ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"- ୧
ଭାଗ-୧
ପ୍ରୀତି ମହାନ୍ତି ଲିପଷ୍ଟିକ୍ ମାରି ସାରି ବ୍ରସ୍ ଆଣି ଗାଲରେ ଘଷୁଥିଲା। ଘଷି ଘଷି ଗାଲ ପାଲସ କରୁଥିଲା। ଯେମିତି ଗାଲରେ ଲାଇଟ୍ ମାଡ଼ ନହୁଏ। ବୈକୁଣ୍ଠ କହେ, କପାଳ ଓ ଗାଲକୁ ତା'ର ଭାରି ଡର। ସେ ମେକପ୍ ଆରମ୍ଭ କଲା ମାତ୍ରେ ଆଗ ଏ ଦୁଇ ଜାଗାକୁ ନଜର ରଖେ। ସେଥିରେ ଯେମିତି ଅଧିକ ରଙ୍ଗ ନଲାଗେ ସେଥିପ୍ରତି ସତର୍କ ରହେ। ବୈକୁଣ୍ଠଟା ବଡ଼ ଘେଷରା ମେକପ୍ ମ୍ୟାନ୍। ଗଲା ଘସୁଥିବ... ଘସୁଥିବ... ତ ଘସୁଥିବ। ଆରେ ଟିକେ ହାତ ତରତର କରି ରଙ୍ଗ ମାଆରେ ଭଲା... ନା... ଏମିତି ଘସୁଥିବ... ଯେମିତି ମୋଜାକି ଘରେ ଘରଘର ହେଇ ମେସିନ୍ ଚାଲିଚି... ଛ୍ୟାଃ...
ହଁ... କଅଣ କହୁଥିଲି? ଗାଲ ଓ କପାଳ। ଏଇଥି ପାଇଁ କାଳେ ବୈକୁଣ୍ଠ ସେଟ୍ରେ ଅନେକଥର ତା ଚିଫ୍ଠାରୁ ଗାଳି ଖାଇଛି। ଶଳା ସେ କ'ଣ ବୁଝିବ ଗାଲର କରାମତି କେତେ ! କଅଣ... ସେ ହିରୋଇନ୍ର ନାଁ କହେତ... ହଁ ଝିଲି... ମାରି ତ ଦେଇଚି ମେଞ୍ଚେ ରଙ୍ଗ ତା ଗାଲରେ... ବଡ଼ ସୁଖ ଲାଗୁଥିଲା, ଶଳା ଅନ୍ୟମନସ୍କରେ ବୋଧେ ରଙ୍ଗ ଘସିଚି ଯେ ଘସିଚି... ବାସ୍.. ଲାଇଟ୍ ପଇଲା ପରେ କ୍ୟାମେରାମ୍ୟାନ୍ ତ ଖାଲି ଖେଙ୍କାରି ହେଲା ଆଆ... କମା କମା ଲାଇଟି କମା... ଗୋଟେ ନେଟ୍ ମାଆରେ ଲାଇଟ୍ ଉପରେ... କୁଆଡେ଼ ଗଲା ସେ ହାରାମୀ ବୈକୁଣ୍ଠ... ଏତେ ରଙ୍ଗ କିଏ ମାରେ ଏ ପାଲସ ଗୋରା ଗାଲଟାରେ... ଶଳାଃ ଏଟାକୁ କ'ଣ ନୂଆ ପଲସ୍ତରା କରା ସ୍କୁଲ କାନ୍ଥ ପାଇଲୁ କି ବେ... ବୈକୁଣ୍ଠ ଚା ଗିଲାସ ଫୋପାଡ଼ି ଓଲେଇ ଗାଈ ବାଡ ଭାଙ୍ଗି ଧାଇଁଲା ପରି ଧାଇଁଚି। ତରତରରେ ଯାଇ ରଙ୍ଗ ଖସେଇଲା ଝିଲି ଗାଲରୁ। ଓହୋଓ... ଶାନ୍ତିଃ।
ମେକପ୍ ଦେଉ ଦେଉ ସବୁଦିନ ଏମିତି ନୂଆ ନୂଆ କାହାଣୀ କହେ ବୈକୁଣ୍ଠ। ବୟସ ଚାଳିଶି ପାଖାପାଖି ହେଲାଣି। ତଥାପି ବାହା ହବା ନାଁ ଧରୁନାହିଁ। କୋଉ ହିରୋଇନର ଦେହର କୋଉ ଜାଗାରେ କ'ଣ ଅଛି, କାହାକୁ ମେକପ୍ ଦେବା ସହଜ, କିଏ ଭାରି ମିଶାଣିଆ ଆର୍ଟିଷ୍ଟ, କିଏ ସହଜରେ ସବୁକିଛି ଦେଇଦିଏ... ଆଉ କିଏ କୋଉ ସେଟ୍ରେ କାହା ସାଙ୍ଗରେ ଫସିଲା... ସବୁ ଖବର ଥାଏ ବୈକୁଣ୍ଠ ପାଖରେ।
ଥାଉ। ସେଥିରେ ପ୍ରୀତି ମହାନ୍ତିର କ'ଣ ଯାଏ ଆସେ ? ପଇଁଚାଳିଶ ମିନିଟ୍ ଘେଟେରେଇ ଘେଟେରେଇ ମେକପ ଦେବା ପରେ ବୈକୁଣ୍ଠ ତଥାପି ପଛରୁ ଡାକୁଛି- ନାନୀ ବାଳରେ ଟିକେ ଜେଲ୍ ମାରିଦେଇ ଯାଅ...
ପ୍ରୀତି ମହାନ୍ତି ମହା ମନୋଇ ଝିଅ। ସେ ଆଉ ଫେରିଲା ନାହିଁ।
ନିଉଜ ପଢ଼ିବାକୁ ବାହାରିଲା ବେଳକୁ ଏମିତି ସବୁବେଳେ ପଛରୁ ଡାକିବ ବୈକୁଣ୍ଠ। ତାକୁ ବଡ଼ ଚିଡ଼ିମାଡେ଼। କି ଜେଲ ଦେଖୋଉଚୁ... କମ୍ପାନୀର ସେ କମ ଦାମୀ ଜେଲ ମାରି ପ୍ରୀତି ମହାନ୍ତି ନିଜ ବାଳ ଖରାପ କରିବାକୁ ଚାହୁଁନାହିଁ। ତା'ର ଆଉ ଷ୍ଟାଇଲ ମାରିବାର ନାହିଁ। ବୁଲେଟିନ ସାତଟାରେ। ପ୍ରାଇମ ଟାଇମ୍ ବୁଲେଟିନ୍, କିନ୍ତୁ ଏ ପର୍ଯ୍ୟନ୍ତ କପି ଦେଖିନାହିଁ ପ୍ରୀତି ମହାନ୍ତି। ଭୁଲ୍ ହେଲେ ବୁଲେଟିନ୍ ପ୍ରଡ୍ୟୁସର, ରସିକ ଚୂଡ଼ାମଣୀ ସିଦ୍ଧେଶ୍ୱର (ରସିକ ପ୍ରବର.. ବାଡିପଡା ଖାଲି ଟୋକି ନୁଙ୍ଗୁରେଇବ) ସିଧା ତାକୁ ମ୍ୟାନେଜମେଣ୍ଟ ଆଗରେ ଠିଆ କରିଦେବ। ମର୍ଣ୍ଣିଂ ମିଟିଂରେ ବୁଲେଇ ବାଗ୍ଧେଇ ପଚାରିବ ନ୍ୟୁଜ୍ କୋଅର୍ଡିନେଟର ପାମ୍ (ସଂପୂର୍ଣ୍ଣ ନାଁଟା ପ୍ରଦୀପ ମହାପାତ୍ର। କିନ୍ତୁ ଅଫିସ ସାରା ତାକୁ କିଏ କେତେ ନାଁରେ ଡାକନ୍ତି। କିଏ କହେ ପାମ ଅର୍ଥ ପ୍ରହେଳିକା ମୟ, ତ କିଏ କହେ ପ୍ରେମିକ ମହ୍ଲାର)। ଅଠର ଜାଗାରେ ଏକ୍ସପ୍ଲାନେସନ୍ ଦେଇ ଦେଇ ପ୍ରୀତି ମହାନ୍ତି ଥକି ପଡିବ।
ଆଉ ବିଳମ୍ୱ ନକରି ପ୍ରୀତି ମହାନ୍ତି ତରତର ହୋଇ ଦଉଡିଲା ନ୍ୟୁଜଡେସ୍କ ଆଡେ଼। କମ୍ପ୍ୟୁଟର ପାଖରେ ବସି ଆଗ ଡଗଡଗ ହୋଇ ରନଅର୍ଡ଼ର ଉପରେ ଆଖି ବୁଲେଇ ନେଲା। ଆଜି ରାଜ୍ୟରେ ଖବର ବଡ଼ ଜବର। ପ୍ରଥମ ଖବର, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗ ମହାଦୁର୍ନୀତିର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଗଲା। ଦ୍ୱିତୀୟ ଖବର, ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ଆସେମ୍ୱ୍ଲିରେ ପୁଣି ହଟ୍ଟଗୋଳ। ଶେଷକୁ ରଣଜୀ ମ୍ୟାଚରେ ଓଡ଼ିଶାର ଲଜ୍ଜାଜନକ ପରାଜୟ।
ଖବର ଭଲ ଥିଲେ ନ୍ୟୁଜ ପଢ଼ିବାକୁ ଟିକେ ଭଲଲାଗେ। ନହେଲେ ବଡ଼ ମାନ୍ଦା। ବୁଲେଟିନ ପ୍ରଡ୍ୟୁସର ସିଦ୍ଧେଶ୍ୱର କହିଲା- ‘ପ୍ରୀତି, ଆଜି ତିନିଟା ଲାଇଭ୍ ଫୋନୋ ଯିବାକୁ ପଡିବ। କିଛି ସମୟ ପରେ ଡିଟେଲ୍ସ ଦେଉଛି। ବି ପ୍ରିପେୟାର୍ଡ।’
ପ୍ରୀତି ମହାନ୍ତି ଚିଡ଼ିଗଲା। ଏଇ ବାଡ଼ିପଡ଼ା ବୁଲେଟିନ୍ କଲେ ଅଧଘଣ୍ଟା ସାରା ଖାଲି ହରବର। ଏଟା ନିଅ ସେଟା ନିଅ ! ଏଟାରେ ଫୋନୋ ଯିବ, କଣ୍ଟାକ୍ଟ ରିପୋର୍ଟର। ସେଟାରେ କପି ଚେଞ୍ଜ ହେବ। ବୁଲେଟିନଟା ସାରା ତମେ ଶାନ୍ତିରେ କିଛି ପଢ଼ି ପାରିବ ନାହିଁ। ସେଥିରେ ପୁଣି ଯଦି ପାନରୁ ଚୁନ ଖସିଲା, ଷ୍ଟୁଡିଓରୁ ଡେସ୍କକୁ ଆସିବା ଭିତରେ ସତର ପରାମର୍ଶ, ଅଠର ଅର୍ଡ଼ର। କିନ୍ତୁ କ'ଣ ଆଉ କରାଯାଏ ! ତାକୁ ଏଇମାନଙ୍କ ପାଖରେ ହିଁ କାମ କରିବାକୁ ପଡିବ।
ପ୍ରୀତି ମହାନ୍ତି ଭଲଭାବେ ଜାଣେ, ପରଦା ପଛର ଏ ସବୁ ଟେନସନ୍ ଦର୍ଶକ ଜାଣନ୍ତି ନାହିଁ। ଦର୍ଶକଙ୍କୁ ହସି ହସି ବୁଝେଇଲା ପରି ନ୍ୟୁଜ୍ ପଢ଼ି ଶୁଣେଇବାକୁ ପଡେ଼। ଯେମିତି ଦୁନିଆର ସବୁ ଖବର ତାକୁ ହିଁ ଜଣା। ପ୍ରୀତି ମହାନ୍ତି ମନ ଭିତରେ ହସିଦିଏ। ଖୁବ୍ ବୋକା ବନାଏ ସେ ଦର୍ଶକଙ୍କୁ! ନା !
ଷ୍ଟୁଡିଓରୁ ଫେରି ମୋବାଇଲ ଦେଖେ ତ ଚାରିଟା ମିସ କଲ୍। ଘରୁ ଆସିଛି। ସେ ଟିକେ ଛାନିଆ ହୋଇଗଲା। ପ୍ରତ୍ୟୁଷର କ'ଣ କିଛି ହେଲା କି ! ସବୁବେଳେ ଏଇ ସଂଧ୍ୟା ଖାଇବା ବେଳେ ବଡ଼ ଝିନଝଟ୍ ଲଗାଏ ପ୍ରତ୍ୟୁଷ। ଜମାରୁ ଖାଏନି। ସେତିକି ବେଳେ ଅଠର କଲ୍ ଆସେ ଘରୁ। ସେ ଡେସ୍କ ଆଡ଼କୁ ଗଲା ଓ ଲ୍ୟାଣ୍ଡଫୋନରୁ ଘରକୁ ଫୋନ୍ ଲଗାଇଲା।
ଫୋନ ଆରପଟୁ ଶୁଭୁଥିଲା ପ୍ରତ୍ୟୁଷର କଅଁଳିଆ ସ୍ୱର... କିଏ କହୁଛନ୍ତି ? ଆଇ ଆମ୍ ପ୍ରତ୍ୟୁଷ ମହାନ୍ତି ସ୍ପିକିଂ...
ପ୍ରୀତି ମହାନ୍ତି କଅଁଳେଇ କଥା ଆରମ୍ଭ କଲା... ପ୍ରତ୍ୟୁଷ ବାବା, ମାମା କହୁଥିଲି... ଧନ ଖାଇ ସାରିଲଣି...
ପ୍ରତ୍ୟୁଷ ସହଜ ହୋଇଗଲା। ଉତ୍ତର ଫେରେଇଲା... ମାମା... ଜେଜେ ମାଆ ଖୋଇଦେଲା ବେଳେ ମତେ ଧମକଉଛନ୍ତି... କହୁଛନ୍ତି ଡ୍ରାଗନ୍କୁ ଡାକି ଆଣିବେ... ନହେଲେ ମତେ ଗେଟ୍ ଆରପଟେ ଛାଡିଦେବେ... ତମେ କେତେବେଳେ ଆସିବ? ଆମେ ମିଶିକି ଜେଜେ ମାଆକୁ ମାରିବା... ତାକୁ ଆଉ ଖେଳେଇବା ନାହିଁ...
ପ୍ରୀତି ମହାନ୍ତି ସବୁଦିନ ଏଇବେଳେ ଘରକୁ ଥରେ କି ଦୁଇଥର ଫୋନ କରିବାକୁ ବାଧ୍ୟ। ଏଇ ସେକେଣ୍ଡ ସିଫ୍ଟ ପଡ଼ିଲେ ତା’ର ଚିନ୍ତା। ସକାଳେ ପିଲାଟା ସ୍କୁଲ ପଳାଏ। ଆଉ ସେ ସ୍କୁଲ୍ରୁ ଆସିଲା ବେଳକୁ ଦେଖେତ ମାମା ଘରେ ନାହିଁ। ସେଇଠୁ ଆରମ୍ଭ ହୁଏ ଝେକେ ଝେକେ। ବେଳେବେଳେ ଅଫିସ ଆସିବା ଡେରି ହେଲେ, ପ୍ରତ୍ୟୁଷ ଘରେ ପହଞ୍ଚିଯାଇ ପ୍ରୀତିକୁ ଆଉ ଅଫିସ ଛାଡେ଼ନାହିଁ।
ପ୍ରତ୍ୟୁଷ ହେଉଛି ପରେଶଙ୍କର ପ୍ରଥମ, ଏକମାତ୍ର ଓ ଶେଷ ସନ୍ତକ। ଦୁହିିଁଙ୍କ ମନରେ ଦ୍ୱିତୀୟ ଚିନ୍ତା ହିଁ ନଥିଲା। କିନ୍ତୁ କିଏ ଜାଣିଥିଲା, ଏମିତି ଅଧା ବାଲିରେ ଛାଡ଼ିଦେଇ ସେ ହଠାତ ନଈ ଡେଇଁ ପାର୍ ମାରିବେ! ସେଦିନର ସେ ସକାଳ କେମିତି ଥିଲା କେଜାଣି? ପିଲାଦିନେ ବାପା କହୁଥିଲେ, ସକାଳର ଅର୍ଥ ହେଲା ସୁନ୍ଦର ଓ ଶାନ୍ତ। ସେଥିପାଇଁ ପ୍ରୀତି ମହାନ୍ତି ସକାଳ ଉପଭୋଗ କରିବାକୁ ବେଶୀ ଭଲ ପାଏ। କିନ୍ତୁ ହଠାତ ନଭେମ୍ୱରର ଏକ ମୃଦୁ ଶୀତଳ ସକାଳ ତା ସଂସାରରେ ଚେଙ୍କ ଲଗେଇ ଦେଇଥିଲା। ତାକୁ ଲାଗିଥିଲା ମୁମ୍ୱାଇ ସହରଟାରେ ଯେମିତି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଆଉ ତ୍ରସ୍ତ ହରିଣୀ ପରି ସେ ନିଜେ ରହିଯାଇଛି ନିଆଁଘେର ଭିତରେ। ସକାଳୁ ହିଁ ପରେଶଙ୍କ ସହକର୍ମୀ ନିର୍ଯ୍ୟାସ ଶର୍ମା ଖବର ଦେଇଥିଲା ସେଇ ଦୁର୍ଘଟଣାର। ଫ୍ୟାଟ୍ଟିରେ ଭୟଙ୍କର ଆକ୍ସିଡେଣ୍ଟ... ମେସିନ୍ ତଳେ ଚାପିହୋଇ ସମସ୍ତଙ୍କୁ ପର କରିଦେଇଛନ୍ତି ପରେଶ...
ହଠାତ ସେ ଅଣଓଡ଼ିଆ ବ୍ୟକ୍ତିଟି କ'ଣ କହିବାକୁ ଚାହୁଁଛି, ମାତ୍ର ଅଳ୍ପଦିନ ତଳେ ମୁମ୍ୱାଇ ସହରରେ ପାଦ ଦେଇଥିବା ପ୍ରୀତି ମହାନ୍ତି ବୁଝିପାରି ନଥିଲା। ଆଉ ସବୁକିଛି ଟିକିନିକି ବୁଝିଲା ବେଳକୁ ଶୂନଶାନ୍ କୂଳର ଖାଲି ଡଙ୍ଗା ପରି ପ୍ରୀତି ମହାନ୍ତିର ସଂସାରଟା ଖୁବ୍ ଏକୁଟିଆ ହୋଇ ସାରିଥିଲା। ଗୋଟେ ବାଇ ଚଢ଼େଇର ବସା ପରି ଖୁବ୍ ଉଚ୍ଚତାରେ ଝୁଲି ରହିଥିଲା ତା ସଂକ୍ଷିପ୍ତ ପରିବାର।
ତା’ପରେ... ତା’ପରେ... ସେଦିନ କ'ଣ କରିଥିଲା ପ୍ରୀତି ମହାନ୍ତି? ଏଡେ଼ବଡ଼ ମୁମ୍ୱାଇ ସହର ତାକୁ ହଠାତ୍ ନିଶ୍ଚୁପ ଲାଗିଥିଲା। ସବୁ କୋଳାହଳ ବନ୍ଦ। ନୂଆ ନୂଆ ମୁମ୍ୱାଇ ପରି ସହରରେ ପାଦ ଦେଇଥିବା ଗୋଟେ ବୋହୂ କ'ଣ କରିବ ହଠାତ ଜାଣିପାରି ନଥିଲା। ଯୁଆଡ଼ ଅନେଇବ ସାରା ମରୁଭୂମିରେ ଖାଲି ଅଚିହ୍ନା ବାଲି ପରି ସହର ସାରା ଆପଣା ବୋଲି କେହିନାହିଁ। ସେତେବେଳେ ଯାହା ବିଚରା ଶର୍ମାବାବୁ ବେଶ୍ ସାହାଯ୍ୟ କରିଥିଲେ। ତା' କଥା ବୁଝିବା ସହିତ ତାଙ୍କ ଘର କଥା ମଧ୍ୟ ସେ ହିଁ ବୁଝିଥିଲେ। ଡେଡ୍ ବଡି କେମିତି ଓଡ଼ିଶା ଆସିବ ସେ କଥାଠାରୁ ଆରମ୍ଭ କରି ପରେଶଙ୍କ କମ୍ପାନୀରେ ପ୍ରୀତି ମହାନ୍ତି ପାଇଁ ଚାକିରି ମଧ୍ୟ ସେ ଯୋଗାଡ଼ କରିଥିଲେ। କିନ୍ତୁ ନା, ପ୍ରୀତି ମହାନ୍ତି ଏତେ ଭାଙ୍ଗି ପଡ଼ିଥିଲା ଯେ, ସେ ଆଉ ନିଜ ଗୋଡ଼ରେ ଛିଡ଼ା ହୋଇ ରହିବା ପରିସ୍ଥିତିରେ ନଥିଲା। ମାଧବୀ ଲତାଟିଏ ପରି ସେ ଲଥପଥ ହୋଇଯାଇଥିଲା। ନିଜସ୍ୱ ବୋଲି କିଛି ନଥିଲା ତା'ର। ପୁଣି ଭାବୁଥିଲା, ଯେଉଁ ସହର ତା ସଂସାରରେ ନିଆଁ ଲଗେଇ ଦେଲା ସେଠି ଆଉ ରହିବାର ତିଳେ ଇଚ୍ଛା ନାହିଁ ତା'ର।
ବାସ୍ ! ସେ ଫେରି ଆସିଲା ଓଡ଼ିଶା। କିନ୍ତୁ ପରେଶଙ୍କ ସନ୍ତକ ଟିକଟ ରହିଯାଇଥିଲା ତା ପେଟର କେଉଁ ଏକ କୋଣରେ। ସେ ଲୁଚି ରହିଥିଲା ପ୍ରୀତି ମହାନ୍ତିକୁ ସାହାରା ଦେବାକୁ। ତାକୁ ତା'ର ଶେଷ ପରିଚୟ ଖୋଜି ପାଇବାକୁ। ସଂସାର ସହ ପରିଚୟ ହେବା ପୂର୍ବରୁ ହଠାତ ଦିନେ ସେ ପାଇଥିଲା ପ୍ରତ୍ୟୁଷର ଠିକଣା। (ସେତେବେଳେ କ'ଣ ତା'ର ନାମକରଣ ହୋଇଥିଲା? ସେ ଥିଲା ଅଚିହ୍ନା ମାଂସ ପିଣ୍ଡୁଳାଟିଏ । ତା'ର ନାମକରଣ ପାଇଁ ପୁଣି ଏକୁଟିଆ ରାତି ରାତି ଅନିଦ୍ରା ହୋଇ ଭାବିଥିଲା ପ୍ରୀତି ମହାନ୍ତି... ତମେ ଥିଲେ ମିଶିକି ଭାବିଥାନ୍ତେ ପରେଶ... ବେଶ୍ ଭଲ ହୋଇଥାନ୍ତା... ଓଡ଼ିଆ ନାଁ ଦେବି ନା ଇଂରାଜୀ... ନା ସଂସ୍କୃତ...)
ପ୍ରତ୍ୟୁଷର ଠିକଣା ମିଳିଲା ପରେ ପ୍ରୀତି ମହାନ୍ତିକୁ ଲାଗିଲା ଯେମିତି ତା ଅଜାଣତରେ ଖୁବ୍ ଗୋଟେ ଚିହ୍ନା ଲୋକଟିଏ ରହିଯାଇଥିଲା ତା ନିଜ କଲୋନୀରେ।
(କ୍ରମଶଃ)