ପ୍ରଶ୍ନ
ଦର୍ପଣରେ ହଜିଗଲା,ନିଜ ବେଶ କାଇଁ ଆଜି ;
ପ୍ରିୟ ହାତ ଆଉଁଶାରେ ଏତେ ବିଷ କାଇଁ ଆଜି!
କଥା ଥିଲା ଫେରିଯିବା ଆମେ ସଞ୍ଜ ନଇଁ ଗଲେ
ଏତେ ଓଦା-ଓଦା ପଥରର ହସ କାଇଁ ଆଜି !
ଏ କାହା ଛାଇ ଆସ୍ତେଆସ୍ତେ ମୋ ପରି ଦିଶିଲାଣି
ଢଳଢଳ ଲୁହରେ ଢଳେ ମୋ ଦେଶ କାଇଁ ଆଜି!
ତାରା ପରି ବୁଣିହବ ମୋ ସାରା ଆକାଶରେ କହି
ମେଘ ହେଇ ବିଞ୍ଚିଦେଲା ମୁନ୍ଦେ ଶୋଷ କାଇଁ ଆଜି!
ଢେଉ ମାନେ ପାଳନ୍ତିନି , ଭାଙ୍ଗିଦେବାର ଦରଜ
ଗଢିଦବା ପଣରେବି ରେଣୁର ଦୋଷ କାଇଁ ଆଜି!
ବେଳ ଥାଉଁ ନିଜକୁ ଥରେ ମୋ ଖୋଲିବାର ଥିଲା
ତତେ ନକହୁଣୁ ଏ କାହାଣୀ ଶେଷ କାଇଁ ଆଜି!