ଅସାମ୍ବିଧାନିକ ଇଲେକ୍ଟୋରାଲ ବଣ୍ଡ ଓ ନିର୍ବାଚନୀ ଏକଛତ୍ରବାଦ
ପରିଶେଷରେ ମାନ୍ୟବର ସୁପ୍ରିମକୋର୍ଟ ମୋଦୀ ସରକାର ରାଜନୈତିକ ଚାନ୍ଦା ଉଠାଇବାକୁ ଯେଉଁ ଅବୈଧ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା କରିଥିଲେ ତାକୁ ଅସାମ୍ବିଧାନିକ ଏବଂ ଏହା ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର ବିରୋଧୀ ବୋଲି ରାୟ ଦେଇଛନ୍ତି । ଗତକାଲି ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ପାଞ୍ଚଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ବ୍ୟବସ୍ଥା ଆମର ମୁକ୍ତ ଓ ଅବାଧ ନିର୍ବାଚନର ବିରୋଧୀ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।
ଏ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ସବୁଦିନ ପାଇଁ କଳୁଷିତ କରି ରଖିବାରେ ନରେନ୍ଦ୍ର ମୋଦୀ ସରକାରଙ୍କ କୁତ୍ସିତ ଯୋଗଦାନ ଭାରତର ଗଣତାନ୍ତ୍ରିକ ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ସବୁଦିନ ଲାଗି ପଢାଯିବ । ରାଜନୈତିକ ଦଳ ଗୁଡିକ କେଉଁ ସୂତ୍ରରୁ ନିଜର ଅର୍ଥ ସଂଗ୍ରହ କରୁଛନ୍ତି, ତାହା ଜାଣିବାର ଅଧିକାରକୁ ମୋଦୀ ସରକାର ସବୁଦିନ ପାଇଁ ଛଡାଇ ନେବାର ଷଡଯନ୍ତ୍ର କରିଥିଲେ । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ଵର୍ଗତ ଅରୁଣ ଜେଟଲିଙ୍କ ଉର୍ବର ମସ୍ତିଷ୍କରୁ ବାହାରିଥିବା “ଇଲେକ୍ଟୋରାଲ ବଣ୍ଡ” ଯୋଜନାରେ କିଏ କେଉଁ ରାଜନୈତିକ ଦଳକୁ ଚାନ୍ଦା ଦେଉଛି ତାହା ଜାଣିବାର ଉପାୟ ନଥିଲା । ଅନ୍ୟ କୌଣସି ସରକାର ହୋଇଥିଲେ ଏହାକୁ ନେଇ ସାରା ଦେଶରେ ପ୍ରଚୁର ପ୍ରତିବାଦ ହୋଇଥାନ୍ତା । ହେଲେ ମୋଦୀ ସରକାରକୁ ବିରୋଧ କରିବା ଯେହେତୁ ଅଘୋଷିତ ଦେଶଦ୍ରୋହ ଭାବରେ ପରିଗଣିତ, ଏଠି କେହି ଆଉ ପ୍ରତିବାଦ କରିବାକୁ ସାହସ କରିନଥିଲେ ।
କିଛି ବର୍ଷ ତଳେ ପୁନେ ର ଜନୈକ ନାଗରିକ ବିହାର ଦୁର୍ବେ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପାଇଥିଲେ ସେଥିରୁ ଜଣା ପଡିଥିଲା ଯେ କେବଳ ୨୦୧୮ ବର୍ଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୦୫୪ କୋଟି ୭୩ ଲକ୍ଷ ୪୨ ହଜାର ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକିଥିବା ବେଳେ ୨୦୧୯ ମସିହା ଜାନୁଆରୀ ରୁ ମାର୍ଚ୍ଚ ମାସ ଭିତରେ ଏହା ୧୭୧୬ କୋଟି ପାଞ୍ଚ ଲକ୍ଷ ୧୪ ହଜାରରେ ପହଞ୍ଚିଥିଲା । ୨୦୧୯-୨୦ ବେଳକୁ ମୋଟ ୩୩୫୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିକ୍ରି ହୋଇଥିବା ବେଳେ ସେଥିରୁ ୭୬% ଅର୍ଥାତ ମୋଟ ୨୫୫୫ କୋଟି ଟଙ୍କା କେବଳ ଶାସକ ଭାରତୀୟ ଜନତା ପାର୍ଟିକୁ ମିଳିଛି । ତେବେ ଏ ସବୁ ବଣ୍ଡ କିଣିଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ କିଏ ଏକଥା ଜାଣିବାର କୌଣସି ଉପାୟ ଲୋକଙ୍କ ପାଖରେ ନଥିଲା ।
ଇଲେକ୍ଟୋରାଲ ବଣ୍ଡ ହେଲା ଦିନ ଠୁ ଏହାର ସର୍ବାଧିକ ଲାଭ ଭାରତୀୟ ଜନତା ପାର୍ଟି ଉଠାଇ ଆସୁଛି। ପ୍ରତିଷ୍ଠିତ ଡିଜିଟାଲ ଗଣମାଧ୍ୟମ ଦି କୁଇଣ୍ଟ ର ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୧୮ ରେ ଦେଶରେ ୨୨୨ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଥିବା ବେଳେ ଏଥିରୁ ୯୫% ଅର୍ଥାତ ୨୧୦ କୋଟି ଟଙ୍କା କେବଳ ବିଜେପି ଖାତାକୁ ଆସିଥିଲା।
ଏବେ ପ୍ରଶ୍ନ ଉଠୁଛି ମାତ୍ର ଗତ ବର୍ଷ ଯେଉଁ ୩୩୫୫ କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି ଏହାର ପ୍ରାପକ କେବଳ ଶାସକ ଦଳ ହେବା ପଛର କାରଣଟି କଣ ? ନିର୍ବାଚନ ପାଣ୍ଠି ବଢାଇବାରେ ଶାସକ ବିଜେପି ଯେଉଁ ପ୍ରକାର ଅଭିବୃଦ୍ଧି ହାସଲ କରୁଛି, ତାହା ଗତ ସତୁରୀ ବର୍ଷର ଶାସନରେ କେବେହେଲେ ଦେଖିବାକୁ ମିଳିନଥିଲା। ପ୍ରଥମଥର ଲାଗି ଦେଶର କର୍ପୋରେଟ ସଂସ୍ଥା ଗୁଡିକ କେବଳ ବିଜେପିକୁ ଚାନ୍ଦା ଦେଇ ଚାଲୁଛନ୍ତି। ନିଜକୁ ସ୍ଵଚ୍ଛ ଓ ଦୁର୍ନୀତିମୁକ୍ତ ବୋଲି କହୁଥିବା ମୋଦୀ ସରକାର ନିଜ ଦଳର ଚାନ୍ଦାକୁ ମଧ୍ୟ ଗୋପନ ରଖୁଛନ୍ତି। ଗୋପନୀୟତାରେ ବିଶ୍ଵାସ କରୁଥିବା ଏକ ସରକାର ସବୁଠୁ ଦୁର୍ନୀତିଗ୍ରସ୍ତ, ଏକଥା ଆମେ ବିଶ୍ଵାସ ଯଦି ନକରୁ ତାହେଲେ ଆମ ନିଜର ଗଣତନ୍ତ୍ର ବିପନ୍ନ ହେବା ସୁନିଶ୍ଚିତ ।
ବିହାର ଦୁର୍ବେ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ସୂତ୍ରରୁ ପାଇଥିଲେ ସେଥିରେ ପାଞ୍ଚଟି ମୁଖ୍ୟ ସହରର ଇଲେକ୍ଟୋରାଲ ବଣ୍ଡ ବିଷୟରେ ସୂଚନା ରହିଛି। ଦେଶର ପାଞ୍ଚଟି ପ୍ରମୁଖ ସହରରୁ ଜାରି ହୋଇଥିବା ବଣ୍ଡ ର ପ୍ରଚୁର ଅର୍ଥରାଶି ର ସୂଚନା ଅନୁଯାୟୀ ୨୦୧୯ ଜାନୁଆରୀ-ମାର୍ଚ୍ଚ ମାସରେ ମୁମ୍ବାଇ ରୁ ୪୯୫ କୋଟି ୬୦ ଲକ୍ଷ ୧୨ ହଜାର, ଦିଲ୍ଲୀରୁ ୨୦୫ କୋଟି ୯୨ ଲକ୍ଷ ୧ ହଜାର, ହାଇଦରାବାଦରୁ ୨୯୦ କୋଟି ୫୦ ଲକ୍ଷ , କୋଲକାତା ରୁ ୩୭୦ କୋଟି ୭ ଲକ୍ଷ ଓ ଭୁବନେଶ୍ବରରୁ ୧୯୪ କୋଟି ୧ ଲକ୍ଷ ୧ ହଜାର ଟଙ୍କାର ବଣ୍ଡ ବିକ୍ରି ହୋଇଥିଲା। ଉଭୟ ସରକାରୀ ଓ ବେସରକାରୀ କର୍ପୋରେଟ ଇଲେକ୍ଟୋରାଲ ବଣ୍ଡ କିଣିପାରିବାର ବ୍ୟବସ୍ଥା ରହିଛି।
ବାସ୍ତବରେ ଏ ଟଙ୍କା କିଏ ଦେଇଛି ଓ କେଉଁ ସବୁ ଦଳ ଏଥିରୁ ଟଙ୍କା ପାଇଛନ୍ତି ତାହାର ଅନୁସନ୍ଧାନ ବର୍ତ୍ତମାନର ନିୟମ ଅଧୀନରେ ହୋଇ ପାରିବ ନାହିଁ। ତେବେ ଆମେ ସାଧାରଣ ନାଗରିକମାନେ କରିବା କଣ? ୨୦୧୨ ମସିହାରେ ସାରା ଦେଶରେ ଦୁର୍ନୀତି ବିରୋଧରେ ଯେଉଁ ମହାଯୁଦ୍ଧ ଆରମ୍ଭ ହୋଇଥିଲା ତାହା ଯେ ବିଜେପି ପ୍ରାୟୋଜିତ ଏକ ସୁଆଙ୍ଗ ଥିଲା ତାହା ଆଜି ପ୍ରମାଣିତ ହୋଇସାରିଛି।
ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଏପ୍ରିଲ ୨୦୧୯ରୁ ଆଜି ପର୍ଯନ୍ତ ବିକ୍ରୀ ହୋଇଥିବା ଏବଂ ଏହାର ଲାଭ ଉଠାଇଥିବା ଦଳ ଗୁଡିକର ତଥ୍ୟ ଆସନ୍ତା ୧୩, ମାର୍ଚ୍ଚ ୨୦୨୪ ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବ ସାଇଟରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜନୈତିକ ଦଳକୁ ମିଳୁଥିବା ଚାନ୍ଦା ବିଷୟରେ ଲୋକଙ୍କର ଜାଣିବାର ଅଧିକାର ନାହିଁ ବୋଲି ସୁପରିମକୋର୍ଟରେ ମୋଦୀ ସରକାର ଯେଉଁ ଅଗଣତାନ୍ତ୍ରିକ ଯୁକ୍ତି ପେଶ କରିଥିଲେ ସୁପ୍ରିମକୋର୍ଟ ତାକୁ ଖାରଜ କରି ଦେଇଛନ୍ତି ।
ତେବେ ସୁପ୍ରିମକୋର୍ଟଙ୍କ ଅନେକ ରାୟକୁ ମୋଦୀ ସରକାର ଇତି ମଧ୍ୟରେ ଅଧ୍ୟାଦେଶ କିମ୍ବା ସଂଖ୍ୟାବଳ ଜରିଆରେ ଅକାମୀ କରି ସାରିଛନ୍ତି । ତେବେ ଏହି ରାୟରେ ଇଲେକ୍ଟୋରାଲ ବଣ୍ଡକୁ ମୌଳିକ ଅଧିକାର ବିରୋଧୀ ବୋଲି କୁହା ଯାଇଥିବାରୁ ଏ ସମ୍ପର୍କିତ ଅଧ୍ୟାଦେଶ ଆସିବା ସହଜ ନୁହେଁ ।
ତେବେ ସାଧାରଣ ନିର୍ବାଚନର ମାତ୍ର ଅଳ୍ପ ଦିନ ଆଗରୁ ସୁପ୍ରିମକୋର୍ଟଙ୍କ ଏହି ରାୟ ମୋଦୀ ସରକାର ଗାଳରେ ଏକ ଶାକ୍ତ ଚାପୁଡା ସଦୃଶ ହୋଇଛି ।