଭିନ୍ନ ଭିନ୍ନ ପଞ୍ଜିକା ଅନୁସାରେ ଉଲ୍ଲେଖ କରାଯାଇ ଆମ ଆଗରେ ରଖାଯାଇଛି । ସର୍ଭାଣ୍ଟିସ୍ ଙ୍କ ଶେଷଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ପ୍ରାଚୀନ ସମୟରୁ ପ୍ରଚଳିତ ହୋଇ ଆସୁଥିବା ଜୁଲିଆନ କାଲେଣ୍ଡର ଅନୁସାରେ ଲିପିବଦ୍ଧ ହୋଇଅଛି । ମାତ୍ର ଶେକସପିଅର୍ ଙ୍କ ଶେଷ ଦିନ ଅର୍ଥାତ୍ ୨୩ ଏପ୍ରିଲ୍ ୧୬୧୬ ତାରିଖ ଆକାରରେ ଲିପିବଦ୍ଧ ହୋଇ ରହିଥିଲେ ହେଁ ଏହା ବାସ୍ତବରେ ନୂତନ ଏବଂ ସଂସ୍କାର ହୋଇଥିବା ଗ୍ରେଗୋରିଆନ୍ ପଞ୍ଜିକା ଅନୁସାରେ ଉଲ୍ଲେଖ କରାଯାଇଛି । ଗ୍ରେଗୋରିଆନ୍ ପଞ୍ଜିକା ହିସାବରେ ଏପ୍ରିଲ୍ ୨୩ ତାରିଖ ହେଉଛି ପ୍ରାଚୀନ ଜୁଲିଆନ କାଲେଣ୍ଡର ର ଏପ୍ରିଲ୍ ୨୩ ତାରିଖ ତୁଳନାରେ ଦଶଦିନ ପଛୁଆ ।
ଗ୍ରେଗୋରିଆନ୍ କାଲେଣ୍ଡର ପ୍ରଚଳନ ହେଲାବେଳେ ୪ ଅକ୍ଟୋବର ୧୫୮୨ ର ପରଦିନ ଅର୍ଥାତ୍ ଯାହା ଅସଲରେ ହେବା କଥା ୫ ଅକ୍ଟୋବର ୧୫୮୨ ସେଦିନ ଏହି ନୂଆ କାଲେଣ୍ଡର ଅନୁସାରେ ସମସ୍ତେ ଗ୍ରହଣ କରିନେଇଥିଲେ ଯେ ସେଦିନ ହେଉଛି ୧୫ ଅକ୍ଟୋବର ୧୫୮୨।
ଶେକସପିଅର୍ ଏବଂ ସର୍ଭାଣ୍ଟିସ୍ ଙ୍କ ଶେଷ ଦିନ ର ସମାନ ତାରିଖ ଭିତରେ ଏହିଭଳି ଦଶଦିନ ଗୁପ୍ତ ରହି ଯାଇଛି। ଶେକସପିଅର୍ ପାଇଁ ୨୩ ଏପ୍ରିଲ ତାରିଖଟି ଆସିବା ପାଇଁ ସର୍ଭାଣ୍ଟିସ୍ ଙ୍କ ୨୩ ଏପ୍ରିଲ ତୁଳନାରେ ଦଶଦିନ ଅଧିକ ସମୟ ନେଇଛି ।
ଦୁଇ
ବହି ସଂପର୍କରେ ଗୋଟିଏ ସୁନ୍ଦର କଥା କହିଛନ୍ତି ପ୍ରସିଦ୍ଧ ଜର୍ମାନୀ ମହାକବି ଗେଟେ।
ତାଙ୍କ ଅନୁସାରେ : ବହି ପରେ ଆଉ ଗୋଟିଏ ବହି ,ଏମିତି ସମସ୍ତ ବହି ଆମକୁ ପ୍ରଦାନ କରାଯାଇଛି ,ଏଇଥିପାଇଁ ଯେ ଆମେ ଏହାର ଅଭ୍ୟନ୍ତରକୁ ପ୍ରବେଶ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା। ଏହା ହେଉଛି ଆମର ଦ୍ୱିତୀୟ ପୃଥିବୀ। ଏହା ଭିତରେ ଆମେ ନିଜକୁ ହଜାଇଦେବା,ଆଲୋକିତ ହେବା ଆଉ ଶେଷରେ ନିଖୁଣ ଏବଂ ସର୍ବୋତ୍ତମ ପାଲଟିଯିବା।
ମହାକବି ଗେଟେ ଆମପାଇଁ ସର୍ବୋତ୍ତମ ବା ପରଫେକ୍ସନ ର ଯେଉଁ ମାର୍ଗଟିର କଥା ବଖାଣ କହିଛନ୍ତି ତାହା ଏକ ଦ୍ୱିତୀୟ ବିଶ୍ୱରେ ଆତ୍ମଲୀନତାର ପ୍ରସଂଗ ଆଉ ଆମର ସେହି ଦ୍ୱିତୀୟ ବିଶ୍ୱଟି ହେଉଛି ବହି।
ଇଂରେଜୀରେ ବହିକୁ ବୁକ୍ ବୋଲି କୁହାଯାଏ ଆଉ ସେହି ବୁକ୍ ଶବ୍ଦଟି ପ୍ରାଚୀନ ଇଂରେଜୀ "ବକ୍ ବା boc "ରୁ ଆସିଅଛି। "ବକ୍" ର ଅର୍ଥ ହେଉଛି ଦଲିଲ୍ ଏବଂ ସନନ୍ଦ। ତେଣୁ ବହିର ପ୍ରାକ୍ କାଳରେ ତାହାର ଯେଉଁ ସ୍ୱରୂପର ପରିକଳ୍ପନା କରାଯାଇଥିଲା ସେଥିରେ ପ୍ରାମାଣିକ ତଥ୍ୟଭିତ୍ତିକ ବିବରଣୀମୂଳକ କୌଣସି ଉପସ୍ଥାପନା ଅର୍ଥାତ୍ ଦଲିଲ୍ ଏବଂ ତାହା ଆମର ଅଧିକାର ପତ୍ର ବା ସନନ୍ଦ ବୋଲି ବିବେଚନା କରାଯାଇଥିଲା। ତେଣୁ ସେ ଦୃଷ୍ଟିରୁ ଦେଖିଲେ ଏବଂ ତାହା ସହିତ ଗେଟେଙ୍କ ଉଦ୍ଧୃତିକୁ ଯୋଡି ଉଭୟକୁ ଏକାଠି ପଢିଲେ ଆମେ ବହିର ଯେଉଁ ସଂଜ୍ଞା ରେ ଉପନୀତ ହେବା ତାହା ହେଉଛି ,ବହି ଆମର ଦ୍ୱିତୀୟ ବିଶ୍ୱ ( ଦ୍ୱିତୀୟ ବିଶ୍ୱ କହିଲେ ଏହା ସଚରାଚର ବିକଳ୍ପ ବିଶ୍ୱକୁ ହିଁ ପରିଭାଷିତ କରିଥାଏ) ଯେଉଁଠି ଆମକୁ ସମସ୍ତ ପ୍ରାମାଣିକତାର ବିବରଣୀ କୁ ତଥ୍ୟପରକ ଭାବରେ ଆମର ଆଗରେ ରଖାଯାଇଛି ଏବଂ ଏହି ବିବେଚନ ହିଁ ହେଉଛି ଆମର ସହଜାତ ଅଧିକାର।
ତେଣୁ ଗୋଟିଏ ବାକ୍ୟରେ କହିଲେ ,ଉପରେ ଯାହା କୁହାଯାଇଛି ତାହାର ସେଇ ସଂକ୍ଷିପ୍ତତମ ପୁନରାବୃତ୍ତି , ବହି ହେଉଛି ଆମ ଜୀବନର ଦଲିଲ୍ ଏବଂ ସନନ୍ଦପତ୍ର।
ବହିର ପ୍ରଥମପର୍ବ ଅର୍ଥାତ୍ ଲେଖନ କର୍ମଟି ସର୍ବପ୍ରଥମେ ପୃଥିବୀର ଆଦ୍ୟ ସଭ୍ୟତା ସୁମେରୀୟ ସଭ୍ୟତାରେ ବିକଶିତ ହୋଇଥିଲା ଆଜକୁ ପ୍ରାୟ ପାଞ୍ଚହଜାର ବର୍ଷ ପୂର୍ବେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୩୦୦୦ ରେ । ମେସୋପୋଟାମିଆର ଦକ୍ଷିଣରେ ସେହି ସମୟରେ କାଦୁଆ ପଟା ବା କ୍ଲେ ଟାବଲେଟ୍ ରେ ଷ୍ଟାଇଲସ୍ ବୋଲି କଂଟାରେ ଲେଖିବା କାମ କରାଯାଉଥିଲା। ଅନ୍ୟ ପକ୍ଷରେ ସେଇ ଲେଖନ କର୍ମ ଚାଇନାରେ କାଠ ଅଥବା ବାଉଁଶପତ୍ରରେ ଏବଂ ଇଜିପଟ୍ ଆଉ ଗ୍ରୀସ୍ ରେ ପାପିରସ୍ ପତ୍ର ଉପରେ ସମ୍ପାଦନ କରାଯାଉଥିଲା।
ଏଇଠି ଆମର ମନେ ରଖିବାକୁ ହେବ ଯେ,ଆଦ୍ୟଯୁଗର ଏଇ ଲେଖନ କର୍ମ ଯଥେଷ୍ଟ ଆୟାସସାଧ୍ୟ ଥିଲା। ତେଣୁ ଏହିଭଳି ଲେଖନକର୍ମରେ ଯେଉଁମାନେ କୁଶଳୀ ଥିଲେ ସେମାନେ ଯେ ନିଜେ ନିଜର ଲେଖନବସ୍ତୁକୁ ପ୍ରସ୍ତୁତ କରୁଥିଲେ ସେକଥା ନୁହଁ। ଲେଖନକର୍ମର ପ୍ରଯୁକ୍ତିଗତ କଠିନତା ଏବଂ ଲେଖକର ସହଜାତ ସ୍ୱାଭାବିକତା ଏକାଠି ସମତାଳରେ ଗତି କରିବା ସମ୍ଭବନୁହଁ। ଫଳରେ ଆଦ୍ୟଯୁଗରେ ଲେଖନକର୍ମୀ ଏବଂ ଲେଖକ ଏଇଭଳି ଦୁଇଟି ଭିନ୍ନ ସ୍ୱତନ୍ତ୍ର ପ୍ରଜାତିର ଉପସ୍ଥିତି ରହିଥିବାରୁ (ମୁଁ ଲେଖକ ମୋତେ ଟାଇପ୍ ଜଣା ନାହିଁ ଆଉ ମୋ ଲେଖାକୁ ଯିଏ ଟାଇପ୍ କରେ ସେ କେବଳ ଟାଇପ୍ ଜାଣେ ,ଲେଖକ ନୁହଁ,ଏଇ ଭଳି କଥା)ସେସମୟର ସମସ୍ତ ଲେଖା ରେ ଲେଖକ ଅଜ୍ଞାତ ରହିଅଛି ।
ଲେଖନ କର୍ମ ଏବଂ ଲେଖକ ଭିତରେ ଯେଉଁ ପ୍ରଯୁକ୍ତିଗତ ବାଧକଟି ରହିଥିଲା ତାହାକୁ ପ୍ରତିହତ କରିବାର ପ୍ରଚେଷ୍ଟା ଚାଇନାରେ ହୋଇଥିଲା। ଚୈନିକ ମାନଙ୍କର ଖ୍ରୀଷ୍ଟ୍ରୀୟ ପ୍ରଥମ ଶତାବ୍ଦୀରେ କାଗଜ ଆଉ କାଳି ର ଉଦ୍ଭାବନ ବିଶ୍ୱ ଲେଖନ ଇତିହାସରେ ଏକ ଯୁଗାନ୍ତକାରୀ ତଥା ବୈପ୍ଳବିକ ସଂଯୋଜନ। ଏହା ପରଠାରୁ ଲେଖନ କର୍ମ ଆଉ ଲେଖନକର୍ମୀ ଭଳି ସ୍ୱତନ୍ତ୍ର କୁଶଳୀବର୍ଗ ହାତରେ ରହିଲା ନାହିଁ । ଲେଖନକର୍ମ ସହଜ ଏବଂ ଗଣତାନ୍ତ୍ରୀକ ହେବାକୁ ଆରମ୍ଭ କଲା। ଲେଖକ ଆଉ ଲେଖନ ମଝିରେ ଯେଉଁ ଲେଖନକର୍ମୀ ବର୍ଗ ନିଜକୁ ସାବ୍ୟସ୍ତ କରୁଥିଲେ ସେମାନେ କ୍ରମଶଃ ଅନ୍ତର୍ହିତ ହେବାକୁ ଲାଗିଲେ।
ଆଗରୁ ଉଲ୍ଲେଖ କରାଯାଇଛି ଯେ ଚାଇନାରେ ଲେଖନ କର୍ମରେ କାଠ ଆଉ ବାଉଁଶପତ୍ର ର ବ୍ୟବହାର ହେଉଥିଲା। ଖ୍ରୀଷ୍ଟାବ୍ଦ ୧୦୫ ରେ ସେଠାରେ କାଗଜ ଓ କାଳି ଉଦ୍ଭାବନ ହେବାପରେ କାଗଜରେ ଲେଖିବା କାମଟି କେମିତି ସହଜ ହେବ ସେଇଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିଲେ। ସେଇଥିପାଇଁ ଏହାର ଦୁଇ ଶତାବ୍ଦୀ ପରେ ସେମାନେ କାଠରେ ଖୋଦେଇ ଚିତ୍ର ବା ଆମେ ଯାହାକୁ "ଉଡ୍-କଟ୍" ବୋଲି କହୁ ତାହାକୁ ଛାଞ୍ଛ ଆକାରରେ କାଳିରେ ମଡାଇ କାଗଜ ଉପରେ ଛାପିବା ଭଳି କାମ ଆରମ୍ଭ କରିଥିଲେ ।
କାଗଜ,କାଳି ଆଉ କାଠଖୋଦେଇ ଛପା ପଦ୍ଧତିରେ ଚାଇନାରେ ପ୍ରସ୍ତୁତ ହୋଇଥିଲା ପୃଥିବୀର ସର୍ବପ୍ରଥମ ପୁସ୍ତକ । ତାହାର ସମୟ ଥିଲା ୬୬୮ ଖ୍ରୀଷ୍ଟାବ୍ଦ । ବହିଟି ଚାଇନା ଭାଷାରେ ଲିଖିତ ଆଉ ତାହାର ନାଆଁ ହେଉଛି "ହୀରକ ସୂତ୍ର "। ଏହା ବୌଦ୍ଧଧର୍ମର ଏକ ପବିତ୍ର ଗ୍ରନ୍ଥ ।
ଏହି ପଦ୍ଧତି ସହଜ ରେ ଉପଯୋଗ ହୋଇପାରୁଥିବା କାରଣରୁ ଏହା ପରେ ବହିମାନଙ୍କର ପ୍ରକାଶନ ହେବାକୁ ଲାଗିଲା । ଆଉ ଏହି ଭଳି ଯେତେକ ପ୍ରକାଶନ କୁ ତର୍ଜମା କଲେ ଆମେ ଦେଖିବା ଯେ କେବଳ ଧର୍ମଗ୍ରନ୍ଥ ଗୁଡିକ ସେସମୟର ପ୍ରକାଶନସୁଲଭ ଯୋଗ୍ୟତା ଅର୍ଜନ କରିଥିଲେ ।
ଚାଇନାରୁ କାଗଜ ,କାଳି ,କାଠଖୋଦେଇ ଓ ଛାପା ପଦ୍ଧତି ପୃଥିବୀର ଅନ୍ୟତ୍ର ଗତି କରିବାକୁ ଆରମ୍ଭ କଲା। ଏହାର ପ୍ରଭାବ ବିଶେଷ ଭାବରେ ଇଉରୋପ୍ ରେ ଦେଖିବାକୁ ମିଳିଲା।
ଭାରତରେ ଏହାର କେଉଁଭଳି ପ୍ରଭାବ ରହିଥିଲା ତାହା ର ପ୍ରମାଣ କେବଳ ଗୋଟିଏ କଥାରୁ ବୁଝାଯାଇପାରିବ। ଏକଥା ଶୁଣିଲେ ହୁଏତ କେହି ଆଶ୍ଚର୍ଯ୍ୟ ହୋଇପାରନ୍ତି ମାତ୍ର ଚାଇନାରେ ଉଦ୍ଭାବିତ କାଳି ସାଧାରଣତଃ ଅନ୍ୟତ୍ର "ଇଣ୍ଡିଆନ୍ ଇଙ୍କ" ବୋଲି ପରିଚିତ। ଏହାପଛରେ ରହିଥିବା କାରଣ ଏତିକି ଯେ, ଭାରତବର୍ଷରେ ଏଇ କାଳିର ବ୍ୟବହାର ପ୍ରଚୁର ହେଉଥିବା କାରଣରୁ ଏହାକୁ ଏଇ ଭଳି ଭାବରେ ଲୋକେ ଜାଣିଥିଲେ।
ସେ ଯାହାହେଉ ଏହା ପରବର୍ତ୍ତି ବହି ଛପାର ଐତିହାସିକତାରେ ପ୍ରମୁଖତାରେ ସହ ଉପସ୍ଥିତ ହୁଅନ୍ତି ଇଉରୋପ ର ମଠ ବା ମୋନାଷ୍ଟେରି ଗୁଡିକ। ପ୍ରତି ମଠରେ ଗୋଟିଏ ଗୋଟିଏ ପୋଥିଘର ବା ସ୍କ୍ରିପ୍ଟୋରିଅମ୍ ରହୁଥିଲା। ସେଇଠି ତରୁଣ ଖ୍ରୀଷ୍ଟାନ ସନ୍ନ୍ୟାସୀମାନେ ଭିନ୍ନ ଭିନ୍ନ ଧର୍ମଗ୍ରନ୍ଥକୁ ନକଲ କରିବା କାମରେ ନିୟୋଜିତ ରହୁଥିଲେ। ପ୍ରତ୍ୟେକ ମଠ ପରସ୍ପରଠାରୁ ଧାରସୂତ୍ରରେ ଧର୍ମପୋଥି ମାନ ଆଣି ତାହାକୁ ନକଲ କରିସାରିବା ପରେ ଅନ୍ୟକୁ ଫେରସ୍ତ କରିଦେଉଥିଲେ। ତେଣୁ ଏଇଭଳି ପୋଥି ନକଲ କଳାବେଳେ କାଗଜ ,କାଳି ସହିତ କାଠଖୋଦେଇ ଚିତ୍ର ବା ଅକ୍ଷରର ବ୍ୟବହାର କରାଯାଉଥିଲା। ଏଇ ଭଳି ଗୋଟିଏ ସ୍କ୍ରିପଟୋରିଅମ୍ ଆଉ ପୋଥି ନକଲ କାର୍ଯ୍ୟ ଏବଂ ସେଇଠି ଗୋଟିଏ ତରୁଣ ସନ୍ନ୍ୟାସୀର ହତ୍ୟା ଉପରେ ଆଧାରିତ ଏକ ବିଶ୍ୱପ୍ରସିଦ୍ଧ ଉପନ୍ୟାସ ରହିଛି। ଅମ୍ବର୍ତ୍ତୋ ଇକୋଙ୍କର ସେହି ଉପନ୍ୟାସର ନାଆଁ ସେଉଛି,ଦି ନେମ୍ ଅଫ୍ ରୋଜ୍।
ସେ ଯାହାହେଉ ଇଉରୋପ ର ସେଇ ମଠ ଗୁଡିକର ସ୍କ୍ରିପଟୋରିଅମ୍ ରେ ଯେଉଁ ପୋଥିଗୁଡିକ ନକଲ କରାଯାଉଥିଲା ତାହା ଦିନବେଳେ ହେଉଥିଲା ।କାରଣ ରାତିରେ ମହମବତୀର ଆଲୁଅରେ ଏଇ ଭଳି କାମ କରିବା ବିପଦପୂର୍ଣ୍ଣ । କାଗଜ ବା ପାପିରସ୍ ନିଆଁ ସହଜରେ ନିଆଁ ଧରିଦେଇପାରେ। ତେଣୁ ସବୁ ପୋଥି ନକଲ କାମ ଦିନରେ ହେଉଥିଲା। ଆଉ ଦିନରେ ହେବା କାରଣରୁ ପୋଥିକୁ ନକଲ କଲାବେଳେ ସେମାନେ ଏହାକୁ ଯଥାସମ୍ଭବ ଆକର୍ଷଣୀୟ କରିବା ପାଇଁ ପୋଥିରେ ସୁନ୍ଦରସୁନ୍ଦର ଅଳଙ୍କରଣ ତଥା କାରୁକାର୍ଯ୍ୟ ସଂପର୍ଣ୍ଣ ବର୍ଡର ମାନ ଦେଉଥିଲେ । ଏହାଫଳରେ ସେସମୟର କାଠଖୋଦେଇ ରେ ଧାର୍ମିକ ଚିତ୍ର ,ଅକ୍ଷର ,ଏବଂ ଫୁଲ ଲତା ଆଦି ସ୍ଥାନ ପାଉଥିଲା। ସେହି ସବୁ ଅଳଙ୍କରଣରେ ସମକାଳର ମହିଳାମାନଙ୍କର ଗହଣା ଆଦିର ଚିତ୍ର ପୋଥିରେ ବ୍ୟବହାର କରିବା ଦେଖାଯାଇଛି।
ଏଡଫ୍ରିଥ୍ ବୋଲି ଜଣେ ପୋଥି ନକଲକାରୀ,ଯାହାଙ୍କର ସମୟ ୬୯୮ ଖ୍ରୀଷ୍ଟାବ୍ଦରୁ ୭୨୧ଖ୍ରୀଷ୍ଟାବ୍ଦ ,ସେ ନିଜର କାମରେ ପଶୁଜାତ,ଉଦ୍ଭିଦଜାତ ଆଉ ଖଣିଜ ରଂଗର ବ୍ୟବହାର କରିଛନ୍ତି । ଏପରିକି କେତେକ ସ୍ଥାନରେ ବର୍ଡରରେ ସୁନାପାଣି ଦେଇ ତାହାକୁ ସୁନ୍ଦର କରିଛନ୍ତି।
ଏଇ ସମୟରେ ଚାଇନାରେ ପୋଡାମାଟି ରେ ଅକ୍ଷର ଆଉ ଛବି ପ୍ରସ୍ତୁତ ହୋଇ ବହି ଛପାରେ ତାହା ବ୍ୟବହୃତ ହେଲା।
ତରୁଣ ସନ୍ନ୍ୟାସୀ ଆଉ ଚିତ୍ରକର ଜଣେ ଯେ ସେ ସମୟର ସବୁଠୁ ସଫଳ ଲେଖକ (ନକଲକାର ହେଉପଛକେ),ଏକଥା ଭାବିଲେ ଆଜି ବି ଯେ କୌଣସି ଲେଖକ ହୁଏତ ରୋମାଂଚିତ ହୋଇପାରେ।
ଚତୁର୍ଦ୍ଦଶ ଶତାବ୍ଦୀର ଅନ୍ତ ଭାଗରେ ଜନ୍ମନିଅନ୍ତି ଜର୍ମାନୀରେ ଜୋହାନସ୍ ଗ୍ୟୁଟେନବର୍ଗ। ତାଙ୍କର ଜୀବନର ପର୍ଯ୍ୟାୟକ୍ରମଟି ଏହିଭଳି,ଜଣେ କମାର,ଜଣେ ବଣିଆ,ଜଣେ ହୀରା ପାଲିସକାରୀ ଏବଂ ଶେଷରେ ଜଣେ ମୁଦ୍ରକ। ଛାପାଖାନାର ଉଦ୍ଭାବକ। ପ୍ରଯୁକ୍ତିକୁ ଲୋକପକ୍ଷଧର କରିପାରିବାର ସାର୍ଥକ ପୁରୁଷ। ସେ ପ୍ରଥମେ ଶୀଷାରେ ଛାପା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଶହେଟି ଅକ୍ଷର ପ୍ରସ୍ତୁତ କରିଥିଲେ।ଏହାକୁ "ଗ୍ୟୁଟେନବର୍ଗଙ୍କ ସୈନ୍ୟ "ବୋଲି କୁହାଯାଏ । ଏହି ଗ୍ୟୁଟେନବର୍ଗଙ୍କ ସୈନ୍ୟ ବସ୍ତୁତଃ ପରେ ସମଗ୍ର ପୃଥିବୀକୁ ନିଜର ଅଧିକାରକୁ ଆଣିବାକୁ ସମର୍ଥ ହୋଇଥିଲା।
୧୭୬୦ ରେ ପ୍ରକାଶିତ ହୋଇଥିଲା
" ଗ୍ୟୁଟେନବର୍ଗ ଙ୍କ ବାଇବେଲ୍" ଆଉ ତାହାପରେ ବହି ର ଅର୍ଥାତ୍ ପ୍ରକାଶନର ଜୟଯାତ୍ରା ତ ଅପ୍ରତିରୋଧ୍ୟ।