ଦ କେରଳ ଷ୍ଟୋରୀ ; ସତ, ମିଛ ଓ ରାଜନୀତି ।

ଦ କେରଳ ଷ୍ଟୋରୀ ; ସତ, ମିଛ ଓ ରାଜନୀତି ।

" ହେ ବିଶ୍ବାସକାରୀ ମାନେ! ତୁମେ ତୁମ ଈଶ୍ବର ସମ୍ମୁଖରେ ରୁକୁ( ଅର୍ଥାତ ମସ୍ତକ ଅବନତ ) କରି ସଜଦା କର ଏବଂ ନିଜ ପାଳନକର୍ତ୍ତାଙ୍କ ଉପାସନା କର ଓ ପୁଣ୍ୟକାର୍ଯ୍ୟ କର , ତା ହେଲେ ତୁମେମାନେ ନିଜର ଜୀବନର ଲକ୍ଷ୍ୟକୁ ପାଇ ପାରିବ।" ( ଅଲ୍ _ ହଜ ; ଆୟତ 78, ପବିତ୍ର କୋରାନ)

ଆମେମାନେ ଏମିତି କିଛି ଶ୍ରୀମଦ ଭଗବତ ଗୀତାରେ ବି ପଢିଛେ ! ଯେଉଁଠି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି

"ସର୍ବଧର୍ମାନ୍  ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ।

ଅହଂ ତ୍ବା ସର୍ବପାପେଭ୍ୟୋ  ମୋକ୍ଷ୍ୟୟିଷ୍ୟାମି ମା ଶୁଚଃ।।"

( ଅଧ୍ୟାୟ _ ଅଷ୍ଟାଦଶ ; ଶ୍ଲୋକ ୬୬, ଶ୍ରୀମଦ ଭଗବତ ଗୀତା)

 ଅର୍ଥ : ହେ ଅର୍ଜୁନ ତୁମେ ସମସ୍ତ ଧର୍ମକୁ ତ୍ଯାଗ କରି ମୋର ଶରଣ ରେ ଆସ ମୁଁ ତୁମକୁ ଉଦ୍ଧାର କରିବି।

ଉପରୋକ୍ତ ଦୁଇଟି ଯାକର ଧର୍ମଗ୍ରନ୍ଥ ପ୍ରାୟ ସମାନ କଥା ନିଜର ଧର୍ମାବଲମ୍ବୀ ମାନଙ୍କୁ କହୁଛି। ଆପଣମାନେ ହୋଲି ବାଇବେଲ ବା ଅନ୍ୟ କୌଣସି ଧର୍ମଗ୍ରନ୍ଥରେ ବି ସମାନ କଥା ପାଇବେ। ଏଥର ଆସିବା ଫିଲ୍ମ ଉପରକୁ । ଫିଲ୍ମର ନାଁ “ଦ କେରଳ ଷ୍ଟୋରି” । ଅତି ଚମତ୍କାର ଭାବରେ ଏହାର ସ୍କ୍ରିନ ପ୍ଲେ ଲେଖା ଯାଇଛି। ଚିତ୍ର ଉତ୍ତୋଳନ ବା ସିନମାଟୋଗ୍ରାଫି ଏତେ ନିଖୁଣ ଯେ ଆପଣ ବେଳେବେଳେ ସେ ମନମୁଗ୍ଧକର ପରିବେଶରେ ହଜିଯିବେ। ଅଭିନୟ ରେ ଦୁଇଜଣ ଆପଣଙ୍କୁ ମୁଗ୍ଧ କରିବେ ସେମାନେ ହେଲେ ଆଦା ଶର୍ମା ଓ ସୋନିଆ ବଲାନି।

 

ଚଳଚିତ୍ର ର ପଟ୍ଟକଥା କୁ ଯେଉଁ ସମ୍ବେଦନଶୀଳତାର ଭାଗମାପରେ ବନା ଯାଇଛି ଆପଣ ମାନେ ଭୟ , ଦୁଃଖ ତଥା କଷ୍ଟରେ ଆତୁର ହେବାଟା ଥୟ। ଜଣେ ଗର୍ଭବତୀ ନାରୀକୁ ତାର ସ୍ବାମୀ ତାର ଇଚ୍ଛା ବିରୁଦ୍ଧରେ ବଳାତ୍କାର କରିବା ଦୃଶ୍ୟରେ ଆପଣ ନିଶ୍ଚିତ ଶିହରି ଉଠିବେ। ଜଣେ ନାରୀର ଇଚ୍ଛା ବିରୁଦ୍ଧରେ ତାକୁ ୧୫/୨୦ ବା ତଦୁର୍ଦ୍ଧ ଲୋକ ବଳାତ୍କାର କରିବା କଥାରେ ଆପଣଙ୍କ ରକ୍ତ ଟକମକ ହୋଇ ଫୁଟି ଉଠିବ। ଚଳଚିତ୍ର ଟି ଏତେମାତ୍ରାରେ ବିଚଳିତ କଲାପରି ଯେ' ଆପଣ ସିନେମା ହଲରୁ ବାହାରିବା ପରେ ମଧ୍ୟ ଅନେକ ସମୟ ଧରି ଏକ ମାନସିକ ବିଚଳନ ଭିତର ଦେଇ ଗତି କରିବେ। କିନ୍ତୁ ଏଠି ମୋର ପ୍ରଶ୍ନ ଆପଣ କାହାକୁ ଆଉ କେଉଁ ଘଟଣାକୁ ନେଇ ବିଚଳିତ ହେଉଛନ୍ତି?

 

1_ ଲଭ ଜିହାଦ୍ ପାଇଁ ?

2_ ନାରୀ ନିର୍ଯାତନାର ଏକ ଅନାଲୋଚିତ ଅଧ୍ୟାୟ ପାଇଁ ?

3_ ନା କେବଳ ଧର୍ମାନ୍ତରୀକରଣ ପାଇଁ? 

 

  ଆପଣ ମାନଙ୍କର ସମ୍ବେଦନଶୀଳତା କେଉଁ ଦିଗ ପ୍ରତି? ଚଳଚିତ୍ର ର ଏକ ଜାଗାରେ ମୁଖ୍ୟ ଚରିତ୍ର ଶାଳିନୀ ବା ଫତିମା କହୁଛି " ମୋ ପରି ୩୨ ହଜାର ହିନ୍ଦୁ ଝିଅ ଏଇ ଆଫଗାନିସ୍ତାନର ମାଟି ତଳେ ଦବି ରହିଛନ୍ତି! ଏଇ ନମ୍ବର ଉପରେ ଚଳଚିତ୍ର ର ଶେଷରେ ମଧ୍ୟ ସତର୍କତାର ସହ କୁହା ଯାଉଛି। ଆଉ ଆମ ମାନନୀୟ ପ୍ରଧାନମନ୍ତ୍ରୀ ଉକ୍ତ ଚଳିଚ୍ଚତ୍ର ର ଜୋରଦାର ପ୍ରଚାର ନିଜର ଭାଷଣ ମାଧ୍ୟମରେ କରୁଛନ୍ତି?  ସତରେ କଣ କେବଳ କେରଳରୁ ଏତେ ସଂଖ୍ୟାରେ ଝିଅ ଧର୍ମାନ୍ତରୀକରଣର ଶିକାର ହେଇ , ଲଭ ଜିହାଦ  ଯୋଗୁ ଏବେ ISIS ରେ ଯୌନଦାସୀ ରୂପରେ  ଜୀବନ ନିର୍ବାହ କରୁଛନ୍ତି। ଆମେ The Last Girl ପଢିଛେ । ସେଠି ଯୌନଦାସୀ ହେବାର ଭୟାବହତା ଖୁବ ନିଖୁଣ ଭାବରେ ବର୍ଣ୍ଣିତ। ସତକଥା ହେଲା ବହିଟି ଏତେ ମାତ୍ରରେ ବିଚଳିତ କଲା ଯେ' ମୁଁ ଥରକରେ ସମ୍ପୁର୍ଣ୍ଣ ପଢି ପାରିଲି ନାହିଁ!

ହିଟଲର ଙ୍କ ଆତ୍ମଜୀବନୀ ପଢିଲା ବେଳେ ମୋର ଗୋଟେ କଥା ଅନୁଭବ ହେଇଥିଲା ଯେ' ମିଛକୁ ବାରମ୍ବାର ଆଉ ଅଧାମିଛ ଭାବରେ ଏକାଧିକ ବାର କୁହାଗଲେ ତାହା ଅନେକାଂଶରେ ସତ୍ୟ ପରି ଲାଗେ। କଥାଟି ଠିକ ଆମର " ତିନି ତୁଣ୍ଡରେ  ଛେଳି କୁକୁର ପରି"।

ଏକ ଆକଳନ କହେ ଛ' ବର୍ଷରେ ପ୍ରାୟ ୨୫ ହଜାର ସ୍ତ୍ରୀଲୋକ ୨୦୦୬ ରୁ ୨୦୧୨ ଭିତରେ ଧର୍ମ ପରିବର୍ତ୍ତନ କରିଛନ୍ତି । କଥା ଏଠି ପଚାରା ଯାଉ ସେମାନେ କଣ ଲଭ ଜିହାଦ କି ଫୋର୍ସ କନଭର୍ସନ ବିଷୟରେ କହିଛନ୍ତି କି? ଆଉ ଏମାନଙ୍କ ଭିତରୁ କେତେଜଣ ISIS କୁ ଯାଇ ଯୋଗ ଦେଇଛନ୍ତି  ଏ ବିଷୟରେ କିଛି ନିର୍ଦ୍ଦିଷ୍ଟ ଆକଳନ ଅଛି କି?

ଉତ୍ତର ଆପଣ ଗୁଗୁଲ କଲେ ପାଇବେ।

 

 ଜୁନ 2021 ରେ ଗୋଟେ ଆର୍ଟିକିଲ ବାହାରିଥିଲା ଯେଉଠି ଚାରିଜଣ କେରଳି ଝିଅଙ୍କ କଥା କୁହା ଯାଉଛି ଯେଉଁମାନେ ନିଜ ସ୍ବାମୀ ମାନଙ୍କ ସହ ଆଫଗାନିସ୍ତାନ ଗଲେ 2016  ରୁ 2018 ଭିତରେ । ଏମାନଙ୍କ  ସ୍ବାମୀ ମାନଙ୍କ ମୃତ୍ୟୁ ଅଲଗା ଅଲଗା ଆତଙ୍କବାଦୀ ଆକ୍ରମଣ ଯୋଗୁ ଘଟିଲା। ଏମାନଙ୍କ ନାଁ ନିମିଷା ଓରଫ ଫତିମା ଇଷା, ସୋନିଆ ସେବାଷ୍ଟିଆନ ଓରଫ  ଆଇସାହା , ମେରିନ୍ ଜେକପ୍ ଓରଫ ମରିଏମ୍ ଓ ରଫିଲା ।  ଏମାନଙ୍କ ଭିତରୁ ଦୁଇଜଣ ଖ୍ରୀଷ୍ଟିଆନ ଥିଲେ , ଜଣେ ମୁସଲିମ୍।କେବଳ ଜଣେ ନିମିଷା ନାୟର ନିଜର ଧର୍ମ ପରିବର୍ତ୍ତନ କରିଥିଲେ।  ଏଠି ନିମିଷା ଙ୍କ ସ୍ବାମୀ ନିଜେ ଖ୍ରୀଷ୍ଟଧର୍ମରୁ କନର୍ଭଟ ହେଇଥିଲେ। ଯାହାଙ୍କ ନାମ ଥିଲା" ଇଜା " ପୂର୍ବ ନାମ ବେକସନ୍ ।

ଉପରୋକ୍ତ ଏ ସବୁ ତଥ୍ୟ ଆପଣ ମାନେ ଗୁଗୁଲ ରୁ ପାଇଯିବେ।  ମୁଁ ବି ଅନେକ ତଥ୍ୟ ଗୁଗୁଲ ତଥା ଅନେକ ଭିଡିଓ ରୁ ହିଁ ପାଇଛି । ନିମିଷା ,  ସୋନିଆ ସେବାଷ୍ଟିଆନ ଓ ରଫିଲାଙ୍କ ଭିଡିଓ ଆପଣ ୟୁଟୁବ ରେ ପାଇଯିବେ ଷ୍ଟାର୍ଟ  ନ୍ୟୁଜ ଗ୍ଲୋବାଲ ରେ। ହଁ କିଛି  ସ୍ତ୍ରୀଲୋକ ମାନେ ଏବେବି ଆଫଗାନିସ୍ତାନର ଜେଲରେ ଅଛନ୍ତି। ଯେଉଁ ମାନଙ୍କର ବ୍ରେନୱାସ କରାଯାଇ ଥିଲା। କେବଳ କେରଳ ରୁ ନୁହେଁ ବରଂ ଭାରତର ଅନେକ ଜାଗାରୁ ଲୋକମାନେ ( ଉଭୟ ମହିଳା , ପୁରୁଷ ଏପରିକି ପିଲାମାନେ ମଧ୍ୟ) ଯାଇ ISIS ରେ ଯୋଗ ଦେଇଛନ୍ତି ଏଇ ବ୍ରେନୱାସ ଯୋଗୁ। ISIS ଇଣ୍ଟରନେଟର ଡାର୍କୱବ ର ସହାୟତାରେ ଏପରି ଅନେକ ଲୋକଙ୍କୁ ରିକ୍ୟୁଟ୍  କରେ । ଆଉ ଏହା କେବଳ ଭାରତରୁ ନୁହେଁ ବରଂ ପୃଥିବୀର ଅନେକ ଜାଗାରୁ ହୁଏ । ବ୍ରେନୱାସ କରି ଆତଙ୍କବାଦୀ ବନାଇବାର ଅନେକ ଚଳଚିତ୍ର ଆମେ ଦେଖିଛେ ଆଉ ଏହା ଘଟୁଛି ବି । ଏଥିରେ ମୋର ଦ୍ବିମତ ନାହିଁ ।  କିନ୍ତୁ ଏହା କରିବାକୁ ଆଲ୍ଲା ବା କୁରାନ୍ ରେ କୁହାଯାଇଛି ବୋଲି କହିବାରେ ମୋର ଆପତ୍ତି ଅଛି।  କାରଣ ସମସ୍ତ ଧର୍ମଗ୍ରନ୍ଥ ନିଜ ନିଜର ଧର୍ମକୁ ତଥା ଈଶ୍ବରଙ୍କୁ ସର୍ବୋପରି କୁହନ୍ତି ।

ଆମେରିକାର ବ୍ୟୁରୋ ଅଫ କାଉଣ୍ଟର ଟେରରିଜମ୍ ର 2020 ଆକଳନ ଅନୁସାରେ  ଭାରତରୁ କେବଳ 180 ଲୋକ ISIS ରେ ଯୋଗ ଦେଇଛନ୍ତି। ଯେଉଥିରେ 75% ଲୋକ ପୁରୁଷ। 2019 ରେ ଇଣ୍ଡିଆନ୍ ହୋମି ମିନିଷ୍ଟ୍ରୀ ର ଡାଟା ଅନୁସାରେ 155 ଲୋକ ISIS ରେ ଯୋଗ ଦେଇଥିଲେ ଯେଉଁଥିରୁ ମାତ୍ର 40 କେଶ୍ କେରଳ ରୁ ହିଁ ଥିଲା। ଏଥିରୁ 13 ମହିଳା ଥିଲେ ସମ୍ପୂର୍ଣ୍ଣ ଦେଶରୁ । କେରଳରୁ କେବଳ 6 ଜଣେ ମହିଳା ଥିଲେ ଆଉ ସେଥିରୁ କନର୍ଭଟେଡ୍ ଥିଲେ ମାତ୍ର ତିନିଜଣ। କେବଳ ଜଣେ ହିଁ ହିନ୍ଦୁ ମହିଳା ଥିଲେ। ଯାହାଙ୍କ ବିଷୟରେ ଆମେ ଆଗରୁ ଆଲୋଚନା କରି ସାରିଛେ!

 ତେବେ ଏ ଫିଲ୍ମ କଣ କହୁଛି? ସତ ନା ମିଛ? ଫିଲ୍ମର ଡାଇରେକ୍ଟର ବାରମ୍ବାର ନିଜର ମତ ପରିବର୍ତ୍ତନ କରୁଛନ୍ତି। 32 ହଜାର ର ଫିଗର ଟି ବାରମ୍ବାର ବଦଳା ଯାଉଛି ଆଉ ଫିଲ୍ମଟି କୋର୍ଟକୁ ଗଲା ପରେ ତାର ସଂଖ୍ୟା କମି କେବଳ ତିନିଜଣ ରେ ସୀମିତ ଅଛି। ଯେଉଁ ତିନିଜଣ ମହିଳାଙ୍କ କଥା ଆମେ ଫିଲ୍ମରେ ଦେଖିଲେ ( ତାହା ବି ସମ୍ପୂର୍ଣ୍ଣ ଭାବରେ ସତ୍ୟ ନହେଇ ପାରେ) ଫିଲ୍ମର ଶେଷରେ ଉପରୋକ୍ତ ମହିଳା ମାନଙ୍କ ଘର ଲୋକଙ୍କ ଇଣ୍ଟରଭ୍ୟୁ ଏତେ ଛାଟକାଣ୍ଟରେ ଦେଖା ଯାଇଛି ଯେ ଏହା ସମ୍ପୁର୍ଣ୍ଣ ରୁପରେ ବୁଝି ବି ହେଉନି। ମୁଁ ତ ବୁଝି ପାରିଲି ନାହିଁ ।

ଉପରୋକ୍ତ ତଥ୍ୟ ଉପରେ ଆଲୋକପାତ କଲେ The Kerala Story କେଉଁଠି ବି ଖାପ ଖାଉନି। କିନ୍ତୁ ଜଣେ ନାରୀ ତଥା କବି ଭାବରେ ମୁଁ ବେଶ ବିଚଳିତ ହେଲି ଫିଲ୍ମଟି ଦେଖି। ଯଦି ରାଜନୈତିକ ପ୍ରୋପାଗଣ୍ଡାରୁ ଦୂରେଇ ରହି , ଧର୍ମ ଭିତ୍ତିକ ବିଭାଜନରୁ ଦୂରେଇ କେବଳ ଏକ ସମ୍ବେଦନଶୀଳ ନାରୀ ମନସ୍ତତ୍ତ୍ୱର ଚଳଚିତ୍ର ଭାବରେ ଏଇଟି କୁ ବିଚାରକୁ ନିଆଯାଏ ତେବେ ଫିଲ୍ମଟି ଅତି ମାତ୍ରାରେ ସମ୍ବେଦନଶୀଳ।  ଚଳଚିତ୍ରରେ ବର୍ଣ୍ଣିତ କୋଣସି ଘଟଣା ସତ୍ୟ ନହେଉ, କୌଣସି ମହିଳାଙ୍କ ଉପରେ ଏପରି ଅତ୍ୟାଚାର ଅତି ମାତ୍ରାରେ ନିନ୍ଦନୀୟ ।  ମାନବୀୟ ମୁଲ୍ୟବୋଧର ଦୃଷ୍ଟିକୋଣରୁ ଏପରି ଅତି ନୀଚ ସ୍ତରର ବ୍ୟବହାର କୁ ବରଦାସ୍ତ କରିବା ଅନୁଚିତ। ତେବେ ଚଳଚିତ୍ରରେ  based on true  story ଲେଖାଗଲା ପରେ ନିର୍ଦ୍ଦେଶକ ମହାଶୟଙ୍କର କୌଣସି ବକ୍ତବ୍ୟ ପୂର୍ବସହ ଅମେଳ ହେବା ସନ୍ଦେହ ସୃଷ୍ଟି କରୁଛି।

                

  ଆଉ ମାତ୍ର ବର୍ଷେ ପରେ ଇଲେକସନ୍। ଭାରତୀୟ ରାଜନୀତିଜ୍ଞ ମାନେ ସମ୍ପୁର୍ଣ୍ଣ ଭାରତକୁ ଧର୍ମର ଆଉ ପରମ୍ପରାଗତ ଭାବରେ ଏକ ବିସ୍ଫୋରକ ବୋମା ଉପରେ ବସାଇ ନିଜର ସ୍ବାର୍ଥ ସାଧନ କରୁଛନ୍ତି। ଏପରି ଏକ ମାନସିକ ସଂକଟ ତଥା ଦେଶର ଧର୍ମ ଭିତ୍ତିକ ବିଭାଜନ ବେଳାରେ ଏପରି ଏକ ଚଳଚିତ୍ର ଏକ ଜଳନ୍ତା ଡିଆସିଲି କାଠି ନୁହେଁ ତ? ମନେ ପକାଇ ଦେଉଛି ଆମେ ୧୯୪୭ ରେ ବିଭାଜନ ବେଳାର ବିଭିଷିକା ଦେଖି ସାରିଛେ । ସେ କ୍ଷତ ଆଜିଯାକେ ଶୁଖିନି!!

 

 ଏତେ ସବୁ ପରେ ଆପଣମାନଙ୍କ ପାଇଁ ପ୍ରଶ୍ନଟେ ଛାଡି ଯାଉଛି ;

ରାଜାନୀତି ଓ ଧର୍ମର କ୍ଷେତ୍ରରେ ନାରୀଟେ କାହିଁକି କେବଳ ବଳାତ୍କାର ଆଉ ଅମାନବୀୟ ଧର୍ଷଣର  ଶିକାର ହୁଏ ?

 

ଧର୍ମ ,ଦେଶ,  ପୁରୁଷ ଓ ରାଜନୀତି- ଏମାନେ ସମସ୍ତେ କଣ ନାରୀର ଶରୀରକୁ ଅବଦମିତ କରି  ତୃପ୍ତ ହୁଅନ୍ତି ?