ରାଜ୍ୟର ଆର୍ଥିକ ପ୍ରଗତିରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର

ରାଜ୍ୟର ଆର୍ଥିକ ପ୍ରଗତିରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ମୁଖ୍ୟମନ୍ତ୍ରୀ  ପୁରସ୍କାର

ରାଜ୍ୟର ଅର୍ଥନୈତିକ ପ୍ରଗତିରେ କୃଷକ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକାକୁ ଉପଲବ୍ଧି କରି ରାଜ୍ୟ ସରକାର ଏହି ତିନୋଟି କ୍ଷେତ୍ରକୁ ଋଣ ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏସବୁ ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରବାହ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବ୍ୟାଙ୍କମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ପୁରସ୍କାର ବିତରଣର ବ୍ୟବସ୍ଥା ହୋଇଛି । ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।

ମୁଖ୍ୟମନ୍ତ୍ରୀ ୨୦୨୨ ମଇ ୨୫ ତାରିଖରେ ଅର୍ଥ ବିଭାଗ ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ସଭାରେ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଅଗ୍ରାଧିକାର କ୍ଷେତ୍ରରେ ଋଣ ପ୍ରଦାନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ୯ଟି ବ୍ୟାଙ୍କକୁ ପୁରସ୍କାର ପ୍ରଦାନ କରିଛନ୍ତି । ୫,୫୫୫ଟି ବ୍ୟାଙ୍କ ଶାଖା ମଧ୍ୟରୁ ୪,୬୨୪ଟି ବ୍ୟାଙ୍କ ଶାଖା
(ପ୍ରାୟ ୮୩ ଶତକଡ଼ା ଶାଖା) ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲାର ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗିର
ଶାଖା, ରାୟଗଡ଼ା ଜିଲ୍ଲାର ଅକ୍ସିସ୍‌ ବ୍ୟାଙ୍କ, ରାୟଗଡ଼ା ଶାଖା, ସମ୍ବଲପୁର ଜିଲ୍ଲାର ଆକ୍ସିସ୍‌ ବ୍ୟାଙ୍କ, ସମ୍ବଲପୁର ଶାଖାକୁ କୃଷକମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଚିମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପ୍ରଦାନ କରାଯାଇଛି ।

କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ପାରଦର୍ଶିତା ପାଇଁ ୟୁନିୟନ୍‌ ବ୍ୟାଙ୍କ, ବଲାଙ୍ଗିର ଶାଖା, ଖୋର୍ଦ୍ଧା ଜିଲ୍ଲାର ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜୟଦେବ ବିହାର ଶାଖା, ଅନୁଗୋଳ ଜିଲ୍ଲାର ୟୁନିୟନ୍‌ ବ୍ୟାଙ୍କ, ତାଳଚେର ଶାଖା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପାଇଛନ୍ତି
। ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ କରି ଗ୍ରାମୀଣ ମହିଳାଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିଥିବାରୁ ବଲାଙ୍ଗିର ଜିଲ୍ଲା ଷ୍ଟେଟ୍‌
ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କଣ୍ଟାବାଞ୍ଜି ଶାଖା, ସୋନପୁର ଜିଲ୍ଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଡୁଙ୍ଗୁରିପାଲି ଶାଖା, ମାଲକାନଗିରି ଜିଲ୍ଲା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ,
କାଲିମେଳା ଶାଖାକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଚମ୍ପିଅନ୍‌ ବ୍ୟାଙ୍କ ପୁରସ୍କାର ପାଇଛନ୍ତି ।

ପ୍ରକାଶଯୋଗ୍ୟ ଯେ ପ୍ରତିବର୍ଷ ଉପରୋକ୍ତ ତିନୋଟି କ୍ଷେତ୍ରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କମାନଙ୍କୁ ଯଥାକ୍ରମେ ୫ ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଏ ।