ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୪
ଭାଗ-୪
ସକାଳୁ ସକାଳୁ ଅଫିସ୍ଟା ଥାଏ ବେଶ୍ ଶାନ୍ତ। ଲାଗେ ଯେମିତି ଶୀତଦିନିଆ ସକାଳର କାକର ଭିଜା କରଞ୍ଜ ଗଛ ପରି। ପୁଣି ଲାଗେ ଚୁପ୍ଚାପ୍ ରାସ୍ତା କଡରେ ଠିଆ ହୋଇ ସକାଳୁଆ ସ୍କୁଲ ବସ୍କୁ ଅପେକ୍ଷା କରୁ କରୁ ଆଖି ମଳୁଥିବା କ୍ଲାସ୍ୱାନ୍ ଛାତ୍ରଟିଏ ପରି। ପ୍ରୀତି ମହାନ୍ତିକୁ ଏଇ ବେଳରେ ଅଫିସ୍ଟା ଭାରି ଭଲଲାଗେ। ବଡବଡିଆ ସାର୍ ମାନଙ୍କର ଗହଳ ଚହଳ ନଥାଏ କିମ୍ୱା ମ୍ୟାନେଜର, ଜିଏମ୍, ଡି.ଜି.ଏମ୍.ଙ୍କର ଅଦୌତି ନାହିଁ। ସକାଳୁଆ ସିଫ୍ଟ ପଡିଲେ ପ୍ରୀତି ମହାନ୍ତି ଆଗ ଆସି ଚା’ ମେସିନ୍ରୁ କପେ ଗରମ ଚା’ ପିଏ ।
ତା ପରେ ଆସେ ଡେସ୍କ ଆଡେ। ପନ୍ଦର ମିନିଟ୍ ଆଗରୁ ଷ୍ଟୁଡିଓରେ ପହଞ୍ଚିବାକୁ ପଡିବ । ନ ହେଲେ କ୍ୟାମେରା ମ୍ୟାନ୍ଠାରୁ କଣ୍ଟ୍ରୋଲ ରୁମ୍ ପର୍ଯ୍ୟନ୍ତ ସବୁଠୁ ମିଳିବ ନାନା ତାଗିଦ୍। କିଏ କ'ଣ ତାକୁ କହିଦେବ, ଏଥିକୁ ପ୍ରୀତି ମହାନ୍ତିର ପ୍ରାଣେ ଭୟ। ପ୍ରକୃତରେ ତା ଭୁଲ ପାଇଁ ତାକୁ କିଏ ପଦେ କହୁ, ସେ ପିଲାଦିନୁ ସହିନାହିଁ । ତା ପରେ ପୁଣି ଟେକ୍ନିକାଲ୍ ଲୋକଙ୍କ କଥା ସେ ଶୁଣି ପାରେନି। ସେମାନେ ଜାଣି ଜାଣି ନାନା କଥା କୁହନ୍ତି। ତାଙ୍କର ସବୁବେଳେ ଧାରଣା, କ୍ୟାମେରାଠାରୁ ଷ୍ଟୁଡିଓ ପର୍ଯ୍ୟନ୍ତ ସବୁଠି ସେମାନେ ହିଁ ପରିଶ୍ରମ କରୁଛନ୍ତି, କିନ୍ତୁ ଆଙ୍କର ଓ ଏଡିଟୋରିଆଲ୍ ଷ୍ଟାଫ୍ ବେଶୀ ଫାଇଦା ମାରି ନେଉଛନ୍ତି।
ଏଥିରେ ପ୍ରୀତି ମହାନ୍ତି ଧାର୍ ଧାରେ ନାହିଁ। ସେ କୋଉଠୁ ହେଲେ କାହାର ଫେବର ନେଇନାହିଁ କି ନେବାକୁ ଚାହୁଁନାହିଁ। ଏଠି ଫେବର ଦେଖାଇ ଅବାଟକୁ ଟାଣିନେବାକୁ ଲୋକଙ୍କର ଅଭାବ ନାହିଁ । ତା ପରେ ତା ପାଖରେ କ'ଣ ନାହିଁ ଯେ, ସେ କୋଉ ନେତା ମନ୍ତ୍ରୀଙ୍କୁ କହି ଧନ ଦଉଲତ କମେଇବ ! ହଁ ଏକଥା ସତ ଯେ, ଯେ ହେତୁ ସ୍କ୍ରିନ୍ରେ ମୁହଁ ଦିଶେ ତେଣୁ ବଜାର ଘାଟରେ ବେଳେ ବେଳେ ଅଯାଚିତ ସାହାଯ୍ୟ ଓ ସହାନୁଭୁତି ଟିକିଏ ମିଳିଥାଏ । କିନ୍ତୁ ସେଥିରେ ପ୍ରୀତି ମହାନ୍ତି ଏତେ ଉତ୍ଫୁଲ୍ଲିତ ହୁଏ ନାହିଁ।
ଏଇସବୁ କଥାରେ ପଲ୍ଲବିନୀ ମ୍ୟାଡାମ୍ ବେଶ୍ ଆଗରେ। ପଲ୍ଲବିନୀ, ପ୍ରୀତି ମହାନ୍ତିର କଲିଗ୍ ଆଙ୍କର। ପଲ୍ଲବିନୀ ହିଁ ଠିକ୍ ଠିକ୍ ଚ୍ୟାନେଲଟାକୁ ନିଜ ସେବାରେ ଲଗେଇ ପାରିଛି। ଛଅ ମାସ ତଳେ, ପଲ୍ଳବିନୀ ଗୋଟେ ନୂଆ କାର୍ ଆଣିଛି। କହୁଥିଲା ତାକୁ ଦେଖି ସେ ସୋ'ରୁମ୍ ବାଲା ଏମିତି ଫିଦା ହେଲା ଯେ, ଡାଉନ୍ ପେମେଣ୍ଟ ନେବାକୁ ଭୁଲିଗଲା...ଏତକ କହି ପଲ୍ଳବିନୀ ଏମିତି ଛୋପରି ପରି ହସିଲା, ଯେମିତି ସେ ହିଁ ଚାହୁଁଥିଲା, ତାକୁ ଦେଖି ସେ ଦୋକାନୀ ବାଇଆ ହେଇଯାଉ। ମଝିରେ ମଝିରେ ପୁଣି ଯେଉଁ ମାସିକିଆ କିସ୍ତି ଦେବା କଥା ତାହା ମଧ୍ୟ ଠିକ୍ରେ ପଲ୍ଳବିନୀ ଦେଉନାହିଁ।
କେବଳ ପଲ୍ଲବିନୀ କାହିଁକି, ରିପୋର୍ଟର ଆଦିତି ମଧ୍ୟ ସେମିତି। ପ୍ରୀତି ମହାନ୍ତିକୁ ଲାଗେ, ଆଦିତି ରିପୋର୍ଟର କମ୍, ମଡେଲ ବେଶୀ। ଡେଙ୍ଗା ହେଇକି ଝିଅଟା... ବଡ଼ ବଡ଼ ଆଖି, ବେଶ୍ ଉଚ୍ଚା ଉଚ୍ଚା ବ୍ରେଷ୍ଟ, କିନ୍ତୁ ତନୁ ପାତେଳି... ସବୁବେଳେ ଜିନ୍ ପ୍ୟାଣ୍ଟ ପିନ୍ଧିଥିବ... ଏଇଥିରେ ତ ଅଫିସ ସାରା ତା ପଛରେ ବାଇଆ...
ନ୍ୟୁଜ୍ର ଜି.ଏମ୍. ଥିବା ଆର୍.ଏସ୍.କେ. (ପୂରା ନାଁ ରବୀନ୍ଦ୍ର ସବ୍ୟସାଚୀ କରଣ... ଷ୍ଟାଫ୍ଙ୍କ ଭାଷାରେ ରସିକ- ଶୁଙ୍ଗା-କଳାକାହ୍ନୁ) ବଡ଼ ନାଳୁଆ। ଟୋକି ଦେଖିଲେ ଥୟ ହୋଇ କେବିନ୍ରେ ବସିପାରେ ନାହିଁ। ପାଖକୁ ଡାକି ଅଠର କଥା ପଚାରିବ... କାଲି ତମେ ସ୍କ୍ରିନ୍ରେ ଟିକେ ଡଲ୍ ଲାଗୁଥିଲ... ଫୋନୋ ନେଲାବେଳେ ତମେ ଅଧିକ ଅଗ୍ରେସିଭ୍ ଲାଗୁଛ... ତମ ହେୟାର୍ ଷ୍ଟାଇଲ୍ ବଦଳାଅ... ମେକପ୍ କମ୍ ନିଅ... ଏମିତିରେ ତମେ ବହୁତ ସୁନ୍ଦର...
ଏ ସବୁ କଥାରେ ପ୍ରୀତି ମହାନ୍ତି ଚିଡ଼ିଯାଏ। ସେ ମଧ୍ୟ ପ୍ରଥମେ ପ୍ରଥମେ ଏମିତି ସବୁ ଶୁଣୁଥିଲା। କିନ୍ତୁ ପଲ୍ଲବିନୀ ଓ ଆଦିତି ପରି ଝିଅ ଜାଣନ୍ତି, ଏଇ ରକମର ବସ୍ମାନଙ୍କ ପାଖରେ କେମିତି ଚାଲ୍ ଚଲେଇବାକୁ ହୁଏ। ତେଣୁ ସେମାନେ ବି ବସ୍ର ପ୍ରଶଂସା କରି ବସନ୍ତି... ସାର୍ ଆପଣ ଆଦୌ ଅଧିକ ବୟସ୍କ ପରି ଲାଗନ୍ତି ନାହିଁ... ମୋ ମିଷ୍ଟର କହୁଥିଲେ ଆପଣ ଭାରି ଇଣ୍ଟେଲିଜେଣ୍ଟ... ଆପଣ ସ୍କୁଲ୍ ଗାର୍ଡିଆନ୍ ସଂଘର ସଭାପତି ହେଲାପରେ ସାର୍ ସ୍କୁଲ୍ ବାଲା ସାବାଡ଼ ହୋଇଯାଇଛନ୍ତି...
ସେଥିପାଇଁ ପ୍ରୀତି ମହାନ୍ତି ନିଜ କାମ ଠିକ୍ ଠିକ୍ କରି ଚୁପ୍ ରହିବାକୁ ପସନ୍ଦ କରେ। ଚା' ପିଇ ସାରି ସେ ଆଗ କପିଗୁଡ଼ିକ ଉପରେ ନଜର ବୁଲେଇ ଆଣେ। ପ୍ରଥମେ ପ୍ରଥମେ ଲାଇଭ୍ରେ ବସିବାକୁ ତାକୁ ଭୀଷଣ ଡର ମାଡୁଥିଲା। ସେଥିପାଇଁ ସେ ପ୍ରଥମେ କେତେଟା ରେକର୍ଡ଼ିଂ ପ୍ରୋଗ୍ରାମ୍ କଲା। ତା ପରେ ଲାଇଭ୍ ପାଇଁ ପ୍ରିପେୟାର ହେଲା। ପ୍ରଥମେ ପ୍ରଥମେ ସେ ପ୍ରାୟ ଘଣ୍ଟାଏ ଆଗରୁ ମେକପ୍ ନେଇ ଷ୍ଟୁଡିଓରେ ବସି ପଡୁଥିଲା।
ସେତେବେଳେ ଟେନ୍ସନ୍ ଭୀଷଣ ବଢ଼ିଯାଏ। କିନ୍ତୁ ଧୀରେ ଧୀରେ ସେ ସବୁ ସ୍ମୁଥ୍ ହୋଇଗଲା। ଯେତେବେଳେ ସେ ଟିଭିରେ ଚାକିରି କରିନଥିଲା, ସେତେବେଳେ ନ୍ୟୁଜ୍ ଦେଖି ଭାବେ, ଆଙ୍କରମାନେ କେତେକଥା ଘୋଷି ମନେ ରଖିଦେଉଛନ୍ତି ! ସବୁକିଛି ମୁହଁରୁ ହିଁ ଗାଇ ଚାଲୁଛନ୍ତି। ତା’ର ଧାରଣା ଥିଲା, ଆଙ୍କରମାନେ ସବୁକିଛି କରନ୍ତି... ଭାରି ଜ୍ଞାନୀ... କିନ୍ତୁ ସେମାନେ ଯେ କେବଳ ଟେଲିପ୍ରମ୍ପଟର ପଢନ୍ତି ଏ କଥା ଜାଣିବା ପରେ ତା'ର ଧାରଣା ବଦଳିଥିଲା।
ଆଜି ଆଉ ବରେଣ୍ୟ ସହ ଦେଖା ହୋଇନାହିଁ ପ୍ରୀତିର। ଆଜି ବରେଣ୍ୟର ଅଫ୍। ପ୍ରକୃତରେ ଆଜି ଯଦି ବରେଣ୍ୟର ଅଫ୍ ନହୋଇଥାନ୍ତା, ପ୍ରୀତି ମହାନ୍ତି ଭାବିଥିଲା, ଛୁଟି ନେଇ ରହିଯିବ। ଗତକାଲିର ସେ ଯେଉଁ ପରିବେଶ, ମନେପଡ଼ିଲେ ପ୍ରୀତି ମହାନ୍ତିର ଦେହ ଝାଳେଇ ଯାଉଛି। ବରେଣ୍ୟ ଏମିତି ହଠାତ୍ ସିଧା ସିଧା ଗୋଟେ ଅଖାଡୁଆ ପ୍ରସଙ୍ଗ ଉତ୍ଥାପନ କରିବସିବ ବୋଲି ସେ କେବେବି ଭାବି ନଥିଲା। ରାତିସାରା ତାକୁ ଠିକ୍ରେ ନିଦ ନାହିଁ।
ଅଫ୍ ଦିନରେ ମଧ୍ୟ ବରେଣ୍ୟ ପ୍ରୀତି ମହାନ୍ତିର ପିଛା ଛାଡେ଼ନାହିଁ। ଦିନସାରା ଘରେ ଖାଇ ପିଇ ଶୋଇବା ପରେ ସଂଧ୍ୟାରେ ସେ ଖୋଜେ ପ୍ରୀତି ମହାନ୍ତିକୁ। ଅଫ୍ ଦିନରେ ସେ ପ୍ରଚୁର ମଦ ପିଇବାକୁ ଭଲ ପାଏ ବୋଲି ବରେଣ୍ୟ କହେ। ପଲ୍ଲବିନୀ, ଆଦିତି, ଲୀନା, ସ୍ୱୟଂପ୍ରଭା, ଅନୁରାଗିଣୀ... ସମସ୍ତେ କହନ୍ତି, ବରେଣ୍ୟର ମୁହଁଟା ମଦମତ୍ତ ପରି ଲାଗେ। ଆଖି ଲାଲ୍ ଲାଲ୍... ଭୀଷଣ ଚୁପ୍ଚାପ୍...ଫୁଟିଲା ଫୁଲିଲା ଆଖିପତା ଓ ଗାଲ...
ଏଥିରେ ପ୍ରୀତି ମହାନ୍ତି ଆଶ୍ଚର୍ଯ୍ୟ ହୁଏନାହିଁ। ଏ ପ୍ରକାର ମୁହଁ ତାକୁ ଭଲ ଲାଗେ। ତା ମତରେ ମଦ ଟିକିଏ ନପିଇଲେ କି ପୁରୁଷ ! ମୁମ୍ୱାଇରେ ଥିବାବେଳେ ପ୍ରଥମେ ପ୍ରଥମେ ତାକୁ ଏଗୁଡ଼ା ଅଡୁଆ ଲାଗୁଥିଲା। ସେତେବେଳେ ମିଷ୍ଟର ଶର୍ମାଙ୍କ ବଙ୍ଗାଳୀ ପତ୍ନୀ ପାର୍ଟିଗୁଡ଼ିକରେ ବେଶ୍ କେତେପେଗ୍ ଭୋଦ୍କା ନିଅନ୍ତି। କିନ୍ତୁ ବ୍ୟବହାର ଓ କଥାବାର୍ତ୍ତାରେ ଆଦୌ କିଛି ଜାଣିହୁଏ ନାହିଁ। ପ୍ରଥମେ ପ୍ରଥମେ ପ୍ରୀତି ମହାନ୍ତିର ଧାରଣା ଥିଲା, ମଦ ପିଇ ସାରିଲା ପରେ ମଣିଷ ପଶୁ ପାଲଟି ଯାଏ। ପାଗଳ ହାତୀ ପରି ବ୍ୟବହାର କରେ। ତା'ଠାରେ ହିତାହତ ଜ୍ଞାନ ବୋଲି କିଛି ରହେନାହିଁ। କିନ୍ତୁ ଧୀରେ ଧୀରେ ଏ ଧାରଣା ତା'ର ବଦଳିଗଲା।
ସଂଧ୍ୟା ବେଳକୁ ଆଉ ଫୋନ୍ କଲାନାହିଁ ବରେଣ୍ୟ। ଅନ୍ୟଦିନ ହୋଇଥିଲେ ଠିକ୍ ସାଢ଼େ ଛଅଟାରେ ପ୍ରୀତି ମହାନ୍ତି ପାଖକୁ ଫୋନ୍ ଆସିଥାନ୍ତା। ଗତକାଲିର କଥାରେ ବରେଣ୍ୟ ସକ୍ ପାଇଛି କି ? କିନ୍ତୁ ଏଥିରେ ସେ ସକ୍ ପାଇବାର କୌଣସି କାରଣ ତ ନାହିଁ ! ବରଂ ସବୁକିଛି ଅପ୍ରତ୍ୟାଶିତ ଥିଲା ତା ପାଇଁ। ସେ ଏଥିରେ ବେଶୀ ହତଭମ୍ୱ ହୋଇଛି । ରାତି ଅନିଦ୍ରା ରହିଛି। ଗୋଟେ ପୁରୁଣା କଥାକୁ ପୁଣି ଉଖାରି ଦେଇ ବରେଣ୍ୟ ତାକୁ କଷ୍ଟ ଦେଇଛି।
ମନେମନେ ପ୍ରୀତି ମହାନ୍ତି କହିଲା- ‘ମତେ ମାଫ୍ କର ବରେଣ୍ୟ। ଏପରି ସ୍ଥିତିରେ ତମେ ଥିଲେ କ'ଣ କରିଥାନ୍ତ କହିଲ?’
କିନ୍ତୁ ଆଶ୍ଚର୍ଯ୍ୟର କଥା, ଫୋନ୍ ଆସିବା ଯେତେଯେତେ ଡେରି ହେଉଥିଲା, ବରେଣ୍ୟକୁ ପାଇବାକୁ ପ୍ରୀତି ମହାନ୍ତି ଭିତରେ ଗୋଟେ ଉଦ୍ବେଳନ ସେତେସେତେ ଅଧିକ ଜମାଟ ବାନ୍ଧିବାରେ ଲାଗିଥିଲା। ବେଶୀ ବେଶୀ ମନେପଡୁଥିଲା ବରେଣ୍ୟର ପରଶ, ବରେଣ୍ୟର କଥା, ବରେଣ୍ୟର ଅଭ୍ୟାସ, ହସ, ଆଲୋଚନା ଓ ପର୍ଯ୍ୟାଲୋଚନା।
ଏମିତି ଗୋଟେ ଅଫ୍-ଡେ'ରେ ବରେଣ୍ୟ ତାକୁ ନେଇ ଯାଇଥିଲା ଧଉଳି ଆଡେ଼ ବୁଲେଇବାକୁ। ସେଦିନ ବେଶ୍ ମସ୍ତି କରିଛନ୍ତି ଦୁହେଁ । ବାହାରେ ଖିଆପିଆ, ବୁଲାବୁଲି, ଫଟୋ ଉଠା... ସବୁକିଛି। ବରେଣ୍ୟ କହିଲା, ତମେ ପ୍ରତ୍ୟୁଷକୁ ସାଙ୍ଗରେ ଆଣିବାର ଥିଲା । ଛୋଟ ପିଲା ହେଲେ କ'ଣ ହେଲା, ସେ ବି ଏନ୍ଜୟ କରିଥାନ୍ତା। ପ୍ରୀତି କିଛି କହିଲା ନାହିଁ । ସେ ଚାହୁଁନଥିଲା ବରେଣ୍ୟ ଆଉ ତା ଭିତରେ କେହି ତୃତୀୟ ଲୋକ ରହୁ। ସେ ତା ନିଜପେଟର ପୁଅ ହେଉ ପଛକେ।
ପ୍ରୀତି ମହାନ୍ତିର ଏଇ ନେଚର ବରେଣ୍ୟକୁ ସହ୍ୟ ଯାଏନା। ସେ ସମସ୍ତଙ୍କୁ ନେଇ ବଂଚିବାକୁ ଚାହେଁ। ବଡ଼ ଆଶ୍ଚର୍ଯ୍ୟ ପିଲା ! କିଛି କିଛି ସଂପର୍କ ରହିଛି ଯାହା ଖୁବ୍ ସୀମିତ ଲୋକଙ୍କ ମଧ୍ୟରେ ଅନୁଭବ କରାଯାଇଥାଏ । ସେଦିନ ସଂଧ୍ୟାରେ ସେ ଯାଇଥିଲା ବରେଣ୍ୟର ରୁମ୍କୁ। ସେଠି ଲେମନ୍-ଟି ତିଆରି କରି ତାକୁ ପିଆଇଥିଲା ବରେଣ୍ୟ। ଆଉ ତା ପରେ... ତା ପରେ... ଓଃ ! ପ୍ରୀତି ମହାନ୍ତି ଅସ୍ଥିର ହୋଇ ଉଠୁଛି। ବଳିଷ୍ଠ ବାହୁ ବନ୍ଧନରେ ଭିଡ଼ିରଖି ପ୍ରୀତିକୁ ବରେଣ୍ୟ ଦେଇଥିଲାଏକ ଗାଢ଼ ଚୁମ୍ୱନ।
ଚୁମ୍ୱନ ପ୍ରୀତି ମହାନ୍ତି ପାଇଁ ନୂଆ ନଥିଲା । କିନ୍ତୁ ପର ପୁରୁଷଠାରୁ ଏମିତି ଏକୁଟିଆ କୋଠରିରେ... ତଥାପି ସେ ଚୁପ୍ ରହିଥିଲା। ଅପେକ୍ଷା କରିଥିଲା ବରେଣ୍ୟର ଆଗାମୀ ଉପକ୍ରମକୁ। ସେ କ’ଣ ଆଉକିଛି ଅଧିକ ଚାହୁଁଥିଲା ? ଅନେକ ସମୟ ଧରି ସେ ରହିଥିଲା ବରେଣ୍ୟର ବାହୁ ଭିତରେ। ଆଦୌ ଚେଷ୍ଟା କରିନଥିଲା ମୁକୁଳିବାକୁ କିମ୍ୱା ନିଜ ପୋଷାକ ପତ୍ରକୁ ସଜାଡ଼ି ନେବାକୁ। ବରଂ ସେ ଚାହୁଁଥିଲା ସବୁକିଛି ଅବିନ୍ୟସ୍ତ ହେଇଯାଉ। ଧୀରେ ଧୀରେ ସେ ଯେମିତି ବରେଣ୍ୟ ଶରୀର ନିକଟରେ ନିଜକୁ ସମର୍ପି ଦେଉଥିଲା...
- ପ୍ରୀତି ମ୍ୟାଡମ ଆସନ୍ତୁ ଚା ପିଇବା।
ଆଦିତି ଡାକିନଥିଲେ, ବୋଧେ ସେମିତି ଭାବନା ଭିତରେ ବୁଡ଼ି ରହିଥାନ୍ତା ପ୍ରୀତି ମହାନ୍ତି। ହଁ ଏ ସମୟରେ ଟିକେ ଚା ପିଆଗଲେ ଠିକ୍ ଲାଗିବ।
- ଆପଣ ଆଜି ଟିକେ ଅଫ୍ ଲାଗୁଛନ୍ତି? କଣ ବରେଣ୍ୟ ଆସନି ବୋଲି?
ଏତିକି କହି ଆଦିତି ଗୋଟେ ଦୁଷ୍ଟ ହସ ହସିଲା। କିନ୍ତୁ ପ୍ରୀତି ମହାନ୍ତି ଟିକେ ଅପ୍ରସ୍ତୁତ ହୋଇଗଲା। ଇଚ୍ଛା ହେଲା ଆଦିତିକୁ ମୁହେଁ ମୁହେଁ ଦି ପଦ ଝାଡ଼ିଦେବାକୁ। ଦୁନିଆ ଟୋକାଙ୍କ ସହ ସଂପର୍କ... ସେ ପୁଣି କମେଣ୍ଟ ମାରୁଛି...
- କାଇଁ ସେମିତି ଲାଗୁଛି କି?... ପ୍ରୀତି ମହାନ୍ତି ଉତ୍ତର ଫେରେଇଲା।
- ହଁ ଆପଣ ଆଜି ଟିକେ ଚୁପ୍ଚାପ୍ ରହୁଛନ୍ତି... ତ... ହଁ ଆଉ ଗୋଟେ କଥା କହିବାକୁ ଆପଣଙ୍କୁ ଭୁଲିଯାଇଛି। ଆପଣଙ୍କୁ କିଛି ନୂଆ ଆସାଇନ୍ମେଣ୍ଟ ମିଳିପାରେ... ମ୍ୟାନେଜ୍ମେଣ୍ଟ ଆପଣଙ୍କ ଉପରେ ବେଶ୍ ଖୁସି ଅଛି।
ପ୍ରୀତି ମହାନ୍ତି ହଠାତ୍ ଆଦିତିର ଏ ପ୍ରସଙ୍ଗ ବଦଳେଇବାରେ ପ୍ରବେଶ କରିପାରିଲା ନାହିଁ। ସେ ସେମିତି ବୁଡ଼ି ରହିଥିଲା ବରେଣ୍ୟ ଭିତରେ। କେବଳ ସେ ଶୁଣିପାରିଲା ଯେ ତାକୁ କିଛି ନୂଆ ଦାୟିତ୍ୱ ଦିଆଯିବ। ପ୍ରକୃତରେ ଏ ଆଦିତି ପାଖରେ ମ୍ୟାନେଜମେଣ୍ଟର ସବୁ ଖବର ଥାଏ। ସମସ୍ତଙ୍କୁ ସେ ପାଲରେ ପକେଇ ରଖିଥାଏ। ଜି.ଏମ୍.ଙ୍କଠାରୁ ଆରମ୍ଭ କରି ଇନ୍ପୁଟ୍ ଓ ଆଉଟ୍ପୁଟ୍ ଏଡିଟର ଓ ବୁଲେଟିନ୍ ପ୍ରଡ୍ୟୁସରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ। ଏଚ୍ଆର୍ ଡିପାର୍ଟମେଣ୍ଟରେ ବି ତାଆର ଭାରି ପ୍ରଭାବ। ସେ ଜାଣେ, ଯେତେ କାଠ ପୁରୁଷ ହେଉ ପଛକେ, ତା ପାଖରେ ଝିଅମାନଙ୍କ ପ୍ରତି ନିଶ୍ଚିତ କିଛି ଦୁର୍ବଳତା ଲୁଚି ରହିଥିବ। ଆଉ ସେଇ ସୂତ୍ରଟିକୁ ହିଁ ପ୍ରୟୋଗ କରେ ଆଦିତି।
- କି ଆସାଏନ୍ମେଣ୍ଟ? ତମକୁ କିଏ କହିଲା?... ଗେଷ୍ଟରୁମ୍ରେ ଦି ଢୋକ ଚା' ପିଇ ସାରି ପଚାରିଲା ପ୍ରୀତି ମହାନ୍ତି।
- ସେ ବିଷୟରେ ମୁଁ ପୂରା କ୍ଲିୟର ନୁହେଁ, ତେବେ ମହିଳାଙ୍କ ଉପରେ କିଛି ଗୋଟେ ନୂଆ ପ୍ରୋଗ୍ରାମ ଷ୍ଟାର୍ଟ ହେବାକୁ ଯାଉଛି। ସେ ଦାୟିତ୍ୱ ଆପଣଙ୍କୁ ଦିଆଯାଇପାରେ। ଆପଣ ତ ପୂରା ପଟେଇକି ରଖିଛନ୍ତି ଅନନ୍ତ ବାବୁଙ୍କୁ...
ଏ ଅନନ୍ତ ବାବୁ ହେଲେ ଆଉଟ୍ପୁଟ୍ କୋଅର୍ଡିନେଟର। କମ୍ କାମ କରନ୍ତି, କିନ୍ତୁ ଭଲ କରନ୍ତି। ସେ ନିଜ କାମରେ ଭାରି ଚୁଜି। ସେଥିପାଇଁ ପ୍ରୀତି ମହାନ୍ତିକୁ ଏ ଲୋକଟା ବେଶ୍ ଭଲ ଲାଗେ। ସେ ମଧ୍ୟ ଅନେକ ସମୟରେ ପ୍ରୀତିକୁ ଭଲ ଭଲ ପ୍ରସଙ୍ଗରେ ଷ୍ଟୁଡିଓ ଆଲୋଚନା କରିବାକୁ ପରାମର୍ଶ ଦିଅନ୍ତି। ଚିରାଚରିତ ପଲିଟିକାଲ ଇସ୍ୟୁକୁ ନେଇ ଅନେକ ଖବର ହେଉଛି। କିନ୍ତୁ ଅନନ୍ତ ବାବୁ କହନ୍ତି ରାଜନୀତି ପଛର କଥା।
ଆଦିତିର ଏ ବଙ୍କାତେଢ଼ା କଥାରେ ପ୍ରୀତି ମହାନ୍ତି ସତରେ ଚିଡ଼ିଗଲା। ଚା' କପ୍ଟା ଟେବୁଲ ଉପରେ କଚାଡ଼ି ଦେଇ କହିଲା- ‘ତମ ପାଖରେ ଟ୍ୟାଲେଣ୍ଟର କ'ଣ କିଛି ମୂଲ୍ୟ ନାହିଁ ଆଦିତି? କେବଳ ପଟେଇ ପାରିଲେ କିମ୍ୱା ତେଲ ମାରି ପାରିଲେ ହିଁ ପ୍ରୋଗ୍ରାମ ମିଳେ? ତମେ ସେମିତି କାହିଁକି ଭାବୁଛ? ନିଜର ଏ ସ୍ୱଭାବ ଟିକେ ବଦଳେଇବାକୁ ଚେଷ୍ଟାକର।
ଏତକ କହି ଗେଷ୍ଟରୁମ୍ରୁ ବାହାରି ଆସିଲା ପ୍ରୀତି ମହାନ୍ତି। ଏ ଲାଇନ୍ରେ ଆସୁଥିବା ଝିଅମାନେ ନିଶ୍ଚିତ ଭାବେ ଚାଲାକ ହେବା ଜରୁରି। କାରଣ ଡେସ୍କଠାରୁ ଫିଲ୍ଡ ଯାଏଁ ସବୁଠି ତାଙ୍କୁ ନୂଆ ନୂଆ ଲୋକଙ୍କ ସହ ଡିଲ୍ କରିବାକୁ ପଡ଼ିଥାଏ। କାହାକୁ କେମିତି କଥା କହି କାମ ଆଦାୟ କରିବାକୁ ହେବ, ସେ କଳାରେ ବି ପାରଙ୍ଗମ ହେବାକୁ ପଡେ଼। କିନ୍ତୁ ଆଦିତି ପରି ଝିଅ, ନିଜ ଝିଅ-ପଣିଆକୁ ବରାବର ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇ ପଡ଼ିଲେଣି। ପ୍ରୀତି ମହାନ୍ତି ଜାଣେ ଗେଷ୍ଟରୁମ୍ରୁ ଉଠି ଆସିବା ପରେ ଆଦିତି ନିଶ୍ଚୟ ପଛରେ ତା ବିଷୟରେ ହିଁ ଗପୁଥିବ। କହୁଥିବ- ‘ବିବାହିତା ମହିଳାମାନେ ପ୍ରେମ କଲେ ଏତେ ଭୟଙ୍କର ଓ ରିଜିଡ଼୍ ହୋଇଯାଆନ୍ତି ବୋଲି ସେ ଏବେ ଜାଣିଲା। ବରେଣ୍ୟ ଆସି ନଥିବାରୁ ପ୍ରୀତି ମହାନ୍ତି କେମିତି ଚିଡ଼ିଚିଡ଼ି ହେଉଛି ଦେଖ...’
ମାଇଁ ଫୁଟ୍... ଏ ସବୁକୁ ପ୍ରୀତି ମହାନ୍ତି ଡରେ ନାହିଁ। ବାହାସାହା ହୋଇ ସାରିଛି ବୋଲି ମନ ବୋଲି କ'ଣ ତା'ର କିଛି ନାହିଁ? ଦୁନିଆର ସବୁ ନିୟମ କ'ଣ କେବଳ ତାଆରି ପାଇଁ? ଅଠର ଟୋକାଙ୍କୁ ପାଗଳ କରିବାରେ କ'ଣ ସେ ସକ୍ଷମ ନୁହେଁ? ଆଦିତି ପରି ଝିଅଙ୍କ ମୁହଁରେ ଶକ୍ତ ଜବାବ ଦେବାକୁ ସେ ବେଳେବେଳେ ଜାଣିଜାଣି ବରେଣ୍ୟ ସାଙ୍ଗରେ ବେଶୀ ବେଶୀ ମିଶିଛି। ତା ବାଇକ୍ରେ ବସି ଗଲାବେଳେ ଜାଣି ଜାଣି ତା କାନ୍ଧରେ ହାତ ପକେଇଛି। ଏମିତି ଝିଅଙ୍କୁ ଏମିତି ମୁହଁତୋଡ଼ ଜବାବ ଦରକାର।
(କ୍ରମଶଃ)
(୫ମ ଅଧ୍ୟାୟର ଆକର୍ଷଣ: ପ୍ରୀତି ମହାନ୍ତି କ’ଣ ବରେଣ୍ୟର ପ୍ରସ୍ତାବରେ ରାଜି ହେବ? ସେ ବିବାହିତା, କିନ୍ତୁ ତା’ର ବି ଦେହର ଆବଶ୍ୟକତା ଅଛି। ତା ଯୌବନକୁ ସେ ନଷ୍ଟ ହେବାକୁ ଦେବା ଉଚିତ କି? ଆପଣ କ’ଣ ଭାବୁଛନ୍ତି? ଏ ସଂପର୍କରେ ଆପଣଙ୍କ ମତକୁ ଅପେକ୍ଷା କରିବ ପ୍ରୀତି ମହାନ୍ତି।)