ନିଦ ଭାଙ୍ଗିବାର ବେଳ

ନିଦ ଭାଙ୍ଗିବାର ବେଳ

ଏକାନ୍ତ ହେଲା ପରେ ମୁଁ ସବୁ ବନ୍ଧନରୁ ମୁକ୍ତ
ଏବର ବେଳ ନିଜକୁ ଭଲ ପାଇବାର ।  
ନା ପିତାର ନ ମାତାର, ନା ଭ୍ରାତାର ନା ଭଗିନୀର
ନା ଶତୃର, ନା ବନ୍ଧୁର, 
କିଏ ମୋର ହେଉକି ନ ହେଉ 
ମୁଁ କିନ୍ତୁ ହେଇପାରିବି ସମସ୍ତିଙ୍କର ॥ 

ଏକାନ୍ତ ହେଲା ପରେ ମୁଁ ସବୁ ଋଣରୁ ମୁକ୍ତ 
ଏବର ବେଳ ନିଜର ବୋଝ ହାଲୁକା କରିବାର । 
ନା ମାଟିର ନା ସମ୍ପତ୍ତିର , ନା ମନର ନା ଧନର
ନା ବୃଦ୍ଧିର , ନା ହ୍ରାସର ,
ଦବାନବାର ବଜାରକୁ ନ ଯାଇବି 
ମୁଁ ଦେଇ ପାରିବି ସମସ୍ତଙ୍କୁ ଯୋଗ୍ୟ ଦର ॥ 

ଏକାନ୍ତ ହେଲାପରେ ମୁଁ ସବୁ ଗ୍ଲାନିରୁ ମୁକ୍ତ
ଏବର ବେଳ ନିଜକୁ ଶୂନ୍ୟତାରେ ଭରିବାର ।
ନା ମିତ୍ରର ନା ଶତୃର , ନା ବିଚାରର ନା ଅବିଚାରର 
ନା ପାପର , ନା ପୂଣ୍ୟର,
କାହାକୁ ଆଉ ଦୋଷ ମୁଁ ଦେବାକୁ ଚାହେଁନି
ସାଜି ପାରିବି ସହଜରେ କ୍ଷମାର ଠାକୁର ॥

ଏକାନ୍ତ ହେଲାପରେ ମୁଁ ସବୁ ଯନ୍ତ୍ରଣାରୁ ମୁକ୍ତ 
ଏବର ବେଳ ନିଜ କ୍ଷତକୁ ଅକ୍ଷତ କରିବାର । 

ନା ପ୍ରେମର ନା ପ୍ରତାରଣାର , ନା ଛଳନାର ନା ଆବିଳତାର 
ନା କୁହେଳିକା , ନା ବାସ୍ତବତାର ,
କାହା ସହ ଆଉ ବାନ୍ଧି ହେବାର ମୋହ ନାହିଁ
ଏବେ ବେଳ ଆସିଛି ନିଦ ଭାଙ୍ଗିବାର ॥