ମୋତେ ଜଣା ନାହିଁ ମୋର ଠିକଣା

ମୋତେ ଜଣା ନାହିଁ ମୋର ଠିକଣା

ମୋତେ ଜଣା ନାହିଁ ମୋର ଠିକଣା।

 

କେଉଁ ଗାଁ କି ସହର

ବସ୍ତି ଅବା କଲୋନୀ

ଇଟାଭାଟି ଅଥବା କାରଖାନା

ସବୁବେଳେ ଆଉ କାହାର ମାର୍ଫତରେ ମୋର ଠିକଣା। 

 

ମୋର ରକ୍ତରେ ସବୁବେଳେ 

ପୋଡୁଥାଏ କଞ୍ଚାମାଟି

ମୋର ହାଡ଼ ତରଳୁଥାଏ ପିଚୁରେ

ମୁଁ ତମର ଗାଡ଼ି ପାଇଁ ରାସ୍ତା

ମୁଁ ତମର ପ୍ରମୋଦ ଉଦ୍ୟାନ

ମୁଁ ତମର ମନୋରମ ମଲ୍ଟିପ୍ଲେକ୍ସ୍ 

ମୁଁ ତମର ଚିରା ପ୍ଲାଷ୍ଟିକର ଅସହାୟତା 

ମୁଁ ତମର ଲାଭ ଓ ଲୋଭର ଚିତ୍ରକଳ୍ପ। 

 

ମୋର ଠିକଣା ସବୁବେଳେ ତମର ଇଚ୍ଛାରେ। 

 

କେଉଁ ଗାଁରୁ କେବେ ଦିନେ ମୁଁ ଉଠି ଆସିଥିଲି

ତମର ସହରକୁ

ସେ ଗାଁ କେବେଠୁ ଲିଭି ଗଲାଣି ମାଟିରୁ

ସେ ଗାଁ ଉପରେ କାରଖାନା ଓ ନଦୀବନ୍ଧ 

ସେ ଗାଁ ତଳେ ଫୁଟି ସାରିଛି ଡିନାମାଇଟ୍

ସେ ଗାଁ ମୋର ଛାତି ଭିତରେ ଅନେକ ବର୍ଷ

ଘା' ହୋଇ ପୋଡିବା ପରେ 

ଶୁଖିଗଲାଣି କେବେଠୁ। 

 

ମୋର ଗାଁ ଏବେ ପତାକା ହୋଇ ଉଡୁଛି 

ତମର ସ୍ବପ୍ନିଳ ବିକାଶରେ। 

 

ମୋର ଠିକଣା ଏବେ 

ଭୋକ ହୋଇ ରାଉ ରାଉ ମୋର ପେଟରେ ।