କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ ଭାବରେ ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ପୁରସ୍କାର

କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ ଭାବରେ ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ପୁରସ୍କାର

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର “Best State for Promotion of Sports” ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ୟାଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍‌ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର ‘ସ୍ପୋର୍ଟସ ମଡେଲ’ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସଂପାଦକ ଶ୍ରୀ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । 

ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ । 

ରାଜ୍ୟ ତରଫରୁ ପୁରସ୍କାର ଗ୍ରହଣ କରି

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ବ କପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ High Performance Centre ଓ ପ୍ରତିଯୋଗୀତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ। ଅଲମ୍ପିକ୍‌ସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୁହିକ ସ୍ବପ୍ନ। ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।