ଛପିଛପି ବାସନ୍ତୀରାତି : ମଞ୍ଚଗଢ଼ାରୁ ମଞ୍ଚଭଙ୍ଗାର ଗଦ୍ୟଗୀତି
( ଆଜି ବିଶ୍ଵ ବହି ଦିବସ । ବହିକୁ ନେଇ ଚର୍ଚ୍ଚା ଓ ଆଗ୍ରହ ବଢାଇବାକୁ ଆମେ ଆରମ୍ଭ କରୁଛୁ ଆଜିଠୁ ଏଇ ସ୍ଵତନ୍ତ୍ର ସ୍ତମ୍ଭ । ପ୍ରତି ରବିବାର ଏଣିକି ବହିକୁ ନେଇ ଚର୍ଚ୍ଚା, ସମୀକ୍ଷା ଓ ବିତର୍କ ସ୍ଥାନିତ ହେବ ଏଇଠି।)
ସହଜ ହେବା ବଡ କଠିନ । ସହଜ ଲେଖିବା ତା'ଠୁ ବଡ କଠିନ । ପୁଣି ଜୀଇଁବାର ଜଟିଳ ପ୍ରକ୍ରିୟାକୁ ସହଜରେ ବୁଝି ସରଳ ଗପଟିଏ କରିବା ସବୁଠାରୁ ବଡ କଠିନ । ଯେଉଁମାନେ ଏ କଥା କରି ପାରନ୍ତି ସେମାନେ ବିରଳ ପ୍ରଜାତିରେ ଗଣା ହୁଅନ୍ତି । ଅଜୟ ସ୍ବାଇଁ ସେହିପରି ଜଣେ ବିରଳ ପ୍ରଜାପତିର ଲେଖକ । କଥକତା ହେଉଛି ତାଙ୍କ ଗଳ୍ପ ଉପନ୍ୟାସର ପ୍ରାଣ । ଛୋଟ କାନଭାସ୍ ରେ ବିସ୍ତୃତ ଭାବର ଚିତ୍ର ଆଙ୍କିବା ତାଙ୍କ କଥା କୌଶଳ । ଉପରକୁ ଭାରି ପ୍ରଗଲ୍ଭ ତଥା ଫୁଲାଫାଙ୍କିଆ ମନେ ହେଲେ ବି ବାକ୍ୟ ସଂରଚନା ଓ ଶବ୍ଦ ପ୍ରୟୋଗରେ ଖୁବ୍ ସଂଯତ । ପରିମିତିବୋଧ ଅର୍ଥାତ୍ ଯେତକ ଆବଶ୍ୟକ ବାସ୍ ସେତକ ହିଁ କହିବା ଅଜୟ ସ୍ବାଇଙ୍କୁ ଅନ୍ୟ ଲେଖକଙ୍କଠୁ ସ୍ବତନ୍ତ୍ର କରେ । ଏହି କଥାକହିବାର ପରିମିତିବୋଧ ଯୋଗୁଁ ଅଜୟ ସ୍ବାଇଁ ଜଣେ ନିରୁତା କଥକ , ଯାହାର କଥା ମୁଣିରେ ଅଧେ ଗଦ୍ୟ ଆଉ ଅଧେ ପଦ୍ୟ । ଅଗ୍ନିପୁରାଣ , କାବ୍ୟାଦର୍ଶ , କାବ୍ୟାଳଙ୍କାର , ସାହିତ୍ୟ ଦର୍ପଣ ପରି ସାହିତ୍ୟ ଗ୍ରନ୍ଥରେ ଗଦ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି -ମୁକ୍ତକ (ସମାସ ରହିତ) , ଉତ୍କଳିକା (ଦୀର୍ଘସମାସଯୁକ୍ତ ) , ଚୂର୍ଣ୍ଣକ (ଅଳ୍ପସମାସଯୁକ୍ତ) ଓ ବୃତ୍ତିଗନ୍ଧି (ପଦ୍ୟସଦୃଶ) । ଅଜୟ ସ୍ବାଇଁଙ୍କ ଗଦ୍ୟକୁ ବୃତ୍ତିଗନ୍ଧି ଶୈଳୀର କୁହାଯାଇ ପାରେ । ତାଙ୍କର ଗଳ୍ପ ହେଉ କି ଉପନ୍ୟାସର ଭାଷା ସେଥିରେ ଗୀତିମୟତାର ଛୁଙ୍କ ଟିକେ ପଡିଥାଏ । ଔପନ୍ୟାସିକଙ୍କ ସେହି ଶୈଳୀର ଏକ ରଚନା 'ଛପି ଛପି ବାସନ୍ତୀ ରାତି ' ଉପନ୍ୟାସ ବିଷୟରେ ଦି ଚାରି କଥା କୁହାଯାଇ ପାରେ ।
ଜୀବନରେ କେତେ ମଣିଷଙ୍କର କେତେ ଦୁଃଖ ସତେ । ମିଛିମିଛିକା ଅଭିନୟ କରୁଥିବା ଚରିତ୍ରଙ୍କ ଭିତରେ ସତସତିକା ଜୀବନଟିଏ ଥାଏ ବୋଲି ଆମତମ ପରି ଅନେକ ଭୁଲିଯାନ୍ତି । କିଛି ମଣିଷ କଳାକୁ କଳା ରୂପେ ପ୍ରାଣରେ ପ୍ରତିଷ୍ଠା କରିବାକୁ ଚାହିଁ ବିଫଳ ହେଉଥିବା ବେଳେ ଆଉ କିଛି ମଣିଷ କଳାକୁ ବ୍ୟବସାୟ ଓ ସ୍ବାର୍ଥପୂରଣ ଉଦ୍ଦେଶ୍ୟରେ ବ୍ୟବହାର କରି ସଫଳ ବୋଲାନ୍ତି । କ୍ରମଶଃ ରାତି ସରି ସରି ଆସୁଥିବା ବେଳେ ଜୀବନ୍ତ ଅଭିନୟ ଦେଖାଉ ଦେଖାଉ ଥକି ଯାଉଥିବା ସେ ଚେହେରାମାନେ ବି ଲିଭି ଲିଭି ଯାଉଥାନ୍ତି । ଏଇ କିଛି ସମୟ ପୂର୍ବରୁ ଅଭିନୟର ଯାଦୁକାରିତାରେ ଦର୍ଶକ ସହ ଏକାତ୍ମ ହୋଇ କନ୍ଦାଇଥିବା ଚରିତ୍ରଟି ମଞ୍ଚରୁ ଓହ୍ଲାଇଗଲା ପରେ କ'ଣ କରେ କେହି ଜାଣନ୍ତି ନାହିଁ , କେହି ପଚାରନ୍ତିନି ଗତ କାଲିର ଚରିତ୍ର ସଂର୍ପକରେ । ଅଜସ୍ବାଇଁଙ୍କ 'ଛପିଛପି ବାସନ୍ତି ରାତି' କୌଣସି ବ୍ୟକ୍ତିଗତ ବେଦନାର ପରିପ୍ରକାଶ ନୁହଁ : ତାହା ହେଉଛି ସମଗ୍ର ଯାତ୍ରା କଳାକାର ତଥା ଯାତ୍ରା ଉପରେ ନିର୍ଭରଶୀଳ ମଣିଷଙ୍କର ବେଦନା । ମଞ୍ଚଗଢାରୁ ମଞ୍ଚଭଙ୍ଗା ଯାଏ ପ୍ରଲମ୍ବିତ ଏକ ଅକୁହା ଅଲିଖିତ ଇତିହାସ
ଯାତ୍ରାନାଟକ ସହ ଜଡିତ ପ୍ରାୟ ସବୁ ମଣିଷର ମୁହଁ ଅଜୟ ସ୍ବାଇଁଙ୍କ ଛପିଛପି ବାସନ୍ତୀରାତି ଉପନ୍ୟାସରେ ରହିଛି । ରଙ୍ଗବୋଲା ମୁହଁମାନଙ୍କ ଭିତରେ ଲୁଚିଥିବା ନାନାକିସମର ମୁହଁ ଆମ ଆଗରେ ଆଙ୍କିଛନ୍ତି । ଯୌବନ ଥିବା ନାୟିକା ତପତୀର ରୋମାଞ୍ଚ , ମଧ୍ୟମ ବୟଷ୍କା ନାୟିକା ଚାନ୍ଦିନୀର କାନ୍ଦୁରା ମୁହଁ , ମୁଖ୍ୟଚରିତ୍ରରୁ ମାଁ ସାଜିଥିବା କୃଷ୍ଣାନାନୀର ସନ୍ତାପ , ପ୍ରେମକରୁ ସନ୍ୟାସୀ ହୋଇଥିବା ନାୟକ ଦେବୀମିଶ୍ର , କଳାକୁ ବ୍ୟବସାୟ ମଣୁଥିବା ମ୍ୟାନେଜର୍ ନାନୁ ଆଚାର୍ଯ୍ୟ , ମାଲିକ ନଟ ଚମ୍ପତ୍ତି , ଘରୁ ଖାଇ ଘୋଡା ଆଗରେ ଡେଉଁଥିବା କଳାର ପୂଜକ ପଦ୍ଦୁମିଶ୍ରେ , "ବୋଧେ ଜୀଇଁବାଟା ହିଁ ଜୀବନରେ ସବୁଠାରୁ ବଡ ସତ , ତା ଠାରୁ ବଡ ସତ ଆଦର୍ଶର ହତ୍ୟା ଆଉ ବିବେକର ମୃତ୍ୟୁର କାହଣୀକୁ ଉପଲବ୍ଧି କରିଥିବା ସଙ୍ଗୀତଜ୍ଞ ଲୋକନାଥ ମାଷ୍ଟ୍ରେ , ପୋଥିରୁ ଶିଖିଥିବା ନାଟ୍ୟକୌଶଳ ସବୁ ବୃଥା ଜାଣି ସାରିଥିବା ଅସହାୟ ନିର୍ଦ୍ଦେଶକ ଆଦିକନ୍ଦ ସାହୁ , ନାଟ୍ୟକାର ମନୁଓଝା , ଆନାଉନ୍ସର୍ ରୁ ମଞ୍ଚଚରିତ୍ର ହେବାର ସ୍ବପ୍ନ ଦେଖୁଥିବା ନିତ୍ୟାନନ୍ଦ ମହାକୁଡ ଏବଂ ୟେ ସମସ୍ତଙ୍କୁ ଦକ୍ଷୀଣିପଦ ମନ୍ତ୍ରରେ ବଶ କରିନେବାର ସାମର୍ଥ୍ୟ ଦେଖାଉଥିବା ଜାହାନା ସମସ୍ତେ ଅଛନ୍ତି ଉପନ୍ୟାସରେ ।
ଜୀବନ ସାରା , ସବୁ ସ୍ବପ୍ନକୁ ଉଜେଇଁ ମିଛ ଆଲୁଅ ଓ ହାତତାଳି ମାୟାରେ ତମାମ୍ ଆୟୁଷକୁ ଫୁ କରି ଉଡେଇଦେଉଥିବା ଚରିତ୍ରଙ୍କ ଚିତ୍ରଶାଳା ହେଉଛି ଅଜୟ ସ୍ବାଇଁଙ୍କ "ଛପଛପି ବାସନ୍ତୀରାତି" ଉପନ୍ୟାସ ।ମିଛମିଛିକା ଅଭିନୟର କଳାରେ ବୁତୁରି ବୁତୁରି ଦର୍ଶକଙ୍କୁ ହସାଇ ରସାଇ କନ୍ଦାଇ ଥିବା କୃଷ୍ଣାନାନୀ ପରି ଚରିତ୍ରର ଜୀବନର ସତସତିକା ଶେଷଦୃଶ୍ୟକୁ କେହି ଦେଖିନ୍ତିନି । ଜୀବନକୁ ମଞ୍ଚର କୋଳରେ ଢାଳି ଦେଇଥିବା ଜଣେ କଳାକାର ଯବନିକାର ଅନ୍ତରାଳେ ସରିଯାଏ । ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ କଳାର ପୂଜାରିଣୀର ଜୀବନ ଦୀପ ଲିଭିଯାଏ ସିନା କିନ୍ତୁ ଦୁନିଆର ମଞ୍ଚରେ ଆଲୁଅର ପ୍ରାଚୁର୍ଯ୍ୟ କମେନା । " ନାଟକ ଚାଲିଛି , ସିନ୍ ପରେ ସିନ୍ । ହସ ଲୁହରେ ଫେଣ୍ଟି ହୋଇ ଜୀବନ ପରି । ଛାଇ ଆଲୁଅର ଖେଳ ଚାଲିଛି । ତାଳିମାଡ଼ରେ କମ୍ପୁଛି ତମ୍ବୁ । ଏଇ କିଛି ବେଳେ ଆଗରୁ ଯୋଉ ମା'ଟିଏ କାନ୍ଦୁଥିଲା ସମସ୍ତଙ୍କୁ କନ୍ଦଉଥିଲା , ସ୍ନେହ ମମତାର ପଣତରେ ପିଲାମାନଙ୍କୁ ଘୋଡେଇ ରଖୁଥିଲା , ପିଲାଙ୍କର କାଳେ ଅମଙ୍ଗଳ ହେବ ବୋଲି ଠାକୁରଙ୍କ ଆଗରେ ନିଜର ମରଣ ମାଗୁଥିଲା , ତାକୁ ଆଉ କେହି ମନେ ପକାଇ ପାରୁ ନାହାନ୍ତି । "
ମଞ୍ଚଜଗତର କିଛିଲୋକ ରଙ୍ଗର ମୋହରେ ସ୍ଥାଣୁ ପାଳଟି ଯାଇ ଚିରକାଳ ତାର ପୂଜକ ସାଜନ୍ତି , ଆୟୁଷ ଦେଇ ଦୀପକୁ ଅଲିଭା ରଖନ୍ତି ତ ଆଉ କିଛିଲୋକ ରଙ୍ଗକୁ ମୁଖାକରି ଗୋଟେ ଛଳମୃଗ ହୋଇ ଅହର୍ନିଶ ଧାଉଥାନ୍ତି ଷଡଯନ୍ତ୍ରର ଦୌଡରେ । ମଞ୍ଚଗଢୁ ଗଢୁ କିଏ ସର୍ବସ୍ବ ପାଏ ତ ଆଉ କିଏ ହୁଏ ସର୍ବସ୍ବାନ୍ତ । ମଞ୍ଚମଣିଷଙ୍କ ଭିତରେ ଗୋଟେ ଦୌଡ ଚାଲିଥାଏ ବ୍ୟବସାୟର । ଲେଖକ ନିର୍ଦ୍ଦେଶକ ଚରିତ୍ର ଗୀତିକାର , ଗାୟକ ସମସ୍ତେ ସେ ଦୌଡରେ ସାମିଲ୍ ।କଳା ତାଙ୍କ ପାଇଁ ବ୍ୟବସାୟ ମାତ୍ର । କଳାର ବି ମୂଲଚାଲ ହେଉଛି । କିନ୍ତୁ ଚାନ୍ଦିନୀ ପରି କିଛି ଚରିତ୍ର ଏ ଦୌଡରେ ସାମିଲ୍ ହୋଇପାରନ୍ତିନି ।କୃଷ୍ଣାନାନୀ ଶିଖେଇଥିବା କଳାର ଆଦର୍ଶକୁ ଜାବୁଡି ଧରିଥାନ୍ତି । "କଳାକାର କିଛି ନିଏନା । ଖାଲି ଦିଏ । ଦୁନିଆ କହେ କଳାକାର ମିଛିମିଛିକା କାନ୍ଦେ , ମିଛିମିଛିକା ହସେ , ମିଛିମିଛିକା ପ୍ରେମ କରେ , ମିଛିମିଛିକା ମରେ । ହେଲେ କଳାକାର ନିଜେ ଜାଣେ ସେ ସତସତିକା କାନ୍ଦେ , ସତସତିକା ହସେ , ପ୍ରେମକରେ ଓ ସତସତିକା ମରେ । କେହି ତାକୁ ବୁଝି ନପାରିବା ହିଁ ତା କଳାକାର ପଣିଆ ।"
ଶେଷରେ ଉପନ୍ୟାସଟି ବିଷୟରେ କେବଳ ଏତିକି କୁହାଯାଇପାରେ -
"ଅଜୟ ସ୍ବାଇଁଙ୍କ ଛପିଛପି ବାସନ୍ତୀରାତି : ମଞ୍ଚଗଢ଼ାରୁ ମଞ୍ଚଭଙ୍ଗାର ଗଦ୍ୟଗୀତି"