ଦୃଶ୍ୟ ବାହାରେ ପକ୍ଷୀଟିଏ

ଦୃଶ୍ୟ ବାହାରେ ପକ୍ଷୀଟିଏ

ଅନେକ କଷ୍ଟରେ ତିଆରି ଏ ଉପବନ

ଶାଖାଭର୍ତ୍ତି ଶ୍ୟାମଳ ଡାଳରେ ଦୋଳିଖେଳେ

ଥୋଳାଥୋଳା ଲାଲ୍ ଓ ସବୁଜ ଫୁଲଫଳ ।

 

ପାହାଡ ଝୋଟମୁଣ୍ଡର ଚୂଡାରେ

ପକ୍ଷୀଟି ମଳତ୍ୟାଗ କଲାବେଳେ

ପାହାଡର ପଥୁରିଆ ଅତୀତ ଅଜାଡି ହୋଇ ପଡେ

ଦିନେ ସେ କେତେ ଶ୍ୟାମଳ ଥିଲା !

 

ପକ୍ଷୀଟି ଗୀତ ଗାଏ,

ପାହାଡ ତା'ର ପ୍ରତିଧ୍ବନିରେ ଶୁଣାଏ କବିତା ପରି କିଛି ପଙ୍ କ୍ତି ।

 

ଏଇ ଝୋଟମୁଣ୍ଡିଆ ପାହାଡ ତଳେ ଧାରେ ପାଣି ଅଛି

ଏଇ ଧାରେ ପାଣି ହିଁ ଆମ ଭବିଷ୍ୟତର ଅର୍ଖିତ ଢୋକ,

ଏଇ ଝୋଟମୁଣ୍ଡିଆ ପାହାଡ ତଳେ

ଅନେକ ବିଜୁଳି ଓ ଘଡଘଡି ପୋତି ହୋଇକି ଅଛି

ଦୂର କରିବାକୁ ଅମାନ୍ଧକାର

ଅନେକ ଗାଁ' ଓ ସହରର ।

 

ଏଇ ହିଁ ଆମର ଶେଷତମ ଆଶା ଓ ଭରସା

ଧାରେ ପାଣି, ଗାରେ ଆଲୁଅର ।

 

ଯା'ର ଝୋଟମୁଣ୍ଡରେ ନିରନ୍ତର ମଳତ୍ୟାଗ କରେ ପକ୍ଷୀଟିଏ

ବିକ୍ଷେପଣ କରେ ହରେକ ଜାତି ବୀଜର

ସେଇ ବୀଜରେ ତିଆରି ପାହାଡ ଚୂଡାସ୍ଥ ଏ ଉପବନ ।

 

ଯେଉଁମାନେ ପାହାଡଟିକୁ ଦେଖିବାର ଇଚ୍ଛାକରି

ଗୋଡି ଓ ପଥର ଉପରେ ନିଜ ପାଦକୁ ଘୋଷାଡି ଆଗକୁ ବଢନ୍ତି

ସେଇମାନେ ଛୁଅଁନ୍ତି ଶିଖର ।

 

କେହି କେହି ପକ୍ଷୀଟି ଗାଉଥିବା ଗୀତର ମୁଖୁଡାକୁ ଶୁଷୁରି କରିଦିଅନ୍ତି ଓଠ ସନ୍ଦିରେ,

କେହି କେହି ପାହାଡର ଶୀଳିଭୂତ ପ୍ରତିଧ୍ବନିକୁ ସଂରକ୍ଷିତ କରି ରଖିଦିଅନ୍ତି ହୃଦୟ ସନ୍ଦିରେ,

କେହି କେହି ଆରୋହଣର କଷ୍ଟକୁ ଗର୍ଭସ୍ଥ କରିବାକୁ ତୋଳିଆଣନ୍ତି

ଲାଲ୍ ଓ ସବୁଜ ଫୁଲଫଳ,

କେହି କେହି ଦବାଇ ଦିଅନ୍ତି କେମେରାର ବଟନ୍

ପତ୍ରର ହସ, ପକ୍ଷୀର ଗୀତ, ପାହାଡର ପ୍ରତିଧ୍ବନିକୁ

ପ୍ରସ୍ତରୀଭୂତ କରି ରଖିବାକୁ ନିଜ ନିଜର କାନ୍ଧଝୁଲାରେ ।

 

ଅନେକ କଷ୍ଟରେ ତିଆରି

ପାହାଡ ଚୂଡାସ୍ଥ ଏ ଉପବନ,

ଏଯାଏ ଗୋଟେ ପକ୍ଷୀର ମଳ

ଯାହାକୁ ରଖିଆସିଛି ସବୁଜ ଓ ଉଜ୍ଜୀବିତ ।

 

ସେଇ ପକ୍ଷୀଟିକୁ ତୁମେ ଦେଖିଛ କି ?

ପାହାଡର ଝୋଟଚୁଳକୁ ସାବ୍ ଜା କରିଥିବା ପକ୍ଷୀଟି ଯେ କାଲିଠୁ ଅଦୃଶ୍ଯ !

ପହରି ରାତିଠୁ ପ୍ରଚଣ୍ଡ ଶବ୍ଦ ଶୁଭୁଚି ପାହାଡ ପାଦଦେଶରେ

ଏହା ବୋମା କି ଡିନାମାଇଟ୍ ନୁହେଁ,

ପିଲାଙ୍କ ତାଳଫୋଟକା ହୋଇଥିବ କି ?

ତମେ କହିପାରିବ କି

ପକ୍ଷୀ ଓ ପାହାଡର ହତ୍ୟା ପାଇଁ

କୌଣସି ଖସଡା ପ୍ରସ୍ତୁତ ହୋଇଥିଲା

ପାହାଡ ତଳି ଡାକବଙ୍ଗଳାରେ ?

 

ତୁମେ ଶୁଣିଛ କି

ଡେଣା ଫଡଫଡର ପ୍ରତିଧ୍ବନିକୁ କାହା ରକ୍ତାକ୍ତ ଝୁଲାମୁଣିରେ ?

ତୁମେ ଦେଖିଛ କି

ପଦିଏ ଗୀତ, ପଦିଏ କବିତା ପ୍ରସ୍ତରୀଭୂତ ହୋଇଯିବା

କାହା ମାର୍ବଲ୍ ର ନିର୍ମମ ଚଟାଣରେ ?

 

ସେଇ ନିଖୋଜ ପକ୍ଷୀଟିକୁ ତୁମେ ଦେଖିଛ କି ?

କେଉଁ ଘଞ୍ଚ ପତ୍ରସନ୍ଦିରୁ ପକ୍ଷୀଟିର ଗୀତ ତୁମେ ଶୁଣିଛ କି ?

ପକ୍ଷୀଟି ଏବେ ଦୃଶ୍ୟ ବାହାରେ ନା ଦୃଶ୍ୟ ଭିତରେ

ତୁମେ କହିପାରିବ କି ?