ଲକ୍ଷ୍ମୀ ନାରାୟଣ ଓ ଟାଇଗର୍ ଉପାଖ୍ୟାନ
ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲକ୍ଷ୍ମୀ ନାରାୟଣଙ୍କ ସହ ମୋର ଘନିଷ୍ଠତା । ପୁରୀ ସହରର ଏକ ସମ୍ଭ୍ରାନ୍ତ ତେଲୁଗୁ ପରିବାରରେ ଲକ୍ଷ୍ମୀ ନାରାୟଣଙ୍କ ଜନ୍ମ । ପ୍ରାୟ ଛଅ ଫୁଟ୍ ଉଚ୍ଚ ଏବଂ ସାଧାରଣ ସ୍ୱାସ୍ଥର ଚେହେରା । ଛାତ୍ରାବସ୍ଥାରୁ ଧଳା ଫୁଲ୍ ପ୍ୟାଣ୍ଟ ଓ ଧଳା ଫୁଲ୍ ସାର୍ଟ ଛଡା ଅନ୍ୟ ରଙ୍ଗର ଜାମାପଟା ପିନ୍ଧିବା କେହି କେବେ ତାଙ୍କୁ ଦେଖିନାହାନ୍ତି ।
ବିଶ୍ୱ କବି ରବୀନ୍ଦ୍ରନାଥ ଠାକୁର୍ଙ୍କ ଦ୍ୱାରା ନିର୍ମିତ ତାଙ୍କର ଗ୍ରୀଷ୍ମାବକାଶ ସ୍ଥଳୀ ‘ପାଥାତ୍ପୁରୀ’ଠାରୁ ଅଳ୍ପଦୂରରେ ଲକ୍ଷ୍ମୀ ନାରାୟଣଙ୍କ ଘର । ମୁଁ ପୁରୀ କଲେଜର ଛାତ୍ରଥିବା ସମୟରେ ସେ ଥିଲେ ମୋ ସହଧ୍ୟାୟୀ । ରବୀନ୍ଦ୍ରନାଥଙ୍କ ଐତିହାସିକ ପାଥାତ୍ପୁରୀ ପରବର୍ତ୍ତୀ କାଳରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରାବାସରେ ପରିଣତ ହୋଇଥିଲା ଏବଂ ମୁଁ ସେହି ଛାତ୍ରାବାସରେ ହିଁ ରହୁଥିଲି । ଲକ୍ଷ୍ମୀ ନାରାୟଣଙ୍କ ନିଜସ୍ୱ ଗୃହ ପାଥାତ୍ପୁରୀର ନିକଟତର ହୋଇଥିବାରୁ ତାଙ୍କ ସହ ମୋର ଯଥେଷ୍ଟ ଘନିଷ୍ଠତା ଥିଲା । କ୍ରମେ ତାଙ୍କ ପରିବାରର ସମସ୍ତଙ୍କ ସହ ମଧ୍ୟ ମୋର ଘନୀଷ୍ଠତା ବଢ଼ିଥିଲା । ଲକ୍ଷ୍ମୀ ନାରାୟଣଙ୍କ ମା ଥିଲେ ଅତ୍ୟନ୍ତ ସ୍ନେହ ପରାୟଣା ଏବଂ ମତେ ନିଜ ପୁଅ ଭଳି ଗଭୀର ସ୍ନେହ କରୁଥିଲେ । ହଷ୍ଟେଲ୍ରେ ଖାଇବା ପିଇବାର ଅସୁବିଧା ହେଉଥିବା କଥା ତାଙ୍କୁ ଅଜଣା ନଥିଲା । ତେଣୁ କଲେଜରୁ ଫେରିବା ପରେ ପ୍ରାୟ ପ୍ରତିଦିନ ତାଙ୍କ ଘରେ ଅପରାହ୍ନର ଚା ଜଳଖିଆ ଏବଂ ବହୁ ସମୟରେ ରାତ୍ରି ଭୋଜନ କରିବାକୁ ପଡୁଥିଲା । ଛୁଟିଦିନମାନଙ୍କରେ ଦିନସାରା ସେ ମତେ ବାଧ୍ୟ କରି ଖୁଆଉଥିଲେ ।
ଲକ୍ଷ୍ମୀ ନାରାୟଣଙ୍କ ଦେହର ବର୍ଣ୍ଣ ଥିଲା ଶ୍ୟାମଳ । ଛାତ୍ରାବସ୍ଥାରେ ତାଙ୍କ ମୁଣ୍ଡର ବାଳଗୁଡିକ ଗାଢ଼ କଳା ଥିଲା । ମାତ୍ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁଣ୍ଡର ବାଳଗୁଡିକ ସମ୍ପୂର୍ଣ୍ଣରୂପେ ଧଳା ହୋଇଯାଇଥିଲା । ଧଳା ଫୁଲ୍ ପ୍ୟାଣ୍ଟ, ଧଳା ଫୁଲ୍ ସାର୍ଟ ସାଙ୍ଗକୁ ଧଳା ଫର ଫର ବାଳଗୁଡିକ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି କରୁଥିଲା ।
ଶିକ୍ଷା ସମାପ୍ତି ପରେ ଲକ୍ଷ୍ମୀ ନାରାୟଣ ପୁରୀରେ ଶିକ୍ଷା ବିଭାଗରେ କାର୍ଯ୍ୟରତ ହୋଇ ପାରିବାରିକ ସମ୍ପତ୍ତିର ଓ ପରିବାର ସଭ୍ୟମାନଙ୍କର ଦେଖାଚାହାଁ କରୁଥିଲେ । ମୁଁ ଶିକ୍ଷା ସମାପ୍ତି ପରେ ପୁରୀ ଛାଡିଥିଲେ ମଧ୍ୟ ତାଙ୍କ ଘରଟି ମୋ ପାଇଁ ସବୁବେଳେ ମୋର ଦ୍ୱିତୀୟ ଘର ହୋଇ ରହିଥିଲା ।
ଇତିମଧ୍ୟରେ ବିଶାଖାପାଟଣାର ଏକ ସମ୍ଭ୍ରାନ୍ତ ପରିବାରରେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ହେଲା । ତାଙ୍କ ପତ୍ନୀ ମିନାକ୍ଷୀ ଥିଲେ ଯଥେଷ୍ଟ ସୁନ୍ଦରୀ, ମିଷ୍ଟଭାଷୀ ଓ ଅତିଥିବତ୍ସଳା । ବିବାହ ପରେ ମା ମୋ ସମ୍ପର୍କରେ ତାଙ୍କୁ ସବୁ ବୁଝାଇ ଦେଇଥିବାରୁ ମିନାକ୍ଷୀ ମତେ ମଧ୍ୟ ନିଜର ପରିବାରର ଲୋକ ଭଳି ବ୍ୟବହାର କରୁଥିଲେ ।
ମୁଁ ବା ମୋ ପରିବାରର ସଦସ୍ୟମାନେ ପୁରୀ ଗଲେ ଅନେକ ସମୟରେ ଲକ୍ଷ୍ମୀ ନାରାୟଣଙ୍କ ଘରେ ହିଁ ରହିଥାଉ । ଅନ୍ୟତ୍ର ରହିଲେ ଉଭୟ ଲକ୍ଷ୍ମୀ ନାରାୟଣ ଓ ମିନାକ୍ଷୀ ଯେ କେବଳ ମୁହଁ ଫୁଲାଉ ଥିଲେ ତା ନୁହେଁ ମା ମଧ୍ୟ ତାଗିଦ୍ କରୁଥିଲେ ।
କେଇ ବର୍ଷର ବ୍ୟବଧାନ ପରେ ମୁଁ ଲକ୍ଷ୍ମୀ ନାରାୟଣଙ୍କ ଘରେ ପହଞ୍ଚି କଲିଂ ବେଲ୍ ଚିପିଲି ବନ୍ଧୁ ପତ୍ନୀ ମିନାକ୍ଷୀ ଆସି କବାଟ ଖୋଲିଲେ ଏବଂ କହିଲେ, “ଆପଣଙ୍କ ବନ୍ଧୁ ସିରିୟସ୍ ହୋଇ ବିଛଣାରେ ଶୋଇଛନ୍ତି ।” ଏତକ କହି ସାରି ସେ ମତେ ଭିତରକୁ ଡାକି ନେଲେ ।
ମୁଁ ବେଡ୍ରୁମ୍ରେ ପହଞ୍ଚି ଦେଖିଲି ଲକ୍ଷ୍ମୀ ନାରାୟଣ ବିଛଣାରେ ପଡି ରହିଛି । ତା ହାତ, ଗୋଡ ଓ ମୁହଁରେ ବ୍ୟାଣ୍ଡେଜ୍ କରାଯାଇଛି । ମୁହଁର ସେ ବ୍ୟାଣ୍ଡେଜ୍ ଭିତରୁ ଆଖି ଦୁଇଟି ଜୁଳୁ ଜୁଳୁ ହୋଇ ଦେଖାଯାଉଛି ।
କଣ ଘଟିଲା ବୋଲି ମୁଁ ଲକ୍ଷ୍ମୀ ନାରାୟଣଙ୍କୁ ପ୍ରଶ୍ନ କରିବାରୁ ସେ କିଛି ନକହି ମିନାକ୍ଷୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା କ୍ଷଣି ମିନାକ୍ଷୀ ହସି ହସି ଗଡି ଗଲେ ଏବଂ ଲକ୍ଷ୍ମୀ ନାରାୟଣଙ୍କ ମୁଣ୍ଡ ବାଳକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ । ମୁଁ ଦେଖିଲି କାଶତଣ୍ଡୀ ଫୁଲ ଭଳି ସବୁବେଳେ ଧଳା ଫର ଫର ଦେଖାଯାଉଥିବା ତାଙ୍କର ବାଳଗୁଡିକ ସମ୍ପୂର୍ଣ୍ଣରୂପେ ଚିକ୍କଣ କଳା ହୋଇଯାଇଛି । ମୁଁ ତାର ଏ ନୂଆ ଚେହେରା ଦେଖି ବେଜାଏ ହସିଲି ଏବଂ ଦେହ ସାରା ବ୍ୟାଣ୍ଡେଜ୍ ହେବାର କାରଣ ସମ୍ପର୍କରେ ପଚାରିଲି । ଯନ୍ତ୍ରଣା ଯୋଗୁଁ ଲକ୍ଷ୍ମୀ ନାରାୟଣ କିଛି କହିଲା ଭଳି ଅବସ୍ଥାରେ ନଥିଲେ । ସେ ଖାଲି ଦୁଇ ହାତରେ ନିଜ ମୁଣ୍ଡର ରଙ୍ଗ ଦିଆ କଳା ବାଳଗୁଡିକୁ ସାଉଁଳିବା ସହ ମଝିରେ ମଝିରେ ମିନାକ୍ଷୀଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ । ତାଙ୍କର ଏଭଳି ଦୁର୍ଦ୍ଦଶା ଦେଖି ତାହାର କାରଣ ସମ୍ପର୍କରେ ଜାଣିବା ଲାଗି ମୋ ମନ ଉଚ୍ଛନ୍ନ ହୋଇ ଉଠୁଥିଲା । ତେଣୁ ସେ ଆହତ ହେବାର ରହସ୍ୟ ଫିଟାଇ କହିବା ଲାଗି ମୁଁ ମିନାକ୍ଷୀଙ୍କୁ ବାରମ୍ବାର ଅନୁରୋଧ କରିବା ପରେ, ମିନାକ୍ଷୀ ପୁର୍ନବାର ଶଶବ୍ଦେ ହସି ଉଠିଲେ । ଏଭଳି ପରିସ୍ଥିତିରେ କିଛି କହିବା ଭଳି ଅବସ୍ଥାରେ ନଥିବା ଲକ୍ଷ୍ମୀ ନାରାୟଣ ଟିକିଏ ବିରକ୍ତି ସୂଚକ ଅଙ୍ଗଭଙ୍ଗୀ କରି ସମସ୍ତ ଘଟଣା ମୋ ଆଗରେ ପ୍ରକାଶ କରିବା ପାଇଁ ମିନାକ୍ଷୀଙ୍କୁ ନିର୍ଦ୍ଦେଶ ଦେଲେ ।
ବହୁ କଷ୍ଟରେ ହାସ୍ୟ ସମ୍ବରଣ କରି ମିନାକ୍ଷୀ କହିଲେ, “ଆମ ଟାଇଗର୍ର କାମୁଡାରେ ସେ ଏଭଳି ଦଶା ଭୋଗିଛନ୍ତି ।”
ଟାଇଗର୍ ଲକ୍ଷ୍ମୀ ନାରାୟଣଙ୍କ ପରିବାରର ଏକାନ୍ତ ପ୍ର୍ରିୟ ପୋଷା ଆଲ୍ସିସିଆନ୍ ଓ ଦୀର୍ଘ ବାର ବର୍ଷ ଧରି ସେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ରହି ଆସିଛି । ଟାଇଗର୍ର ଭରସାରେ ଘର ଛାଡି ଦେଇ ଲକ୍ଷ୍ମୀ ନାରାୟଣଙ୍କ ପରିବାର ବାହାରକୁ ଚାଲିଯାଉଥିଲେ ମଧ୍ୟ ଟାଇଗର୍ କାହାକୁ ଘରେ ପୂରାଇ ଦିଏ ନାହିଁ । ସବୁବେଳେ ସେ ଲକ୍ଷ୍ମୀ ନାରାୟଣଙ୍କ ପାଖାପାଖି ରହିବାକୁ ଭଲପାଏ । ସେ ଇଜି ଚେୟାର୍ଟି ଉପରେ ବସି ପଢ଼ା ପଢ଼ିି କରିବା ସମୟରେ ତାଙ୍କ ପାଦ ତଳେ ଶୋଇ ରହେ ଏବଂ ସେ ଶୋଇବାକୁ ଗଲେ ଖଟ ପାଖରେ ଶୋଇ ରହେ । ଲକ୍ଷ୍ମୀ ନାରାୟଣ ଓ ପରିବାରର ଲୋକମାନେ ଟିଭି ଦେଖିବା ସମୟରେ ଟାଇଗର୍ ପରଦା ଆଢ଼ୁଆଳରେ ସନ୍ତର୍ପଣରେ ଟିିଭିକୁ ଅନାଇ ରହେ ।
ଟାଇଗର୍ ପ୍ରଥମେ ପ୍ରଥମେ ଯେ କୌଣସି ଆଗନ୍ତୁକକୁ ଦେଖିଲେ ପ୍ରଚଣ୍ଡ ଶବ୍ଦ କରି ଝାମ୍ପି ପଡେ । ମାତ୍ର ଲକ୍ଷ୍ମୀ ନାରାୟଣ ବା ମିନାକ୍ଷୀ କିମ୍ବା ପରିବାରର କୌଣସି ସଭ୍ୟ ତାକୁ ‘ନୋ ଟାଇଗର୍...ଗେଷ୍ଟ୍’ ବୋଲି କହିଲେ ସେ ଆଗନ୍ତୁକଙ୍କୁ ଶୁଙ୍ଘି ଦେଇ ଲାଞ୍ଜ ହଲାଇ ଘୁରି ବୁଲେ । ଦୀର୍ଘ ବାରବର୍ଷର ରହଣୀ କାଳ ମଧ୍ୟରେ ଟାଇଗର୍ କେବେ କାହାରିକୁ କାମୁଡିବାର ଦୃଷ୍ଟାନ୍ତ ନାହିଁ । ଲକ୍ଷ୍ମୀ ନାରାୟଣଙ୍କ ଭଳି ପୁରୀ ସହରର ସମ୍ଭ୍ରାନ୍ତ ପରିବାର ମଧ୍ୟରେ ଟାଇଗର୍ର ମଧ୍ୟ ସ୍ୱତନ୍ତ୍ର ପରିଚୟ । ସହରରେ ଅନୁଷ୍ଠିତ ବହୁ ‘ଡଗ୍ ସୋ’ରେ ସେ ପ୍ରଦର୍ଶିତ ହୋଇ ବହୁବାର ପୁରସ୍କୃତ ହୋଇଛି । ଏଭଳି ଐତିହ୍ୟ ସମ୍ପନ୍ନ ଟାଇଗର୍ ତାର ପ୍ରିୟ ମାଲିକଙ୍କ ଉପରେ କାହିଁକି ଆକ୍ରମଣ କଲା ଜାଣିବା ଲାଗି ମୋର ଆଗ୍ରହ ବହୁଗୁଣିତ ହୋଇଉଠିଲା । ତେଣୁ ଆଉ ବିଳମ୍ବ ନକରି ସବୁ କଥା କହିବା ଲାଗି ମୁଁ ମିନାକ୍ଷୀଙ୍କୁ ଜୋର ଦେଇ ଅନୁରୋଧ କଲି ।
ବହୁ କଷ୍ଟରେ ହସକୁ ଚାପି ରଖି ମିନାକ୍ଷୀ କହିଲେ, “ଗତ କାଲି ଆମ ଘରକୁ କ୍ଷୀର ଦେବା ପାଇଁ ଆସିଥିବା ପିଲାଟି ପଚାରିଥିଲା, ‘ମା ମୁଁ କେତେଥର ଆସିଲିଣି ଥରକ ପାଇଁ ହେଲେ ବାବୁଙ୍କୁ ଦେଖିନି । ସବୁବେଳେ ସେଇ ପାଚିଲା ବାଳିଆ ବୁଢ଼ା ଶଶୁର ବାରଣ୍ଡାରେ ବସି ରହୁଛନ୍ତି ।’
ତା କଥା ଶୁଣି ମୁଁ ଥଟ୍ଟାରେ କହିଥିଲି, ‘ବାବୁ ବାହାରେ ଚାକିରି କରନ୍ତି । ଏଥର ଆସିଲେ ମୁଁ ତାଙ୍କ ସାଙ୍ଗେ ତତେ ଚିହ୍ନା କରାଇ ଦେବି ।’
ଏଭଳି କଥୋପକଥନ ସମୟରେ ସୋଫା ଉପରେ ବସି ଚା ପିଉଥିବା ଲକ୍ଷ୍ମୀ ନାରାୟଣ ସବୁକଥା ଶୁଣୁଥିଲେ । ତା ପରେ କାହାକୁ କିଛି ନକହି ହଠାତ୍ ଗାଡି ଧରି ଦୁଇଘଣ୍ଟା ପାଇଁ ଅଦୃଶ୍ୟ ହୋଇଯାଇଥିଲେ । ଦୁଇଘଣ୍ଟା ପରେ ମୁଁ ରୋଷେଇ ଘରେ ଥାଇ ଟାଇଗର୍ର ପ୍ରଚଣ୍ଡ ଚିତ୍କାର ଶବ୍ଦ ସାଙ୍ଗକୁ ଲକ୍ଷ୍ମୀ ନାରାୟଣଙ୍କ ଟାଇଗର୍କୁ ତାଗିଦ୍ କରିବାର ଶବ୍ଦ ଶୁଣିଲି । କିନ୍ତୁ ଟାଇଗର୍ର ଭୁକିବା ବା ଆକ୍ରମଣ କମିବାର କୌଣସି ସୂଚନା ପାଇଲି ନାହିଁ । ପ୍ରକୃତରେ କଣ ଘଟିଲା ଜାଣିବା ଲାଗି ମୁଁ ନିଜେ ଆସି ଦେଖିଲି ଲକ୍ଷ୍ମୀ ନାରାୟଣଙ୍କ ଭଳି ଧଳା ପ୍ୟାଣ୍ଟସାର୍ଟ ପିନ୍ଧିଥିବା ଜଣେ ଲୋକ ଲହୁ ଲୁହାଣ ହୋଇ ତଳେ ପଡିଛନ୍ତି । ତାଙ୍କର ଧଳା ଜାମାପଟା ରକ୍ତରେ ଭିଜି ଯାଇଛି । ହଠାତ୍ ତାଙ୍କ ମୁଣ୍ଡର କଳା ବାଳଗୁଡିକ ଦେଖି ମୁଁ ମଧ୍ୟ ଭାବିଥିଲି ବାହାରର କୌଣସି ଲୋକ ଘରେ ପଶୁଥିବାର ଦେଖି ଟାଇଗର୍ ଏଭଳି କାଣ୍ଡ ଭିଆଇଛି । କିନ୍ତୁ ନିକଟକୁ ଯାଇ ଦେଖିଲି ସେ ଆଉ କିଏ ନୁହନ୍ତି ଦୁଧବାଲା ପିଲାଟିର କଥାରେ ଆହତ ହୋଇ ଅଚାନକ ଯୁବକ ପାଲଟିବାର ଲୋଭ ସମ୍ବରଣ କରି ନପାରି ବାଳକୁ କଳା କରି ଆସିଥିବା ସ୍ୱୟଂ ଲକ୍ଷ୍ମୀ ନାରାୟଣ । ମତେ ଦେଖି ଟାଇଗର୍ ଆକ୍ରମଣରୁ କ୍ଷାନ୍ତ ହେଲା । ମାତ୍ର ସେ ତାଙ୍କ କଳା ବାଳଗୁଡିକୁ ଦେଖି ଅବାରିତ ଭୁକି ଚାଲିଥିଲା । ଚଉକି ଉପରେ ପଡିଥିବା ଧଳା ଟର୍କିସ୍ ଟାୱେଲ୍ଟି ଆଣି ତାଙ୍କ ମୁଣ୍ଡରେ ଢ଼ାଙ୍କି ଦେବା ପରେ ଟାଇଗର୍ର ଭୁକିବା ବନ୍ଦ ହେଲା । ତା ପରେ ଲକ୍ଷ୍ମୀ ନାରାୟଣଙ୍କୁ ଡାକ୍ତରଖାନାକୁ ନେଇ ବ୍ୟାଣ୍ଡେଜ୍ କରାଯିବା ସଙ୍ଗେ ସଙ୍ଗେ ଆଣ୍ଟି ର୍ୟାବିସ୍ ଇଞ୍ଜେକ୍ସନ୍ ଓ ଆଣ୍ଟିବାୟୋଟିକ୍ ଦେବାକୁ ପଡିଲା । ଟାଇଗର୍ର ଆକ୍ରମଣରେ ସେ ଏତେ ପରିମାଣରେ କ୍ଷତ ବିକ୍ଷତ ହୋଇଯାଇଛନ୍ତି ଯେ ଭଲ ଭାବରେ କଥା କହିବା ପାଇଁ ତାଙ୍କର ଶକ୍ତି ନାହିଁ ।
ଏତକ କହିସାରି ମିନାକ୍ଷୀ ପୂର୍ନବାର ହସିବାକୁ ଲାଗିଲେ । ଟାଇଗର୍ ଆକ୍ରମଣରେ କ୍ଷତବିକ୍ଷତ ହୋଇ କଷ୍ଟ ଭୋଗୁଥିବା ଲକ୍ଷ୍ମୀ ନାରାୟଣ ମିନାକ୍ଷୀଙ୍କର ବର୍ଣ୍ଣନା ଶୈଳୀ ଓ ମୋର ଉତ୍ସୁକତା ଦେଖି ସମସ୍ତ କଷ୍ଟ ସତ୍ତ୍ୱେ ଦାନ୍ତ ନେସେଡି ସାମାନ୍ୟ ହସିଲେ ।