ବାପା : ଏକ ଯୁଦ୍ଧ କଥା
ଆଗ ଏଇ କବିତାଟିକୁ ପଢିବା ହୁଅନ୍ତୁ।
କବିତାଟି ଅନେକ ପରିଚିତ। କବି ସିଲଭିଆ ପ୍ଲାଥ୍ ଆଉ କବିତାର ଶୀର୍ଷକ ବାବା।
ସିଲଭିଆ ପ୍ଲାଥ୍
ବାବା
ତୁମେ ଆଉ,ତୁମେ ଜମା ତ ପିନ୍ଧୁନାହିଁ,
ଏବେ, କଳା ଜୋତାହଳକ,
ମୁଁ ସେଥିରେ ଘରକରି ରହିଛି ଜାଣ
ଗଲା ତିରିଶ ବର୍ଷ ଧରି,ରିକ୍ତ ଆଉ ମ୍ଲାନ
ନାଆଁକୁ ମାତ୍ର ଶ୍ୱାସପ୍ରଶ୍ୱାସ ନିଏ,ଛିଙ୍କ ମାଡିଲେ ଡର।
ବାବା,ମୋତେ ତମକୁ ମାରିବାକୁ ହେଲା।
ସମୟ ଆଗରୁ ନିଜ ଚାଲିଗଲ ତୁମେ
ସଫେଦ ମାର୍ବଲଠୁ ଓଜନ,ବସ୍ତାଟିଏ ଭରା ଈଶ୍ୱରରେ,
ଭୟାନକ ମୂର୍ତ୍ତି,ଯାହାର ଗୋଟିଏ ପାଦର ଆଙ୍ଗୁଠି
ଫ୍ରିସ୍କୋର ସିଲ୍ ମାଛ ପରି ଖୁବ୍ ବଡ।
ଆଉ ମସ୍ତକଟି ରହିଛି ଖିଆଲି ଆଟଲାଣ୍ଟିକରେ,
ଯେଉଁଠି ମୂଷଳାଧାରରେ ବର୍ଷା ହୁଏ
ସବୁଜ ବିନ୍ ର ରଂଗ ସବୁ ନିଳୀମାରେ
ସୁନ୍ଦର ନସେଟ୍ ବୋଲି ସୈକତ ଜଳରେ।
ମୁଁ ପ୍ରାର୍ଥନା କରେ ତୁମର ଉଦ୍ଧାର ପାଇଁ,
ଆହା,ତୁମେ।
ଜର୍ମାନ୍ ଭାଷାରେ ,ସେହି ପୋଲିଶ ସହର ଯାହାକୁ
ରୋଲର୍ ଚଳାଇ ସମତଳ କରାଯାଇଅଛି
କାରଣ ତ ଗୋଟିଏ,ଯୁଦ୍ଧ,ଯୁଦ୍ଧ ଆଉ ଯୁଦ୍ଧ।
ସେହି ସହର ନାଆଁ ଖୁବ ଜଣାଶୁଣା,ସାଧାରଣ ଗାଆଁ,
ମୋର ସେ ପୋଲିଶ୍ ବଂଧୁ କହେ,
ଏଇମିତି କେତେ ଡଜନ ଗାଆଁ ଅଛି।
ତେଣୁ କହିପାରିବିନି ସଠିକ କେବେ,
କେଉଁଠି ଥାପିଥିଲ ପାଦ ପୋତିଥିଲ ଚେର,
ମୁଁ ତମସହ କଥା କହିପାରିନାହିଁ।
ଜିଭ ଅଟକିଯାଏ ତାଳୁରେ
ଅଟକି ରହିଛି କଂଟାତାର ଫାନ୍ଦରେ।
ମୁଁ ମୁଁ ମୁଁ ମୁଁ
କଥା କହି ପାରେନାହିଁ।
ମୋର ମନେ ହୋଇଛି ପ୍ରତିଟି ଜର୍ମାନ ତମେ
ଏବଂ ତମର ଭାଷା ଅଶ୍ରାବ୍ୟ,
ଗୋଟିଏ ଇଂଜିନ,ଯେମିତି ଗୋଟିଏ ଇଂଜିନ
ମୋତେ ବିରକ୍ତ କରୁଛି ଇହୁଦୀ ଭଳି,
ଇହୁଦୀ ଟି ଯେମିତି ଦାଖାଉ,ଆଉସଭିତଜ୍,ବେଲସେନ୍,
ମୋର ମନେହୁଏ ମୁଁ ହୁଏତ ଇହୁଦୀ।
ଟିରଲ୍ ଅଂଚଳର ବରଫପାତ କିମ୍ବା ଭିଏନାର ସ୍ୱଚ୍ଛ ବିଅର୍
ସତ ନୁହେଁ,ଖାଣ୍ଟି ନୁହଁ,କୁଳୀନ ନୁହଁ ତୁମ ସାମ୍ନାରେ
ମୋର ଯାଯାବର ପୂର୍ବପୁରୁଷ ଏବଂ ମୋର ଅଦଭୁତ ଭାଗ୍ୟ
ଏବଂ ମୋର ମିଛ ବ୍ୟାଗ ,ମୋର ସାଧାରଣ ସତ ବ୍ୟାଗ
ମୁଁ ହୁଏତ ଈହୁଦୀ କିଞ୍ଚିତ ପରିମାଣରେ।
ମୁଁ ତୁମକୁ ସବୁବେଳେ ଭୟପାଏ
ତୁମର ଯୁଦ୍ଧବିମାନ,ତୁମର ପ୍ରଚାର ମୁହଁ ଗୋବେଲ୍ ର
ତୁମର ପରିପାଟି ନିଶ
ତୁମର ନୀଳ ଉଜ୍ଜଳ ଆର୍ଯ୍ୟ ଆଖି,
ପାଞ୍ଜାର ମ୍ୟାନ ପାଞ୍ଜାର ମ୍ୟାନ ,ତୁମେ ହିଁ।
ଈଶ୍ୱର ନୁହଁ,ଗୋଟିଏ ସ୍ୱସ୍ତିକ ଚିହ୍ନ
ଚିକ୍କଣ କଳା,କୌଣସି ଆଲୋକ ତାହାକୁ
ଭେଦ କରିପାରିବାକୁ ଅସମର୍ଥ।
ପ୍ରତିଟି ନାରୀ ହିଁ ଜଣେ ଫାଶିବାଦୀକୁ ପୂଜାକରେ,
ମୁହଁରେ ଜୋତା ପଡେ, ସେମିତି ନିଷ୍ଠୁର ଜଣକୁ,
ନିଷ୍ଠୁର ହୃଦୟ ଥିବା ତୁମଭଳି ପଶୁଟିକୁ।
ବ୍ଲାକବୋର୍ଡ ପାଖରେ ତମେ ଠିଆ ହୋଇଛ ବାବା,
ମୋ ପାଖରେ ଅଛି ସେ ଛବିଟି।
ପାଦ ନୁହଁ ତମ ଓଠରେ ଗ୍ରହଣ ଖଣ୍ଡିଆ,
ସଇତାନଟି ସେଥିରେ କମ୍ ଦିଶେନାହିଁ,
ନା,ସେ କୃଷ୍ଣାଙ୍ଗ ଠୁ ଜମା କମ୍ ନୁହଁ
ଯିଏ ମୋ ସୁନ୍ଦର ହୃଦୟକୁ ଦୁଇ ଟୁକୁରା
କରିଦେଇଥିଲା।
ମୋ ବୟସ ସେତେବେଳେ ଦଶ
ସେମାନେ ତମକୁ କବର ଦେଲେ।
କୋଡିଏ ବର୍ଷରେ ମୁଁ ମରଣ ଚାହିଁଲି
ଏବଂ ଫେରିବାକୁ ଚାହୁଁଥିଲି ତୁମରି ପାଖକୁ।
ମନେ ହେଉଥିଲା ତୁମ ହାଡ କେଇଖଣ୍ଡ
ହେଲେ ଚଳିଯିବ।
କିନ୍ତୁ ସେମାନେ ଥଳିରୁ ବାହାରକରି
ଅଠା ଦେଇ ଯୋଡିଦେଲେ ମୋତେ।
ସେତେବେଳେ ମୁଁ ଜାଣିଗଲି ମୋତେ
କ'ଣ କରିବାକୁ ହେବ।
ମୁଁ ତୁମର ଏକ ପିତୁଳା ଗଢିଲି
କଳାକନାର ପୁରୁଷ ଏକ,ଯାହାର ଆଖିରେ ଥିଲା
ମେଇନକାମ୍ଫ ର ଚମକ,
ଦୁଃଖି ପ୍ରତି ପ୍ରେମ ଆଉ ଏକ ପାଳଭୂତ।
ଏବଂ ମୁଁ କହିଛି,ମୁଁ ରାଜି,ମୁଁ ରାଜି ଅଛି।
ତେଣୁ ବାବା,ପୁଣି ଅବଶେଷରେ ମୁକ୍ତି ହୋଇଛି
ଟେଲିଫୋନର କଳା ତା'ର ଛିଣ୍ଡା
ସେହି କଂଠ ଆଉ ମୋତେ ବିରକ୍ତ କରିବ ନାହିଁ।
ମୁଁ ଯଦି ଜଣକୁ ଖୁନ୍ କରିଥାଏ
ତାହାହେଲେ ଶେଷ କରିଛି ଦିଜଣକୁ।
ସେଇ ରକ୍ତପାନକାରୀ ଯିଏ କହେ ତମ ନାଆଁ,
ମୋ ରକ୍ତ ଶୋଷିବାକୁ ଲାଗେ ବର୍ଷଟିଏ,
ତମେ ଯଦି ଜାଣିବାକୁ ଚାହଁ ,ତେବେ ତାହା ସାତ ବର୍ଷ।
ବାବା,ଏଥର ତମେ ଶୋଇବାକୁ ଯାଇ ପାର।
ତୁମର କଳା ହୃଦୟରେ ଏବେ ଗୋଟିଏ ବେଶ୍ ଲଂବା କଂଟା।
ଗାଆଁର ଲୋକେ ତମକୁ ପସନ୍ଦ କରନ୍ତି ନାହିଁ
ସେମାନେ ଏବେ ଖୁସିରେ ନାଚୁଛନ୍ତି ଏବଂ
ତମକୁ ପଦାଘାତ କରୁଛନ୍ତି।
ସେମାନେ ସବୁକଥା ଜାଣନ୍ତି କିଏ ତମେ ପ୍ରକୃତରେ କ'ଣ
ବାବା ବାବା ହାରାମୀ ବାବା,ମୁଁ
ତମଠୁ ମୁକ୍ତି ପାଇଗଲି।
•୧୨ ଅକ୍ଟୋବର ୧୯୬୨
ଏବେ କିଛି କହିବାକୁ ଚାହେଁ ।
ଏଇ କବିତା ବାହାନାରେ କିଛି କହିବାକୁ ଚାହୁଁଛି । ହଁ ବାପା ମାନଙ୍କ ଉପରେ।ଆଜି ଯେତେବେଳେ ହେଉଛି ବାପା ଦିବସ ।
ମାତ୍ର ତିରିଶ ବର୍ଷ ବୟସର ଜୀବନକାଳରେ ପୃଥିବୀର କାବ୍ୟଜଗତରେ ବିସ୍ମୟ ସିଲଭିଆ ପ୍ଲାଥ୍ । ୨୭ ଅକ୍ଟୋବର ୧୯୩୨ରେ ତାଙ୍କର ଜନ୍ମ ।
ଇଂରେଜୀ କବିତାର ଏଇ ଚିରଦୁଃଖିନୀ କବିକୁ ସ୍ମରଣ କରୁଛି ।
ଏହି କବିତାଟି ସିଲଭିଆ ଙ୍କର ଏକ ବିତର୍କିତ କବିତା ।
ଗୋଟିଏ ଝିଅର କଥା ଇଏ।ସେହି ଝିଅଟି ତାହାର ବାପ ପ୍ରତି ଆସକ୍ତ ଯାହାକୁ କହନ୍ତି ବାପ ଆଉ ଝିଅ ଭିତରେ ଯେଉଁ ଇଲେକ୍ଟ୍ରା-କଂପ୍ଲେକ୍ସ ବୋଲି ଆକର୍ଷଣ ଥାଏ ସେମିତି ଆକର୍ଷଣ ରହିଛି ଝିଅର।ଝିଅଟି ବାପକୁ ଯେତେବେଳେ ଭଗବାନ ବୋଲି ଭାବୁଥିଲା ସେତେବେଳେ ବାପର ମୃତ୍ୟୁଘଟେ।ପରବର୍ତ୍ତି ଘଟଣା ଝିଅକୁ ବିଚଳିତ କରିଦିଏ ଯେତେବେଳେ ସେ ଜାଣେ ତାହାର ବାପା ଜଣେ ନାଜି ଆଉ ମାଆ ସଂଭବତଃ ଜଣେ ଈହୁଦୀ।ତେଣୁ ଏହି କବିତାରେ ବିରୋଧାଭାସର ଜଟିଳ ରୂପକ ଟି ଉପସ୍ଥାପନ କରାଯାଇଛି।ବାପ ପ୍ରତି ଅନୁରାଗ ସହିତ ବାପଠାରୁ ମୁକ୍ତ ହେବାର ବିଚକ୍ଷଣ ସ୍ଥାପତ୍ୟ ରହିଛି କବିତାଟିରେ।
ସିଲଭିଆଙ୍କ ବାପା ଅଟୋ ପ୍ଲାଥ୍ ଜଣେ ଜର୍ମାନ-ଆମେରିକାନ୍ ଜୀବବିଜ୍ଞାନର ପ୍ରଫେସର୍ ଥିଲେ।ପ୍ରଫେସର୍ ଅଟୋ ପ୍ଲାଥଙ୍କ ମୃତ୍ୟୁ ବେଳକୁ ସିଲଭିଆଙ୍କୁ ମାତ୍ର ଆଠବର୍ଷ।
ଏହି କବିତାଟି ତେଣୁ ଆତ୍ମଜୈବନୀକ।
ପ୍ରସଙ୍ଗ କ୍ରମେ ଏଇଠି ଆଉ ଜଣେ କଥାକାର ଙ୍କ ନାଆଁ ମନକୁ ଆସିଲା।ଏଡୱିଜ୍ ଡାଣ୍ଟିକାଟ୍।ଯେଉଁ କେତେଜଣ "କଲରଡ୍" ଲେଖକ ବିଶ୍ୱ ର କଥା ସାହିତ୍ୟ ରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ସେମାନଙ୍କ ଭିତରେ ତାହିତି ରେ ଜନ୍ମିତ ଆମେରିକୀୟ ଲେଖିକା ହେଉଛନ୍ତି ଡାଣ୍ଟିକାଟ୍।ତାଙ୍କର ଗୋଟିଏ ଗଳ୍ପ ସଂକଳନ ଅଛି,ଦି ଡିଉ ବ୍ରେକର୍।ସେଥିରେ ଶୀର୍ଷକ ଗପ ଟି ସିଲଭିଆ ପ୍ଲାଥ୍ ଙ୍କ "ବାପା" ଭଳି।ଡାଣ୍ଟିକାଟ୍ ଙ୍କ ଗପର ବାପା ଚରିତ୍ର ଟି ସମାଜରେ ଅତ୍ୟନ୍ତ ପ୍ରତିଷ୍ଠିତ ମାତ୍ର ହଠାତ୍ ଦିନେ କନ୍ୟା ଚରିତ୍ରଟି ଆବିଷ୍କାର କରିଛି ଯେ ତାହାର ବାପା ଜଣେ ଗୁପ୍ତଚର, ସ୍ୱାଧୀନତା ପାଇଁ ସଂଘର୍ଷ ରତ ବିପ୍ଳବୀ ମାନଙ୍କର ଖବର ସେ ନିୟମିତ ସରକାର କୁ ଦିଏ ଆଉ ସେହି କାରଣରୁ ବିପ୍ଳବୀମାନେ ଧରାପଡନ୍ତି ଆଉ ଫାୟାରିଂ ସ୍ୱାର୍ଡକୁ ସାମ୍ନା କରନ୍ତି।ସ୍ୱାଧୀନତା ପରେ ବାପାଙ୍କୁ ସମ୍ମାନିତ କରିବାର ପ୍ରାକ୍ ସମୟ ରେ କନ୍ୟା ଏହି ଗୋପନ ଘଟଣାକୁ ଜାଣିଛି ଆଉ ବାପାଙ୍କ ପ୍ରତି ସମ୍ମାନ ଓ ପ୍ରତିବାଦ କୁ ଏକାଠି କରିବାପାଇଁ ବାପାଙ୍କର ସଂଗୃହିତ ଏକ ମୂର୍ତ୍ତି ଯାହାକୁ ଅନେକ ସ୍ୱାଧୀନତା ର ଏକ ପ୍ରତୀକ ବୋଲି ମନେ କରୁଥିଲେ ତାହାକୁ ନିଲାମ କରିବାକୁ ଦେଇଛି।
ଏଇଠି କଥାଟି ଉଠୁଛି ପୃଥିବୀ ସବୁ ବାପା ମାନେ ତ ଆଉ ସାଧୁ ସଚ୍ଚରିତ୍ର ସୁପୁରୁଷ ହୋଇ ରହି ନଥିବେ ଯେ ସେହି ବାପାମାନଙ୍କର ପିଲାମାନେ ଆଜି ଭଳି ଦିନରେ ନିଜର ବାପାଙ୍କୁ ନେଇ ନିଜର ଛାତି କୁଣ୍ଢେମୋଟ ହୋଇଗଲା ଭଳି କଥାମାନ କହିପାରିବେ ! ଯଦି ସେମାନେ ନିଜ ବାପାମାନଙ୍କର ଉପରେ ସୁପରଲେଟିଭ୍ ରେ କିଛି କହୁଥାନ୍ତି ଆଉ ଯଦି ବସ୍ତୁତଃ ସେମିତି କହିବା ପଛରେ ସେମିତି କିଛି ନଥାଏ ତେବେ ଏଇ ଦିବସରେ ସେଇଭଳି ପିଲାମାନଙ୍କର ଯାତନା ବୋଧକୁ ଆମକୁ ବୁଝିବାର ଅଛି। ଆମକୁ ସେଇ ଚରିତ୍ର ମାନଙ୍କର ପରିପ୍ରେକ୍ଷ୍ୟ ଟିକୁ ବୁଝିବାକୁ ହେବ।
ଉପସ୍ଥିତ ଲେଖକ ଥରେ ମୁର୍ଶିଦାବାଦ ର ସିରାଜୌଦଲା ଙ୍କ ହଜାରଦ୍ୱାରୀ ପାଲେସ୍ ଦେଖିବାକୁ ଯାଇଥିଲା।ସେହି ପାଲେସ୍ ଠାରୁ କିଛି ଦୂରରେ ରହିଛି ଇତିହାସର ସବୁଠୁ ବଡ ଖଳନାୟକ ମିରଜାଫର୍ ର ପାଲେସ୍ ରହିଛି,ଯାହାକୁ ସର୍ବସାଧାରଣ ରେ "ନିମକହାରାମ୍ ଦେଉଡି" ବୋଲି କହିଥାନ୍ତି।ଆମେ ଯାଉଥିବା ଫିଟନ୍ ଗାଡିଟି ସେଇଠି ଅଟକିବାକୁ ମନା କରିଦେଲା।ଯାହାଦେଖିଥିଲି ସେଇ ତିନିମହଲା ଉଆସରେ କବାଟ ଝରକା ସବୁ ବନ୍ଦ। ଛାତରେ ଟିଭି ଆଣ୍ଟେନା ଲାଗିଛି,ଫୁଲପକା ଶାଢି ଆଉ ଲୁଙ୍ଗି ଝୁଲୁଛି।ପରେ ଜାଣିଥିଲି ମିରଜାଫରଙ୍କ ଜଣେ ବଂଶଧର ପେଶାରେ ଶିକ୍ଷକ ଥିଲେ, ସେ ନିଜର ପରିଚୟକୁ ଗୋପନ କରି ମୁର୍ଶିଦାବାଦରେ ଭିନ୍ନ ଭିନ୍ନ ସ୍ଥାନରେ ଘର ଭଡା ନେଇ ରହୁଥିଲେ।ଅନ୍ୟ ସମୟରେ ଘରୁ ବାହାରୁ ନଥିଲେ।ତାଙ୍କର ଭଡା ଘର ର ଝରକାକବାଟ ମାନ ବି ସବୁବେଳେ ବନ୍ଦ ରହୁଥିଲା।ସେ ନିଜର ଜୀବନ ବ୍ୟାପୀ ଚାରିଶ ପୃଷ୍ଠାର ଗୋଟିଏ ପ୍ରାମାଣିକ ଗ୍ରନ୍ଥ ସେ ଲେଖିଛନ୍ତି ଯାହାର ମୁଖ୍ୟ ପ୍ରତିପାଦ୍ୟ ବିଷୟ ହେଉଛି,ମିରଜାଫର୍ ବିଶ୍ୱାସଘାତକ ନୁହଁନ୍ତି।
ଏଥିରୁ ଆମେ ବୁଝିପାରିବା ଯେ ପିତୃପରିଚୟର ଏଇ ଐତିହାସିକ ବୋଝ କେଉଁପରି ଜଣକୁ କରୁଣ ଆଉ ମାନସିକ ଭାବରେ ବିପର୍ଯ୍ୟସ୍ତ କରିଦିଏ।
ତେବେ କ'ଣ ସବୁକିଛିର ଉପସଂହାର ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର "ପିତା ପୁତ୍ର "ର ସେହି ଅବିସ୍ମରଣୀୟ ଧାଡି ଯାଏଁ
"ପୁତ୍ର ଆଜି ପାଇଛି ପିତୃତ୍ୱର ଅସଲ ପରିଚୟ।"
ସେତିକି ବେଳେ ତ ଆମେ ବାପପଣ ର ମହାନତା ବୁଝିପାରିବା ନିଶ୍ଚୟ।ମାତ୍ର ଏଇଠେ ଯେଉଁମାନେ ନିଜର ବାପାଙ୍କ ପରିଚୟ କାରଣରୁ କେଉଁଠି କେଉଁଠି ସଂକୁଚିତ ସେମାନଙ୍କ ପାଇଁ କହିବାକୁ ଚାହିଁବି,ଆମର ସବୁ ମହାବୀର ମାନେ ନିଜର ପିତାକୁ ପରାସ୍ତ କରି କାହାଣୀରେ ମହାବୀର ହୋଇଅଛନ୍ତି। ଭାରତୀୟ ସମାଜରେ ବାପ ପାଖରେ ପାରଂପାରିକ ବର୍ଗସ୍ଥାନ ବା ଟ୍ରାଡିସନାଲ୍ ଷ୍ଟାଟସ୍ ଏବଂ ପୁଅ ପାଖରେ ଅର୍ଜିତ ବର୍ଗସ୍ଥାନ ବା ଆକ୍ୱାୟାର୍ଡ ଷ୍ଟାଟସ୍ ରହିଥାଏ ବୋଲି ସମାଜତତ୍ତ୍ୱବିତ୍ ଆନ୍ଦ୍ରେ ବେତେ ଙ୍କ ମତ । ପରଂପରା ଆଉ ଅର୍ଜନ ଭଳି ବାପ ଆଉ ପୁଅ ମଧ୍ୟରେ ସଂଘର୍ଷ ଅନିର୍ବାର୍ଯ୍ୟ।
ବାପାଙ୍କ ର ସମ୍ମାନ ସାଧାରଣତଃ ଆମର ପରଂପରାରୁ ପ୍ରତିଷ୍ଠା ଲାଭ କରିଛି।ତେଣୁ ଏଇଠି ଆମକୁ ସଂପର୍କ ଆଉ ପରଂପରାକୁ ସମ୍ମାନ କରିବାକୁ ପଡିବ ଆଉ ଆମକୁ ମନେ ରଖିବାକୁ ହେବ ଯେ ଆମର ପିଲାଏ ଯେମିତି ନିଜର ହୃଦୟରେ "ମୋ ବାପା ଚୋର" ବୋଲି ଲେଖାଟିଏ ରହିବା କାରଣରୁ କୌଣସି କଷ୍ଟ ନଭୋଗନ୍ତୁ।
ପିତା ପ୍ରତି ଅନୁରାଗ ଆଉ ପିତାଙ୍କ ଠାରୁ ମୁକ୍ତି ଏଇ ଦୁଇଟି କଥା ଏକାଠି ର କଥା ସିଲଭିଆ ପ୍ଲାଥ୍ ଙ୍କ କବିତାରେ ଅଛି।
ଆଗାମୀ ସୁଖରେ ରହୁ।
ଆଜି ଆଉ ଆଗାମୀ ର ବାପାମାନଙ୍କର ଲକ୍ଷ୍ୟ ତ ସେତିକି।