ଘୃଣାର ଭାଷା କବିତା ହୋଇପାରିବ ନାହିଁ

ଘୃଣାର ଭାଷା କବିତା ହୋଇପାରିବ ନାହିଁ

ଗରଜ ବରଷ କେ ପ୍ୟାସୀ ଧରତି ପର୍ ଫିର୍ ପାନି ଦେ ମୌଲା

ଚିଡ଼ିଓଁ କୋ ଦାନେ ବଚୋଁକୋ ଗୁଡ଼ଧାନି ଦେ ମୌଲା

ଦୋ ଔର୍ ଦୋ କା ଯୋଡ଼ ହମେଶା ଚାର୍ କାହାଁ ହୋତା ହୈ

ସୋଚ ସମଝ ବାଲୋଁ କୋ ଥୋଡ଼ି ନାଦାନି ଦେ ମୌଲା ।

(କବି – ନିଦା ଫାଜଲି, ଗାୟକ- ଜଗଜିତ ସିଂ)

 ଏଇ କବିତାର ଗୀତକୁ ମୁଁ ବାରମ୍ବାର ଶୁଣେ । କବିତାର ଗୀତ ଅର୍ଥ ପ୍ରଥମେ କବିତା ତାପରେ ଗୀତ । ପ୍ରତିଦିନ ମର୍ଣ୍ଣିଂୱାକ୍‌‌ରେ ପ୍ରାୟ ଘଣ୍ଟାଏ ଏହିପରି ଭାବସଂପ୍ରସାରୀ କବିତାର ଅନେକ ଗୀତ ମୁଁ ଶୁଣେ । ମୋ ପ୍ରିୟ ଲୋକମାନଙ୍କୁ (ଯେଉଁମାନେ ଗୀତକୁ ଭଲପାଆନ୍ତି, ବୁଝନ୍ତି) ସେମାନଙ୍କୁ ପଠାଏ । ଏଇ କବିତାମାନଙ୍କ ସମ୍ପର୍କରେ କେବେକେବେ ଆଲୋଚନା କରେ । ଆଲୋଚନା ବେଳେ ସମଭାବାପନ୍ନ ମଣିଷମାନଙ୍କ ଆଖିରେ ଲୁହ ଜକେଇବା ଦେଖି, ମୋତେ ବି କାନ୍ଦ ଲାଗେ । ଏ କାନ୍ଦ କିନ୍ତୁ ନିରୋଳା ଆନନ୍ଦର, ଏକ ଅନିର୍ବଚନୀୟ ସୁଖର । ସକାଳ ଅଧିକ ସତେଜ୍‌ ଲାଗେ ।

 କବିତାଟିକୁ ମୋର ସେୟାର କରିବାର ଅର୍ଥ ହେଉଛି କବିର ଚିନ୍ତନ କେତେ ମୁକ୍ତ ଓ ବ୍ୟାପକ ! କେତେ ଭାବ ସଂଚାରୀ ଓ ସର୍ବଜନମଙ୍ଗଳକର ଚିନ୍ତା ତାକବିତାର ପ୍ରତିଟି ଶବ୍ଦରେ! କେତେ କରୁଣା ଭରି ରହିଛି କବିର ହୃଦୟରେ! କେତେ ଗଭୀର ତାର ମନନଶୀଳତା । କେତେ ନିଃସ୍ୱାର୍ଥପର ତାର ବକ୍ତବ୍ୟ! ନିଜ ପାଇଁ କିଛି କାହାକୁ ମାଗିବାର ନାହିଁ । ସମଗ୍ର ପୃଥିବୀ, ଜୀବ ଜଗତର ସୁଖ ହିଁ ତା ସୁଖ! ହୃଦୟରେ ପର୍ଯ୍ୟାପ୍ତ ପ୍ରେମ ନଥିଲେ ଏମିତି କାଳଜୟୀ କବିତାର ଧାଡ଼ିଟିଏ ଉତୁରିବା ଆଦୌ ସହଜ ନୁହେଁ ।

 ତୃଷିତ ମାଟିକୁ ପାଣି, ପକ୍ଷୀଙ୍କୁ ଦାନା, ପିଲାଙ୍କୁ ମୁଆଁ ଦିଅ ହେ ଈଶ୍ୱର ।

 ମାଟି ଭିଜିଲେ ମଂଜି ଫିଟି ଅଙ୍କୁରିତ ହୁଏ ବୀଜପତ୍ର । ମଂଜି ଗଜା ହେଲେ କୃଷକର ସୁଖ । କୃଷକର ସୁଖ ଅର୍ଥ, ସମଗ୍ର ପୃଥିବୀର ସୁଖ । ପକ୍ଷୀ ବଞ୍ଚିଲେ, ପ୍ରକୃତି ବଞ୍ଚିବ ତାର କଅଁଳ କିଚିରିମିଚରିରେ । ଆଉ ପିଲାଏ ଖୁସି ହେଲେ ଆମ କଥା ଛାଡ଼, ତମେ ହିଁ ସବୁଠୁ ବେଶୀ ଖୁସି ହେବ ଈଶ୍ୱର । ସବୁଠୁ ବଡ଼ କଥା ହେଲା ଜ୍ଞାନରେ ଭାରରେ ଏ ପୃଥବୀକୁ ଭାରାକ୍ରାନ୍ତ କରୁଥିବା ତଥା ଅର୍ଥକୁ ଅନର୍ଥ କରୁଥିବା ଜ୍ଞାନୀ ଲୋକଙ୍କୁ ଟିକେ ସରଳତା ଦିଅ ହେ ଈଶ୍ୱର!

କବିତାଟିକୁ ନେଇ ଏହା ମୋର ବ୍ୟକ୍ତିଗତ ଅବବୋଧ । ଏହାଠୁ ଉଚ୍ଚକୋଟୀର ଅବବୋଧ ବି ଥାଇପାରେ ଅନ୍ୟମାନଙ୍କର ।

 ଏ ଗୀତ ଶୁଣିଲାବେଳେ ମୁଁ ଚରମ ଅସହାୟତାରେ ନିଜକୁ ସଅଁପି ଦିଏ କବିଙ୍କ ପଦଯୁଗଳରେ ।

 ହେଲେ ଆଜି ଗୋଟେ କବିତା ପଢ଼ିଲି । ଘୃଣା ତିଆରିବାକୁ, ଆଘାତ ଦେବାକୁ କେତେ ତତ୍ପର ସେ କବିତାର ନିମ୍ନମାନର ଧାଡ଼ି ସବୁ? କେତେ ନିମ୍ନଗାମୀ ତାଙ୍କ ଚିନ୍ତା ଚେତନାର ପରିସର! ମୋତେ ଲାଗିଲା କବିଟି ଜଣେ ସାଧାରଣ ମଣିଷଠୁ ବି ହୀନ । କବିତା ସରିସରି ଆସିଲେ କବିଟି ଏଇମିତି ମରିମରି ଯାଏ! ନିଜ କର୍ମ ଭୁଲି ହୀନକର୍ମରେ ମନଯୋଗ କରେ । କବିଟିଏ ସ୍ୱୀକୃତ ହେଲେ ଅମୃତ ବର୍ଷାଏ, ମାତ୍ର କବିଟି ଅଗ୍ରାହ୍ୟ ହେଲେ ବା ନିଜ କବିତ୍ୱକୁ ନେଇ ତାଭିତରେ ସଂଶୟ ବା ଦ୍ୱନ୍ଦ୍ୱ ରହିଲେ ସେ ବିଷ ବୃଷ୍ଟି କରେ । ଥରେ ଗୋଟିଏ ସଭାରେ କବି ସୌଭାଗ୍ୟ ମିଶ୍ର କହିଥିଲେ- କବିତା ଭିନ୍ନ ଯଦି ଆଉ କିଛି କାର୍ଯ୍ୟ ତମକୁ ଭଲ ଲଗୁଛି ଦୟାକରି କବିତା ଛାଡ଼ି ସେଇ କର୍ମଟି କର ।ଅର୍ଥାତ ସେଇ ଅନ୍ୟ କାମଠୁ କବିତା ଲେଖିବା କାମଟି ନିଶ୍ଚିତ ଭାବେ ଏକ କଠିନତର କାର୍ଯ୍ୟ । କୌଣସି ତପସ୍ୟାଠୁ ବି କମ୍ ନୁହଁ । ଅଯଥାରେ କାହିଁକି ଏତେ କଷ୍ଟ କରିବ?