ବିଜେପି ଦୁର୍ନୀତିର ନୂଆ ଚେହେରା ଓ ଚରିତ୍ର
୨୦୧୪ ମସିହା ପରଠୁ ଭାରତରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ସଜ୍ଞା ସଂପୂର୍ଣ୍ଣ ବଦଳିଯାଇଛି । ୨୦୧୪ ପୂର୍ବରୁ ସରକାରରେ ଥାଇ ଦୁର୍ନୀତି କଲେ ଲୋକେ ଛି ଛାକର କରୁଥିଲେ । ଏବେ ସ୍ଥିତି ପୁରା ଓଲଟା । ଆଜିର ସ୍ଥିତିରେ ଯିଏ ଯେତେ ଦୁର୍ନୀତି କରୁଛି କରୁ, ହେଲେ ସେ ଯଦି ଶାସକ ଭାରତୀୟ ଜନତା ପାର୍ଟିରେ ଯୋଗଦେଲା, ତା ହେଲେ ତାର ସବୁ ଦୁର୍ନୀତି ଧୋଇ ହୋଇଗଲା । ବିଜେପି ହେଉଛି ୨୦୧୪ ଦୁର୍ନୀତି ଢୋଇବା ପାଇଁ ସବୁଠୁ ସହଜ ୱାଶିଂ ମେସିନ । ବିଜେପି ବିରୋଧରେ ଥିବା ଯେ କୌଣସି ନେତାଙ୍କୁ ଏ ଦେଶର ସିବିଆଇ, ଇଡି ଏବଂ ଆୟକର ବିଭାଗ ଜେଲରେ ପୂରାଇ ଦେଇପାରେ । ହେଲେ ବିଜେପି ନେତାଙ୍କୁ ଛୁଇଁବା ପାଇଁ ଦେଶର କୌଣସି ଏଜେନ୍ସି ପାଖରେ ସାହସ ନାଇଁ । ଏକଦା ୨ଜି ମାମଲାରେ ଦେଶର ସିଏଜି ଏକ ଆନୁମାନିକ ସଂଖ୍ୟା ଲେଖି କହିଲେ ୧.୭୬ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସେ ସଂଖ୍ୟା କେବଳ ପବନରେ ତିଆରି ହୋଇଥିବା ସଂଖ୍ୟା ଇ ଥିଲା । ଅଦାଲତରେ ସେ ଦୁର୍ନୀତିର କୌଣସି ପ୍ରମାଣ ମିଳିଲା ନାଇଁ । ହେଲେ ବିଜେପି ଓ ଗଣମାଧ୍ୟମ ଆଜି ବି କଂଗ୍ରେସକୁ ୨ଜି ମାମଲାରେ ଦୋଷୀ ବୋଲି କହି ଆସୁଛନ୍ତି । ବିଜେପି ଅମଳରେ ଦୁର୍ନୀତି ପ୍ରସଙ୍ଗ ଉଠାଇବା ମଧ୍ୟ ଏକ ଅପରାଧ ପାଲଟି ଯାଇଛି । କର୍ଣ୍ଣାଟକରେ ଜଣେ ବିଧାୟକଙ୍କ ପୁଅ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡିବା ପରେ ଓ ତାଙ୍କ ଘରୁ ନଗଦ ୮ କୋଟି ଜବତ ହେବା ପରେ ମଧ୍ୟ ବିଧାୟକ ଛାତି ଫୁଲେଇ ଶୋଭାଯାତ୍ରା କରୁଛନ୍ତି ।
ତେବେ କର୍ଣ୍ଣାଟକ ଲାଞ୍ଚ ମାମଳାକୁ ଟିକେ ଭଲ ଭାବରେ ଦେଖାଯାଉ –
- ଗତ ଫେବୃଆରୀ ୨ ତାରିଖ ଦିନ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ଦୁର୍ନୀତି ନିବାରଣ ସେଲ ବିଜେପି ବିଧାୟକ ମାଦଲା ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମାଦଲା ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ତାଙ୍କୁ କାବୁ କରିଥିଲେ । ପରେ ବିଧାୟକଙ୍କ ଘରୁ ଓ ଅଫିସରୁ ପ୍ରାୟ ୮ କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଥିଲା ।
- ବିଧାୟକ ମାଦଲା ବିରୁପାକ୍ଷପ୍ପା କର୍ଣ୍ଣାଟକ ସରକାରଙ୍କ ସାବୁନ ଓ ଡିଟର୍ଜେଣ୍ଟ ତିଆରି କର୍ପୋରେସନର ଅଧ୍ୟକ୍ଷ ରହିଥିଲେ । ତାଙ୍କ ଘରୁ ଏତେ ପରିମାଣର ନଗଦ ଟଙ୍କା ମିଳିବା ପରେ ଓ ତାଙ୍କୁ ଏହି ମାମଲାରେ ଲୋକାୟୁକ୍ତ ଏକ ନମ୍ବର ଅଭିଯୁକ୍ତ ଭାବରେ ଏତଲା ଦେବା ପରେ ମଧ୍ୟ କର୍ଣ୍ଣାଟକ ପୁଲିସ ତାଙ୍କୁ ଗିରଫ କରିନଥିଲା ।
- ଆଶ୍ଚର୍ୟଜନକ ଭାବରେ କର୍ଣ୍ଣାଟକ ହାଇକୋର୍ଟ ଗତ ମଙ୍ଗଳାବର ଦିନ ବିଧାୟକ ମାଦଲା ବିରୁପାକ୍ଷପ୍ପାଙ୍କୁ ଆଗୁଆ ଜାମିନ ଦେଇଛନ୍ତି ଓ ଜାମିନ ପାଇଲା ପରେ ତାଙ୍କୁ ତାଙ୍କ ସମର୍ଥକମାନେ “ହିରୋ” ଭଳି ସ୍ଵାଗତ କରିଛନ୍ତି ।
- ଅନ୍ୟ ଏକ ଘଟଣାକ୍ରମରେ ବିଧାୟକଙ୍କ ଦୁର୍ନୀତି ବିରୋଧରେ ଦେଶର ୪୬ ଟି ଗଣମାଧ୍ୟମ ସଂସ୍ଥା କିଛି ଲେଖି ପାରିବେ ନାହିଁ କିମ୍ବା ଆଲୋଚନା କରିପାରିବେ ନାହିଁ ବୋଲି କର୍ଣ୍ଣାଟକର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜଣକ ଘରୁ ନଗଦ ଟଙ୍କା ଜବତ ହେଲେ ତାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କୁହାଯାଇପାରିବ ନାହିଁ ବୋଲି ଅଦାଲତ ଉଦ୍ଭଟ ଯୁକ୍ତି ଦର୍ଶାଇଛନ୍ତି ।
- ବିଜେପି କିମ୍ବା ବିଜେପି ସମର୍ଥକଙ୍କ ଦୁର୍ନୀତି ବିରୋଧରେ କହିବା ଆମ ସମୟର ସବୁଠୁ ବଡ ଅପରାଧ ପାଲଟି ଯାଇଛି ।
- କିଛି ବର୍ଷ ତଳେ ଆଦାନୀ କମ୍ପାନୀ ସମୂହର କଳା କାରନାମା ଉପରେ କିଛି ଲେଖିପାରିବେ ନାହିଁ ବୋଲି ଗୁଜରାଟର ଏକ ଅଦାଲତ ସାମ୍ବାଦିକ ପରଞ୍ଜୟ ଗୂହା ଠାକୁରତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଆଜିକାଲି ବିଜେପିର ନୂଆ ସୂତ୍ର ହେଉଛି, ଆମ ସହିତ ରହିଲେ ତମେ ସ୍ଵଚ୍ଛ, ଆମ ବିରୋଧରେ ଗଲେ ଦୁର୍ନୀତିଗ୍ରସ୍ତ ।
- ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଶ ଶିଶୋଦିଆଙ୍କ ପାଖରୁ ଟଙ୍କାଟିଏ ବି ସିବିଆଇ ଜବତ କରିନଥିଲା । କେବଳ ତଥାକଥିତ ପ୍ରମାଣ ନଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ଓ ଏ ସମ୍ପର୍କରେ ଜାମିନ ଦେବାକୁ ଅଦାଲତ ସମୟ ଗଡାଇ ଚାଲିଛନ୍ତି । ଅନ୍ଯତମ ଆପ ନେତା ସତ୍ୟେନ୍ଦ୍ର ଜୈନ ଦୀର୍ଘ ସମୟ ଧରି ବିନା ଜାମିନରେ ଜେଲରେ ଅଛନ୍ତି ।
- ପଚିଶ ବର୍ଷ ତଳର ମାମଲାରେ ଅତିଶୟ ଅସୁସ୍ଥ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ସିବିଆଇ ହଇରାଣ କରିଚାଲିଛି ।
- କର୍ଣ୍ଣାଟକ ଭଳି ସମାନ ମାମଲାରେ ପଶ୍ଚିମବଙ୍ଗର ଏକାଧିକ ମନ୍ତ୍ରୀ ଦୀର୍ଘ ସମୟ ଜେଲରେ ରହିଛନ୍ତି ।
- ମହାରାଷ୍ଟ୍ରରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦୀର୍ଘ ସମୟ ଜେଲରେ ରଖାଗଲା । ଅଦାଲତ ତାଙ୍କର ଗିରଫଦାରୀକୁ ସ୍ପଷ୍ଟ ଭାବରେ ଉଦ୍ଦେଶ୍ୟମୂଳକ ଓ ବେଆଇନ ବୋଲି କହିଥିଲେ ।
- ସିନେମା ତାରକା ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ବିନା ଦୋଷରେ ପ୍ରାୟ ମାସେ କାଳ ଜେଲରେ ରଖାଗଲା ।
ଏହି ସବୁ ଘଟଣାରୁ ଗୋଟେ କଥା ଆମେ କହିପାରିବା ଯେ- ଆମ ଦେଶର ନ୍ୟାୟ ବ୍ୟବସ୍ଥା ବୋଧେ ଦୁଇ ପ୍ରକାର । ଅଦାଲତରୁ ବିଜେପି ନେତାମାନଙ୍କୁ ତୁରନ୍ତ ସୁରକ୍ଷା ମିଳୁଥିବା ବେଳେ ସରକାର ବିରୋଧୀଙ୍କୁ ଦୀର୍ଘ ସମୟ ଧରି ଦଣ୍ଡିତ ହେବାକୁ ପଡୁଛି । କର୍ଣ୍ଣାଟକ ହାଇକୋର୍ଟରୁ ଆଗୁଆ ଜାମିନ ପାଇଲା ପରେ ବିଧାୟକ ମାଦଲା ବିରୁପାକ୍ଷପ୍ପା ଯେଉଁ ପ୍ରକାର ରାଜନୈତିକ ଶୋଭାଯାତ୍ରା କଲେ ଓ ବାଙ୍ଗାଲୋରର ଏକ ଅଦାଲତ ଯେଉଁ ଢଙ୍ଗରେ ଦେଶର ସବୁ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇଲେ, ସେଥିରୁ ଏତିକି ସ୍ପଷ୍ଟ ଯେ, ବିଜେପିର ନେତା ଓ କର୍ମୀଙ୍କ ପାଇଁ ବୋଧେ ଆମ ଦେଶର ଆଇନ ଅଲଗା !!!