ମୋହନ ମାଝୀଙ୍କ ଚାକିରୀ ରାଜନୀତି ଓ ଅସହାୟ ଶାସନ
ଓଡ଼ିଶା ବିଧାନସଭାରେ ସରକାରୀ ଚାକିରି ସମ୍ପର୍କିତ ଏକ ବିଲ୍ ର ଆଲୋଚନା କଲାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ପୂର୍ବରୁ ଶାସନ କରୁଥିବା ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ଅସଂଖ୍ୟ ଅଭିଯୋଗ ଆଣିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନିଜର ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି ଯେ, ମୁଖ୍ୟମନ୍ତ୍ରୀ କାହା ପାଖରେ ଅଭିଯୋଗ କରୁଛନ୍ତି? ପୁରୁଣା ସରକାର ଅମଳରେ ଘଟିଥିବା ଦୁର୍ନୀତି ଓ ପ୍ରତାରଣା କେବଳ ଭାଷଣର ବିଷୟ କି? ମୁଖ୍ୟମନ୍ତ୍ରୀ କେବଳ ଭାଷଣରେ ଅଭିଯୋଗ କରୁଥିବାବେଳେ ଏ ସମ୍ପର୍କରେ କୌଣସି ଠୋସ୍ ପଦକ୍ଷେପ ନନେବା ତାଙ୍କୁ ଲୋକହସା କରୁନାହିଁ କି?
ବିଧାନସଭାରେ ୬, ଡିସେମ୍ବର ଦିନ ମୁଖ୍ୟମନ୍ତ୍ରୀଙ୍କ ଭାଷଣର କେତେକ ପ୍ରମୁଖ ବିନ୍ଦୁକୁ ଦେଖାଯାଉ-
* ଓଡିଶା ସାର୍ବଜନୀନ ପରୀକ୍ଷା ( ଅନୁଚିତ ସାଧନର ନିବାରଣ) ବିଧେୟକ, ୨୦୨୪କୁ ବିଧାନସଭା ପଟଳରେ ପ୍ରସ୍ତୁତ କଲାବେଳେ ମୋ ମନରେ ଦୀର୍ଘଦିନରୁ ଆନ୍ଦୋଳିତ ହେଉଥିବା ପ୍ରଶ୍ନଗୁଡିକ ପ୍ରକାଶ କରିବାକୁ ମୁଁ ଆପଣଙ୍କ ଅନୁମତି ପ୍ରାର୍ଥନା କରୁଛି। ଦୀର୍ଘଦିନର ତ୍ୟାଗ, ତପସ୍ୟା ଓ ଅକଥନୀୟ ପରିଶ୍ରମର ଫଳ ମିଳିଛି, ଲୋକଙ୍କ ସରକାର ଆମ ସରକାର।
* ପୂର୍ବ ସରକାର ଅକୁଣ୍ଠିତ ଜନ ସମର୍ଥନ ଏବଂ ନିରଙ୍କୁଶ ଶାସନର ସୁଯୋଗ ପାଇଥିଲେ ମଧ୍ୟ ଓଡ଼ିଶାକୁ ସେମାନେ ଛଳନା ଓ ପ୍ରତାରଣାର ଲାବୋରେଟରୀରେ ପରିଣତ କରିଦେଇ ଥିଲେ। କିଛି ମୁଷ୍ଟିମେୟ ଲୋକ ସାମ୍ବିଧାନିକ ବ୍ୟବସ୍ଥାକୁ ଅତି ସନ୍ତର୍ପଣରେ ହାତୁଡି ପ୍ରହାର କରିଚାଲିଥିଲେ।
* ମୋ ସରକାର ଏକ ଉତ୍ତରଦାୟୀ ସରକାର । ଏ ସରକାର ସ୍ଵଚ୍ଛତା, ସାଧୁତା, ନିରପେକ୍ଷତା ଏବଂ ସମାନତାରେ ବିଶ୍ୱାସ କରେ ।
* ବିଗତ ପଚିଶ ବର୍ଷର ସରକାରୀ ଉଦାସୀନତା ଅନେକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବାରୁ ବଞ୍ଚିତ କରିଛି । ସରକାରୀ କ୍ଷେତ୍ରରେ ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିବା ପୂର୍ବ ସରକାରଙ୍କ legacyକୁ ଭାଙ୍ଗିବାକୁ ପଡିବ । କେବଳ ନିଯୁକ୍ତି କିମ୍ଵା ବୈଷୟିକ ଶିକ୍ଷା ନୁହେଁ, ଏ ପ୍ରକ୍ରିୟ। କିଭଳି ପାରଦର୍ଶୀ ହେବ, ତାର ପରିଣାମ ଆଜିର ଏହି ବିଧେୟକ । ଏହି ବିଧେୟକ ଆଇନ୍ରେ ପରିଣତ ହେବା ମାତ୍ରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୁରଣ କରିବାରେ ସହାୟକ ହେବ।
* ପୂର୍ବ ସରକାର ଅମଳରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଏବଂ ପାରଦର୍ଶୀ ଥିଲା ବୋଲି କେହି ବି ଦମ୍ଭରେ କହିପାରିବେ ନାହିଁ । ପ୍ରତି ନିଯୁକ୍ତି ତାଲିକା ସହିତ, ଚାପା ଗୁଞ୍ଜରଣ, ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମ ଫଳକ, ଛଦ୍ମ ପରିକ୍ଷାର୍ଥୀ, ନକଲ, ଉତ୍ତରପତ୍ର ଚଞ୍ଚକତା, ପ୍ରଶ୍ନପତ୍ର ପ୍ରଘଟ ଇତ୍ୟାଦି ଆଲୋଚନାର ବିଷୟ ବସ୍ତୁ ପାଲଟିବାର ନଜିର ରହିଅଛି।
* ମୋ ଓଡିଶାର ପ୍ରଗତିର ବାହକ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ପ୍ରତିଶୃତିବଦ୍ଧ। ଏହି ବିଧେୟକ ଏକ deterrent force ଭଳି।
* ବିଗତ ଦିନ ମାନଙ୍କରେ ନିଯୁକ୍ତି ଚୟନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା, ମୌଖିକ ପରୀକ୍ଷାରେ ପାତର ଅନ୍ତର ହେବା,ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବା, ପରୀକ୍ଷାରେ ଲାଂଚ କାରବାର ହେବା ଇତ୍ୟାଦି ଅନେକ ଅନିୟମତତା ସମ୍ବନ୍ଧରେ ଅଭିଯୋଗ ଆସିଅଛି | ପରୀକ୍ଷା ପରିଚାଳନାରେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ ହେବା ଓ ପରୀକ୍ଷା ପ୍ରକ୍ରିୟାରେ ପକ୍ଷପାତିତା ସମ୍ପର୍କରେ ଗଣମାଧ୍ୟମରେ ଶିରୋନାମାରେ ଆସିବା ପୁର୍ବ ସରକାରରେ ଏକ ସାଧାରଣ ଘଟଣା ଥିଲା ।
* ODISHA STAFF SELECTION COMMISSION ଅଧ୍ୟକ୍ଷକଙ୍କ ବ୍ୟକ୍ତିଗତ ସହାୟକ ଲାଂଚ ଗ୍ରହଣ କରି ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ଚାକିରୀ କରାଇବା ଭଳି ସଂଗିନ୍ ଅଭିଯୋଗ ବିଷୟ ସାରା ଓଡ଼ିଶାବାସୀଙ୍କ ପାଇଁ ଅଭୁଲା ହୋଇ ରହିଅଛି | ସେହିପରି ୨୦୨୩ ମସିହାରେ JE (Civil) ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ କାରଣରୁ ଏହି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଉପରୋକ୍ତ ପରୀକ୍ଷା ପରିଚାଳନାରେ ଘୋର ଅନିୟମତତା ସାରା ରାଜ୍ୟର ପରୀକ୍ଷା ବ୍ୟବସ୍ତାରେ କଳାଦାଗ ବୋଲି ବିବେଚନା କରାଯାଇପାରେ ।
* ପୂର୍ବବର୍ଷ NEET ପରୀକ୍ଷାରେ ଅନିୟମିତତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏପରି ଘଟଣାକୁ ରୋକିବା ପାଇଁ ଏକ ଆଇନ୍ ଆଣିଥିଲେ । ଅନ୍ୟ କେତେକ ରାଜ୍ୟ ହରିଆଣା, ଆସାମ ଓ ମହାରାଷ୍ଟ୍ର ମଧ୍ୟ ଏହି ଆଇନ୍ ପ୍ରଣୟନ କରିଛନ୍ତି । ଆମ ରାଜ୍ୟ ମଧ୍ୟ ଭବିଷ୍ୟତରେ ଏଭଳି କିଛି ଘଟଣା ଘଟିବା ପର୍ଯ୍ୟନ୍ତ ହାତବାନ୍ଧି ବସିପାରିବ ନାହିଁ। ତେଣୁ ଏବେ ଠାରୁ ଏହା ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ ସ୍ୱରୂପ ଏହି ଆଇନ ଆଣିଛନ୍ତି ।
* ଏହି ଆଇନ୍ରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି ।ଏହା ପରୀକ୍ଷା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟିକାରୀ ତଥା ଅନ୍ୟାନ୍ୟ ଉପାଦାନକୁ ଚିହ୍ନଟ କରିବାରେ ସହାୟକ ହେବ । ପରୀକ୍ଷାରେ ସଂଗଠିତ ଅପରାଧକୁ ରୋକିବାରେ ଏହା ସଫଳ ହେବ । ଏହା ପରୀକ୍ଷା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟିକାରି ତଥା ଅନ୍ୟାନ୍ୟ ଉପାଦାନକୁ ଚିହ୍ନଟ କରିବାରେ ସହାୟକ ହେବ । ଏହି ପ୍ରସ୍ତାବିତ ଆଇନରେ ଉଭୟ ଆର୍ଥିକ ଓ ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ ଏତେ ଅଧିକ କଠୋର କରାଯାଇଛି ଯେ ଅପରାଧୀ ଗୋଷ୍ଠୀ ଅପରାଧ କରିବା ପୂର୍ବରୁ ପୁନର୍ବିଚାର କରିବା ପାଇଁ ବାଧ୍ୟ ହେବେ ।
* ତେଣୁ, ପରୀକ୍ଷା ପରିଚାଳନାରେ ବିଭ୍ରାଟ ସୃଷ୍ଟି କରୁଥିବା ଅସାଧୁ ଗୋଷ୍ଠୀଙ୍କୁ ସମୁଚିତ ଦଣ୍ଡ ଦେବା ଏବଂ ପରିଶ୍ରମୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ଆମ ରାଜ୍ୟ ସରକାର ପ୍ରତିବଦ୍ଧ । ଆମ ସରକାର ଭବିଷ୍ୟତରେ ଦେଢ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସ୍ଵଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଏକ ସୁଦୃଢ ଆଇନର ଆବଶ୍ୟକତା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଅଭିଯୋଗର ତାଲିକା ଲମ୍ବା, ହେଲେ କୌଣସି ଅଭିଯୋଗର ତଦନ୍ତ ପାଇଁ ତାଙ୍କର ସତସାହସ ଦେଖିବାକୁ ମିଳୁନାହିଁ। ଗତ ୨୫ ବର୍ଷ ର ସରକାରକୁ ଗାଳି କରିବାକୁ ଯାଇ ମୋହନ ମାଝୀ ନିଜ ଦଳକୁ ମଧ୍ୟ ଗାଳି କରିଛନ୍ତି। ପଚିଶ ବର୍ଷର ନବୀନ ଶାସନରେ ୯ ବର୍ଷ ଭାରତୀୟ ଜନତା ପାର୍ଟି ଭାଗୀଦାର ଥିବା କଥା ମୁଖ୍ୟମନ୍ତ୍ରୀଙ୍କର ବୋଧହୁଏ ମନେ ନାହିଁ!!
ସାଧାରଣତଃ ମୁଖ୍ୟମନ୍ତ୍ରୀମାନେ ଅଭିଯୋଗ କରନ୍ତି ନାହିଁ। ସବୁ ଅଭିଯୋଗର ତଦନ୍ତ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ନେବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ। ଏଠି ଆମର ଅସହାୟ ମୁଖ୍ୟମନ୍ତ୍ରୀ କେବଳ ଅଭିଯୋଗ ବାଢିଛନ୍ତି।
ବିରୋଧୀଙ୍କୁ ସମାଲୋଚନା କରିବାକୁ ଯାଇ ମୋହନ ମାଝୀ ନିଜ ଭାଷଣରେ ନିଜର ଅସହାୟତାକୁ ଇ ପ୍ରକାଶ କରିଛନ୍ତି।