ଆତଙ୍କବାଦୀର ସଜ୍ଞା କଣ ?

ଆତଙ୍କବାଦୀର ସଜ୍ଞା କଣ ?

      ମୋର ଗୋଟାଏ ପୁରୁଣା ଲେଖାରେ ଥରେ ମୁଁ ସମଗ୍ର ପୃଥିବୀରେ ୨୦୦୧ରୁ ୨୦୧୦ ମସିହା ଭିତରେ ଘଟିଥିବା କିଛି ଆତଙ୍କବାଦୀ ଘଟଣାର ଲିଷ୍ଟ ଦେଇଥିଲି। ଆପଣମାନଙ୍କୁ ବି ଯଦି ଏବେ ପଚାରାଯାଏ ଯେ ଆତଙ୍କବାଦୀ ଆକ୍ରମଣର ଉଦାହରଣ, ତାହେଲେ ମୋର ପୁରା ବିଶ୍ୱାସ ଆପଣ ବି ୯/୧୧ ଓ୍ବାର୍ଲ୍ଡ-ଟ୍ରେଡ୍ ସେଣ୍ଟର କିମ୍ବା ୨୬/୧୧ର ମୁମ୍ବାଇ ହମଲା କଥା ମନେ ପକାଇବେ। ଆଉ ଯଦି ପଚରାଯାଏ "ଆପଣଙ୍କ ମତରେ କିଏ ଆତଙ୍କବାଦୀ"? ତାହେଲେ ନିହାତି ଆପଣଙ୍କ ଉତ୍ତର ହେବ ଯେ- ଯିଏ ସମାଜରେ ଦଙ୍ଗା, ଅପରାଧ, ବିସ୍ଫୋରଣ କିମ୍ବା ଅସାମାଜିକ କାର୍ଯ୍ୟ ଦ୍ବାରା ଭୟ ସୃଷ୍ଟି କରେ ଏବଂ ଅନ୍ୟମାନଙ୍କ ଜୀବନହାନୀ କରେ କିମ୍ବା ହେବାର ଆଶଙ୍କା ଥାଏ, ତାହେଲେ ସେହି ମଣିଷକୁ ଆତଙ୍କବାଦୀ କହିବା।

        ଧେତ୍! ତାହେଲେ ମୋ ପରି ଆପଣମାନେ ବି ଗୋଟିଏ ବଡ ଭୁଲ ଧାରଣା ଏବଂ ଅର୍ଥ କୁ ମନରେ ରଖି ବସିଛନ୍ତି। କାହାକୁ ଆତଙ୍କବାଦୀ କୁହାଯିବ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ କ'ଣ ତାର ନୂତନ ସଜ୍ଞା ଦେଇଛନ୍ତି ଆମ ଦେଶର ମହିଳା ଓ ବାଳ ବିକାଶ ମନ୍ତ୍ରୀ! ଆପଣ ଭଲରେ ଜାଣନ୍ତି ମେ' ୭ ପର୍ଯ୍ୟନ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରଚାର ଥିଲା। ଏହି ପ୍ରଚାର ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହ ସମୁଦାୟ ୧୨ଜଣ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ ନିର୍ବାଚନ ପ୍ରଚାରରେ ସେଠି ବ୍ୟସ୍ତ ଥିଲେ। ଯେମିତି ନିର୍ବାଚନ ପ୍ରଚାର ସରିଛି ଆମ ମହିଳା ଓ ବାଳ ବିକାଶ ମନ୍ତ୍ରୀ ଫୁରସତ ପାଇ ସେଇ ସଦ୍ୟ ରିଲିଜ ହୋଇଥିଲା ଫିଲ୍ମ "ଦ କେରଲା ଷ୍ଟୋରୀ" ଦେଖିଲେ। ଆଉ ଫିଲ୍ମ ଦେଖି, ସେଥିରେ ଦେଖା ଯାଇଥିବା ସମସ୍ତ ଘଟଣା ଏବଂ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ତାଙ୍କ ମନକୁ ଏତେ ମାତ୍ରାରେ ଦୋହଲାଇ ଦେଲା ଯେ, ସେ ସାଙ୍ଗେ ସାଙ୍ଗେ ମିଡିଆ ଆଗରେ କହିଲେ "ଏ ଫିଲ୍ମ ଯିଏ ଦେଖିନି ସେ କୌଣସି ଗୁଣରେ ଆତଙ୍କବାଦୀ ଠାରୁ କମ୍ ନୁହେଁ ବା ସେ ଆତଙ୍କବାଦୀ!"

        କିନ୍ତୁ ମନ୍ତବ୍ୟ ଦେଲାବେଳେ ଏବଂ ଫିଲ୍ମର ପ୍ରଚାର କଲାବେଳେ ହୁଏତ ଆମ ନେତ୍ରୀ ଭୁଲିଗଲେ ଯେ, ଯେଉଁ ମହିଳାମାନଙ୍କ ଅତ୍ୟାଚାରର କାହାଣୀ ତାଙ୍କୁ ବ୍ୟଥିତ କରିଛି ସେମାନଙ୍କ ସୁରକ୍ଷା, ହେପାଜତ ଏବଂ ଉନ୍ନତିର ଦାୟିତ୍ୱ ତାଙ୍କ ନିଜର। ଆଉ ଗତ ୨୦୧୪ ମସିହାରୁ ତାଙ୍କ ଦଳ ହିଁ କେନ୍ଦ୍ରରେ ସରକାର ଚଲାଉଛି। ଯେଉଁ ଲଭ୍-ଜିହାଦର ଦ୍ବାହୀ ସେ ନିଜେ ସତ୍ତାକୁ ଆସିବା ପୂର୍ବରୁ ଏବଂ ସତ୍ତାରେ ତିଷ୍ଠିବା ପାଇଁ ବାରମ୍ବାର ଦେଉଛନ୍ତି, ତାର ସମାଧାନ ପାଇଁ ବାଟ କାହିଁକି ବାହାର କରି ପାରୁ ନାହାଁନ୍ତି? କ'ଣ ସେଇ ଫିଲ୍ମଟି ଦେଖିଲା ପରେ ହିଁ ସେ ଅନୁମାନ କରି ପାରୁଛନ୍ତି ଯେ ନିଖୋଜ ବା ହଜିଯାଇଥିବା ଝିଅ ମାନଙ୍କର ବ୍ୟବହାର ISIS କିମ୍ବା ପଶ୍ଚିମ ଏସିଆରେ ସେକ୍ସ-ଲେବର ହିସାବରେ ହୋଇପାରେ! ଫିଲ୍ମ ଦେଖି ସାରିବା ପର୍ଯ୍ୟନ୍ତ କ'ଣ ଆମ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ବୁଝି ଜାଣି ନଥିଲେ ଯେ NCRB ଡାଟା ଅନୁସାରେ ବର୍ଷ ୨୦୨୧ରେ ନିଖୋଜ ହୋଇଥିବା ସମୁଦାୟ ୩,୮୯,୮୪୪ ବ୍ୟକ୍ତିଙ୍କ ମଧ୍ୟରୁ ୨,୬୫,୪୮୧ ଜଣ ମହିଳା ଏବଂ ନିଖୋଜ ହୋଇଥିବା ସମସ୍ତ ୭୭, ୫୩୫ ନାବଳକ ମଧ୍ୟରୁ ୭୫% ବା ୫୯୫୪୪ ଜଣ ବାର ବର୍ଷରୁ କମ ବାଳିକା ଅଟନ୍ତି? ସେମାନଙ୍କ ସୁରକ୍ଷା ଏବଂ ବିକାଶର ଦାୟିତ୍ୱ କେଉଁ ମନ୍ତ୍ରଣାଳୟର? ଏହା ଭିତରେ ଆପଣ ଗୁଜୁରାଟରୁ ଗତ ୫ ବର୍ଷ ଭିତରେ ନିଖୋଜ ହୋଇଥିବା ମହିଳା ମାନଙ୍କ ସ°ଖ୍ୟା ତ ଜାଣି ସାରିଥିବେ। ମୁଁ ଆପଣଙ୍କୁ ଅନ୍ୟ କେତୋଟି ରାଜ୍ୟରେ ନିଖୋଜ ମହିଳା ଏବଂ ନାବାଳିକାଙ୍କ ସ°ଖ୍ୟା କହି ଦିଏ: ମଧ୍ୟପ୍ରଦେଶରେ ସର୍ବାଧିକ ୬୮୭୩୮ ମହିଳା ଏବଂ ୧୩୦୩୪ ନାବାଳିକା; ପଶ୍ଚିମ ବଙ୍ଗରୁ ୬୪୨୭୬ ମହିଳା ଏବଂ ୧୩୨୭୮ ନାବାଳିକା; ମହାରାଷ୍ଟ୍ରରୁ ୬୦୪୩୫ ମହିଳା ଏବଂ ୩୯୩୭ ନାବାଳିକା; ଓଡ଼ିଶାରୁ ୫୩୯୮୧ ମହିଳା ଏବଂ ୬୩୯୯ ନାବାଳିକା ଏବଂ ରାଜସ୍ଥାନରୁ ୩୦୧୮୨ ମହିଳା ଏବଂ ୧୮୪୦୧ ନାବାଳିକା! ମନେ ପକାଇଲେ ଏ ପରିସ୍ଥିତିକୁ ନେଇ ମାନ୍ୟବର ମନ୍ତ୍ରୀ କେବେ ଉଦବେଗ ପ୍ରକାଶ କରିଛନ୍ତି?

        ଅବଶ୍ୟ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀଙ୍କ କ୍ୟାରିୟର ଆରମ୍ଭ ସେଇ ଟେଲିଭିଜନ ଓ ଫିଲ୍ମ ଦୁନିଆରୁ। ଯେଉଁଠି ସେ ମଧ୍ୟ କାଳ୍ପନିକ କାହାଣୀରେ ଜଣେ ସଶକ୍ତ ମହିଳା ହିସାବରେ ଲଢନ୍ତି, ସତ୍ୟ ଏବଂ ନ୍ୟାୟ ପ୍ରତିଷ୍ଠା ପାଇଁ। ସେଇଥିପାଇଁ ହୁଏତ ସତ ଅପେକ୍ଷା ସେ କାଳ୍ପନିକ ଏବଂ ଫିଲ୍ମ କାହାଣୀ ଦ୍ଵାରା ବେଶୀ ପ୍ରଭାବିତ ହୁଅନ୍ତି। ପରଦା ଉପରେ ନାଟ୍ୟରୂପ ଦେଖିଲେ ସେ ଘଟଣା/ଦୁର୍ଘଟଣାର ଗଭୀରତା ବୁଝି ପାରନ୍ତି। ଫିଲ୍ମ ଦେଖିଲେ ସେ ବୁଝି ପାରନ୍ତି ଯେ ଦେଶରେ ମହିଳା ମାନେ ଅପରାଧ ବା ଅତ୍ୟାଚାରର ଶିକାର ହେଉଛନ୍ତି। ନହେଲେ ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନ ଠାରୁ ମାତ୍ର କିଛି ଶହ ମିଟର ଦୂରରେ ଚାଲିଥିବା ଭାରତୀୟ ମହିଳା କୁସ୍ତି ଖେଳାଳୀଙ୍କ ଧାରଣା ତାଙ୍କ ନଜର କୁ ଆସିଲାନି କାହିଁକି? ସେମାନଙ୍କ ଧାରଣା ଆରମ୍ଭ ହେଲାଣି ଅପ୍ରେଲ ୨୩ରୁ ଆଉ ଫିଲ୍ମଟି ରିଲିଜ ହେଲା ମେ' ୫ରେ! କିନ୍ତୁ ଆଜି ଯାଏଁ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ହିସାବରେ ସେଇ ମହିଳା ମାନଙ୍କୁ ଥରେ ଭେଟିବା ତ ଦୂରର କଥା ସେମାନଙ୍କୁ ପଦେ ଆଶ୍ବାସନା (ମିଛରେ ହେଉ ପଛେ) ଦେଲା ପରି କିମ୍ବା ଜାଞ୍ଚ- ପଡତାଲକୁ ନେଇ ପଦଟିଏ ସାମ୍ବାଦିକ ସମ୍ମିଳନୀରେ କହିବା ତ ଦୂରର କଥା ଟ୍ବିଟ୍ ମଧ୍ୟ କରି ନାହାନ୍ତି! ଏହାର ଅର୍ଥ କ'ଣ ଆମ ମନ୍ତ୍ରୀ ମହୋଦୟାଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମହିଳା କୁସ୍ତି ଖେଳାଳୀ ମାନେ ପ୍ରଥମେ ଗୋଟିଏ ଫିଲ୍ମ ନିର୍ମାଣ କରିଥାନ୍ତେ, ସେଥିରେ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନକୁ ପରଦା ଉପରେ ଦେଖାଇଥାନ୍ତେ ଆଉ ତା'ପରେ ଅଭିଯୋଗ ଆଣିଥାନ୍ତ? ତାହାଲେ ତ ଆମ ଦେଶରେ ପ୍ରତିବର୍ଷ ମହିଳା ଏବଂ ଶିଶୁ ମାନଙ୍କ ବିରୋଧରେ ହେଉଥିବା ଅପରାଧ କୁ ନେଇ ଖାଲି ୪ - ୫ ଲକ୍ଷ ଫିଲ୍ମ ନିର୍ମାଣ କରିବାକୁ ପଡିବ!

         ନା ନା ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। NCRB ରିପୋର୍ଟ ଅନୁସାରେ ବର୍ଷ ୨୦୨୧ରେ ଦେଶରେ ରେକର୍ଡ଼/ ଦର୍ଜ କରାଯାଇଥିବା ସମୁଦାୟ ମହିଳା ବିରୋଧୀ ଅପରାଧର ସ°ଖ୍ୟା ହେଉଛି ୪, ୨୮, ୨୭୮ (ଚାରି ଲକ୍ଷ ଅଠେଇସ ହଜାର ଦୁଇ ଶହ ଅଠୋସ୍ତରୀ), ଯାହାକି ୨୦୨୦ ମସିହାରେ ୩, ୭୧, ୫୦୩ ଥିଲା। ମୋଟ ୪,୨୮୨୭୮ଟି ମାମଲା ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୫୬,୦୮୩ ଟି ମାମଲା ରେକର୍ଡ କରା ଯାଇଥିବା ବେଳେ ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ ଯଥାକ୍ରମେ ୪୦,୭୩୮ଟି ଏବଂ ୩୯,୫୨୬ଟି ମାମଲା ନଜରକୁ ଆସିଥିଲା। ୨୦୨୧ରେ ବିଭିନ୍ନ ରାଜ୍ୟରେ ଘଟିଥିବା ମହିଳା ବିରୋଧୀ ଅପରାଧ ଗୁଡିକୁ ଅନୁଧ୍ୟାନ କରି NCRB ଜାରି କରିଥିବା ରିପୋର୍ଟ ଅନୁସାରେ, ସର୍ବାଧିକ 'ଗ୍ୟାଙ୍ଗରେପ୍ ଓ ହତ୍ୟା' ଉତ୍ତର ପ୍ରଦେଶ (୪୮) ଏବଂ ତା' ପରେ ଆସାମ (୪୬)ରେ ଘଟିଛି। ସର୍ବାଧିକ ବଳାତ୍କାରର ମାମଲା ରାଜସ୍ଥାନ (୬୩୩୭), ମଧ୍ୟପ୍ରଦେଶ (୨୯୪୭), ଉତ୍ତରପ୍ରଦେଶ (୨୮୪୫) ରିପୋର୍ଟ ହୋଇଛି। ସେମିତି 'ଅପହରଣ ବା କିଡନାପି°'ର ସର୍ବାଧିକ ମାମଲା ଉତ୍ତରପ୍ରଦେଶ (୧୦୫୭୪), ବିହାର (୮୬୬୧), ମହାରାଷ୍ଟ୍ର (୭୫୫୯) ରୁ ଆସିଛି। 'ଆତ୍ମହତ୍ୟା ପାଇଁ ବାଧ୍ୟ ବା ଉସକାଇଥିବା' ଘଟଣା ସର୍ବାଧିକ ମହାରାଷ୍ଟ୍ର (୯୨୭), ମଧ୍ୟପ୍ରଦେଶ (୭୫୮), ପଶ୍ଚିମ ବଙ୍ଗ (୪୫୬) ରେ ରିପୋର୍ଟ ହୋଇଛି। ମହିଳାଙ୍କ ପ୍ରତି 'ମରଣାନ୍ତକ ଆକ୍ରମଣ' କ୍ଷେତ୍ରରେ ସର୍ବାଧିକ ଓଡ଼ିଶା (୧୪,୮୫୩), ମହାରାଷ୍ଟ୍ର (୧୦୫୬୫), ଉତ୍ତର ପ୍ରଦେଶ (୯୩୯) କେସ୍ ରହିଛି। ମହିଳାଙ୍କ ପ୍ରତି 'ଅସଦାଚରଣ'ର ସର୍ବାଧିକ ମାମଲା ଆନ୍ଧ୍ରପ୍ରଦେଶ (୨୩୭୦), ମହାରାଷ୍ଟ୍ର (୧୦୩୮), ଓଡିଶା (୮୩୮) ସାମନାକୁ ଆସିଛି। 'ଚାଇଲ୍ଡ ସେକ୍ସ୍ ଅଫେନ୍ସ' କ୍ଷେତ୍ରରେ ସର୍ବାଧିକ ମାମଲା ଉତ୍ତର ପ୍ରଦେଶ (୬୯୭୦), ମହାରାଷ୍ଟ୍ର (୬୧୧୬), ମଧ୍ୟପ୍ରଦେଶ (୬୦୧୨) ରୁ ଆସିଛି। 'ଗର୍ଭପାତ ପାଇଁ ବାଧ୍ୟ କରାଯିବା'ର ସର୍ବାଧିକ ମାମଲା ଉତ୍ତର ପ୍ରଦେଶ (୬୩), ମହାରାଷ୍ଟ୍ର (୨୬) ରହିଛି। ଦର୍ଜ୍ ହୋଇଥିବା ମୋଟ ୯,୨୮୫ଟି ଷ୍ଟକି° ବା ପିଛା କରିବା ମାମଲା ମଧ୍ୟରୁ ମହାରାଷ୍ଟ୍ରରେ (୨,୧୩୧),  ଆନ୍ଧ୍ରପ୍ରଦେଶରେ (୧୧୮୫), ମଧ୍ଯପ୍ରଦେଶରେ (୧୦୭୨) ଏବଂ ଦିଲ୍ଲୀରେ (୨୭୧) ମାମଲା ରୁଜୁ ହୋଇଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ଏସିଡ୍ ଆଟାକର ସମୁଦାୟ ୧୩୬୨ଟି ମାମଲା ରେକର୍ଡ କରାଯାଇଥିବା ବେଳେ, ବର୍ଷ ୨୦୨୧ରେ ଏହାର ସ°ଖ୍ୟା ୧୭୬ ରହିଛି। ୨୦୨୧ରେ ସମୁଦାୟ ୬୮୦୦ଟି ଯୌତୁକ ଜନିତ ହତ୍ୟା ରିପୋର୍ଟ କରାଯାଇଛି। ଦେଶରେ ଆତ୍ମହତ୍ୟା କରିଥିବା ସମୁଦାୟ ୪୫୦୨୬ ଜଣ ମହିଳାଙ୍କ ମଧ୍ୟରୁ ୨୩୧୭୮ ଜଣ ଗୃହିଣୀ ରହିଛନ୍ତି। ଭାରତୀୟ ମହିଳା କମିଶନ୍ ବର୍ଷ ୨୦୨୦ -୨୧ ମଧ୍ୟରେ ସମୁଦାୟ ୨୬୫୧୩ଟି domestic violence ବା ଘରୋଇ ହି°ସା ଅଭିଯୋଗ ରେକର୍ଡ କରିଛନ୍ତି। ଦେଶରେ ରେକର୍ଡ କରାଯାଇଥିବା ସମସ୍ତ ସାଇବର କ୍ରାଇମ୍ ବା ହାରାସମେଣ୍ଟର ସ°ଖ୍ୟା ୩୫୬ ରହିଛି ଯାହା ୨୦୨୦ରେ ୧୬୮ ଥିଲା ଏବଂ ଅଧିକାଂଶ ଭିକ୍ଟିମ୍ ୧୨ -୧୭ ବର୍ଷ ବୟସ୍କ କିଶୋର କିମ୍ବା ମହିଳା ରହିଛନ୍ତି। NCRB ଡାଟା ଅନୁସାରେ ବର୍ଷ ୨୦୨୧ରେ ସମୁଦାୟ ବାଳବିରୋଧୀ ଅପରାଧକ ମାମଲାର ସ°ଖ୍ୟା ୧,୪୯,୪୦୪ ରହିଛି।

         ବଡ ଆଶ୍ଚର୍ଯ୍ୟ ଲାଗେ "ନିର୍ଭୟା" ମାମଲାରେ ରାସ୍ତାକୁ ଓଲ୍ହେଇ ଆସି ଟିଭି ଚ୍ୟାନେଲ ଆଗରେ ଗର୍ଜୁଥିବା ଆମ ମହିଳା ଓ ବାଳ ବିକାଶ ମନ୍ତ୍ରୀ, ତାଙ୍କ ଶାସନ କାଳ ମଧ୍ୟରେ ଘଟିଥିବା "ହାଥରସ୍", "ଉନ୍ନାଓ" ଏବଂ "କାଠ୍ବା" ମାମଲାରେ ଚୁପ୍ ରୁହନ୍ତି! ଆଶ୍ଚର୍ଯ୍ୟ ଲାଗେ ବିରୋଧୀ ଦଳର କେଉଁ ନେତା କେଉଁଠି ମୂର୍ତ୍ତି ପରିକ୍ରମା କଲେନି ଆଉ କେଉଁଠି ବସି ନମାଜ ପଢିଲେ ଆମ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀଙ୍କ ତୀକ୍ଷ୍ଣ ନଜର ଥାଏ ଅଥଚ ଜେଲରୁ ବେଲରେ ଆସି ଜଣେ ବଳାତ୍କାରର ଅପରାଧୀ ଉନ୍ନାଓରେ ପିଡୀତ ନାବାଳିକା ଏବଂ ତାର ୪ ମାସର ଶିଶୁକୁ ନିଆଁ ଲଗାଇ ଦିଏ, ଏହା ତାଙ୍କୁ ବିଚଳିତ କରେନି! ବଡ ଆଶ୍ଚର୍ଯ୍ୟ ଲାଗେ ଆଜିକୁ ଦୁଇ ସପ୍ତାହ ହେଲା ଯନ୍ତରମନ୍ତରରେ ଯୌନନିର୍ଯ୍ୟାତନାକୁ ବିରୋଧ କରି ଆମ ଦେଶର ମହିଳା କୁସ୍ତି ଖେଳାଳୀଙ୍କ ଅଭିଯୋଗ ଆଉ ଡିମାଣ୍ଡ ଉପରେ ଆମ ମହିଳା ଏବଂ ବାଳ ବିକାଶ ମନ୍ତ୍ରୀଙ୍କ ମୁହଁରେ ଗୋଟିଏ କୁଞ୍ଚିତ ରେଖା ଦେଖା ଯାଏନି ଅଥଚ "ଦ କେରଲା ଷ୍ଟୋରୀ"ର କାଳ୍ପନିକ କାହାଣୀରେ ଥିବା ଝିଅ ମାନଙ୍କୁ ଦେଖି ତାଙ୍କ ହୃଦୟ ଲହୁଲୁହାଣ ହୋଇଯାଏ! ବଡ ଆଶ୍ଚର୍ଯ୍ୟ ଲାଗେ ଦେଶରେ ଯେଉଁଠି ପ୍ରତି ଦିନ ୮୬ ମହିଳା ବଳାତ୍କାରର ଶୀକାର ହୁଅନ୍ତି ଏବଂ ପ୍ରତି ଘଣ୍ଟାରେ ୪୯ଟି ମହିଳା ବିରୋଧୀ ମାମଲା ରେକର୍ଡ (NCRB ଡାଟା ଅନୁସାରେ) କରାଯାଉଛି, ସେଇଠି ଆମ ମହିଳା ଓ ବାଳ ବାକାଶ ମନ୍ତ୍ରୀ କେବଳ ଫିଲ୍ମ ଦେଖିସାରିଲା ପରେ ହିଁ ଗୋଟିଏ ଘଟଣାର ଭୟାବହତା ବୁଝିଛନ୍ତି! ସମୁଦାୟ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଟିଏ ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ୮୦ କୋଟି ଆୟ କଲା ପରେ ତା'ର ପ୍ରଚାତନ୍ତ୍ରରେ ସାମିଲ ଥିବା ଅନୁଷ୍ଠାନ ଗୁଡିକ କେତେ ଭାଗ  ପାଇବେ, ସେ ବିଷୟରେ ମୋର କୌଣସି ଜ୍ଞାନ ନାହିଁ, କିମ୍ବା ଜାଣିବାର ମଧ୍ୟ ଆଗ୍ରହ ନାହିଁ! କିନ୍ତୁ ସବୁଥର ପରି ମୋର ସେଇ ଗୋଟିଏ ପ୍ରଶ୍ନ ପଶ୍ଚିମ-ଏସିଆରେ ଝିଅ ମାନଙ୍କୁ ସେକ୍ସ-ଲେବର କିମ୍ବା ଆତଙ୍କବାଦୀ କାର୍ଯ୍ୟ କଳାପରେ ଯୋଗ ଦେବାକୁ ବାଧ୍ୟ କରୁଥିବା ସେଇ ନରପିଶାଚଙ୍କ ଅପେକ୍ଷା ଆମ ଦେଶ ଭିତରେ ୪, ୨୮, ୨୭୮ ମହିଳା ବିରୋଧୀ ଏବଂ ୧,୪୯,୪୦୪ ବାଳବିରୋଧୀ ଅପରାଧ ଘଟାଇଥିବା ବର୍ବରମାନେ କେଉଁ ଗୁଣରେ ଆତଙ୍କବାଦୀଙ୍କ ଠାରୁ କମ୍? ଗୋଟିଏ ଫିଲ୍ମ ଦେଖି ନଥିବା ମଣିଷ ମାନେ ଆତଙ୍କବାଦୀ ନା ଦେଶ ଭିତରେ ମହିଳା ଓ ବାଳ ବିରୋଧୀ ଅପରାଧ ଘଟାଉଥିବା ଅପରାଧୀ ମାନେ ଆତଙ୍କବାଦୀ? ମହିଳା ଓ ବାଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ନାଗରକଙ୍କୁ ଫିଲ୍ମ ଦେଖିବା କିମ୍ବା ନଦେଖିବା ପାଇଁ ପରାମର୍ଶ ଦେବା ନା ଦେଶ ଭିତରେ ଆତଙ୍କ ଖେଳାଉଥିବା ଶକ୍ତି ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା? ଭାରତର ନାଗରିକ ହିସାବରେ ସେଇ ଗୋଟିଏ ପ୍ରଶ୍ନ, ଦେଶର ବିକାଶ ପାଇଁ ଫିଲ୍ମ ଦେଖିବା ଜରୁରୀ ନା ମହିଳା ଓ ବାଳ ବିକାଶ ଜରୁରୀ?